ସମ୍ବଲପୁର: କଥାରେ ଅଛି ଦୂର ପର୍ବତ ସୁନ୍ଦର, କିନ୍ତୁ, ନିକଟରୁ ବି ଏହାର ସୌନ୍ଦର୍ୟ୍ୟ ମନୋରମ, ତାହା ସୋନପୁର ବନଖଣ୍ଡ ବିନିକା ବନାଞ୍ଚଳରେ ରହିଥିବା ଧ୍ୱଜାବନ୍ଧା ପାହାଡ଼ରେ ଅନୁଭବ ହୁଏ। ରାମପୁର ସେକ୍ସନ (ସିଙ୍ଘିଯୁବା ବିଟ୍) ଅଧୀନରେ ଥିବା ଏହି ପାହାଡ଼ଟି ପ୍ରାୟ ୧୫ ବର୍ଷ ତଳେ ସବୁଜିମା ହରାଇବା ସହ ସମ୍ପୂର୍ଣ୍ଣ ଲଣ୍ଡା ହୋଇ ରହିଥିଲା। ଫଳରେ ଏହାକୁ ପୁନରୁଦ୍ଧାର କରିବା ନେଇ ପାରିପାର୍ଶ୍ବିକ ଗାଁଗୁଡ଼ିକରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହାପରେ ଅନବରତ ସଂରକ୍ଷଣ ପ୍ରକ୍ରିୟା ଯୋଗୁଁ ବର୍ତ୍ତମାନ ସମଗ୍ର ପାହାଡ଼, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି। ଏହା ପ୍ରାକୃତିକ ସଂରକ୍ଷିତ ଜଙ୍ଗଲ ଅଟେ। ପତ୍ରଝଡ଼ା ଜଙ୍ଗଲ ହୋଇଥିଲେ ବି ଆଶ୍ଚର୍ୟ୍ୟଜନକ ଭାବେ ଖରା ଦିନରେ ଏହି ପାହାଡ଼ର ସବୁଜିମା ବଜାୟ ରହୁଛି।
ଧ୍ୱଜାବନ୍ଧା ପାହାଡ଼ର ଚାରି ପାଖରେ ୬ଟି ଗାଁର ବନ ସୁରକ୍ଷା ସମିତି ସଂରକ୍ଷଣ ପ୍ରକ୍ରିୟାରେ ସାମିଲ ରହିଛନ୍ତି। ପ୍ରାୟ ୬୫୦ ହେକ୍ଟର ମଧ୍ୟରେ ବ୍ୟାପିଥିବା ଏହି ଜଙ୍ଗଲରେ ବାରହା, ମୟୂର, ବଜ୍ରକାପ୍ତା ଆଦି ଦେଖାଯାନ୍ତି। ସେହିପରି ବିଜା, ସାହାଜ, ଖଇର ଆଦି ମୂଲ୍ୟବାନ ଗଛ ରହିଛି। କିଛି ମାତ୍ରାରେ ବନୀକରଣ ହୋଇଥିବା ବେଳେ ଜଙ୍ଗଲ ନିଆଁକୁ ମାତ୍ରାଧିକ ହ୍ରାସ କରାଯାଇପାରିଛି। ମାଫିଆଙ୍କ ପ୍ରାଦୁର୍ଭାବ ତଥା କାଠ ଚୋରା ଚାଲାଣକୁ ଏହି ଜଙ୍ଗଲରେ ଶୂନ୍ କରାଯାଇ ପାରିଛି। ସଂରକ୍ଷଣରେ ସ୍ଥାନୀୟ ଲୋକ ସାମିଲ ଥିବାରୁ ଗଛ ଚୋରି ମଧ୍ୟ କମିଯାଇଛି।
ଏହା ଚାରିପଟେ ଚାଷଜମି ରହିଛି। ହୀରାକୁଦ କମାଣ୍ଡ ଏରିଆର ବିସ୍ତୀର୍ଣ୍ଣ ସମତଳ ଭୂଇଁ ମଧ୍ୟରେ ଏଭଳି କିଛି ହାତଗଣତି ଘଞ୍ଚ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହା ହେଉଛି ଅନ୍ୟତମ। ସମ୍ବଲପୁର ବନଖଣ୍ଡ ଅଧୀନରେ ବୁର୍ଲା ନିକଟ ଚାନ୍ଦଲି ଡୁଙ୍ଗୁରୀର ଗୋଟିଏ ପାର୍ଶ୍ବରେ ଏଭଳି ନିରନ୍ତର ସଂରକ୍ଷଣ ପ୍ରକ୍ରିୟା ଦେଖିବାକୁ ମିଳେ। ଏଥିରେ ଆଖପାଖ ଗାଁର ବନ ସୁରକ୍ଷା ସମିତି ସାମିଲ ଅଛନ୍ତି। ଦୀର୍ଘ ଦଶନ୍ଧି ଧରି ଏହି ପାହାଡ଼ର ଗୋଟିଏ ପାର୍ଶ୍ବରେ ସବୁଜିମା ହ୍ରାସ ପାଇନାହିଁ। ସ୍ଥାନୀୟ ସଚେତନତା ଏବଂ ବନସୁରକ୍ଷା ସମିତି ସହଯୋଗରେ ଏହା ବର୍ତ୍ତମାନ ଏକ ନିରନ୍ତର ସଂରକ୍ଷଣ ପ୍ରକ୍ରିୟାରେ ରହିଛି।
