ଇଂଲିଶ ଚ୍ୟାନେଲ୍ ଅତିକ୍ରମ କରିବେ ଭାରତୀୟ ବଂଶୋଦ୍ଭବ ମହିଳା
ଇଂଲଣ୍ଡ: ଇଂଲଣ୍ଡରେ ରହୁଥିବା ଲିହା ଚୌଧୁରୀ ନାମକ ଭାରତୀୟ ବଂଶୋଦ୍ଭବ ମହିଳା ଶିଳ୍ପୋଦ୍ୟୋଗୀ ଐତିହାସିକ ଇଂଲିଶ ଚ୍ୟାନେଲ୍ ଅତିକ୍ରମ କରିବେ। ଭାରତରେ ଶିଶୁ ଚାଲାଣ ରୋକିବା ଦିଗରେ କାର୍ଯ୍ୟ କରୁଥିବା ବ୍ରିଟିଶ୍ ଏସିଆନ୍ ଟ୍ରଷ୍ଟ ନାମକ ଏକ ଦାତବ୍ୟ ଅନୁଷ୍ଠାନ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ସେ ଏହି ଉଦ୍ୟମ କରିଛନ୍ତି। ପ୍ରିନ୍ସ ଚାର୍ଲସଙ୍କ ଦ୍ୱାରା ଏହି ସଂସ୍ଥା ଗଠିତ ହୋଇଛି। ଲିହା ଚୌଧୁରୀ ଏବେ ଇଂଲଣ୍ଡରେ ଶିଶୁମାନଙ୍କ ସେବା ପାଇଁ ଉଦ୍ଦିଷ୍ଟ ଏକ ସଂସ୍ଥା ପରିଚାଳନା କରୁଛନ୍ତି।
ଏପର୍ଯ୍ୟନ୍ତ ୧୪୯୯ ଜଣ ଇଂଲିଶ ଚ୍ୟାନେଲ୍ ଅତିକ୍ରମ କରିଥିବା ବେଳେ ୧୫୦୦ତମ ସନ୍ତରଣକାରୀ ତଥା ପ୍ରଥମ ବ୍ରିଟିଶ୍-ଭାରତୀୟ ମହିଳା ଭାବେ ଲିହା ଚୌଧୁରୀ ଏକ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି। ଡୋଭରରୁ କାଲାଇସ୍ ପର୍ଯ୍ୟନ୍ତ ଲିହା ୧୩ ଘଣ୍ଟାରେ ୩୫ କିମି ଯାତ୍ରା କରିବେ। ଏହି ସମୟ ମଧ୍ୟରେ ତାଙ୍କୁ ଅନେକ ବିପଦପୂର୍ଣ୍ଣ ଓ ରୋମାଞ୍ଚକର ସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଏଥିପାଇଁ ସେ ଗତ ୬ ମାସ ଧରି ତାଲିମ୍ ନେଉଛନ୍ତି। ସନ୍ତରଣ ବେଳେ ତାଙ୍କ ଦୁଇ ପାଶ୍ୱର୍ରେ ଦୁଇଟି ବୋଟ୍ରେ ତାଙ୍କ ପରିବାର ଲୋକେ ଓ ବନ୍ଧୁମାନେ ଯାତ୍ରା କରିବେ। ଇଂଲିଶ ଚ୍ୟାନେଲ୍ ସନ୍ତରଣ ସଂଘର ନିୟମ ଅନୁଯାୟୀ ସେହି ସମୟରେ ସନ୍ତରଣକାରୀ କାହାଠାରୁ କିଛି ସହାୟତା ନେଇପାରିବେ ନାହିଁ। ତେଣୁ କେବଳ ଜରୁରିକାଳନୀ ସ୍ଥିତିରେ ସହାୟତା କରିବା ପାଇଁ ବନ୍ଧୁବର୍ଗ ତାଙ୍କ ସହିତ ଯାତ୍ରା କରିବେ।