ପ୍ଲାଷ୍ଟିକ୍‌ ହସ

0

ମଣିଷର ଅନ୍ତରରୁ ଅନ୍ତରୀକ୍ଷ ଯାଏ ପ୍ଲାଷ୍ଟିକ୍୍ର ଜୟଯାତ୍ରା। ଅତି ଆବଶ୍ୟକ ଜିନିଷ ବ୍ୟତୀତ ଗୁଡ଼ାଏ ଅନାବଶ୍ୟକ ପ୍ଲାଷ୍ଟିକ୍ ଜିନିଷ ଆମକୁ କାବୁ କରିଚି। ଘରେ ପ୍ଲାଷ୍ଟିକ୍ ଗଛ, ଫୁଲ, ଫଳ, କଣ୍ଢେଇ ଇତ୍ୟାଦି ଥାଏ। ଏହା ପ୍ରକୃତିର ଅବିକଳ ନକଲ। ପ୍ରାକୃତିକ ଫୁଲ ମଉଳିଯାଏ, ପ୍ଲାଷ୍ଟିକ୍ ଫୁଲ ମଉଳେନା। ପ୍ଲାଷ୍ଟିକ୍ ଫଳ ପଚେନା। ପ୍ଲାଷ୍ଟିକ୍ ପତ୍ର ଝାଉଁଳି ଯାଏନା କିମ୍ବା ପ୍ଲାଷ୍ଟିକ୍ କୁକୁର, ବିରାଡ଼ି, ସାପ, ଝିଣ୍ଟିକା ଇତ୍ୟାଦି ବୁଢ଼ା ହୁଅନ୍ତିନି କି ମରନ୍ତିନି। ଏବେ ଖାଦ୍ୟପେୟରେ ବି ପ୍ଲାଷ୍ଟିକ ମିଶିଲାଣି। ଆମେ ଠାକୁରଙ୍କ ପାଇଁ ଫୁଲ ତୋଳୁଚୁ। ହାରଟିଏ କରିପାରୁନୁ। ତାଙ୍କୁ ପ୍ଲାଷ୍ଟିକ୍ ଫୁଲହାର ପିନ୍ଧେଇଚୁ। ଏବେ ଫୁଲ, ଫଳ, କଳସ, ଆମ୍ବପତ୍ର, ମୁକୁଟ, ପୋଷାକ, ସିଂହାସନ, ଝୋଟି, ବିଜୁଳି ଚାଳିତ ଧୂପ, ଦୀପ ସବୁକିଛି ପ୍ଲାଷ୍ଟିକର ମିଳିଲାଣି। ଏମିତିକି ଆମ ପୂଜା, ପ୍ରାର୍ଥନା ମଧ୍ୟ ନକଲି ହେଲାଣି। ନିଜେ ଭଜନ ଗାଉନୁ। କ୍ୟାସେଟ୍ ଗୀତ ସହିତ ତାଳିମାରୁଚୁ। ଶଙ୍ଖ, ହୁଳହୁଳି, ଘଣ୍ଟ, ବାଜା ଇତ୍ୟାଦି ଯନ୍ତ୍ରରେ ବାଜୁଚି। ଠାକୁରଙ୍କୁ ପ୍ରାକୃତିକ ଚିଜରେ ଉପାସନା ଛାଡ଼ି ପ୍ଲାଷ୍ଟିକ୍ ଦୁନିଆରେ ରଖିସାରିଲୁଣି। ପୂଜାକରି ପ୍ରଭୁଙ୍କୁ ହସ ବା ସୁଖ ଟିକିଏ ମାଗୁଛୁ। ପ୍ରଭୁ ବିଚାରକଲେ ଭକ୍ତର ସବୁ କିଛି ପ୍ଲାଷ୍ଟିକ୍, ନକଲି। ତେଣୁ ତାଙ୍କ ଆଶୀର୍ବାଦରୁ ମିଳୁଥିବା ସୁଖ ବା ହସ ଟିକକ ବି ପ୍ଲାଷ୍ଟିକ୍ ବା ନକଲି। ଦୁଃଖ ମାଗୁନୁ, ତାହା ବାସ୍ତବ।