ଅନ୍ୟପକ୍ଷରେ, ଗ୍ରାମ୍ୟ ଜଙ୍ଗଲର ପୁନରୁଦ୍ଧାର ପାଇଁ ବିଭିନ୍ନ ବନାଞ୍ଚଳ ଅଧୀନରେ ପ୍ରୟାସ ଚାଲିଥିବା ବେଳେ ଜଙ୍ଗଲ ଅବକ୍ଷୟକୁ ରୋକାଯାଇ ପାରୁନାହିଁ। ତେବେ, ପାହାଡ଼ରେ ସଂରକ୍ଷଣ ପ୍ରୟାସ ହେଲେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବାରେ ସଫଳତା ମିଳୁଛି। ଏହି ଦୃଷ୍ଟିରୁ ୨୦୧୨-୧୩ରେ ଓଡ଼ିଶା ସରକାରଙ୍କ ଲଣ୍ଡା ପାହାଡ଼ ପୁନରୁଦ୍ଧାର ଯୋଜନା, ସଂରକ୍ଷଣ ମାନସିକତାରେ କିଛି ପରିବର୍ତ୍ତନ ଆଣିଛି। ଜଙ୍ଗଲ ସୃଷ୍ଟି ଦିଗରେ ବନୀକରଣ ବ୍ୟୟସାପେକ୍ଷ ରହିଛି। ଏହା ବିଭିନ୍ନ ଦୃଷ୍ଟାନ୍ତରେ ଫଳପ୍ରଦ ମଧ୍ୟ ହେଉନାହିଁ। ବନୀକରଣ ଦ୍ୱାରା ଏକ ଘଞ୍ଚ, ପରିପୁଷ୍ଟ ଜଙ୍ଗଲ ସୃଷ୍ଟି କରିବାକୁ ପ୍ରାୟ ୪୦ ବର୍ଷ ସମୟ ଲାଗିଥାଏ। ପାହାଡ଼ଗୁଡ଼ିକରେ କେବଳ ମୃତ୍ତିକାର ସ୍ଥିତାବସ୍ଥା ଓ ରକ୍ଷଣାବେକ୍ଷଣ ଦ୍ୱାରା ୪-୫ ବର୍ଷରେ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରୁଥିବାରୁ, ଏହା ବର୍ତ୍ତମାନ ବନ ବିଭାଗର ପ୍ରାଥମିକତା ରହିଛି। ସିଙ୍ଘିଯୁବାର ଧ୍ୱଜାବନ୍ଧା ପାହାଡ଼ରେ ଏହି ସଫଳତା ମିଳିଛି। ପାହାଡ଼ର ସ୍ଥିତାବସ୍ଥାକୁ, ଅଳ୍ପ କିଛି ବନୀକରଣ ଦ୍ୱାରା ସଂରକ୍ଷଣ କରାଗଲେ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହେବାରେ ବେଶି ସମୟ ଲାଗିବ ନାହିଁ। ସମତଳ ଭୂଇଁରେ ୪-୫ ବର୍ଷ ମଧ୍ୟରେ ଜଙ୍ଗଲ ସୃଷ୍ଟି ପାଇଁ ୧.୩୩ ଲକ୍ଷ ଖର୍ଚ୍ଚ ଅଟକଳ ହେଉଥିଲା ବେଳେ ଏହି ସମୟ ମଧ୍ୟରେ ପାହାଡ଼ରେ ବନୀକରଣ ମୂଲ୍ୟ ୨.୮୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଫଳରେ ସ୍ୱଳ୍ପ ବ୍ୟୟ ଅଟକଳରେ ପାରମ୍ପରିକ ସଂରକ୍ଷଣକୁ ମୂଳମନ୍ତ୍ର କରାଯାଇ ସିଙ୍ଘିଯୁବା ପାହାଡ଼ରେ ହୋଇଥିବା ପ୍ରୟାସ ସଫଳ ହୋଇଛି।



