www.samajalive.in
Tuesday, December 9, 2025
16.1 C
Bhubaneswar

ସିଙ୍ଗାରୀ ଘାଟି ରାସ୍ତା ନିର୍ମାଣ କେବେ ? ଠିକାଦାର ପୋଷା ପାଇଁ ମରାମତି ନାଁରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା

କଲମପୁର: କଳାହାଣ୍ଡି ଜିଲ୍ଲାର କଲମପୁର ଏବଂ ଆଦିବାସୀ ବହୁଳ ଥୁଆମୁଳ ରାମପୁର ବ୍ଲକ ମଧ୍ୟରେ ଯାତାୟାତ ପାଇଁ ଏକମାତ୍ର ରାସ୍ତା ହେଉଛି ସିଙ୍ଗାରୀ ଘାଟି ରାସ୍ତା। ପୂର୍ତ୍ତ ବିଭାଗ ମାଧ୍ୟମରେ ୮୦ ଦଶକରେ ସିଙ୍ଗାରୀ ଘାଟି ମଧ୍ୟରେ କିଛି ରାସ୍ତା ନିର୍ମାଣ ଆରମ୍ଭ ହେଇଥିଲା। ଦୀର୍ଘ ୪୫ ବର୍ଷ ଧରି ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ପୂର୍ତ୍ତ ବିଭାଗର ଭବାନୀପାଟଣା ଉପବିଭାଜନ ଏବଂ ଜୁନାଗଡ ଉପବିଭାଜନ ଅଧୀନରେ ରହିଛି ସିଙ୍ଗାରୀ ଘାଟିର ୮ କିଲୋମିଟର ରାସ୍ତା। କିନ୍ତୁ ଏହି ୮ କିଲୋମିଟର ରାସ୍ତା ନିର୍ମାଣ ହେବାରେ ଏବେ ବାଧକ ସାଜିଛି ଜଙ୍ଗଲ ଆଇନ। ସିଙ୍ଗାରୀ ଜଙ୍ଗଲ ସଂରକ୍ଷିତ ଜଙ୍ଗଲ ଅଧୀନରେ ଥିବାରୁ ଏହି ଜଙ୍ଗଲ ଆଇନ ବାଧକ ସାଜିଛି। ଖଣି ଖାଦାନ ପାଇଁ ରାତା ରାତି ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହେଉଥିବା ବେଳେ ଲୋକଙ୍କ ବିକାଶ ପାଇଁ କିନ୍ତୁ ଏ ଦିଗରେ କାହାରି ଆନ୍ତରିକତା ଥିବା ଜଣାପଡ଼ୁନାହିଁ। ସେପଟେ ରାସ୍ତା ମରାମତି ନାଁରେ ଠିକାଦାରଙ୍କୁ ପୋଷିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

୨୦୧୬/୧୭ରୁ ୨୦୨୨/୨୩ ମଧ୍ୟରେ ପ୍ରାୟ ୨୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେଇଥିଲେ ମଧ୍ୟ ରାସ୍ତାର ଅବସ୍ଥା ସୁଧୁରି ପାରିନାହିଁ । ଗତ ୬ମାସ ମଧ୍ୟରେ ଏହି ରାସ୍ତା ଦେଇ ବାଲି, ଇଟା, ଚିପ୍‌ସ ସମେତ ଅନ୍ୟ ସମସ୍ତ ନିର୍ମାଣ ସାମଗ୍ରୀ ଭାରିଯାନ ଦ୍ଵାରା ଥୁଆମୁଳ ରାମପୁର ଏବଂ ରାୟଗଡା ଜିଲ୍ଲାର କାଶୀପୁର ଅଂଚଳକୁ ନିଆଯାଉଛି। ଯେଉଁଥିପାଇଁ ରାସ୍ତା ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଛି। ରାସ୍ତା ଏବେ ବାଇକ ଏବଂ ଲଘୁଯାନ ଆରୋହୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଥୁଆମୁଳ ରାମପୁରଠାରୁ ଭବାନୀପାଟଣା ଭାୟା ଗୁଣପୁର ରାସ୍ତାର ଦୈର୍ଘ୍ୟ ୭୫ କିଲୋମିଟର। ରାସ୍ତା ମଧ୍ୟରେ କର୍ଲାପାଟ ଅଭାୟାରଣ୍ୟ। ଅନେକ ସମୟରେ  ବାଘ, ଭାଲୁ ଏବଂ ହାତୀ ଭଳି ଜଙ୍ଗଲି ଜନ୍ତୁଙ୍କ ଭୟ ରହିଥାଏ। ଏହାସହ ରାସ୍ତାର ୬୦ କିଲୋମିଟର ଉଚ୍ଚ ପାହାଡ ଏବଂ ଅନେକ ବିପଦପୂର୍ଣ୍ଣ ବୁଲାଣି ରହିଛି। ତେଣୁ ଲୋକେ କେବଳ ସିଙ୍ଗାରୀ ଘାଟିର ୮ କିଲୋମିଟର ରାସ୍ତା ପାର ହୋଇ କଲମପୁର ଦେଇ ସୁରକ୍ଷିତ ଭାବେ ଯାତାୟାତ କରିଥାନ୍ତି । ଏପରିକି ଏହି ରାସ୍ତା ଦେଇ ସଙ୍କଟାପନ୍ନ ରୋଗୀ, ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥାଏ। ତେଣୁ ସିଙ୍ଗାରୀ ଘାଟି ରାସ୍ତା ଥୁଆମୁଳ ରାମପୁର ଅଂଚଳବାସୀଙ୍କ ପାଇଁ ଜୀବନ ରେଖା ପାଲଟିଥିବା ବେଳେ ବର୍ତ୍ତମାନ ରାସ୍ତାର କ୍ଷମତାଠାରୁ ଅଧିକ ଓଜନ ବିଶିଷ୍ଟ ସାମଗ୍ରୀ ପରିବହନ କରି ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଏହି ରାସ୍ତା ଦେଇ ଜିଲାପାଳ, କମିଶନରଙ୍କ ଭଳି ଉଚ୍ଚ ପଦବୀଧାରୀ ସରକାରୀ ଅଧିକାରୀ, ବିଧୟାକ, ସାଂସଦ ଏବଂ ମନ୍ତ୍ରୀ ଯାତାୟାତ କରୁଥିଲେ ମଧ୍ୟ ରାସ୍ତା ପ୍ରତି କାହାରି ନିଘା ନାହିଁ। ତୁରନ୍ତ ରାସ୍ତା ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ଉଭୟ କଲମପୁର ଏବଂ ଥୁଆମୁଳ ରାମପୁର ଅଂଚଳବାସୀଙ୍କ ପକ୍ଷରୁ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତୁରନ୍ତ ଘାଟି ରାସ୍ତାର ମରାମତି କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories