ଅସୁରକ୍ଷିତ ନୌପରିବହନ ବ୍ୟବସ୍ଥା
ସୁଧୀର କୁମାର ନାୟକ
ରାଜ୍ୟ ସରକାରଙ୍କ ନୌପରିବହନ ବ୍ୟବସ୍ଥା ଏକ ସଂକଟାପନ୍ନ ସ୍ଥିତିରେ ଗତି କରୁଛି। ଡଙ୍ଗା ବୁଡ଼ି ରୋକିବା ସହ ଯାତ୍ରୀମାନଙ୍କ ନିରାପତ୍ତାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ୨୦୦୪ ମସିହାରେ ସ୍ୱତନ୍ତ୍ର ବୋଟ୍ ରୁଲ୍ସ୍ ପ୍ରଣୟନ କରିଥିଲେ। କୌଣସି ଜଟିଳ ସମସ୍ୟାର ସମାଧାନ ପାଇଁ ନୂତନ ଆଇନ କରିବାଟା ହୁଏତ ସହଜ ହୋଇପାରେ, କିନ୍ତୁ ତାକୁ କାର୍ଯ୍ୟରେ ପ୍ରୟୋଗ କରିବା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ମାନସିକତା ଉପରେ ନିର୍ଭର କରିଥାଏ। ହାଇକୋର୍ଟ ନୌକା ଦୁର୍ଘଟଣା ଉପରେ ଏକ ଜନସ୍ୱାର୍ଥ ମାମଲା ଶୁଣାଣି କରି ଯାତ୍ରୀବାହୀ ଡଙ୍ଗାର ନିରାପତ୍ତା ପାଇଁ ରାଜ୍ୟ ସରକାରଙ୍କୁ ଏକ ନୋଟିସ୍ କରିଥିଲେ। ଆଜି ଚିଲିକା ସମେତ ଅନ୍ୟାନ୍ୟ ଜଳାଶୟଗୁଡ଼ିକରେ ଯେପରି ଡଙ୍ଗାବୁଡ଼ିଜନିତ ପ୍ରାଣହାନି ଘଟୁଛି, ଏହା ସୂଚାଇ ଦେଉଛି ଦାୟିତ୍ୱରେ ଥିବା ପ୍ରାଶାସନିକ ଅଧିକାରୀମାନେ ସେମାନଙ୍କ କର୍ତ୍ତବ୍ୟରେ କେତେ ତତ୍ପରତା ରଖିଛନ୍ତି। ନିକଟରେ କାଳିଜାଈ ପୀଠରୁ ଦର୍ଶନ ସାରି ଫେରୁଥିବା ଏକ ଯାତ୍ରୀବାହୀ ଡଙ୍ଗା ଝଡ଼ତୋଫାନର ସମ୍ମୁଖୀନ ହୋଇ ଭାରସାମ୍ୟ ହରାଇ ଚିଲିକା ଗର୍ଭରେ ବୁଡ଼ିଗଲା। ସେଥିରେ ମୋଟ୍ ୧୬ ଜଣ ଯାତ୍ରୀ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ଘଟିଲା। ସେହିପରି ୨୦୧୬ ଡ଼ିସେମ୍ବର ୧୦ରେ ବ୍ରହ୍ମପୁର ରମ୍ଭା ଚିଲିକାରେ ଡଙ୍ଗା ବୁଡ଼ି ଯିବାରୁ ୨ଜଣ ଶିଶୁ ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ଡଙ୍ଗା ବୁଡ଼ି ଘଟଣା ତଦନ୍ତ କରି ପ୍ରଶାସନ ଯଦି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ, ହୁଏତ ସେହିଦିନଠାରୁ ଅନ୍ୟ ଯାତ୍ରୀବାହୀ ଡଙ୍ଗାଗୁଡ଼ିକ ଖୋଲାଖୋଲି ନୀତିନିୟମ ଉଲ୍ଲଙ୍ଘନ କରି ଚଳପ୍ରଚଳ କରୁ ନ ଥାନ୍ତେ।
