ଜରୁରୀ ସ୍ଥିତିରୁ ଶିକ୍ଷା
ଚିତ୍ତରଞ୍ଜନ ମହାନ୍ତି
ଇତି ମଧ୍ୟରେ ଚାହୁଁଚାହୁଁ ୪୩ବର୍ଷ ବିତିଗଲାଣି। ହେଲେ ଭୁକ୍ତଭୋଗୀଙ୍କୁ କାଲି ଭଳି ଲାଗୁଛି। ୧୯୭୫ ଜୁନ୍ ୨୫ ତାରିଖ ସଂଧ୍ୟାରେ ଦେଶର ରାଜଧାନୀ ଦିଲ୍ଲୀରେ ଐତିହାସିକ ଜନସଭା। ଭାରତମାତାର ଅନ୍ୟତମ ବରପୁତ୍ର ‘୧୯୪୨ ଭାରତ ଛାଡ’ ଆନ୍ଦୋଳନର ଅନନ୍ୟ ସେନାପତି ଲୋକନାୟକ ଜୟପ୍ରକାଶଙ୍କ ଡାକରାରେ ସଭାରେ ପ୍ରାୟ ଦଶଲକ୍ଷ ଲୋକ। ଆଜିର ଜ୍ୱଳନ୍ତ ସମସ୍ୟା ସେଦିନ ବି ଉତ୍କଟ ଥିଲା। ଦରବୃଦ୍ଧି, ବେକାରୀ ଓ ସବୁ ସମସ୍ୟାର ଜନନୀ ରାଜନୈତିକ ଭ୍ରଷ୍ଟାଚାର। ଏ ସବୁ ବିରୁଦ୍ଧରେ ଜୟପ୍ରକାଶଙ୍କର ଆହ୍ୱାନ- ସଂପୂର୍ଣ୍ଣ କ୍ରାନ୍ତି ‘ନାରା ହୈ-ଭାବି ଇତିହାସ ହମାରା ହୈ’।
୧୯୭୫ ଜୁନ ୨୫ ସଂଧ୍ୟା- ବିଶାଳ ଜନସଭାରେ ଜୟପ୍ରକାଶ ଘୋଷଣା କଲେ ନ୍ୟାୟାଳୟର ନିର୍ଦେଶ ମୁତାବକ ପ୍ରଧାନମନ୍ତ୍ରୀ ଇସ୍ତଫା ନଦେଲେ ଗଣ- ସତ୍ୟାଗ୍ରହ ଓ ଅସହଯୋଗ କରି ସରକାରଙ୍କୁ ଅଚଳ କରି ଦିଆଯିବ। କ୍ଷମତାଚ୍ୟୁତ ହେବା ନିଶ୍ଚିତ ଓ ଆସନ୍ନ ଭାବି ଅନ୍ତରଙ୍ଗ ସହଗାମୀଙ୍କ ପରାମର୍ଶରେ ୨୫ଜୁନ ମଧ୍ୟରାତ୍ରିରେ କ୍ୟାବିନେଟର ବିଧିବଦ୍ଧ ବୈଠକ ବିନା ଇନ୍ଦିରାଗାନ୍ଧି ରାଷ୍ଟ୍ରପତି ଫକିରୁଦ୍ଦିନ୍ ଅଲ୍ଲୀ ଅହମ୍ମଦଙ୍କ ନିର୍ଦେଶନାମା ଜରିଆରେ ଦେଶରେ ଆଭ୍ୟନ୍ତରୀଣ ଜରୁରୀ ସ୍ଥିତି ଜାରି କଲେ। (ପୂର୍ବରୁ ୧୯୭୧ରେ ପାକିସ୍ତାନ ସହ ବାଂଲାଦେଶ ଯୁଦ୍ଧ ବେଳେ ବାହ୍ୟ ଜରୁରୀ ସ୍ଥିତି ଜାରି ହୋଇଥିଲା।) ଜରୁରୀ ସ୍ଥିତିବେଳେ ରାଷ୍ଟ୍ରପତିଙ୍କ ଦେହାନ୍ତ ହେଲା।
୧୯୭୫ ଜୁନ୍ ୨୬ ସକାଳ ସୁଦ୍ଧା ଓ ଜୟପ୍ରକାଶ ସମେତ ବିରୋଧୀ ଦଳର ଅଧିକାଂଶ ଜନନେତା ରାଜବନ୍ଦୀ ହୋଇ ସାରିଥିଲେ। ଇନ୍ଦିରାଗାନ୍ଧିଙ୍କ ଦୃଢ ସମର୍ଥକ କଂେଗ୍ରସ କାର୍ଯ୍ୟକାରୀ କମିଟି ସଭ୍ୟ ସାଂସଦ ଚନ୍ଦ୍ରଶେଖର ମଧ୍ୟ ଜୟପ୍ରକାଶଙ୍କୁ ଭେଟିବାକୁ ଯାଇ ଗିରଫ ହୋଇଗଲେ। ରେଡିଓ ସମେତ ସମସ୍ତ ପ୍ରଚାର ମାଧ୍ୟମକୁ ସରକାର ନିଜ ନିୟନ୍ତ୍ରଣକୁ ନେଇଗଲେ। ପ୍ରଖ୍ୟାତ ସମ୍ବାଦପତ୍ର ଇଣ୍ଡିଆନ୍ ଏକ୍ସପ୍ରେସକୁ ବନ୍ଦ କରିବାର ଅପଚେଷ୍ଟା ହେଲା।
