ମେକ୍ସିକୋଠାରୁ ଚମ୍ପିଆନ୍‍ ଜର୍ମାନୀ ପରାସ୍ତ

0

ମସ୍କୋ : ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ରେ ତା’ର ପଥମ ମ୍ୟାଚ୍‍ରେ ପରାସ୍ତ ହୋଇଛି ଗତଥରର ଚମ୍ପିଆନ୍‍ ଜର୍ମାନୀ। ରବିବାର ଗ୍ରୁପ୍‍ ‘ଏଫ୍‍’ର ଏକ ମ୍ୟାଚ୍‍ରେ ମେକ୍ସିକୋ ୧-୦ ଗୋଲ୍‍ରେ ଜର୍ମାନୀକୁ ପରାସ୍ତ କରିଛି। ମ୍ୟାଚ୍‍ରେ ଜର୍ମାନୀ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ପ୍ରଥମାର୍ଦ୍ଧରେ ହର୍ଭିଙ୍ଗ୍‍ ଲୋଜାନୋଙ୍କ ଗୋଲ୍‍ ବଳରେ ମେକ୍ସିକୋ ବିଜୟୀ ହୋଇଛି। ଫଳରେ କ୍ରମାଗତ ୩ୟ ବିଶ୍ୱକପ୍‍ରେ ଚମ୍ପିଆନ୍‍ ଦଳ ପ୍ରଥମ ଲିଗ୍‍ ମ୍ୟାଚ୍‍ ଜିତି ପାରିନାହିଁ। ୨୦୦୬ର ଚମ୍ପିଆନ୍‍ ଇଟାଲୀ ୨୦୧୦ରେ ପ୍ରଥମ ମ୍ୟାଚ୍‍ରେ ପାରାଗୁଏ ସହ ମ୍ୟାଚ୍‍ ୧-୧ ଗୋଲ୍‍ରେ ଡ୍ର ରଖିଥିଲା। ୨୦୧୦ର ଚମ୍ପିଆନ୍‍ ସ୍ପେନ୍‍ ୨୦୧୪ରେ ପ୍ରଥମ ମ୍ୟାଚ୍‍ରେ ନେଦରଲାଣ୍ଡ୍‍ସଠାରୁ ୧-୫ ଗୋଲ୍‍ରେ ହାରିଥିଲା।
ମସ୍କୋର ଲୁଝ୍‍ନିକି ଷ୍ଟାଡିୟମ୍‍ରେ ଖେଳା ଯାଇଥିବା ଏହି ହାଇ ଭୋଲ୍‍ଟେଜ୍‍ ମ୍ୟାଚ୍‍ ବେଶ୍‍ ଆକର୍ଷଣୀୟ ହୋଇଥିଲା। ସମସ୍ତେ ଆଶା କରିଥିଲେ ଯେ ଚମ୍ପିଆନ୍‍ ଜର୍ମାନୀ ମ୍ୟାଚ୍‍ରେ ପ୍ରାଧାନ୍ୟ ବିସ୍ତାର କରିବ। ହେଲେ ଆରମ୍ଭରୁ ମେକ୍ସିକୋ ଆକ୍ରମଣ କରି ଜର୍ମାନୀକୁ ଚାପରେ ରଖି ପାରିଥିଲା। ୨ୟ ମିନିଟରେ କର୍ଣ୍ଣର କିକ୍‍ରୁ ବଲ୍‍ ପାଇ ମେକ୍ସିକୋର ହର୍ଭିଙ୍ଗ୍‍ ଲୋଜାନୋ ଗୋଲ୍‍କୁ ସଟ୍‍ ମାରିଥିଲେ ହେଁ ଜର୍ମାନୀ ଡିଫେଣ୍ଡର ଜେରୋମ୍‍ ବୋଆଟେଙ୍ଗ୍‍ ଏହାକୁ ରୋକି ଦେଇଥିଲେ। ୩ୟ ମିନିଟରେ ଜର୍ମାନୀ ଷ୍ଟ୍ରାଇକର ଟିମୋ ୱେର୍ଣ୍ଣରଙ୍କ ସଟ୍‍ ଗୋଲ୍‍ପୋଷ୍ଟର ସାମାନ୍ୟା ବାହାରେ ଚାଲି ଯାଇଥିଲା। ପରେ ଜର୍ମାନୀ ମିଡ୍‍ଫିଲ୍‍ଡକୁ ନିୟନ୍ତ୍ରଣରେ ରଖିଥିବା ବେଳେ ମେକ୍ସିକୋ ପ୍ରତ୍ୟାକ୍ରମଣ ଜରିଆରେ ଚାପ ସୃଷ୍ଟି କରିବାର ପ୍ରୟାସ କରିଥିଲା। ୭ମ ମିନିଟରେ କର୍ଣ୍ଣର କିକ୍‍ରୁ ଜର୍ମାନୀର ମାଟ୍‍ସ ହମ୍ମେଲ୍‍ସଙ୍କ ସଟ୍‍ ସିଧା ମେକ୍ସିକୋ ଗୋଲ୍‍ରକ୍ଷକଙ୍କ ହାତକୁ ଯାଇଥିଲା। ୯ମ ମିିନିଟରେ ମେକ୍ସିକୋର ମିଗୁଏଲ୍‍ ଲାୟୁନ୍‍ଙ୍କ ସଟ୍‍ ଜର୍ମାନୀ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୧୪ ମିନିଟରେ ଫ୍ରିକିକ୍‍ରୁ ମେକ୍ସିକୋର ହେକ୍ଟର ମୋରେନୋଙ୍କ ହେଡରକୁ ଜର୍ମାନୀ ଗୋଲ୍‍ରକ୍ଷକ ମାନୁଏଲ୍‍ ନ୍ୟୁୟର ଧରି ନେଇଥିଲେ। ୨ ମିନିଟ ପରେ ଜର୍ମାନୀର ଜୁଲିଆନ୍‍ ଡ୍ରାକ୍ସଲରଙ୍କ ସଟ୍‍କୁ ମେକ୍ସିକୋ ଗୋଲ୍‍ରକ୍ଷକ ଗ୍ୱିଲେମୋ ଓଚୋଆ ରୋକି ଦେଇଥିଲେ। ୨୦ ମିନିଟରେ ଅତି ପାଖରୁ ଟିମୋ ୱେର୍ଣ୍ଣରଙ୍କ ସଟ୍‍କୁ ଓଚୋଆ ରୋକିଥିଲେ। ୨୨ ମିନିଟରେ ମଧ୍ୟ ଜର୍ମାନୀ ମିଡ୍‍ଫିଲ୍‍ଡର ଟନି କ୍ରୁଜ୍‍ଙ୍କ ସଟ୍‍ ସିଧା ଓଚୋଆଙ୍କ ପାଖକୁ ଯାଇଥିଲା। ୩୫ ମିନିଟରେ ଗୋଲ୍‍ଦେଇ ଜର୍ମାନୀକୁ ସ୍ତବ୍‍ଧ କରି ଦେଇଥିଲା ମେକ୍ସିକୋ। ଏକ ଦ୍ରୁତ ପ୍ରତ୍ୟାକ୍ରମଣରୁ ଏହି ଗୋଲ୍‍ ହୋଇଥିଲା। କାର୍ଲୋସ ଭେନା ପାସ୍‍ ଦେଇଥିଲେ ହାଭିଏର୍‍ ହର୍ଣ୍ଣାଣ୍ଡେଜ୍‍ଙ୍କୁ। ହର୍ଣ୍ଣାଣ୍ଡେଜ୍‍ ବଲ୍‍ ବଢ଼ାଇ ଦେଇଥିଲେ ହର୍ଭିଙ୍ଗ୍‍ ଲୋଜାନୋଙ୍କୁ। ମେକ୍ସିକୋର ଲୋଜାନୋ ସହଜରେ ଜର୍ମାନୀ ଗୋଲ୍‍ରକ୍ଷକ ନ୍ୟୁୟରଙ୍କୁ ପରାସ୍ତ କରି ପାରିଥିଲେ। ଭେଲା-ହର୍ଣ୍ଣାଣ୍ଡେଜ୍‍ ଯୋଡ଼ି ନିୟମିତ ଭାବେ ଜର୍ମାନୀକୁ ଚାପରେ ରଖି ପାରିଥିଲେ। ପ୍ରଥାମାର୍ଦ୍ଧରେ ମେକ୍ସିକୋ ୧-୦ ଗୋଲ୍‍ରେ ଆଗୁଆ ଥିଲା। ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ଗୋଲ୍‍ ସୁଝାଇବା ପ୍ରୟାସରେ ଅଧିକ ଆକ୍ରମଣ କରିଥିଲା। ହେଲେ ଏହାର ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ଜର୍ମାନୀ ଷ୍ଟ୍ରାଇକରଙ୍କ ଏକାଧିକ ସଟ୍‍ ମେକ୍ସିକୋ ଗୋଲ୍‍ପୋଷ୍ଟ ଉପରେ ଯାଇଥିଲା କିମ୍ବା ମେକ୍ସିକୋ ଗୋଲ୍‍ରକ୍ଷକ ଗ୍ୱିଲେର୍ମୋ ଓଚୋଆ ଗୋଲ୍‍ହେବାକୁ ଦେଇନଥିଲେ। ୭୬ ମିନିଟରେ ଜର୍ମାନୀର ମେସୁଟ୍‍ ଓଜିଲ୍‍ଙ୍କ ପାସ୍‍ରୁ ଟନି କ୍ରୁଜ୍‍ ସଟ୍‍ ମାରିଥିଲେ ହେଁ ଏହା ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ୮୪ ମିନିଟରେ ପୁଣି ଟନି କ୍ରୁଜ୍‍ଙ୍କ ସଟ୍‍କୁ ଓଚୋଆ ରୋକିଥିଲେ।

Leave A Reply