ଭୁବନେଶ୍ବର : ଆଗପଛ ହୋଇ ଦୁଇଟି ଲଘୁଚାପ ଆସିଥିଲା। ଉପକୂଳରୁ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଜିଲା ଗୁଡ଼ିକରେ ଲଗାଣ ବର୍ଷା ଦ୍ବାରା ଧାନ, ରବି ଓ ପନିପରିବା ଫସଲ ଉଜାଡ଼ି ଦେଇଛି। ବହୁ ପରିଶ୍ରମ କରି ଫସଲ କରିଥିବା ଚାଷୀ ଅମଳ ସମୟରେ କ୍ଷତି ସହିଛି। ଚଳିତବର୍ଷ ଭଲ ଫସଲ ହୋଇଥିଲା ଏବଂ ଚାଷୀ ବେଶ୍ ଖୁସି ଥିଲେ। କାରଣ ସରକାର ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ଦେଉଛନ୍ତି। ଅମଳ ଧାନକୁ ମଣ୍ଡିରେ ବିକ୍ରି କଲେ ଚାଷୀ ଲକ୍ଷାଧିକ ଟଙ୍କା ପାଇବ ବୋଲି ଆଶା ବାନ୍ଧି ବସିଥିଲା, ହେଲେ କିଏ ଜାଣିଥିଲା ଜମିରେ କଟା ହୋଇ ପଡ଼ିଥିବା ଧାନ ଖଳାକୁ ଆସିବା ପୂର୍ବରୁ ବିଲରେ ଉଜୁଡ଼ି ଯିବ। ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ବର୍ଷକ ପରିଶ୍ରମର ଫଳ ଭାସୁଥିବା ଦେଖି ଚାଷୀର ଆଖିରୁ ଲୁହ ଶୁଖୁନି। କିଏ ନିଜ ଚାଷ ବିଲକୁ ଦେଖି ହିଡ଼ମୁଣ୍ଡରେ ଟଳି ପଡ଼ୁଛି ତ, ଆଉ କିଏ ନିଜ ଜୀବନ ହାରିବାକୁ ପଛାଉ ନାହିଁ। ଉଜୁଡ଼ା ଫସଲ ଯୋଗୁ ପୁରୀ, କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲାରେ ଜଣେ ଲେଖାଏଁ ମୋଟ ୩ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଗୁରୁବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ୍ ଅଧୀନ ବଡ଼ମାଧପୁର ପଞ୍ଚାୟତ ଅନ୍ତର୍ଗତ ବରଙ୍ଗ ଗାଁର ବନମାଳୀ ପେଣ୍ଠେଇ ଚାଷୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଦିନିଆ ବର୍ଷାରେ ଧାନ ଫସଲ କ୍ଷତି ସହି ନପାରି ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି। ଭାଗ ଚାଷୀ ହିସାବରେ ୫ ଏକର ଜମିରେ ଧାନ ଚାଷ କରିଥିଲେ ଏବଂ ନିଜର ୨ ଏକର ଜମିରେ ପନିପରିବା ଚାଷ କରିଥିଲେ। କ୍ଷେତରେ କଟା ହେବା ଧାନ ପଡ଼ି ରହି ଗଜା ହୋଇଛି। ପ୍ରାୟ ୨ଲକ୍ଷ ଟଙ୍କା କରଜ କରି ସେ ଚାଷ କରିଥିଲେ।
ସେହିପରି କେନ୍ଦ୍ରାପଡ଼ା ଜିଲାର ଡେରାବିଶ ବ୍ଲକ୍ ସନ୍ଥପୁରା ଗାଁର ଭାବଗ୍ରାହୀ ମଲ୍ଲିକ। ସେ ନିଜ ବିଲ ଦେଖି ଟଳି ପଡ଼ିଥିବା ଅଭିଯୋଗ ହୋଇଛି। ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦଳେଇ(୬୭) ବନପୁର ଗହୀରରେ ପ୍ରାୟ ୨ଏକର ଜମି ଭାଗରେ ନେଇ ଧାନଚାଷ କରିଥିଲେ। ଉଜୁଡ଼ି ଯାଇଥିବା ଫସଲ ଦେଖି ଶ୍ରୀ ଦଳେଇ ହିଡ଼ ମୁଣ୍ଡରେ ଟଳି ପଡ଼ିଥିଲେ। ଜାତୀୟକରଣ ବ୍ୟାଙ୍କ, ବୀରରାମଚନ୍ଦ୍ରପୁର ସେବା ସମବାୟ ସମିତିରୁ ୧ ଲକ୍ଷ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ହାତଉଧାରି ଋଣ ଆଣିଥିଲେ। ଚାଷୀ ଜାତୀୟ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିଲେ। କିଛି ଚାଷୀ ସାହୁକାର ପାଖରୁ ହାତ ଉଧାରି କରଜ ଆଣିଥିଲେ। ଫସଲ ନଷ୍ଟ ହୋଇଯିବା ଦ୍ବାରା ଚାଷୀ କିପରି ଋଣ ପରିଶୋଧ କରିବେ ସେ ଚିନ୍ତାରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ଚାଷୀଙ୍କ ଋଣ ଛାଡ଼ କରିବାକୁ ଚାଷୀ ଅଖିଳ ନାୟକ କହିଛନ୍ତି।
