ଫୁଟ୍ବଲ ବିଶ୍ୱକପ୍ : ରୁଷିଆ-ସ୍ପେନ୍ ଏବଂ କ୍ରୋଏସିଆ-ଡେନମାର୍କ ମଧ୍ୟରେ ମୁକାବିଲା
ମସ୍କୋ / ନିଜ୍ନି ନୋଭ୍ଗୋରୋଡ୍ : ୨୦୧୮ ଫିଫା ଫୁଟ୍ବଲ ବିଶ୍ୱକପ୍ର ଆୟୋଜକ ରୁଷିଆ ପୂର୍ବତନ ଚମ୍ପିଆନ୍ ସ୍ପେନ୍ ମଧ୍ୟରେ ରବିବାର ପ୍ରଥମ ପ୍ରି କ୍ୱାର୍ଟରଫାଇନାଲ ମ୍ୟାଚ୍ ଖେଳାଯିବ। ସେହିପରି ଟୁର୍ଣ୍ଣାମେଣ୍ଟର ଅନ୍ୟ ଏକ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚରେ ଦୁଇ ୟୁରୋପୀୟ ରାଷ୍ଟ୍ର କ୍ରୋଏସିଆ ଓ ଡେନମାର୍କ ପରସ୍ପରକୁ ଭେଟିବେ।
ଏହି ୪ଟି ଦଳର ସ୍ଥିତିକୁ ଲକ୍ଷ୍ୟ କଲେ ଜଣାଯାଏ ରୁଷିଆ ଲିଗ୍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ହେଁ ମ୍ୟାଚ୍ରେ ସ୍ପେନ୍ର ପଲ୍ଲା ଭାରି ରହିବ। ଲିଗ୍ ପର୍ଯ୍ୟାୟରେ ସ୍ପେନ୍ ମାତ୍ର ଗୋଟିଏ ମ୍ୟାଚ୍ ଜିତିଥିଲେ ହେଁ ରୁଷିଆ ପ୍ରଥମ ମ୍ୟାଚ୍ରେ ସାଉଦି ଆରବକୁ ୫-୦ରେ ହରାଇବା ପରେ ଇଜିପ୍ଟକୁ ହରାଇ ନକ୍ଆଉଟ ଖେଳିବା ନିଶ୍ଚିତ କରିଥିଲା। ତେବେ ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳିବାର ଅଭିଜ୍ଞତା ଏବଂ ବିଶ୍ୱର ବଡ଼ କ୍ଲବ୍ରେ ଖେଳୁଥିବା ଖେଳାଳିଙ୍କୁ ନେଇ ଗଠିତ ସ୍ପେନ୍କୁ ପରାସ୍ତ କରିବାକୁ ହେଲେ ରୁଷିଆକୁ ତା’ର ଫୁଟ୍ବଲ ଇତିହାସରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।
ସେହିପରି ଦୁଇ ୟୁରୋପୀୟ ରାଷ୍ଟ୍ର କ୍ରୋଏସିଆ ଓ ଡେନମାର୍କ ମଧ୍ୟରୁ ଲିଗ୍ ପର୍ଯ୍ୟାୟର ପ୍ରଦର୍ଶନକୁ ଭିତ୍ତି କରି କ୍ରୋଏସିଆ ଏହି ମ୍ୟାଚରେ ଫେଭରିଟ୍ ମାନ୍ୟତା ପାଇବା ସ୍ୱାଭାବିକ। ଗ୍ରୁପ୍ ‘ଡି’ରେ ସ୍ଥାନ ପାଇଥିବା କ୍ରୋଏସିଆ ଲିଗ୍ ପର୍ଯ୍ୟାୟର ତିନିଟି ମ୍ୟାଚରେ ବିଜୟୀ ହୋଇ ପୂରା ୯ ପଏଣ୍ଟ ସହ ପ୍ରିକ୍ୱାର୍ଟର ଯୋଗ୍ୟତା ହାସଲ କରିଛି। କ୍ରୋଏସିଆ ତା’ର ଦ୍ୱିତୀୟ ମୁକାବିଲାରେ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳକୁ ୩-୦ ଗୋଲରେ ପରାସ୍ତ କରିଛି। ଅପରପକ୍ଷରେ ଡେନମାର୍କ ଚଳିତ ବିଶ୍ୱକପରେ ଡାର୍କ ହର୍ସ ମାନ୍ୟତା ପାଇଥିବାବେଳେ ଗୋଟିଏ ବିଜୟ ଓ ଦୁଇଟି ଡ୍ର ବଳରେ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଏଭଳି ପାର୍ଥକ୍ୟ ସତ୍ତ୍ବେ କ୍ରୋଏସିଆକୁ କଡା ଟକ୍କର ଦେବାର ଦକ୍ଷତା ଡେନମାର୍କ ଖେଳାଳିଙ୍କ ନିକଟରେ ରହିଛି।
ତେବେ ଶନିବାର ଆର୍ଜେଣ୍ଟିନା ଓ ପର୍ତ୍ତୁଗାଲ ପ୍ରିକ୍ୱାର୍ଟର ରାଉଣ୍ଡରୁ ବିଦାୟ ନେବା ସମସ୍ତଙ୍କୁ ଚକିତ କରିଛି।