ଦେଶବ୍ୟାପୀ କୃଷକଙ୍କ ୧୦ଦିନିଆ ଆନ୍ଦୋଳନ

0
-ରାସ୍ତାରେ ଢଳାହେଲା  କ୍ଷୀର ଓ ପନିପରିବା, -ଉପଯୁକ୍ତ ସହାୟକ ମୂଲ୍ୟ ଓ ଉତ୍ପାଦନ ଭତ୍ତା ଦାବି

ନୂଆଦିଲ୍ଲୀ  : କେନ୍ଦ୍ର ସରକାର କୃଷି ଋଣ ଛାଡ଼, ଫସଲର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନ(ଇନ୍‍ପୁଟ୍‍ ମୂଲ୍ୟର ସର୍ବନିମ୍ନ ୫୦ପ୍ରତିଶତରୁ ଅଧିକ), କୃଷକଙ୍କ ପାଇଁ ସ୍ୱତନ୍ତ୍ର ଫସଲ ଉତ୍ପାଦନ ଭତ୍ତା ଧାର୍ଯ୍ୟ ବା ନିଶ୍ଚତ ରୋଜଗାର ବ୍ୟବସ୍ଥା ସହିତ ସ୍ୱାମୀନାଥନ୍‍ କମିଶନ୍‍ଙ୍କ ସୁପାରିସ କାର୍ଯ୍ୟକରିବା ଦାବିରେ ଶୁକ୍ରବାର କୃଷକଙ୍କ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଆନ୍ଦୋଳନ ୧୦ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ବିଭିନ୍ନ ସ୍ଥାନରେ କୃଷକମାନେ ପ୍ରତିବାଦ ସ୍ୱରୂପ ଉତ୍ପାଦିତ ଫସଲ, ପନିପରିବା ଓ କ୍ଷୀର ରାସ୍ତାରେ ଢ଼ାଳିଛନ୍ତି। ଏହାଛଡ଼ା ପନିପରିବା ବିକ୍ରି ଓ ରପ୍ତାନୀ ମଧ୍ୟ ବନ୍ଦ କରିଦେଇଛନ୍ତି। ଆସନ୍ତା ୧୦ତାରିଖରେ କୃଷକମାନେ ଭାରତ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି।
ରାଷ୍ଟ୍ରୀୟ କିଷାନ୍‍ ମଜଦୁର ମହାସଂଘ (ଆରକେଏସ୍‍) ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କୃଷକ ବିଭିନ୍ନ ରାଜ୍ୟ ରାଜଧାନୀ ଓ ଜିଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଗୁଜରାତ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଭଳି ରାଜ୍ୟର ୧୭ଟି କୃଷକ ସଂଗଠନ ମିଳିତ ଭାବେ ଭୋପାଳଠାରେ ଆର୍‍କେଏସ୍‍ ଗଠନ କରିଥିଲାବେଳେ ପରେ ପ୍ରାୟ ୧୭୨ ସଂଗଠନ ଏଥିରେ ସାମିଲ ହୋଇ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଶୁକ୍ରବାର ପନିପରିବା, କ୍ଷୀର ଓ ଫଳ ସଂକଟ ଦେଖାଦେଇଛି। ପଞ୍ଜାବର ବିଭିନ୍ନ ସ୍ଥାନରେ ରାସ୍ତାରେ ପନିପରିବା ଓ ଫଳ ଫିଙ୍ଗା ଯାଇଥିବାବେଳେ ମହାରାଷ୍ଟ୍ରରେ ରାସ୍ତାରେ କ୍ଷୀର ଢ଼ଳାଯାଇଥିବା ଦେଖିବାକୁ ମିଳିଛି। ପଞ୍ଜାବରେ ଶୁକ୍ରବାର ୪୦ପ୍ରତିଶତ କ୍ଷୀର ଯୋଗାଣ ବନ୍ଦ ରହିଛି।
ସେହିପରି ମଧ୍ୟପ୍ରଦେଶର ମଣ୍ଡାସରଠାରେ ଗତ ବର୍ଷ ଜୁନ୍‍ ୬ରେ ଘଟିଥିବା କୃଷକ ସଂହାର ଘଟଣାର ବାର୍ଷିକୀକୁ ‘କଳା ଦିବସ’ ରୂପେ ପାଳନ କରାଯାଉଛି। ଆନ୍ଦୋଳନରତ କୃଷକଙ୍କ ଉପରକୁ ପୁଲିସ ଗୁଳି ଚଳାଇବାରେ ଏଠାରେ ୬ କୃଷକଙ୍କ ମୃତ୍ୟୁ ଘଟିଥିଲା। କୃଷକମାନେ ଏଠାରେ ‘ଗାଁ ବନ୍ଦ’ ପାଳନ କରୁଛନ୍ତି। ୫୦ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ଗାଁ ବନ୍ଦ ପାଳିତ ହୋଇଛି। ସହରକୁ କୌଣସି ପନିପରିବା ଓ ଫଳ ପଠାଇବା ବନ୍ଦ କରାଯାଇଛି। ତେବେ କୌଣସିଠାରେ କିଛି ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳି ନାହିଁ।
ତେବେ ଏହି ଆନ୍ଦୋଳନ କୃଷକଙ୍କର ନୁହେଁ; କଂଗ୍ରେସ କର୍ମୀଙ୍କର ବୋଲି ଗୁରୁବାର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆକ୍ଷେପୋକ୍ତି କରିଥିଲେ। ଅପରପକ୍ଷରେ କୃଷକଙ୍କ ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସିଂହ ଚୌହାଣ ଗୁରୁବାର ମଣ୍ଡାସରରେ ରାତ୍ରିଯାପନ କରିଥିଲେ। କିଷାନ ଏକତା ମଞ୍ଚର ଆବାହକ ତଥା କୃଷକ ନୀତି ବିଶେଷଜ୍ଞ ଦେବୀନ୍ଦର ଶର୍ମା କହିଛନ୍ତି ଯେ ଏହି ଆନ୍ଦୋଳନରୁ ସରକାର ତଥା ସହରାଞ୍ଚଳବାସୀ କୃଷକଙ୍କ ଗୁରୁତ୍ୱ ଅନୁଭବ କରିବା ଉଚିତ।

Leave A Reply