ଧରାପଡ଼ିଲେ ୧୦ ଧାନ ଚୋର, ଦୁଇ ଚମ୍ପଟ୍

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ସିଲେଟ ପଞ୍ଚାୟତ ଗଉରଟିକ୍ରା ଗ୍ରାମର ଲିଭି ବନ୍ଧ ନିକଟରେ ରହିଥିବା ଏକ ପଡ଼ିଆରେ ଗ୍ରାମର ଭାଗଚାଷୀ ଅନନ୍ତ ରାମଜାଲଙ୍କ ଧାନ ପ୍ୟାକେଟ ଗଦାରୁ ଧାନ ଚୋରି କରି ଚମ୍ପଟ ମାରିବାବେଳେ ଧରାପଡ଼ିଛନ୍ତି ୧୦ ଜଣ ଧାନ ଚୋର। ତେବେ ଅନ୍ୟ ୨ ଜଣ ଚମ୍ପଟ୍‌ ମାରିବାରେ ସଫଳ ହୋଇଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି, ଗତ ରବିବାର ଏହି ଗ୍ରାମର ଭାଗ ଚାଷୀ ସଦାନନ୍ଦ ମିର୍ଦ୍ଧାଙ୍କ ଧାନ ଗଦାରୁ ୧୨୦ ପ୍ୟାକେଟ ଧାନ ଚୋରି ହୋଇଥିଲା। କିନ୍ତୁ କିଏ ଚୋରି କରିଥିଲା ତାହା ଜଣାପଡ଼ି ନ ଥିଲା। ଏନେଇ ସଦାନନ୍ଦ ଗ୍ରାମର ସମସ୍ତ ଚାଷୀଙ୍କୁ ସତର୍କ କରିବା ସହ ଚୋରକୁ ଧରିବା ପାଇଁ ପ୍ରତିଦିନ ବିଲରେ ଲୁଚି ରହୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଗ୍ରାମର ପୁରୁଣା ମିଲ୍ ପଛପଟେ ରହିଥିବା ଅନନ୍ତ ରାମଜାଲଙ୍କ ଗଦାରୁ ୧୨ ଜଣ ଚୋର ଆସି ଏକ ଗାଡ଼ିରେ ଧାନ ବୋଝେଇ କରି ନେବାର ଉଦ୍ୟମ କରୁଥିବା ଦେଖି ଲୁଚି ରହିଥିବା ଲୋକେ ତାଙ୍କୁ ଦେଖିଥଲେ। କିନ୍ତୁ ଚୋରମାନଙ୍କ ସଂଖ୍ୟା ଅଧିକ ଥିବା ଦେଖି ଜୀବନ ପ୍ରତି ବିପଦ ମଣି ଫୋନ ମାଧ୍ୟମରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଗ୍ରାମବାସୀ ପରସ୍ପର ମଧ୍ୟରେ ଯୋଗାଯୋଗ କରି ଏକତ୍ରିତ ଭାବରେ ଚୋରଙ୍କୁ ଧରିବା ପାଇଁ ଆସିଥିଲେ। ସେତେବେଳକୁ ଚୋରାମାନେ ଅନନ୍ତଙ୍କ ଗଦାରୁ ୪୫ କେଜି ବିଶିଷ୍ଟ ୧୧୦ ପ୍ୟାକେଟ ଓ ଶାନ୍ତି କୁମାର ମିର୍ଦ୍ଧାଙ୍କ ଧାନ ଗଦାରୁ ୩୦ ପ୍ୟାକେଟ ଧାନ ମୋଟ ୧୪୦ ପ୍ୟାକେଟ ଧାନ ଗାଡ଼ିରେ ବୋଝେଇ କରିସାରିଥିଲେ। ଗ୍ରାମବାସୀ ଚୋରଙ୍କୁ ଧରିବାକୁ ଚେଷ୍ଟା କଲାବେଳେ ୧୦ ଜଣ ଧରାପଡ଼ିଥିଲେ ଓ ଦୁଇଜଣ ଫେରାର ମାରିଥିଲେ। ଚୋରମାନେ ହେଲେ ସମ୍ବଲପୁର ଜିଲାର ଯୁଜୁମୁରା ଅଞ୍ଚଳର ଜିତେନ୍ ଓରାମ(୨୦), କ୍ରୀଷ୍ଣା ଓରାମ୍ (୧୯), ଅବତାବ ଓରାମ(୧୯), ନାବାଳକ ଦେବାଶିଷ ଓରାମ, ରାହୁଲ ଓରାମ(୧୮), ନାବାଳକ ଶିବ ଓରାମ, ବଣ୍ଟି ଓରାମ(୧୮), ଅଜିତ ନାଏକ(୨୦) ଓ ଲକ୍ଷ୍ମଣ ଦାସ(୨୬)। ଘଟଣା ସ୍ଥଳରେ ସମସ୍ତ ଚୋରଙ୍କୁ ଗଛରେ ବାନ୍ଧିରଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ଧାନ ବୋଝେଇ ଗାଡ଼ି ସମେତ ୧୦ ଜଣଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ ଗ୍ରାମବାସୀ। ଏନେଇ ପୁଲିସ ପ୍ରାରମ୍ଭିକ ତଦନ୍ତ ସହ ତନାଘନା ଜାରି ରଖିଛି। ସଦାନନ୍ଦ ଜଣେ ଭାଗ ଚାଷୀ। ସମସ୍ତ ପୁଞ୍ଜି ସହ ଝାଳବୁହା ପରିଶ୍ରମ କରି ଚାଷୀମାନେ ଧାନ ମୁଠାଏ ଉତ୍ପାଦନ କରୁଛନ୍ତି, ଯେଉଁଥିରେ ନିଜର ଜୀବିକା ନିର୍ବାହ କରୁଛନ୍ତି। ସେହି ଉପାର୍ଜିତ ଧାନକୁ ଚୋରମାନେ ଚୋରି କରି ନେବାପରେ ସେମାନଙ୍କ ମାନସିକ ଓ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇ ପଡ଼ୁଛି। ଆଜିର ଏହି ଚୋରି ଘଟଣାକୁ ଦେଖି ଅନୁମାନ କରାଯାଉଛି ଯେ, ଏହି ଧାନ ଚୋରଙ୍କ ଏକ ବଡ଼ ଗ୍ୟାଙ୍ଗ ରହିଛି ଓ ବିଭିନ୍ନ ସ୍ଥାନରୁ ଏମିତି ଧାନ ଚୋରି କରିବା ଏମାନଙ୍କ ବେପାର। ତେଣୁ ଏମାନଙ୍କ ପାଇଁ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ଚାଷୀ ମହଲରେ ଦାବି ହେଉଛି।

Comments are closed.