www.samajalive.in
Monday, December 15, 2025
24.1 C
Bhubaneswar

ବିଜୟଠାରୁ ଇଂଲଣ୍ଡ ୩୫ ରନ୍‌; ଭାରତ ୪ ୱିକେଟ୍‌ ଦୂରରେ

ଲଣ୍ଡନ: ଅଦ୍ୟାବଧି ୨୪ ଦିନ ଖେଳ ସରିଥିଲେ ମଧ୍ୟ ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାର ଫଇସଲା ହୋଇନାହିଁ। ସୋମବାର ଶୃଙ୍ଖଳାର ୨୫ତମ ଦିନରେ ଫଳାଫଳ ବାହାରିବ। ଚଳିତ ୫ମ ତଥା ନିର୍ଣ୍ଣାୟକ ଅନ୍ତିମ ଟେଷ୍ଟମ୍ୟାଚ୍‌ର ଅନ୍ତିମ ଦିନରେ ଜିତିବା ପାଇଁ ଘରୋଇ ଇଂଲଣ୍ଡ ଆଉ ୩୫ ରନ୍‌ ଆବଶ୍ୟକ କରୁଥିବା ବେଳେ ଭାରତ ୪ଟି ୱିକେଟ୍‌ ଆବଶ୍ୟକ କରୁଛି। ୩-୧ରେ ଶୃଙ୍ଖଳା ଜିତିବା ପାଇଁ ଇଂଲଣ୍ଡ ୩୭୪ ରନ୍‌ ଲକ୍ଷ୍ୟର ପିଛାକରୁଛି। ହ୍ୟାରୀ ବ୍ରୁକ୍‌ ଓ ଜୋ ରୁଟ୍‌ ଶତକ ହାସଲ କରିବାରୁ ଇଂଲଣ୍ଡ ସହଜ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା। ତେବେ ପ୍ରସିଦ୍ଧ କୃଷ୍ଣ ୯ଟି ବଲ୍‌ରେ ୨ଟି ୱିକେଟ୍‌ ନେଇ ଭାରତକୁ ବିଜୟର ଆଶା ଦେଇଛନ୍ତି। ବର୍ଷା ଯୋଗୁଁ ୨ ଘଣ୍ଟା ପୂର୍ବରୁ ୪ର୍ଥ ଦିନର ଷ୍ଟମ୍ପ୍‌ ଅପସାରଣ ହେବାରୁ ୫ଟିଯାକ ଟେଷ୍ଟର ଫଇସଲା ୫ମ ଦିନରେ ହେବା ନିଶ୍ଚିତ ହୋଇଛି। ଇଂଲଣ୍ଡ ୬ ୱିକେଟ୍‌ ହରାଇ ୩୩୯ ରନ୍‌ କରିଛି। ଯଦି ଆବଶ୍ୟକ ହୁଏ; କାନ୍ଧ ହାଡ଼ ଖସି ଯାଇଥିବା କ୍ରିସ୍‌ ୱକ୍‌ସ ବ୍ୟାଟିଂ କରିପାରିବେ।
ତା’ର ଟେଷ୍ଟ ଇତିହାସରେ ୨ୟ ସର୍ବାଧିକ ୩୭୪ ରନ୍‌ର ପିଛାକରି ଇଂଲଣ୍ଡ ତୃତୀୟ ଦିନ ଶେଷରେ ଜ୍ୟାକ୍‌ କ୍ରଲିଙ୍କ ୱିକେଟ୍‌ ହରାଇ ୫୦ ରନ୍‌ କରିଥିଲା। ପୂର୍ବରୁ ଭାରତ ବିପକ୍ଷରେ ଦୁଇ ଥର ଇଂଲଣ୍ଡ ଦଳ ୪ର୍ଥ ଇନିଂସରେ ୩୭୦ରୁ ଅଧିକ ରନ୍‌ର ପିଛାକରି ଜିତିଛି। ରବିବାର ଓଭାଲ୍‌ ଟେଷ୍ଟର ୪ର୍ଥ ଦିନରେ ଇଂଲଣ୍ଡର ସ୍କୋର୍‌ ୮୨ ରନ୍‌ରେ ପହଞ୍ଚିବା ପରେ ଏହା ୨ୟ ୱିକେଟ୍‌ ହରାଇଥିଲା। ଓପ୍‌ନର ବେନ୍ ଡକେଟ୍‌ ୮୩ ବଲ୍‌ରୁ ୬ଟି ଚୌକା ସହ ୫୪ ରନ୍‌କରି ଆଉଟ୍‌ ହୋଇଥିଲେ। ଭୋଜନ ବିରତି ପୂର୍ବରୁ ଆଉ ଏକ ୱିକେଟ୍‌ ନେଇ ଭାରତ ବିଜୟର ସମ୍ଭାବନା ସୃଷ୍ଟି କରିଥିଲା। ଅଧିନାୟକ ଓଲି ପୋପ୍ ୩୪ ବଲ୍‌ରୁ ୫ଟି ଚୌକା ସହ ୨୭ ରନ୍‌କରି ବିଦାୟ ନେଇଥିଲା। ସେତେବେଳକୁ ୭ଟି ୱିକେଟ ହାତରେ ଥାଇ ଜିତିବା ପାଇଁ ଇଂଲଣ୍ଡ ଆହୁରି ୨୬୮ ରନ୍‌ ଆବଶ୍ୟକ କରୁଥିଲା। ହେଲେ ବିଶ୍ବର ୧ନଂ ବ୍ୟାଟ୍‌ସମ୍ୟାନ୍ ଜୋ ରୁଟ୍‌ କଳାତ୍ମକ ବ୍ୟାଟିଂ କରିଥିଲେ ଏବଂ ହ୍ୟାରୀ ବ୍ରୁକ୍‌ କ୍ରିଜ୍‌କୁ ଆସିବା ମାତ୍ରେ ଆକ୍ରମଣ କରିଥିଲେ। ଦୁହେଁ ଓଭର ପିଛା ୫ ରନ୍‌ ହାରରେ ସ୍କୋର୍‌ କରିଥିଲେ। ବ୍ରୁକ୍‌ ୧୯ ରନ୍‌ କରିଥିବା ବେଳେ ମହମ୍ମଦ ସିରାଜ୍‌ ତାଙ୍କ କ୍ୟାଚ୍‌ ଛାଡ଼ିବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା। ଭୋଜନ ବିରତି ପରେ ଜୋ ରୁଟ୍‌ ଓ ହ୍ୟାରୀ ବ୍ରୁକ୍‌ ସହଜରେ ରନ୍‌ ସଂଗ୍ରହ କରିଥିଲେ। ଶୃଙ୍ଖଳାରେ ୯ମ ବ୍ୟାଟ୍‌ସମ୍ୟାନ ଭାବେ ବ୍ରୁକ୍‌ ୪ ଶହ ରନ୍‌ ଅତିକ୍ରମ କରିଥିଲେ। ପରେ ବ୍ରୁକ୍‌ ମାତ୍ର ୯୧ ବଲ୍‌ରୁ ଚଳିତ ଶୃଙ୍ଖଳାରେ ୨ୟ ଏବଂ ମୋଟ ଉପରେ ୧୦ମ ଟେଷ୍ଟ ଶତକ ପୂରଣ କରିଥିଲେ। ଜୋ ରୁଟ୍‌ଙ୍କ ସହ ବ୍ରୁକ୍‌ ୪ର୍ଥ ୱିକେଟ ପାଇଁ ୩୫ ଓଭରରୁ ୧୯୫ ରନ୍‌ ଯୋଗକରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। କଭର୍ ଡ୍ରାଇଭ୍ ମାରିବା ପ୍ରୟାସରେ ବ୍ରୁକ୍‌ଙ୍କ ହାତରୁ ବ୍ୟାଟ୍‌ ଖସିଯିବାରୁ ସେ ଆଉଟ୍‌ ହୋଇଥିଲେ। ତେ‌େ​‌ବ ଏହା ପୂର୍ବରୁ ଇଂଲଣ୍ଡକୁ ଭଲ ସ୍ଥିତିରେ ବ୍ରୁକ୍‌ ପହଞ୍ଚାଇ ଦେଇଥିଲେ। ହ୍ୟାରୀ ବ୍ରୁକ୍‌ ୯୮ ବଲ୍‌ରୁ ୨ଟି ଛକା ଓ ୧୪ଟି ଚୌକା ସହ ୧୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ୧୩୮ ବଲ୍‌ରୁ ଚମ୍ପିଆନ୍ ବ୍ୟାଟ୍‌ସମ୍ୟାନ ଜୋ ରୁଟ୍‌ ଜୀବନର ୩୯ତମ ଟେଷ୍ଟ ଶତକ ପୂରଣ କରିଥିଲେ। କ୍ରମାଗତ ୩ୟ ଟେଷ୍ଟରେ ଶତକ ଅର୍ଜନ କରିଥିବା ଜୋ ରୁଟ୍‌ ୧୫୨ ବଲ୍‌ରୁ ୧୨ଟି ଚୌକା ସହ ୧୦୫ ରନ୍‌କରି ଆଉଟ୍‌ ହୋଇଥିଲେ। ଜାକବ୍ ବିଥେଲ ୫ ରନ୍‌କରି ବିଦାୟ ନେଇଥିଲେ। ପ୍ରସିଦ୍ଧ କୃଷ୍ଣ ୩ଟି ଓ ମହମ୍ମଦ ସିରାଜ୍‌ ୨ଟି ୱିକେଟ୍‌ ନେଇଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories