ତ୍ରିବେଣୀ ସଙ୍ଗମର ସମାହାର ଥିଲେ ମନୋରମା ମହାପାତ୍ର –  ଜନ୍ମମାଟି ଆଠଗଡରେ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଏବଂ ପ୍ରତିମୂର୍ତ୍ତି ଉନ୍ମୋଚନ

ଆଠଗଡ ତା-  ଜନ୍ମମାଟି ଆଠଗଡରେ ବିଶିଷ୍ଟ କବୟିତ୍ରୀ, ସାହିତ୍ୟିକା, ସାମ୍ବାଦିକା, ବାଗ୍ମୀ, ସମାଜସେବୀ ଓ ଶିକ୍ଷାବିତ୍‍ ତଥା ସମାଜର ପୂର୍ବତନ ସଂପାଦକ ଅଡଃ ମନୋରମା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଏବଂ ପୂର୍ଣ୍ଣାବୟୋବ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁ ମହିଳା କଲେଜ ଏବଂ ଡଃ ରାଧାନାଥ ରଥ ସ୍ମୃତି କମିଟିର ମିଳିତ ଆନୁକୁଲ୍ୟରେ ଗୋପବନ୍ଧୁ ମହିଳା କନିଷ୍ଠ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରୀ ମହତାବ ଯୋଗଦେଇ ମନୋରମା ମହାପାତ୍ର ସାହିତ୍ୟ, ସାମ୍ବାଦିକତା ଓ ସମାଜସେବାର ତ୍ରିବେଣୀ ସଙ୍ଗମର ସମାହାର ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କର କବିତା, ସାହିତ୍ୟ କୃତି ଓ ବାଗ୍ମୀତାର ତୁଳନା ନାହିଁ ବୋଲି ଶ୍ରୀ ମହତାବ କହିବା ସହ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ୱ ୯୦ଦଶକରେ ଗ୍ରହଣ କରିବା ପରେ ଏହାର କାୟାକଳ୍ପ ପରିବର୍ତ୍ତନ କରିବା ସହ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ଏବଂ ପ୍ରସାର ପାଇଁ ଶ୍ରୀମତୀ ମହାପାତ୍ରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସାଂସଦ ଶ୍ରୀ ମହତାବ ପ୍ରକାଶ କରିଥିଲେ । ଡଃ ରାଧାନାଥ ରଥ ସ୍ମୃତି କମିଟିର ସଭାପତି ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ଏବଂ ସୁନାମଧନ୍ୟ ଉଦ୍‍ଘୋଷକ ପାର୍ଥସାରଥୀ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍‍ଘାଟକ ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶ୍ରୀମତୀ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଶିକ୍ଷାର ପ୍ରସାର ବିଶେଷକରି ନାରୀ ଶିକ୍ଷାର ପ୍ରସାର ପାଇଁ ଆଠଗଡରେ ଗୋପବନ୍ଧୁ ମହିଲା କଲେଜ, ଖୁଣ୍ଟୁଣୀରେ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟ ଏବଂ ତିଗିରିଆରେ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ଜନ୍ମମାଟି ଆଠଗଡରେ ଉତ୍ତରପୀଢିଙ୍କ ପାଇଁ ଶ୍ରୀମତୀ ମହାପାତ୍ରଙ୍କ ସ୍ମୃତିରକ୍ଷା ଲାଗି ଉଦ୍ୟମ କରିବାକୁ ଆୟୋଜକଙ୍କୁ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ ଯୋଗଦେଇ ଶ୍ରୀମତୀ ମହାପାତ୍ରଙ୍କ କାଳଜୟୀ କବିତା ଓ ସାହିତ୍ୟକୃତି ତାଙ୍କୁ ଚିର ଅମର କରି ରଖିବ ବୋଲି କହିବା ସହ ଶ୍ରୀମତୀ ମନୋରମା ମହାପାତ୍ରଙ୍କ ସହ ସେ ବିତାଇଥିବା ସମୟର ସ୍ମୃତିଚାରଣ କରିଥିଲେ । ଆମେରିକାରେ ଅବସ୍ଥାନ କରୁଥିବା ବିଶିଷ୍ଟ କମ୍ପ୍ୟୁଟର ସଫ୍ଟଓୟାର ବୈଜ୍ଞାନିକ ଜ୍ଞାନ ରଞ୍ଜନ ଦାଶ ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଶ୍ରୀମତୀ ମହାପାତ୍ର ନାରୀଶିକ୍ଷା ଓ ନାରୀ ସଶକ୍ତିକରଣର ପ୍ରବକ୍ତା ଥିଲେ ବୋଲି ମତବ୍ୟକ୍ତ କରିଥିଲେ ।

