ନୂଆଦିଲ୍ଲୀ : କାଶ୍ମୀର ଘାଟିରୁ ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ତୁଷାରପାତ ଜାରି ରହିଛି। ଫଳରେ ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳର ତାପମାତ୍ରା ବିଯୁକ୍ତ ୧ ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି। ତେବେ ଆସନ୍ତା କିଛି ଦିନ ପ୍ରବଳରୁ ପ୍ରବଳ ତୁଷାର ପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ତୁଷାରପାତ ଯୋଗୁଁ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ବରଫରେ ଶ୍ରୀନଗରସ୍ଥିତ ଜବାହର ସୁଢଙ୍ଗର ଉଭୟ ପଟ ମଙ୍ଗଳବାରରୁ ବନ୍ଦ ହୋଇଯାଇଛି। ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ପ୍ରବଳ ମାତ୍ରାରେ ତୁଷାରପାତ ହେଉଥିବାରୁ ରାସ୍ତାରୁ ବରଫ ହଟାଇବା କଷ୍ଟକର ହୋଇପଡ଼ିଛି। ଜାମ୍ମୁ କାଶ୍ମୀର ଏବଂ ହିମାଚଳପ୍ରଦେଶରେ ତାପମାତ୍ରା ବିଯୁକ୍ତ ରହୁଥିବାରୁ ଶୀତ ଲହରୀ ବୃଦ୍ଧି ପାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ କାର୍ଗିଲର ତାପମାତ୍ରା ସର୍ବନିମ୍ନ ରହିଛି। ଶୁକ୍ରବାର ସକାଳେ କାର୍ଗିଲର ନ୍ୟୁନତମ ତାପମାତ୍ରା ବିଯୁକ୍ତ ୧୮.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଲେହ ତାପମାତ୍ରା ବିଯୁକ୍ତ ୧୨.୯ ଡିଗ୍ରୀ, ଶ୍ରୀନଗର ତାପମାତ୍ରା ବିଯୁକ୍ତ ୧.୩ ଡିଗ୍ରୀ, ଲାହୌଲ ତାପମାତ୍ରା ବିଯୁକ୍ତ ୧୪ ଡିଗ୍ରୀ, କୁଫ୍ରି ତାପମାତ୍ରା ବିଯୁକ୍ତ ୪.୮ ଡିଗ୍ରୀ, ମନାଲି ତାମାତ୍ରା ବିଯୁକ୍ତ ୧ ଡିଗ୍ରୀ, କଳ୍ପା ତାପମାତ୍ରା ବିଯୁକ୍ତ ୧୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
Popular Categories



