ଦଶମ ପରୀକ୍ଷାରେ ଫେଲ୍‍ ପୁଅ ପାଇଁ ବାପା ବାଣ ଫୁଟାଇଲେ, ମିଠା ବାଣ୍ଟିଲେ

0

ଭୋପାଳ : ଲୋକେ ନିଜ ପ୍ରିୟଜନଙ୍କ ବିଜୟ ବା ସଫଳତାରେ ଉତ୍ସବ ପାଳନ କରିବାର ନଜରି ରହିଛି। ଯଦି କେହି ପରାଜୟ ବା ବିଫଳତାରେ ଉତ୍ସବ ପାଳନ କରନ୍ତି ବୋଲି କୁହାଯାଏ, କେହି ବିଶ୍ୱାସ କରିବେ ନାହିଁ। ମାତ୍ର ମଧ୍ୟପ୍ରଦେଶର ସାଗର ଜିଲାରେ ଏପରି ଏକ ଘଟଣା ଘଟିଛି। ମଧ୍ୟପ୍ରଦେଶ ସାଗର ଜିଲାରେ ଜଣେ ବ୍ୟକ୍ତି ନିଜ ପୁଅର ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍‍କୁ ନେଇ ଉତ୍ସବ ପାଳନ କରିବା ସହ ମିଠା ବାଣ୍ଟିଛନ୍ତି। ସାଗର ଜିଲା ଶିବାଜୀ ୱାର୍ଡ ନିବାସୀ ସୁରେନ୍ଦ୍ର କୁମାର ବ୍ୟାସଙ୍କ ପୁଅ ଆଶୁ ବ୍ୟାସ ଚଳିତ ବର୍ଷ ୧୦ମ ପରୀକ୍ଷା ଦେଇଥିଲେ। ଫଳ ପ୍ରକାଶରୁ ଆଶୁ ପରୀକ୍ଷାରେ ଫେଲ୍‍ ହୋଇଥିବା ଜଣାପଡିଥିଲା। ମାତ୍ର ସୁରେନ୍ଦ୍ର ଆତସବାଜୀ କରିବା ସହ ମିଠା ବାଣ୍ଟି ଉତ୍ସବ ପାଳନ କରିଥିଲେ। ଏହି ଅଜବ ଉତ୍ସବ ବିଷୟରେ ପଚରାଯିବାରୁ ସୁରେନ୍ଦ୍ର କହିଥିଲେ ଯେ ପରୀକ୍ଷାରେ ବିଫଳତା ପରେ ପିଲାମାନେ ଅବସାଦଗ୍ରସ୍ତ ହୋଇଯାନ୍ତି। ଉତ୍ସବ ପାଳନ କରି ମୁଁ ଆଗକୁ ଅଧିକ ପରିଶ୍ରମ କରିବାକୁ ମୋ ପୁଅକୁ ପ୍ରେରଣା ଯୋଗାଇଛି। ପରୀକ୍ଷା ଚୂଡାନ୍ତ ନୁହେଁ, ଜୀବନରେ ଏପରି ଅନେକ ସମୟ ଆସିବ ଯେଉଁଠି ତମେ ଭାଙ୍ଗିପଡ଼ିବା ଭଳି ଅନୁଭବ କରିବ। ଏଭଳି ପରିସ୍ଥିତିକୁ ମୁକାବିଲା କରିବାକୁ ପଡିବ। ଆଉ ବାପା, ମା’ ପିଲାମାନଙ୍କୁ ଅଧିକ ଚାପଗ୍ରସ୍ତ ନକରି ଉତ୍ସାହ ଯୋଗାଇଦେବା ଉଚିତ୍‍।

Leave A Reply