୭୫ବର୍ଷ ପୂର୍ବରୁ ୧୯୪୭ମସିହା ଅଗଷ୍ଟ ୧୫ତାରିଖରେ ଶ୍ରୀମତୀ ମହାପାତ୍ରଙ୍କର ମାତ୍ର ୧୩ବର୍ଷ ବୟସରେ ପ୍ରଥମ କବିତାରେ ନାରୀ ଶିକ୍ଷା ଓ ମହିଳା ସଶକ୍ତିକରଣର ଝଲକ ଏହାର ଉଦାହରଣ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି, ଓଡିଶା ଶାଖା ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଶ୍ରୀମତୀ ମହାପାତ୍ରଙ୍କର ଓଡିଆ ଭାଷା ଓ ସାହିତ୍ୟକୁ ଅବଦାନ ଅତୁଳନୀୟ ବୋଲି କହିବା ସହ ସେଭଳି ଜଣେ ଯୋଗଜନ୍ମାଙ୍କୁ ଜନ୍ମଦେଇ ଆଠଗଡ ମାଟି ଓ ଆଠଗଡବାସୀ ଗର୍ବିତ ବୋଲି ମତପ୍ରକାଶ କରିଥିଲେ । ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶ୍ରୀମତୀ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିଭିନ୍ନ ମହାବିଦ୍ୟାଳୟରେ ତାଙ୍କ ସାରସ୍ୱତ କୃତିକୁ ନେଇ କର୍ମଶାଳା ଆୟୋଜନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ମନୋରମା ମହାପାତ୍ରଙ୍କର ଜ୍ୟେଷ୍ଠକନ୍ୟା ଶ୍ୱେତପଦ୍ମା ଦାଶ ମନୋରମାଙ୍କର ରଚିତ କବିତାର କିଛି ପଂକ୍ତି ଆବୃତ୍ତି କରିବା ସହ ଓଡିଆ ଭାଷା ଓ ସାହିତ୍ୟକୁ ଶ୍ରୀମତୀ ମହାପାତ୍ରଙ୍କ ଅବଦାନ ଓ ତାଙ୍କର ସମାଜସେବା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ କଲେଜ ପରିସରରେ ଶ୍ରୀମତୀ ମହାପାତ୍ରଙ୍କର ଏକ ପୂର୍ଣ୍ଣାବୟୋବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ପ୍ରତିଷ୍ଠିତ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲର୍ପ୍‍ଣ କରିଥିଲେ । ସଭାର ପ୍ରାରମ୍ଭରେ ଶ୍ରୀମତୀ ମହାପାତ୍ରଙ୍କ ଉପରେ ଆଧାରିତ ସୁନାମଧନ୍ୟ ଗୀତିକାର ରାଧାନାଥ ଦାଶଙ୍କ ଦ୍ୱାରା ରଚିତ ‘ମନସ୍ୱିନୀ ମନୋରମା’ ମିଳିତ କଣ୍ଠସଂଗୀତ ଗୁରୁଦତ୍ତ ନାୟକଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାର ଓ କଲେଜର ଛାତ୍ରୀ ପରିବେଷଣ କରିଥିଲେ ।

ଏଥିସହିତ ୧୯୬୦ ଓ ୭୦ଦଶକରେ ଆଠଗଡରେ ସମାଜ ଖବରକାଗଜର ବିତରକ ଓ ସମ୍ବାଦ ଦାତା ଭାବେ କାର୍ଯ୍ୟ କରିଥିବା ୯୦ବର୍ଷ ବୟସ୍କ ରବିନାରାୟଣ ମହାପାତ୍ରଙ୍କୁ ମନୋରମା ମହାପାତ୍ର ସ୍ମୃତି ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗୋପବନ୍ଧୁ ମହିଳା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର, ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଗୀତା ମହାପାତ୍ର, ଡଃ ରାଧାନାଥ ରଥ ସ୍ମୃତିକମିଟିର ଆବାହକ ସୁଧି ରଞ୍ଜନ ଦାଶ, ଉଭୟ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବହୁ ସ୍ୱେଚ୍ଚାସେବୀ ସହଯୋଗ କରିଥିଲେ । ଶେଷରେ ସମାଜର ଗୁରୁଡିଝାଟିଆ ପ୍ରତିନିଧି ଶ୍ୱେତକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.