ହସ ହିଁ ଜୀବନର ଫୁଲର ସୁବାସ, ଏକ ଉଛ୍ବାସ, ଅନ୍ତରର ଆବେଗ। ହସିଲେ ମଣିଷ ସୁନ୍ଦର ଦିଶେ। ତେଣୁ ଟି.ଭି, ରେଡ଼ିଓ, ମଞ୍ଚ ଆଦିରେ ଉପସ୍ଥାପକ, ଉଦ୍‌ଘୋଷକ ବେଳେବେଳେ ମିଛରେ ହସନ୍ତି। ନେତା/ଅଭିନେତା ଓ ଅନ୍ୟ କିଛି ବ୍ୟକ୍ତି ବୃତ୍ତି ପାଇଁ ହସିବାକୁ ଅଭ୍ୟାସ କରନ୍ତି। ଉପଯୁକ୍ତ ହସ ନଆସିଲେ ନିର୍ଦେଶକ ଗାଳିଦିଅନ୍ତି। ଏଠି ନକଲି ହସ ବି ମହରଗ। ଫଟୋ ଉଠେଇଲା ବେଳେ ମିଛରେ ହସିବାକୁ ହୁଏ। ବଡ଼ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନରେ ଗ୍ରାହକଙ୍କୁ ସ୍ୱାଗତ କରିବାକୁ ଖୁରୁସିଆଣିଆ ଯୁବତୀ ନିଯୁକ୍ତ ଥାଆନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ହସିହସି ସ୍ୱାଗତ କରିବାକୁ ହୁଏ। ବ୍ୟବସାୟୀର ହସହସ ମୁହଁ ଗ୍ରାହକଙ୍କୁ ଆକୃଷ୍ଟକରେ। ଅନେକ ଲୋକ ଜ୍ୱଳନ ଭିତରେ ଥାଇବି ହସନ୍ତି। ଏ ହସର ବାସ୍ତବତା କେତେ? ସ୍ୱାର୍ଥ ପାଇଁ ବା ଅନ୍ୟକୁ ସୁଖ ଦେବାକୁ ମିଛ ହସଟିଏ ହସିବାକୁ ହୁଏ। ଏହା ତ ପ୍ଲାଷ୍ଟିକ୍ ହସ। କୃତ୍ରିମ ହସ କ୍ଷଣିକ ଖୁସିଦିଏ। ମିଛହସ ଏକ ଆବରଣ । ଏହା ମଣିଷର ରାଗ, କୋହ, ନିଷ୍ଠୁରପଣ ଭଳି ଗୁଣକୁ ଢାଙ୍କିଦିଏ।
ଆମେ ହସିବା ପାଇଁ ବିଧିବଦ୍ଧ ଯୋଜନା କରିଚୁ। କେବେ ହାସ୍ୟରସାତ୍ମକ ଚଳଚ୍ଚିତ୍ର, ଧାରାବାହିକ, ନାଟକ, ଗପ, କବିତା ଆଦିର ଆଶ୍ରୟ ନଉ ତ କେବେ ହସ କ୍ଲବରେ ମିଛିମିଛିକା ହସୁଚୁ। ଆଉ କେବେ ମୋବାଇଲରେ ହସକୁ ସାଇତି ରଖିଚୁ। ହସ ସବୁବେଳେ ସୁନ୍ଦର। ତେଣୁ ହସୁଥିବା ଶିଶୁର ଫଟୋ ରଖୁ। ହସ ଶୁଭ ବୋଲି ଘରେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି ରଖୁ। ଅତୀତରେ କାହାରିକୁ ଦେଖିଲେ ମଣିଷ ଖୁସିରେ ହସୁଥିଲା। ଏବେ ହସକୁ ଯନ୍ତ୍ରଣା ବୋଲି ଭାବିଲାଣି। ନୀତି ଶାସ୍ତ୍ରରେ କୁହାଯାଇଛି ଶିଶୁର ହସରେ ଅମୃତ ଥାଏ। ସନ୍ତାନର ହସରେ ମାଆ ବାପା ନିଜ ଲୁହକୁ ଭୁଲିଯାଆନ୍ତି। ଅଥଚ ପିଲାଟି ବଡ଼ହେଲା ପରେ ବାପାମାଆଙ୍କୁ ହସଟିକିଏ ଦବାକୁ ସମର୍ଥ ହୁଏନା। ହସ ଈଶ୍ୱରଙ୍କର ଏକ ଆଶୀର୍ବାଦ। ଏହା ସକାରାତ୍ମକ ଶକ୍ତି ବଢ଼ାଏ। କେବେକ‌େ​‌ବ ଅତୀତକୁ ଭାବି ମଣିଷ ହସେ। ଅନାବଶ୍ୟକ ଭାବେ ହସିବା ବିକୃତ ମସ୍ତିଷ୍କର ପରିଚୟ।
ମଣିଷ ଭିତରେ ହସର ଖଣି ଅଛି। ସୁଗନ୍ଧ ଭରପୂର ହୋଇଛି ; ମାତ୍ର ନକାରାତ୍ମକ ଚିନ୍ତାଧାରା ତାକୁ ବିକଶିତ ହବାକୁ ଦଉନି। ଅନେକ ମଣିଷ ଅନ୍ୟର ହସରେ ଦୁଃଖୀ ହୁଅନ୍ତି। ଈର୍ଷା, ଦ୍ୱେଷ, ପରଶ୍ରୀକାତରତା ତାଙ୍କ ହସକୁ ଘୋଡ଼େଇ ରଖିଛି। ଥରୁଟିଏ ବାସ୍ତବ ହସକୁ ଆପଣେଇ ନେଲେ ଜୀବନ ଫୁଲ ମହକି ଉଠିବ। ଅନ୍ତର ଯେତିକି ଶୁଦ୍ଧ, ହସ ସେତିିକି ଆନନ୍ଦଦାୟକ। ଯାହାର କାମନା ଯେତିିକି କମ୍ ତା’ର ହସ ସେତିକି ଗଭୀର, ନିରୁତା। କାହା ପ୍ରତି ପୀଡ଼ା କିମ୍ବା ଘୃଣା ଦେଇ ହସ ସାଉଣ୍ଟି ହୁଏନା; ବରଂ ପ୍ରେମ ବଦଳରେ ହସ ମିଳିଥାଏ। ଶିଶୁଠାରେ ସକାରାତ୍ମକ ଚିନ୍ତା ଥାଏ ବୋଲି ମନ ଖୋଲି ହସିପାରେ। ତାହା ଆମକୁ ମଧ୍ୟ ଆନନ୍ଦ ଦିଏ। ମନରୁ ଅଭିମାନର କଳାବାଦଲକୁ ହଟେଇଦେଲେ ବାସ୍ତବ ହସର ସୁନେଲି କିରଣ ବିଞ୍ଚିହେଇ ପଡ଼ିବ। ‘ମୁଁ’ କାର ଜମାଟ ବାନ୍ଧିଥିବା ପର୍ଯ୍ୟନ୍ତ ମନ ଖୋଲି ହସିହବନି। ବାସ୍ତବ ହସ ପାଇଁ ନିଜ ପଦ-ପ୍ରତିଷ୍ଠାକୁ ଭୁଲିଯାଅ। ନିଜକୁ ଅସାଧାରଣ ନୁହେଁ, ସାଧାରଣ ଭାବିନିଅ। ଦୁଃଖୀ-ରଙ୍କିଙ୍କ ଲୁହ ପୋଛିଦିଅ। ତା’ ଅନ୍ତରରୁ ଚେନାଏ ହସ ଉକୁଟିବ। ସେଇ ହସର ପ୍ରଭାବରେ ତୁମ ଅଭିମାନର ପାହାଡ଼ ଧ୍ୱଂସ ହେଇଯିବ। ତୁମେ ଅତି ସାଧାରଣ ମଣିଷ ହେଲାବେଳକୁ ନିଜ ଅଜାଣତରେ ଅସାଧାରଣ ହେଇଯାଇଥିବ। ସେଇ ହସ ତୁମ ଲୁହ ହେଇ ଝରୁଥିବ।

Leave A Reply