କେନ୍ଙ୍କ ୨ଟି ଗୋଲ୍ରେ ଇଂଲଣ୍ଡ ବିଜୟୀ
ଭଲ୍ଗୋଗ୍ରାଡ୍ : ଚଳିତ ଫିଫା ବିଶ୍ୱକପ୍ରେ ସୋମବାର ଏକ ମ୍ୟାଚ୍ରେ ଟ୍ୟୁନିସିଆକୁ ୨-୧ ଗୋଲ୍ରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍ ‘ଜି’ର ଏହି ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍ ଉଭୟ ଗୋଲ୍ ଦେଇଥିଲେ। ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଆଗୁଆ ହୋଇଥିବା ବେଳେ ପେନାଲ୍ଟିରୁ ଟ୍ୟୁନିସିଆର ଫର୍ଜାନି ସାସି ଗୋଲ୍ ସୁଝାଇ ଦେଇଥିଲେ। ମ୍ୟାଚ୍ର ଶେଷ ମିନିଟରେ ହ୍ୟାରି କେନ୍ ହେଡ୍କରି ବିଜୟସୂଚକ ୨ୟ ଗୋଲ୍ ସ୍କୋର୍ କରିଥିଲେ। ଏହି ବିଜୟରୁ ଇଂଲଣ୍ଡ ମହତ୍ତ୍ୱପୂର୍ଣ୍ଣ ୩ ପଏଣ୍ଟ ପାଇଛି।
ଆକ୍ରମଣାତ୍ମକ ମନୋଭାବ ନେଇ ଇଂଲଣ୍ଡ ଏହି ମ୍ୟାଚ୍ରେ ଓହ୍ଲାଇଥିଲା। ପ୍ରଥମ ୩ ମିନିଟରେ ଟ୍ୟୁନିସିଆ ଗୋଲ୍ରକ୍ଷକ ମୌଏଜ୍ ହାସେନ୍ଙ୍କୁ ୨ଟି ନିଶ୍ଚିତ ଗୋଲ୍ ବଞ୍ଚାଇବାକୁ ପଡ଼ିଥିଲା। ୩ୟ ମିନିଟ୍ରେ ଡେଲ୍ ଅଲୀ ଅତି ନିକଟରୁ ବଲ୍କୁ ଗୋଲ୍ ମଧ୍ୟକୁ ପଠାଇ ପାରିନଥିଲେ। ୫ମ ମିନିଟରେ ଡେଲ୍ ଅଲୀଙ୍କ ପାସ୍ରୁ ରହିମ୍ ଷ୍ଟର୍ଲିଂ ଏହି ନିଶ୍ଚିତ ଗୋଲ୍ ହାତଛଡ଼ା କରିଥିଲେ। ପ୍ରଥମ ୧୦ ମିନିଟ ପ୍ରାଧାନ୍ୟ ବିସ୍ତାରକରି ଖେଳିବା ପରେ ୧୧ଶ ମିନିଟରେ ଇଂଲଣ୍ଡ ଆଗୁଆ ହୋଇ ଯାଇଥିଲା। ଜନ୍ ଷ୍ଟୋନ୍ସଙ୍କ ଜୋରଦାର ହେଡରକୁ ମୌଏଜ୍ ହାସେନ୍ ରୋକିଥିଲେ ହେଁ ଅଧିନାୟକ ହ୍ୟାରି କେନ୍ ବଲ୍କୁ ଗୋଲ୍ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ଏହି ଗୋଲ୍ ପରେ ଟ୍ୟୁନିସିଆ ତା’ର ଗୋଲ୍ରକ୍ଷକଙ୍କୁ ବଦଳାଇ ଫାରୁକ୍ ବେନ୍ ମୁସ୍ତଫାଙ୍କୁ ଖେଳାଇଥିଲା। ୨୪ ମିନିଟରେ ଜେସି ଲିନ୍ଗାର୍ଡ ଅତି ନିକଟରୁ ଗୋଲ୍ ଦେଇ ପାରିନଥିଲେ। ୩୩ ମିନିଟରେ ଟ୍ୟୁନିସିଆକୁ ପେନାଲ୍ଟି ମିଳିଥିଲା। ଗୋଲ୍ ସମ୍ମୁଖରେ ଟ୍ୟୁନିସିଆର ବେନ୍ ୟୁସୁଫ୍ଙ୍କୁ ଫାଉଲ୍ମାରି ଇଂଲଣ୍ଡର କାଏଲ୍ ୱାକର ପକାଇ ଦେଇଥିଲେ। ରେଫେରୀ ଭିଏଆର୍ ଦେଖିବା ପରେ ପେନାଲ୍ଟି ନିଷ୍ପତ୍ତିରେ କାଏମ୍ ରହିଥିଲେ। ଏଥିରୁ ଫର୍ଜାନି ସାସି ଗୋଲ୍ଦେଇ ସ୍କୋର୍କୁ ୧-୧ କରିଥିଲେ। ୪୨ ମିନିଟରେ ଇଂଲଣ୍ଡ ଏକ ସୁଯୋଗ ହାତଛଡ଼ା କରିବା ପରେ ୪୪ ମିନିଟରେ ଟ୍ୟୁନିସିଆ ସୌଭାଗ୍ୟବଶତଃ ଗୋଲ୍ ବରଣରୁ ବର୍ତ୍ତି ଯାଇଥିଲା। ଜେସି ଲିନ୍ଗାର୍ଡଙ୍କ ସଟ୍ ଗୋଲ୍ପୋଷ୍ଟରେ ବାଜିଥିଲା। ଏହିପରି ପ୍ରଥମାର୍ଦ୍ଧରେ ଇଂଲଣ୍ଡ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ସ୍କୋର୍ ୧-୧ ରହିଥିଲା। ୫୧ ମିନିଟରେ ହ୍ୟାରି ମାଗ୍ୱେରଙ୍କ ସଟ୍କୁ ଟ୍ୟୁନିସିଆ ଗୋଲ୍ରକ୍ଷକ ମୁସ୍ତଫା ରୋକି ଦେଇଥିଲେ। ଦ୍ୱିତୀୟାର୍ଦ୍ଧ ଆଗକୁ ବଢ଼ିବା ସହ ଇଂଲଣ୍ଡ ଘନଘନ ଆକ୍ରମଣ କରିଥିଲା ଏବଂ ଟ୍ୟୁନିସିଆ ଗୋଲ୍ ବଞ୍ଚାଇବା ପ୍ରୟାସରେ ଲାଗିଥିଲା। ୬୦ ମିନିଟରେ ଇଂଲଣ୍ଡର କୈରନ୍ ଟ୍ରିପିଅରଙ୍କ ସଟ୍କୁ ଟ୍ୟୁନିସିଆ ଗୋଲ୍ରକ୍ଷକ ରୋକି ଦେଇଥିଲେ। ୬୯ ମିନିଟରେ କୈରନ୍ ଟ୍ରିପିଅରଙ୍କ ଫ୍ରିକିକ୍ ଗୋଲ୍ପୋଷ୍ଟ ବାହାରକୁ ଚାଲି ଯାଇଥିଲା। ମ୍ୟାଚ୍ର ଶେଷ ମିନିଟରେ ହ୍ୟାରି କେନ୍ ବିଜୟସୂଚକ ୨ୟ ଗୋଲ୍ ଦେଇଥିଲେ। ମାଗ୍ୱେର ମାରିଥିବା କର୍ଣ୍ଣର କିକ୍ରୁ କେନ୍ ହେଡ୍କରି ଏହି ଗୋଲ୍ଟି ଦେଇଥିଲେ।