ପାନାମାକୁ ୩-୦ରେ ହରାଇଲା ବେଲ୍ଜିୟମ୍
ସୋଚି : ଚଳିତ ଫିଫା ବିଶ୍ୱକପ୍ରେ ସୋମବାର ଗ୍ରୁପ୍ ‘ଜି’ର ଏକ ମ୍ୟାଚ୍ରେ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛି ବେଲ୍ଜିୟମ୍। ଚଳିତ ବିଶ୍ୱକପରେ ଡାର୍କହର୍ସର ମାନ୍ୟତା ପାଇଥିବା ବେଲ୍ଜିୟମ୍ ୩-୦ ଗୋଲ୍ରେ ପ୍ରଥମଥର ବିଶ୍ୱକପ୍ ଖେଳୁଥିବା ପାନାମାକୁ ପରାସ୍ତ କରିଛି। ଗୋଲ୍ଶୂନ୍ୟ ପ୍ରଥମାର୍ଦ୍ଧ ପରେ ୩ଟିଯାକ ଗୋଲ୍ ଦ୍ୱିତୀୟାର୍ଦ୍ଧରେ ହୋଇଥିଲା ଏବଂ ସେଥିରୁ ୨ଟି ଗୋଲ୍ ରୋମେଲୁ ଲୁକାକୁ ଦେଇଥିଲେ। ରେଡ୍ ଡେଭିଲ୍ସ ଭାବେ ପରିଚିତ ବେଲ୍ଜିୟମ୍ ୩ଟି ଗୋଲ୍ରେ ଜିତି ୩ ପଏଣ୍ଟ ପାଇଛି।
ଆଶା ଅନୁସାରେ ପାନାମା ଦଳ ବିପକ୍ଷରେ ପ୍ରଥମାର୍ଦ୍ଧରେ ବେଲ୍ଜିୟମ୍ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ପ୍ରଥମ ମିନିଟ୍ରେ ବେଲ୍ଜିୟମ୍ର ଆକ୍ରମଣ ଦେଖିବାକୁ ମିଳିଥିଲା। ତାରକା ମିଡ୍ଫିଲ୍ଡର ରୋମେଲୁ ଲୁକାକୁ ଅତି ପାଖରୁ କିକ୍ ମାରିଥିଲେ ହେଁ ବଲ୍ ଗୋଲ୍ପୋଷ୍ଟର ସାମାନ୍ୟ ଉପରେ ଚାଲି ଯାଇଥିଲା। ୬ଷ୍ଠ ମିନିଟରେ ବେଲ୍ଜିୟମ୍ ଗୋଲ୍ଦେବାର ଏକ ସୁବର୍ଣ୍ଣ ସୁଯୋଗ ଛାଡ଼ିଥିଲା। ପେନାଲ୍ଟି ବକ୍ସ ମଧ୍ୟରୁ ୟାନିକ୍ କାରାସ୍କୋ ସଟ୍ ମାରିଥିଲେ ହେଁ ତାଙ୍କ ଦୁର୍ବଳ କିକ୍କୁ ପାନାମା ଗୋଲ୍ରକ୍ଷକ ଜାଇମେ ପେନିଡୋ ଧରି ନେଇଥିଲେ। ପରବର୍ତ୍ତୀ ମିନିଟରେ ପେନିଡୋ ଏକ ନିଶ୍ଚିତ ଗୋଲ୍ ବଞ୍ଚାଇ ଦେଇଥିଲେ। ଡ୍ରାଇସ୍ ମର୍ଟେନ୍ସଙ୍କ ଏକ ରକେଟ୍ମାର୍କା ସଟ୍କୁ ପେନିଡୋ ଡାଇଭ୍ ମାରି ବଲ୍ ବାହାର କରି ଦେଇଥିଲେ। ୧୧ ମିନିଟରେ ପାନାମା ଟରେସ୍ଙ୍କ ଭୁଲ୍ ପାସ୍ରୁ ବଲ୍ ପାଇ ବେଲ୍ଜିୟମ୍ ଅଧିନାୟକ ଏଡେନ୍ ହାଜାର୍ଡ କିକ୍ ମାରିଥିଲେ ହେଁ ବଲ୍ ଗୋଲ୍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୧୮ ମିିନିଟରେ ମର୍ଟେନ୍ସ ଆଉ ଏକ ସୁଯୋଗ ହାତଛଡ଼ା କରିଥିଲେ। ୨୨ ମିନିଟରେ କେଭିନ୍ ଡି ବ୍ରୁଇନ୍ଙ୍କ ସଟ୍ ଗୋଲ୍ପୋଷ୍ଟ ଉପରେ ଚାଲି ଯାଇଥିଲା। ୩୮ ମିନିଟରେ ଜାଇମେ ପେନିଡୋ ପୁଣି ଏକ ନିଶ୍ଚିତ ଗୋଲ୍ ବଞ୍ଚାଇ ଦେଇଥିଲେ। ଗୋଲ୍ ସମ୍ମୁଖରୁ ଏଡେନ୍ ହାଜାର୍ଡଙ୍କ ସଟ୍କୁ ପେନିଡୋ ଡାଇଭ୍ ମାରି ବାହାର କରି ଦେଇଥିଲେ। ୪୧ ମିନିଟରେ ଡ୍ରାଇସ୍ ମର୍ଟେନ୍ସ ପୁଣି ଗୋଲ୍ପୋଷ୍ଟ ଉପରକୁ ସଟ୍ ମାରିଥିଲେ। ଏହିପରି ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ଭାବେ ଶେଷ ହୋଇଥିଲା। ମଧ୍ୟାନ୍ତର ପରେ ବେଲ୍ଜିୟମ୍ ପ୍ରଥମ ଗୋଲ୍ ଦେଇଥିଲା। ଏକାଧିକ ସୁଯୋଗ ହାତଛଡ଼ା କରିଥିବା ଡ୍ରାଇସ୍ ମର୍ଟେନ୍ସ ଏହି ଗୋଲ୍ ଦେଇଥିଲେ। ୪୭ ମିନିଟରେ ଏକ ଦର୍ଶନୀୟ ଭଲି ଜରିଆରେ ଡ୍ରାଇସ୍ ମର୍ଟେନ୍ସ ଏହି ଗୋଲ୍ଟି ଦେଇ ବେଲ୍ଜିୟମ୍କୁ ଆଗୁଆ କରିଥିଲେ। ୫୨ ମିନିଟରେ ବେଲ୍ଜିୟମ୍ର କେଭିନ୍ ଡି ବ୍ରୁଇନ୍ ଫ୍ରିିକିକ୍ ମାରିଥିଲେ ହେଁ ବଲ୍ ଗୋଲ୍ପୋଷ୍ଟ ଉପରେ ଚାଲି ଯାଇଥିଲା। ୫୪ ମିନିଟରେ ପାନାମାକୁ ଗୋଲ୍ଦେବାର ପ୍ରଥମ ସୁଯୋଗ ମିଳିଥିଲା। ଅତି ପାଖରୁ ମାଇକେଲ ମ୍ୟୁରିଲୋଙ୍କ ସଟ୍କୁ ବେଲ୍ଜିୟମ୍ ଗୋଲ୍ରକ୍ଷକ ଥିବାଓ କୋର୍ଟୋଆ ରୋକି ଦେଇଥିଲେ। ୬୯ ମିନିଟରେ ବେଲ୍ଜିୟମ୍ ୨ୟ ଗୋଲ୍ ଦେଇଥିଲା। ଡି ବ୍ରୁଇନ୍ଙ୍କ କ୍ରସ୍ରୁ ଡାଇଭ୍ମାରି ହେଡ୍ କରି ରୋମେଲୁ ଲୁକାକୁ ଏହି ଗୋଲ୍ଟି ସ୍କୋର୍ କରିଥିଲେ। ୭୫ ମିନିଟରେ ଲୁକାକୁ ଦଳ ପାଇଁ ୩ୟ ଏବଂ ବ୍ୟକ୍ତିଗତ ୨ୟ ଗୋଲ୍ ଦେଇଥିଲେ। ଏଡେନ୍ ହାଜାର୍ଡଙ୍କ ପାସ୍ରୁ ମାଞ୍ଚେଷ୍ଟର ୟୁନାଇଟେଡ୍ର ତାରକା ଖେଳାଳି ରୋମେଲୁ ଲୁକାକୁ ଏହି ଦର୍ଶନୀୟ ଗୋଲ୍ଟି ସ୍କୋର୍ କରିଥିଲେ।