ଗତ ୨୦ ଓ ୨୧ତାରିଖରେ ଲଗାଣ ବର୍ଷା ହୋଇଥିଲା। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଥିଲା, ଯାହା ବଞ୍ଚିଥିଲା ତାକୁ ଅମଳ କରିବାକୁ ଚାଷୀ ଆଶା ରଖିଥିବା ବେଳେ ପୁଣି ୨୪ ଓ ୨୫ତାରିଖରେ ଦୁଇଦିନ ବର୍ଷା ହେବା ଦ୍ବାରା ଧାନ, ରବି ଏବଂ ପନିପରିବା ଫସଲ ଉଜୁଡ଼ି ଯାଇଛି। ପାଚିଲା ଧାନ ପାଣିରେ ବୁଡ଼ି ରହିବା ଦ୍ବାରା ସେଗୁଡ଼ିକ ଗଜା ହୋଇଗଲାଣି। ଖରା ହେଲେ ମଧ୍ୟ ସେଗୁଡ଼ିକରୁ ଆଦାୟ ସମ୍ଭାବନା କମ୍। ଆଉ ଯେଉଁ ଓଦା ଧାନ ରହିଛି ବର୍ଷା ମାଡ଼ରେ ଧାନର ରଙ୍ଗବଦଳି ଯାଇଥିବା ବେଳେ ଆର୍ଦ୍ରତା ବଢ଼ିଛି। ସରକାର ଏଫଏକ୍ୟୁ ମାନ ଧାନ କିଣୁଥିବାବେଳେ ମଣ୍ଡିରେ ଗ୍ରେନ୍ ଆନାଲାଇଜର ଯନ୍ତ୍ରରେ ଏଫଏକ୍ୟୁ ମାନ ଆସିବା ସମ୍ଭାବନା କମ। ଏହାକୁ ନେଇ ଚାଷୀ ଚିନ୍ତିତ ହୋଇ ପଡ଼ିଥିବା ବେେଳ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଯେଉଁ ଧାନଚାଷୀଙ୍କ କ୍ଷତି ହୋଇଛି ସମସ୍ତଙ୍କୁ କ୍ଷତିପୂରଣ ଦିଆଯିବ। ଚାଷୀଙ୍କ ହିତ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଏଫଏକ୍ୟୁ ମାନରେ କେତେ କୋହଳ କରିହେବ ସେନେଇ ନିଷ୍ପତ୍ତି ନେବେ ଜିଲାପାଳ। ଜିଲାସ୍ତରରେ ଚାଷୀ ଏବଂ ଜିଲାପାଳ ବସି ଏହି ନିଷ୍ପତ୍ତି ନେବେ।
ଗଜପତି ଜିଲାରେ ମଣ୍ଡି ଖୋଲି ନଥିବା ଏବଂ ଗଜା ଧାନକୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ ଚାଷୀ। ନିର୍ଦ୍ଧାରିତ ସମୟରେ ମଣ୍ଡି ଖୋଲି ନଥିବାରୁ ଚାଷୀ ଧାନ ବିକ୍ରି କରୁପାରୁନାହାନ୍ତି। ପୁଣି ମଣ୍ଡିରେ ଧାନ ଓଦା ହୋଇଥିବାରୁ ଏହା ଗଜା ହେବାକୁ ବସିଲାଣି। ସରକାର ୪ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପଠାଇବାକୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀର କ୍ଷତିଗ୍ରସ୍ତ ଜମି ମୁଣ୍ଡରେ ଅଧିକାରୀ ପହଞ୍ଚି ପାରିଲେନାହିଁ। ଉଜୁଡ଼ା ଧାନକୁ ଧରି ଚାଷୀ କ୍ଷତିପୂରଣ ଦାବି କରୁଥିବା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ଯେଉଁମାନଙ୍କ କ୍ଷତି ହୋଇଛି ସେମାନେ କ୍ଷତିପୂରଣ ପାଇବେ। ଏଥିପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଏଫଏକ୍ୟୁ ମାନ ଉପରେ ଜିଲାସ୍ତରରେ ଚାଷୀ, ମିଲର, ପ୍ରଶାସନ ବସି ନିଷ୍ପତ୍ତି