ଫୁଲବାଣୀ :ସମସ୍ୟା ଘେରରେ କନ୍ଧମାଳ ଜିଲ୍ଲାର ଶେଷ ସୀମାନ୍ତର ତୁଆଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ । କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳ ତଥା ମାଓ ପ୍ରବଣ ଅଞ୍ଚଳ କୋଟଗଡ ବ୍ଲକର ଗୁଗୁରମାହା ପଞ୍ଚାୟତ। ରାୟଗଡା ସୀମାନ୍ତ ଓ କନ୍ଧମାଳର ଶେଷ ସୀମାନ୍ତରେ ରହିଛି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତୁଆଗୁଡା । ଏହି ବିଦ୍ୟାଳୟ ଜଙ୍ଗଲ, ପାହାଡ଼, ପର୍ବତ ଘେରରେ ଅବସ୍ଥିତ। ବିଦ୍ୟାଳୟଟି ୧୯୬୫ ମସିହାର ଏତେ ପୁରୁଣା ବିଦ୍ୟାଳୟ ହେଲେ ଅତି ପରିତାପର ବିଷୟ ଯେ ବହୁ ସମସ୍ୟା ମଧ୍ୟରେ ଗତି କରୁଛି। ଏଥିପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉନଥିବା ଅଭିଭାବକ ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତୁଆଗୁଡା ଠାରେ ଗରଡ଼ ମାହା, ଭୁତାଡି, ମ୍ଳାଉଗୁଡା, କୁଚିମିଲା, ଶ୍ରୀରାମପୁର, ଲିମଡା ମାହା, ପଣ୍ଡାମାହା ଭଳି ଅନ୍ୟ ପଞ୍ଚାୟତରୁ ମଧ୍ୟ ଛାତ୍ରଛାତ୍ରୀ ମାନେ ଆସି ଅଧ୍ୟୟନ କରନ୍ତି।
ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଏତେ ପୁରୁଣା ବିଦ୍ୟାଳୟ କିନ୍ତୁ ବିଦ୍ୟାଳୟର ଗେଟ ନାହିଁ, ନା ଅଛି ଛାତ୍ରାବାସ। ଫଳରେ ୧୨/୧୩ କିମି ଦୁର ଦୁରନ୍ତାରୁ ପିଲାମାନେ ଆସି ଏହି ତୁଆଗୁଡା ଗ୍ରାମରେ ରହି କିଏ ଘର ଭଡା ନେଇ ଅଧ୍ୟୟନ କରନ୍ତି। ବିଶେଷ କରି ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ମାନେ ଗୋଟିଏ ମାର୍କେଟ କମ୍ପ୍ଲେସ ଘରେ ବିପଦ ସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଡିବିରୀ ଜାଳି ପାଠ ପଡ଼ନ୍ତି । ଘର ଭଡା ନେଇ ପ୍ରାୟ ୪୦ରୁ ଉର୍ଦ୍ଧ ପିଲାମାନେ ରହି ପାଠ ପଡନ୍ତି । ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ୧୨୧ ଜଣ। ଏଠାରେ ସମୁଦାୟ ୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ସାହାଣୀ ଅଛନ୍ତି ।
ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀକୁ ଶ୍ରେଣୀ କକ୍ଷ ୨ ଗୋଟି । ବାରଣ୍ଡାରେ ଗଛ ମୂଳରେ ମଧ୍ୟ ପିଲାମାନେ ବସି ପାଠ ପଢନ୍ତି । ବିଦ୍ୟାଳୟ ଗୃହରେ ବର୍ଷା ହେଲେ ପାଣି ଗଳୁଛି, ସିମେଣ୍ଟ ଖଣ୍ଡ ଖଣ୍ଡ ପଡୁଛି ଓ ଘର ସାରା ଆଣ୍ଠୁଏଁ ଲେଖାଏଁ ପାଣି ପଶିଯାଏ । ପିଲାଙ୍କ ପଢ଼ାରେ ବାଧାପ୍ରାପ୍ତ ହୁଏ । ଉକ୍ତ ସମସ୍ୟା ବିଷୟରେ ପ୍ରଶାସନକୁ ଜଣାଇବା ପରେ ମଧ୍ୟ କିଛି ସମାଧାନ ହେଇପାରିଲାନାହିଁ ।
ଶିକ୍ଷକ ଅଭାବ, ରୋଷେଇ ଗୃହ ନାହିଁ, ବିଜ୍ଞାନ ପାଠ ଗାର ନାହିଁ, ଶୌଚାଳୟ ଅଛି କିନ୍ତୁ ଅଚଳ ଅବସ୍ଥାରେ ପଡି ରହିଛି । ନଳକୂପ ଅଛି ସତ କଳଙ୍କି ପାଣି ବାହାରୁଛି, ବ୍ୟବହାର କରିବା ସମ୍ଭବ ନାହିଁ । ରୋଷେଇ କରିବା ପାଇଁ ରୋଷେୟା ମାଆ ମାନେ ଚୁଆଁ ପାଣିକୁ ଛାଣି ଛାଣି ଆଣି ରୋଷେଇ କରିଥାନ୍ତି ଓ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇଥାନ୍ତି । ରହିବା ପାଇଁ ଗୃହ ନାହିଁ , ଅଫିସ ଗୃହ ନାହିଁ, ଖେଳ ପଡିଆ ନାହିଁ, ପାଚେରୀ ନାହିଁ, ଫଳରେ ଗାଈ, ଗୋରୁ, ମଇଁଷି କୁକୁର, ଛେଳି, ବିଦ୍ୟାଳୟ ଭିତରେ ପଶି ବାସ ଗୃହ କରି ରହିଥାନ୍ତି । ଅନଲାଇନ କାମ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ୩୦ କିମି ଦୂରତାକୁ ଆସନ୍ତି । ନେଟ ୱାର୍କ ନାହିଁ, ଶିକ୍ଷକ ମାନଙ୍କୁ ବର୍ଷ ବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ଏଠାରେ ରହି ଏତେ ସବୁ ସମସ୍ୟା ଥିବା ସର୍ତ୍ତେ ଏହି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଶିକ୍ଷା ଦାନ କରନ୍ତି ।ଜଙ୍ଗଲ, ପାହାଡ଼, ପର୍ବତ ମଧ୍ୟରେ ରହିଛି ଏହି ବିଦ୍ୟାଳୟ। ତୁରନ୍ତ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ବିଦ୍ୟାଳୟ ତାଲା ପକାଇ ବ୍ଳକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳ ବ।ସି ଦାବି କରିଛନ୍ତି ।