ରାଜ୍ୟରେ ଦୈନିକ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ବଲୋକ ବିଭିନ୍ନ ଘାଟରେ ଯାତାୟାତ ପାଇଁ ଡଙ୍ଗା ଉପରେ ନିର୍ଭର କରିଥାନ୍ତି। ଦେଶରେ ଭୌଗୋଳିକ ଚିତ୍ର ଏପରି ଅଛି, କିଛି ଗ୍ରାମ, ବଜାର, ସହର, ସ୍କୁଲ୍, କଲେଜ, ଅଫିସଗୁଡ଼ିକୁ ଯୋଗାଯୋଗ ପାଇଁ କେବଳ ଘାଟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ସରକାରୀ ତଥ୍ୟ ଅନୁସାରେ ରାଜ୍ୟର ୧୩୫ଟି ଜଳାଶୟର ୭୪୭ଟି ଘାଟରେ ପାଖାପାଖି ୨୫ଶହ ନୌକା ଚଳପ୍ରଚଳ କରିଥାନ୍ତି। ତାହା ମଧ୍ୟରୁ ୬୦%ରୁ ଅଧିକ ଡଙ୍ଗାର ଲାଇସେନ୍ସ ନାହିଁ। ଅଧାରୁ ଅଧିକ ବୋଟ୍ରେ ଲାଇଫ୍ ସେଭ୍ ଜ୍ୟାକେଟ୍ ରହୁ ନ ଥିବାବେଳେ ବିନା ଅନୁମତି ତଥା କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କରୁଛନ୍ତି। ବିନା ପ୍ରଶିକ୍ଷଣରେ ଶହଶହ ବୋଟ୍ ଚାଳକ ଯାତ୍ରୀମାନଙ୍କୁ ବୋହୁଛନ୍ତି। ନିୟମ ଅନୁସାରେ ବୋଟମ୍ୟାନ୍ ଏବଂ ବୋଟ୍ଗୁଡ଼ିକ ବୀମାଭୁକ୍ତ ହେବା ବାଧ୍ୟତାମୂଳକ ଥିବାବେଳେ ଅଧିକାଂଶ ବୋଟ୍ର ଫିଟ୍ନେସ ନାହିଁ କିମ୍ବା ବୀମାଭୁକ୍ତ ନୁହେଁ। ସେଥିପାଇଁ କୌଣସି ସ୍ଥାନରେ ଡଙ୍ଗା ବୁଡ଼ିଗଲେ, ମୃତ ଯାତ୍ରୀଙ୍କ ସମ୍ପର୍କୀୟମାନେ ବୀମା ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଚଳିତ ବର୍ଷ ରିପୋର୍ଟ ଅନୁସାରେ ରାଜ୍ୟର ୧୫ଶହରୁ ଅଧିକ ଯାତ୍ରୀବାହୀ ବୋଟ୍ ସେମାନଙ୍କ ଲାଇସେନ୍ସ ନବୀକରଣ କରିନାହାନ୍ତି। ୨୦୧୪ ମସିହାରେ ବାଣିଜ୍ୟ ଓ ପରିବହନ ବିଭାଗ କମିସନର ବିଭିନ୍ନ ଅଞ୍ଚଳରେ ଚାଲୁଥିବା ବୋଟ୍ ଚଳାଚଳ ଉପରେ କଟକଣା ଏବଂ ତଦାରଖ କରିବା ପାଇଁ ସ୍ଥାନୀୟ ବି.ଡ଼ି.ଓ.ମାନଙ୍କୁ ଏନଫୋର୍ସମେଣ୍ଟ ଅଫିସର ଭାବେ କ୍ଷମତା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ତର୍ଦେଶୀୟ ଜଳ ପରିବହନ ସଂସ୍ଥା ଦ୍ୱାରା ବିଧିବଦ୍ଧ ଭାବେ ବୋଟ୍ ପଞ୍ଜୀକରଣ କ୍ଷମତା ଦିଆଗଲା। ଅଧିକାଂଶ ଡଙ୍ଗା ମାଲିକ ଏପରି ବିଭାଗ ସହ ପରିଚିତ ନୁହନ୍ତି।