ଓଡିଶାରେ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ଅନ୍ତରଙ୍ଗ ଓ ବିଶ୍ୱସ୍ତ ଥିଲେ। ତେଣୁ ଦିଲ୍ଲୀରୁ ଦୂରରେ ଥିଲେ ମଧ୍ୟ ଜରୁରୀ ସ୍ଥିତିର ଅପଚାପ ଓଡିଶାରେ ବେଶ୍ ପଡିଥିଲା। ବିଜୁବାବୁ ଓ ରବିରାୟ ଦିଲ୍ଲୀରେ ଗିରଫ ହେଲେ। ମା’ ରମାଦେବୀ, ‘ସମାଜ’ ସଂପାଦକ ରାଧାନାଥ ରଥ, ନୀଳମଣି ରାଉତରାୟ ଓ ସମାଜବାଦୀ ଦଳର ସର୍ବମାନ୍ୟ ନେତା ପ୍ରଦୀପ୍ତ ଦାସଙ୍କୁ ବିଭିନ୍ନ କାରଣରୁ ଗିରଫ କରାଗଲା ନାହିଁ, କିନ୍ତୁ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ମନମୋହନ ଚୌଧୁରୀ, କିଶନ ପଟ୍ଟନାୟକ, ପଦ୍ମଚରଣ ସାମନ୍ତସିଂହାର, ପ୍ରତାପ ମହାନ୍ତି, ପ୍ରହ୍ଲାଦ ମଳିକ, ବିଶ୍ୱଭୂଷଣ ହରିଚନ୍ଦନ, ଗଣନାଥ ପ୍ରଧାନ, ହରିଶଚନ୍ଦ୍ର ବକ୍ସିପାତ୍ର, ଭାଗବତ ବେହେରା ପ୍ରମୁଖ ବହୁ ତୁଙ୍ଗ ନେତା କାରାରୁଦ୍ଧ ହେଲେ। ଊଣା ଅଧିକେ ସବୁ ଅଣ କଂଗ୍ରେସୀ ସକ୍ରିୟ ଯୁବନେତା ଓଡିଶାର ସବୁ ଅଞ୍ଚଳରୁ ‘ମିଶା’ ଓ ଡି.ଆଇ.ଆରରେ ଗିରଫ ହେଲେ। ତ୍ରିଲୋଚନ କାନୁନ୍ଗୋଙ୍କ ଭଳି କଂଗ୍ରେସ ବିଧାୟକ ଓ ଦଳର ଅନ୍ୟ ଯୁବନେତା ମଧ୍ୟ ବାଦ ପଡିଲେ ନାହିଁ। ମୌଳିକ ଅଧିକାର, ଏପରିକି ସମ୍ବିଧାନର ୨୧ଧାରାରେ ପ୍ରଦତ୍ତ ବଞ୍ଚିବାର ଜନ୍ମସିଦ୍ଧ ଅଧିକାରକୁ ମଧ୍ୟ ଛଡେଇ ନିଆଗଲା।
ବିଡମ୍ବନାର କଥା ଓଡିଶାରେ ଜରୁରୀ ସ୍ଥିତିକୁ କଡାକଡି ଲାଗୁ କରିଥିବା ନନ୍ଦିନୀ ଦେବୀ ନିଜେ ତା’ର ଶିକାର ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇଲେ ଓ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ଜନତା ପାର୍ଟିର ପ୍ରାର୍ଥୀ ହୋଇ ନିର୍ବାଚନ ଜିଣିଲେ।
