www.samajalive.in
Saturday, December 6, 2025
23.1 C
Bhubaneswar

ସମୀର ଦେଙ୍କ ପରଲୋକ: ଖାନନଗର ଶ୍ମଶାନରେ ହେଲା ଶେଷକୃତ୍ୟ

କଟକ : ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେଙ୍କ ପାର୍ଥିବ ଶରୀର । ତାଙ୍କ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। କଟକ ସିଡିଏ ବାସଭବନରୁ ବିଧାନସଭା ପରେ ବିଜେପି ପାର୍ଟି ଅଫିସ ହୋଇ କଟକରେ ସମୀର ଦେଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ଏବଂ ପରେ କୀର୍ତ୍ତନ ଯାତ୍ରାରେ ନିଆଯାଇ କଟକର ବିଭିନ୍ନ ଛକ ଓ ସାହିରେ ପରିକ୍ରମା କରାଯାଇଥିଲା। ଏହାପରେ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଛି। ତେବେ ସୋମବାର  ଅପରାହ୍ଣ ସାଢେ ୨ଟାରେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ସମୀର ଦେଙ୍କର ପରଲୋକ ଘଟିଥିଲା। କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ସମୀର ଦେ ଜଗତସିଂହପୁର ଜିଲା ପୁନଙ୍ଗ ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ କଟକରେ ଉଚ୍ଚଶିକ୍ଷା ଗ୍ରହଣ ସମୟରେ ଖ୍ରୀଷ୍ଟ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇ ଛାତ୍ର ରାଜନୀତିରେ ପାଦ ଥାପିଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ସକ୍ରିୟ ସଦସ୍ୟ ଥିଲେ। ୧୯୯୦ ମସିହାରେ ପ୍ରଥମ ଥର ପାଇଁ ବିଜେପି ପକ୍ଷରୁ କଟକ ବିଧାନସଭା ପ୍ରାର୍ଥୀ ହୋଇଥିଲେ। ମାତ୍ର ସେ ନିର୍ବାଚନରେ ପରାସ୍ତ ହୋଇଥିଲେ। ସେହିଭଳି ୧୯୯୫ରେ ପୁଣି ଥରେ ବିଜେପି ଟିକଟରେ ଲଢି କ୍ରମାଗତ ଭାବେ ୩ଥର କଟକ ବିଧାନସଭାରୁ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ସେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବାବେଳେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଡ୍ରେସ କୋଡ ବ୍ୟବସ୍ଥା ଲାଗୁ ହୋଇଥିଲା। ୨୦୦୯ରେ ମେଣ୍ଟ ସରକାର ଭାଙ୍ଗିବା ପରେ କଟକରେ ସେ ବିଜେପିର ମଙ୍ଗ ଧରିଥିଲେ। ପରେ କିଛି ବର୍ଷ ପୂର୍ବେ ସେ ଅସୁସ୍ଥ ହେବା ସହ ବୃକ୍‌କଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ବୃକ୍‌କ ପ୍ରତିରୋପଣ କରାଯାଇଥିଲା। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ ସେ ସକ୍ରିୟ ରାଜନୀତିରେ ରହିଥିଲେ। । ପୁନଃ ସ୍ବାସ୍ଥ୍ୟାବସ୍ଥା ଗୁରୁତର କାରଣରୁ କିଛି ଦିନ ତଳେ ସେ ପୁଣି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାର ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଦେଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତରଖାନା ଏବଂ ସିଡିଏସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ।
ତାଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀମତୀ ମୁର୍ମୁ ଶୋକବାର୍ତ୍ତାରେ ସ୍ୱର୍ଗତ ଦେ ସର୍ବଦା ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ ଓ ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହଦେଓ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଡ. ପ୍ରଭାସ ଆଚାର୍ଯ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଦିବଂଙ୍ଗତଙ୍କ ପ୍ରତି ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories