ସରକାରୀ କ୍ୱାର୍ଟର୍ସରେ ରହିପାରିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଆଉ ସରକାରୀ କ୍ୱାର୍ଟର୍ସରେ ରହିପାରିବେ ନାହିଁ। ଲୋକ ପ୍ରହରୀ ନାମକ ଏକ ବେସରକାରୀ ସଂସ୍ଥା ପକ୍ଷରୁ ଏ ସମ୍ପର୍କିତ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ଏଥିସହିତ ଏହି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ସରକାରଙ୍କ ଆଇନକୁ ରଦ୍ଦ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ଆଜୀବନ ସରକାରୀ ବାସଭବନ ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ସରକାର ୨୦୧୬ରେ ଆଇନ ପ୍ରଣୟନ କରିଥିଲେ। ଉତ୍ତରପ୍ରଦେଶ ସରକାରଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ ହେଁ ତାହା ପରବର୍ତ୍ତୀ ସମୟରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ରାୟ ଆଧାରରେ ତେଣୁ ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ପଦ ଯିବା ପରେ ଘର ଛାଡ଼ିବାକୁ ପଡ଼ିବ। ସୁପ୍ରିମକୋର୍ଟଙ୍କ ଏହି ରାୟରେ ତତ୍କାଳ ପ୍ରଭାବିତ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ରାଜସ୍ଥାନର ରାଜ୍ୟପାଳ କଲ୍ୟାଣ ସିଂହ, ସପା ମୁଖ୍ୟ ମୁଲାୟମ ସିଂହ ଯାଦବ, ବିଏସ୍‍ପି ମୁଖ୍ୟ ମାୟାବତୀ, କଂଗ୍ରେସ ନେତା ଏନ୍‍ ଏଡି ତିୱାରୀ, ରାମ ନରେଶ ଯାଦବ ରହିଛନ୍ତି। ଏମାନେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ।

Leave A Reply