ଆଜି ପରିଣତ ବୟସରେ ଅତୀତର ରୋମନ୍ଥନ କଲେ ଭୟ ଲାଗେ। ୪୩ ବର୍ଷର ସମସ୍ୟା ଆଜି ସେମିତି ଜୀବନ୍ତ ହୋଇ ଦେଶ ଆଗରେ ଠିଆ ହୋଇଛି। ସେଇ ଦରବୃଦ୍ଧି, ବେକାରୀ ଓ ଅକଳ୍ପନୀୟ ଭ୍ରଷ୍ଟାଚାର ଓ ତା’ ସାଙ୍ଗକୁ ଯୋଡି ହୋଇଯାଇଛି ନାରୀ ନିର୍ଯାତନା ଓ ଚାଷୀ ଆତ୍ମହତ୍ୟା। ଏମିତି ଦେଖିଲେ ଏବେ ଦେଶରେ ଅଘୋଷିତ ଜରୁରୀ ସ୍ଥିତିର ପରିସ୍ଥିତି। ଯଦି କେହି କ୍ଷମତାଲିପ୍ସୁ ସମସ୍ୟାର ସମାଧାନ ନକରିପାରିଲେବି କ୍ଷମତା ନଛାଡିବା ପାଇଁ ଦେଶରେ ଏକଚ୍ଛତ୍ରବାଦ ଜାରିକରେ, ଗଣତନ୍ତ୍ରର ଗୁଳାରୁ ଦେଶକୁ ବିଚ୍ୟୁତ କରିବାର ଦୁଃସାହସ କରେ, ସେ ଦିନଭଳି ନେତାବିହୀନ ଜନତା ଐକ୍ୟବଦ୍ଧ ହୋଇ ତାର ସାମନା କରିପାରିବେ ତ? ପୁଣି ଆଶ୍ୱସ୍ତ ଲାଗେ ଗାନ୍ଧି, ଗୋପବନ୍ଧୁଙ୍କ ଏ ମାଟି ଡରାଇ ଶାସନ କରିବା ବ୍ୟବସ୍ଥାକୁ ବରଦାସ୍ତ କରିବ ନାହିଁ।
ମା’ ରମା ଦେବୀ ଜରୁରୀ ସ୍ଥିତିରେ କିଛି ନକରି କେବଳ ଗାନ୍ଧି ଗୋପବନ୍ଧୁଙ୍କ ପ୍ରଜାତନ୍ତ୍ର ସପକ୍ଷରେ ଓ ଏକଚ୍ଛତ୍ରବାଦ ବିରୁଦ୍ଧରେ ଥିବା ବାଣୀ ଛାପି ବାଣ୍ଟୁଥିଲେ। ଯଥା-
“କାତରତା ସିନା କାପୁରୁଷ ପଣ, ବୀର ମାରେ ଅବା ମରେ କରି ରଣ / ପଛଘୁଞ୍ଚାା ନାହିଁ ବୀରର ଜାତକେ, ନମରେ ସେ କେଭେ ପରାଣ ଆତଙ୍କେ।”
“ପ୍ରଜା ଲାଗି ଉଦେ ରବି ଶଶୀ ତାରା, ପ୍ରଜା ଲାଗି ବହେ ଶତ ନଦୀ ଧାରା / ପ୍ରଜା ଲାଗି ରାଜ୍ୟ, ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ।”
“ନ ଅଟକେ କର୍ମ ନେତାର ଅଭାବେ, ଧର୍ମନାବ ଚଳେ ଧର୍ମର ପ୍ରଭାବେ / ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ।”
ଇନ୍ଦିରା ଗାନ୍ଧି ଦେଶକୁ ପୁଣି ଗଣତନ୍ତ୍ରର ଗୁଳାରେ ପକାଇ ନିର୍ବାଚନ କଲେ। ନିଜେ ହାରିଥିଲେ, କିନ୍ତୁ କ୍ଷମତାଚ୍ୟୁତ ହେବାର ମାତ୍ର ଅଢେଇ ବର୍ଷ ପରେ ପୁଣି କ୍ଷମତାକୁ ଫେରିଲେ। ହିଟଲର କି ମୁସୋଲିନୀ କିନ୍ତୁ ଗଣତନ୍ତ୍ରକୁ ସଂପୂର୍ଣ୍ଣ ସମାଧି ଦେଇଦେବାରୁ କ୍ଷମତାକୁ ନ ଫେରି ପ୍ରାଣ ହାରିଲେ। ଏହାହିଁ ଇତିହାସର ଶିକ୍ଷା।
ସଭାପତି, ସମତା ମଞ୍ଚ, କଟକ-୧୫,