ନେବେ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି। ଚାଷୀଙ୍କୁ ହଇରାଣ କଲେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବେ ନାହିଁ। ଫସଲବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ। ଏସମୟରେ ବୀମା କମ୍ପାନୀ ଗୁଡ଼ିକ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର। ଗତ ୨୪ତାରିଖ ଯାଏ ୨୦ ହଜାରରୁ ଅଧିକ ଚାଷୀ ବୀମା ପାଇଁ ଆବେଦନ କରି ସାରିଲେଣି। ସେମାନଙ୍କୁ ବୀମା ପ୍ରଦାନ ନେଇ ବୀମା କମ୍ପାନୀ ଗୁଡ଼ିକ ଆଇନ ଅନୁଯାୟୀ କାମ କରିବା ଦରକାର। ବୀମା କମ୍ପାନୀ ସହ କୃଷି ବିଭାଗ ୨ଟି ବୈଠକ କରିସାରିଛନ୍ତି। ରାଜସ୍ବ ମନ୍ତ୍ରୀ କହିଛନ୍ତି, ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଛି। ଫଳରେ ମଣ୍ଡି ଖୋଲିବା ତାରିଖ ମଧ୍ୟ ଘୁଞ୍ଚାଇବାକୁ ବାଧ୍ୟ ହେଉଛି। ପରିସ୍ଥିତିକୁ ନଜରରେ ରଖି ପୁଣି ଥରେ ମଣ୍ଡି ଖୋଲିବା ସୂଚୀ ପ୍ରକାଶ ହେବ। ଲଗାତାର ବର୍ଷା ଯୋଗୁଁ ଏଯାଏଁ କ୍ଷୟକ୍ଷତି ଆକଳନ ହୋଇପାରିନାହିଁ। କୃଷି ବିଭାଗ ସହ ଆଲୋଚନା ହୋଇଛି। ସମବାୟ ବିଭାଗର ଭୂମିକା ଅଛି। ୨୮ ତାରିଖରେ ରାଜସ୍ୱ କୃଷି ସମବାୟ ସହ ଅନ୍ୟ ବିଭାଗ ବୈଠକ ରହିଛି। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ। ଯଦି କିଏ ସର୍ଭେରୁ ବାଦ୍ ପଡ଼ିଥିବେ, ରାଜସ୍ବ ବିଭାଗ ନିକଟରେ ଅଭିଯୋଗ ବି କରିପାରିବେ। ଚାଷୀ ସମସ୍ୟାର ସମାଧାନ ପାଇଁ ମୋହନ ସରକାର ଅତି ସମ୍ବେଦନଶୀଳ ଅଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦିଆଯିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମାନୁଯାୟୀ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ବୀମା ସହାୟତା ପ୍ରଦାନ କରାଯାଏ। ଯଦି ଅମଳ ହୋଇଥିବା ଫସଲ କ୍ଷେତରେ ବିଡ଼ା ବନ୍ଧା ଅବସ୍ଥାରେ କିମ୍ବା ଖଳାରେ ଶୁଖାଯାଇଥିବା ଅବସ୍ଥାରେ ଅମଳର ୧୪ଦିନ ମଧ୍ୟରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି, ତେବେ ବୀମା ସହାୟତା ପ୍ରଦାନ ପାଇଁ ଚାଷୀମାନେ ଯୋଗ୍ୟ ଅଟନ୍ତି। ଏଥିପାଇଁ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ ‘କୃଷି ରକ୍ଷକ’ ପୋର୍ଟାଲ କିମ୍ବା ‘କୃଷି ରକ୍ଷକ ହେଲ୍ପଲାଇନ ନମ୍ବର’ ୧୪୪୪୭ରେ ସୂଚନା ଦେବାକୁ ସମବାୟ ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ବିଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଛି। ୧୫ ଲକ୍ଷରୁ ଅଧିକ ଚାଷୀ ଫସଲ ବୀମା ଯୋଜନାରେ ସେମାନଙ୍କ ଖରିଫ ଫସଲକୁ ପଞ୍ଜିକୃତ କରିଛନ୍ତି।