ଏପରି ନୌପରିବହନ ବ୍ୟବସ୍ଥାର ଆବଶ୍ୟକତା ରହୁଥିବାବେଳେ ଦୁର୍ଘଟଣାଜନିତ ଧନଜୀବନ ହାନି ଯାତ୍ରୀମାନଙ୍କୁ ଭୟଭୀତ କରୁଛି। ଏପରିକି କେତେକ ପର୍ଯ୍ୟଟନ ସ୍ଥଳମାନଙ୍କରେ ବିଦେଶୀ ପର୍ଯ୍ୟଟକମାନେ ଆମର ପୁରୁଣାକାଳିଆ ଡଙ୍ଗାମାନଙ୍କରେ ଯାତ୍ରା କରିବା ପାଇଁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଚିଲିକା ଏବଂ କାଳିଜାଈ ପରି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ଏପରି କିଛି ଦେଶୀ ଡଙ୍ଗା ଚଳପ୍ରଚଳ କରୁଛି, ସେଗୁଡ଼ିକରେ ଏକ ପ୍ରକାର ପୁରୁଣା ମୋଟର ସାଇକଲ ଇଞ୍ଜିନ ସଂଯୋଗ କରାଯାଇଛି। ବୋଟ୍ ଚାଲୁଥିବାବେଳେ କୌଣସି ବି ମୁହୂର୍ତ୍ତରେ ଇଞ୍ଜିନ୍ ବନ୍ଦ ହୋଇଯାଇ ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ଥାଏ। ଆଶ୍ଚର୍ଯ୍ୟ ବିଷୟ ସ୍ଥାନୀୟ ପ୍ରଶାସନ ଏପରି ଡଙ୍ଗା ପ୍ରତି ଅବଗତ ଥାଇ ମଧ୍ୟ ସେଗୁଡ଼ିକ ଉପରେ କୌଣସି ଅଙ୍କୁଶ ଲଗାଉ ନାହାନ୍ତି। ସବୁ ପଞ୍ଜିକୃତ ନୌକାଗୁଡ଼ିକର ଯାତ୍ରୀ ପରିବହନ ପାଇଁ ଯେ ଫିଟ୍ନେସ ଅଛି ତାହା ବି ଠିକ୍ ନୁହେଁ। କାରଣ ଯାଞ୍ଚ ଏବଂ ପଞ୍ଜିକୃତ ନୌକାଗୁଡିକର ବାର୍ଷିକ ନବୀକରଣ ଅନୁମତି ଦେବା ପୂର୍ବରୁ ଡଙ୍ଗାଗୁଡ଼ିକୁ ଜଳସଂପଦ ଏବଂ ବୋଟ୍ ଯନ୍ତ୍ରୀମାନେ ପରୀକ୍ଷା କରି ଚଳାଚଳ ପାଇଁ ଅନୁମତି ଦେବା କଥା। ଏପରି ନିୟମ ପାଳନ କେତେ ଦୂର କରାଯାଉଥିବ ତାହା ଜଳଜଳ ହୋଇ ଜଣାପଡ଼ୁଛି। ଅତୀତର ଦୁଇଟି ବଡ଼ ଡଙ୍ଗାବୁଡ଼ି ଘଟଣାକୁ ସ୍ମରଣ କରାଗଲେ ୨୦୦୨ ଅଗଷ୍ଟ ୩୧ରେ ତାରିଖ ଯାଜପୁର ଜିଲା ବୈତରଣୀ ନଦୀର ଦେବୀଗଡ଼ା ଘାଟରେ ଭରା ନଦୀରେ ଏକ ଦେଶୀ ଯାତ୍ରୀବୁହା ଡଙ୍ଗା ଭାରସାମ୍ୟ ହରାଇ ମଝି ନଈରେ ବୁଡ଼ି ଯିବାରୁ ୫୦ରୁ ଊର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୧୪ ମସିହାର ଫେବୃଆରୀ ମାସ ଏକ ପିକନିକ୍ ପାର୍ଟିକୁ ନେଇ ଆସୁଥିବା ମୋଟର ବୋଟ୍ ତା’ର ଫାଙ୍କ ମଧ୍ୟ ଦେଇ ପାଣି ପଶିବାରୁ ହୀରାକୁଦ ଜଳଭଣ୍ଡାରରେ ବୁଡ଼ି ଯାଇଥିଲା। ସେଥିରେ ୩୧ଜଣଙ୍କର ସଲିଳ ସମାଧି ହୋଇଥିଲା। ଏହି ଦୁଇଟି ଯାକ ଘଟଣା ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିଥିଲା ସେଗୁଡ଼ିକ ଅଣପଞ୍ଜିକୃତ ଏବଂ ଆବଶ୍ୟକ ଲାଇଫସେଭ୍ ଜ୍ୟାକେଟ୍ ନ ଥିଲା । ଚାଳକମାନେ ମଧ୍ୟ ଅଣତାଲିମ୍ପ୍ରାପ୍ତ ଥିଲେ। ସରକାରୀ ତଥ୍ୟ ଅନୁସାରେ ୧୦ ବର୍ଷ ମଧ୍ୟରେ ଡଙ୍ଗାବୁଡ଼ି ଯୋଗୁଁ ୨୦୦ରୁ ଅଧିକ ଲୋକଙ୍କର ଜୀବନ ହାନି ଘଟିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବୋଟ୍ ଚାଳକମାନଙ୍କ ସଂଖ୍ୟା ଅନୁସାରେ ରାଜ୍ୟର ସରକାରୀ ତାଲିମ ପ୍ରତିଷ୍ଠାନ ନାହିଁ। ଭଦ୍ରକ ଜିଲା ଚାନ୍ଦବାଲିରେ ରାଜ୍ୟର ଏକମାତ୍ର ବୋଟ୍ ଚାଳକ ତାଲିମ ପ୍ରତିଷ୍ଠାନ ଅଛି, ହେଲେ ସେଠାରେ ମାତ୍ର ୩୦ଟି ସିଟ୍ ରହିିଛି। ରାଜ୍ୟର ୯୦%ରୁ ଅଧିକ ବୋଟ୍ ଚାଳକ /ନାଉରିଆ ସେମାନଙ୍କ ପାରମ୍ପରିକ ଭିତ୍ତିରେ ଏବଂ ପୁରୁଷାନୁକ୍ରମେ ଡଙ୍ଗା ଚଳାଉଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପ୍ରତ୍ୟେକ ଯାତ୍ରୀବାହୀ ଡଙ୍ଗାଗୁଡ଼ିକୁ ଜି.ପି.ଏସ୍ ସିଷ୍ଟମ ଦ୍ୱାରା ନିୟନ୍ତ୍ରିତ କରିବାର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଉ। ଏଥିସହିତ ଚାଳକମାନଙ୍କୁ ପାଣିପାଗ, ଜଳବାୟୁ, ଘୂର୍ଣ୍ଣିଝଡ଼, ଝଡ଼ତୋଫାନ, କାଳବୈଶାଖୀ, ଲଘୁଚାପଜନିତ ପାଗ ପରିବର୍ତ୍ତନ ଦ୍ୱାରା କି ପ୍ରକାର ପ୍ରତିକୂଳ ପରିସ୍ଥିତି ନୌକା ଚଳାଚଳ ସମୟରେ ଉପୁଜି ଥାଏ, ସେ ବିଷୟରେ ସେମାନଙ୍କର ଯଥେଷ୍ଟ ଜ୍ଞାନ ଓ ସତର୍କତା ରହିବା ଉଚିତ୍। ବୋଟ୍ ଚାଳକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ସମୟରେ କର୍ମଶାଳାମାନ ଆୟୋଜନ କରାଯିବା ଉଚିତ୍।
ଧାମନଗର, ଭଦ୍ରକ