ଓଡ଼ିଆ ଭାଷାର ଗତି: ପ୍ରଗତି ନା ଦୁର୍ଗତି ଆଡ଼କୁ
ପ୍ରହଲାଦ କୁମାର ସିଂହ
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପୂର୍ବରୁ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବହୁ ମହାମନୀଷୀଙ୍କ ଅଧିନାୟକତ୍ୱରେ ସଂଗ୍ରାମ ଚାଲିଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୨ ବର୍ଷ ପରେ ଏବେ ବି ଚାଲିଛି ଏହି ଆନ୍ଦୋଳନ। ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷା ପ୍ରସଙ୍ଗରେ ପ୍ରକାଶ ପାଉଛି ତତ୍ପରତା। ୧୯୫୪ରେ ଓଡ଼ିଆକୁ ସରକାରୀ ଭାଷା ଭାବେ ଘୋଷଣା କରି ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଆଇନ୍ ପ୍ରଣୟନ କରାଯାଇଥିଲା। ତେବେ ଷାଠିଏ ଦଶକରେ ଏଥିରେ ସଂଶୋଧନ ଅଣାଯାଇ ଇଂରାଜୀ ଭାଷାର ଆଧିପତ୍ୟକୁ ଲଦି ଦିଆଗଲା । ଓଡ଼ିଆ ଭାଷା ଷଷ୍ଠ ଭାରତୀୟ ଭାଷା ଭାବେ ଚାରିବର୍ଷ ତଳେ ଜାତୀୟ ମାନ୍ୟତା ଲାଭ କରିଥିବା ବେଳେ ରାଜ୍ୟର ସରକାରୀ ଦପ୍ତରଗୁଡ଼ିକରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ତଥାପି ବି ପଦକ୍ଷେପ ନିଆଚାଲିଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପୂର୍ବରୁ ଓଡ଼ିଶୀ ନୃତ୍ୟ ଏହା ହାସଲ କରିସାରିଛି। ଏବେ ବି ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପ୍ରତୀକ୍ଷାରେ। ଅବଶ୍ୟ ଇତିମଧ୍ୟରେ ସଂସଦରେ ବିଧେୟକ ଅଣାଯାଇ ଆମ ରାଜ୍ୟର ନାମ ଓରିଶାରୁ ଓଡ଼ିଶା ଓ ଭାଷାର ନାମ ଓରିୟାରୁ ଓଡ଼ିଆ ହୋଇସାରିଛି।
ରାଜ୍ୟ ସରକାର ବ୍ୟାପକ ଚାପର ସମ୍ମୁଖୀନ ହୋଇ ଆମ ଭାଷା ସଂକ୍ରାନ୍ତରେ ଓଡ଼ିଶାର କର୍ମଚାରୀମାନଙ୍କ ଉପରେ ନିେର୍ଦଶନାମା ପରେ ନିର୍ଦେଶନାମା ଜାରି କରି ଚାଲିଛନ୍ତି ଦପ୍ତରରେ ଓଡ଼ିଆ ଭାଷା ବ୍ୟବହାର ପାଇଁ। ଓଡ଼ିଆ ଭାଷା ପ୍ରଚଳନ ପ୍ରସଙ୍ଗରେ ଭୁବନେଶ୍ୱର ବାହାରେ ଶ୍ରୀକ୍ଷେତ୍ର ପୁରୀରେ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସଂସ୍କୃତି ବିଭାଗର ନାମ ବଦଳାଇ ସରକାର କଲେଣି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। କେବଳ ସେତିକି ନୁହେଁ, ଏଥିଲାଗି ଏକ ସ୍ୱତନ୍ତ୍ର ‘ଐତିହ୍ୟ କ୍ୟାବିନେଟ୍’ ବି ଗଢ଼ାଗଲାଣି। ଓଡ଼ିଶା ବାହାରେ ଓଡ଼ିଆ ଭାଷା, ସାହିତ୍ୟ ଅଧ୍ୟୟନ, ବିଶ୍ଳେଷଣ ଓ ଗବେଷଣା ନିମନ୍ତେ ଆଦିକବି ସାରଳା ଦାସଙ୍କ ନାମରେ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଅର୍ଥ ଖଟାଇ ବି ଦୁଇଟି ଗବେଷଣା ଚେୟାର୍ ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ଭର୍ଚୁଆଲ୍ ଏକାଡେମୀ ଓ ଭାଷା ଆୟୋଗ ଗଠନ ପାଇଁ ପ୍ରତିଶ୍ରୁତି ସହିତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକର ନାମଫଳକରେ ଓଡ଼ିଆ ଭାଷା ବ୍ୟବହାର ବାଧ୍ୟତାମୂଳକ କରିବା ଲାଗି ବାରମ୍ବାର ସରକାରୀ ନିର୍ଦେଶନାମା ଜାରି ଚାଲିଛି।
ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟରେ ୫ଟି ଗବେଷଣା ଚେୟାର୍ ସ୍ଥାପନ କରାଯାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଯେଉଁ ଦୁଇଟି ଚେୟାର୍ ପ୍ରତିଷ୍ଠା କରାଇଥିଲେ ତାହାର ଆଉ ସତ୍ତା ନାହିଁ। ନବେ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ବିଜୁ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ଦେବା ସହିତ ନୂଆଦିଲ୍ଲୀର ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦରୁ ଆର୍ଥିକ ଅନୁଦାନ ଯୋଗାଡ଼ କରି ଏହି ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗରେ ଯେଉଁ ଜେ.ବି.ଏସ୍ ହାଲ୍ଡେନ୍ କଳିଙ୍ଗ ଚେୟାର୍ ପ୍ରତିଷ୍ଠା କରିଥିଲେ ତାହା ବି ଅଚଳ। ‘ସମାଜ’ ସହାୟତାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ପ୍ରତିଷ୍ଠା କରାଯାଇଥିଲା ସତ୍ୟବାଦୀ ଚେୟାର୍। ଏହାଛଡ଼ା ଏଠାରେ ବି ଥିଲା ଆର୍ତ୍ତବଲ୍ଲଭ ମହାନ୍ତି ଚେୟାର୍। ଏହି ଚେୟାର୍ ଦୁଇଟି ଏବେ କୁଆଡ଼େ ଉଭାନ୍ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଗବେଷଣା ଚେୟାରର ଏଭଳି ବିକଳ ସ୍ଥିତି ଥିବା ବେଳେ ନୂଆଦିଲ୍ଲୀ ଓ ବନାରସରେ ୮ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ସରକାର ଯେଉଁ ନୂଆ ଗବେଷଣା ଚେୟାର୍ ପ୍ରତିଷ୍ଠା କରିଛନ୍ତି ତାହାର ଅନ୍ଧାରୀ ଭବିଷ୍ୟତ ସ୍ପଷ୍ଟ ବାରି ହୋଇପଡ଼ୁଛି।
ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ସରକାର ଗଢ଼ିଛନ୍ତି ଓଡ଼ିଆ ଭାଷା ପ୍ରତିଷ୍ଠାନ। କେତେବେଳେ କେଉଁ ସଂସ୍ଥାର ଓଳିତଳେ ଏହି ପ୍ରତିଷ୍ଠାନ ଚାଲୁଛି। ଏହା ସତ୍ତ୍ୱେ ବି ଗତ କିଛିବର୍ଷ ମଧ୍ୟରେ ଭାଷା ପ୍ରତିଷ୍ଠାନ କେତେଗୁଡ଼ିଏ ଭଲ କାମ କରିଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ଲାଗି ରାଜଧାନୀର ଖାରବେଳ ନଗର ଅଞ୍ଚଳରେ ସରକାର ୫୩, ୨୫୦ ବର୍ଗଫୁଟ ପରିମିତ ଜମି ସହିତ ଅର୍ଥ ବି ଯୋଗାଇଥିଲା, କିନ୍ତୁ ଭାଷା ଭବନ ନିର୍ମାଣ ପାଇଁ ଟେଣ୍ଡର ଡକାଯିବା ପୂର୍ବରୁ ଏଠାରେ ଏହା ହୋଇପାରିବ ନାହିଁ ବୋଲି ସ୍ମାର୍ଟସିଟିର ସ୍ନିକ୍ କର୍ତ୍ତୃପକ୍ଷ ହୁକୁମ୍ ଦେବା ପରେ ନିର୍ମାଣ କାର୍ଯ୍ୟ ବନ୍ଦ। ଏହି ଜମି କୁଆଡ଼େ ତାରକା ହୋଟେଲ ପାଇଁ ବ୍ୟବହୃତ ହେବ। ଏହାପରେ ଭାଷା ଭବନ ଲାଗି ସଚିବାଳୟ ପଛପଟେ ନିର୍ମିତ ଏକ ନୂତନ ସୌଧର କିଛି ଅଂଶ ଦିଆଯିବ ବୋଲି କୁହାଗଲା, କିନ୍ତୁ ଏହି ନୂତନ ସୌଧରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପଶିପାରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏଥିରୁ ଓଡ଼ିଆ ଭାଷା ସମ୍ପର୍କରେ ଆମ ସରକାରଙ୍କ କଥା ଓ କାମ ଯେ ଭିନ୍ନ, ତାହା କାହାକୁ ଅଛପା ନାହିଁ।
ଓଡ଼ିଆ ଭାଷାର ଦୁର୍ଗତି ପାଇଁ ଆମ ଶିକ୍ଷା ବ୍ୟବସ୍ଥା ବହୁ ମାତ୍ରାରେ ଦାୟୀ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୮ଟି ବିଶ୍ୱବିଦ୍ୟାଳୟ ପାଇଁ ୯ଟି ଓଡ଼ିଆ ପ୍ରଫେସର ପଦରୁ ୬ଟି ଖାଲି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧାରୁ ଅଧିକ ଶିକ୍ଷକ ନାହାନ୍ତି। ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ ବିଶ୍ୱବିଦ୍ୟାଳୟରେ ୭ଟି ଯାକ ଓଡ଼ିଆ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ମା’ ରମାଦେବୀଙ୍କ ନାମରେ ନାମିତ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସମସ୍ତ ଶିକ୍ଷକ ପଦ ଖାଲି। ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଥିବା ଏହି ବିଭାଗର ଦୁଇଟି ପ୍ରଫେସର ପଦ ସମେତ ଆଉ କେତେକ ଶିକ୍ଷକ ପଦ ମଧ୍ୟ ଖାଲିପଡ଼ିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପଢ଼ାଇବାକୁ ପ୍ରଫେସର ଓ ପ୍ରାଧ୍ୟାପକ ନାହାନ୍ତି। ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସାଙ୍ଘାତିକ ଅବସ୍ଥା। ବ୍ୟାସକବି ଫକିର ମୋହନଙ୍କ ନାମରେ ନାମିତ ବିଶ୍ୱବିଦ୍ୟାଳୟରେ ପ୍ରଫେସର ନ ଥିବା ବେଳେ ଆଉ ୪ଟି ଶିକ୍ଷକ ପଦ ବି ଖାଲି। ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା ସାହିତ୍ୟ ପଢ଼ାଇବା ପାଇଁ ଶିକ୍ଷକ ମରୁଡ଼ି ଗୁରୁତର। ଯୁକ୍ତ ୨ ଶିକ୍ଷାନୁଷ୍ଠାନଗୁଡ଼ିକର ଚିତ୍ର ଆହୁରି ବିକଳ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅଧାରୁ ଅଧିକ ଶିକ୍ଷକ ପଦ ଖାଲିପଡ଼ିଛି। ଏହାର ଅନୁବନ୍ଧିତ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବି ସ୍ଥିତି ଦୟନୀୟ। ହାଇସ୍କୁଲ ସ୍ତରରେ ହିନ୍ଦୀ, ସଂସ୍କୃତ ଆଦି ପଢ଼ାଇବା ପାଇଁ ସମ୍ପୃକ୍ତ ବିଷୟରେ ପାରଦର୍ଶିତା ଥିବା ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥାଏ, କିନ୍ତୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଓଡ଼ିଆ ପଢ଼ାଇବା ଲାଗି ଓଡ଼ିଆ ଭାଷାରେ ସ୍ନାତକ କିମ୍ବା ସ୍ନାତକୋତ୍ତର ସହ ବି.ଇଡି, ଏମ୍.ଇଡି, ସି.ଟି ତାଲିମ୍ ନେଇଥିବା ବ୍ୟକ୍ତିଙ୍କର ଆବଶ୍ୟକତା ସରକାର ଅନୁଭବ କରନ୍ତି ନାହିଁ।
ମୂଳରୁ ଓଡ଼ିଆ ପିଲାଙ୍କ ଭାଷା ଜ୍ଞାନ ବିଗାଡ଼ିବା ସହିତ ସେମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଦୁର୍ବଳ କରିଦିଆ ଯାଉଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ପ୍ରଗତି ନା ଦୁର୍ଗତି ପଥରେ ଆଗଉଛି ତାହା ଚିନ୍ତନସାପେକ୍ଷ। ଏ ପରିପ୍ରେକ୍ଷୀରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବର୍ଷକୁବର୍ଷ ହ୍ରାସ ପାଇବା ଉଦ୍ବେଗଜନକ। ଭାଷାର ପ୍ରଗତି ସହ ସମାଜ, ସଂସ୍କୃତି ଓ ରାଜ୍ୟର ପ୍ରଗତି ନିବିଡ଼ ଭାବେ ଜଡ଼ିତ। ଓଡ଼ିଆ ଭାଷାକୁ ଇଂରାଜୀ, ହିନ୍ଦୀ ଆଦି ପରି ଜୀବନଜୀବିକାର ମାଧ୍ୟମ ସହିତ ବିଜ୍ଞାନ ଓ ବୈଷୟିକ ବିଦ୍ୟା ସଙ୍ଗେ ତାଳଦେଇ ଆଗକୁ ବଢ଼ାଇବାକୁ ହେବ। ଏଥିଲାଗି ଓଡ଼ିଶାରେ ଓଡ଼ିଆ ମାଧ୍ୟମ ଶିକ୍ଷାର ଗୁଣାତ୍ମକ ବିକାଶ ଓ ସୁଦୃଢ଼ ଭିତ୍ତିଭୂମି ପ୍ରତି ଦୃଷ୍ଟିଦେବା ଆବଶ୍ୟକ। ଆମ ବ୍ୟବସ୍ଥାର ରୁଗ୍ଣ ମାନସିକତା ଯୋଗୁ ଓଡ଼ିଆ ଭାଷା ଏବେ ପ୍ରଗତି ବଦଳରେ ଦୁର୍ଗତି ପଥରେ। ଉତ୍କଳ ଜନନୀ ପାଇଁ ଶାସନ ଚଳାଉଥିବା ଲୋକଙ୍କ ମଧ୍ୟରେ ସାମାନ୍ୟ ଦରଦ ଓ ଆନ୍ତରିକତା ରହିଲେ ପୁଣି ଆମ ଭାଷା ପାଟରାଣୀ ହୋଇଯିବ ଏବଂ ରାଜ୍ୟର ବିକାଶ କ୍ଷେତ୍ରରେ ଆମ ମାତୃଭାଷା ନୂଆ ଆଲୋକ ଦେଖାଇପାରିବ। ଏଥିପାଇଁ ଲୋଡ଼ା ଅଛି ସଂକଳ୍ପବଦ୍ଧ ସାଧକ ସୁଲଭ ମନର।