www.samajalive.in
Monday, December 8, 2025
14.1 C
Bhubaneswar

୫୦ ଲକ୍ଷ ଲୋଭରେ ବନ୍ଧୁଙ୍କୁ ହତ୍ୟା

କେନ୍ଦ୍ରାପଡ଼ା/ବାରିପଦା/ମାର୍ଶାଘାଇ: ବିପୁଳ ଟଙ୍କା ଲୋଭରେ ପ୍ରଥମେ ନିଜେ ଅପହରଣ ନାଟକ ରଚିଲେ। ପରେ ଟଙ୍କା ଭାଗ ବଢ଼ିଯିବା ଆଶଙ୍କାରେ ବନ୍ଧୁଙ୍କୁ ହତ୍ୟା କଲେ। ବନ୍ଧୁ ବଇରି ସାଜି ଏପରି ଜଘନ୍ୟ କାଣ୍ଡ ଘଟାଇଲେ। ବାରିପଦା ସଦର ଥାନା ଗୁମୁଡ଼ିହି ବୁଢ଼ାବଳଙ୍ଗ ନଦୀ ପଠାରୁ ଅଚିହ୍ନା ଗଳିତ ମୃତଦେହ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ତଥ୍ୟ। ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହିନ୍ଦୁଳିଆ ଗ୍ରାମର ଚନ୍ଦନ କୁମାର ସ୍ୱାଇଁ (୩୦)। ତାଙ୍କ କାକାଙ୍କଠାରୁ ୫୦ ଲକ୍ଷ ଟଙ୍କା ପାଇବା ଲୋଭରେ ଚନ୍ଦନଙ୍କୁ ତାଙ୍କ ସାଙ୍ଗମାନେ ଅପହରଣ ନାଟକ ରଚିଥିଲେ। ଅପହରଣ ବାବଦ ଟଙ୍କାକୁ ଭାଗ ବାଣ୍ଟି ନେବା ଯୋଜନା କରିଥିଲେ। ପରେ ଚନ୍ଦନଙ୍କ ଭାଗରେ ଅଧିକ ଟଙ୍କା ପଡ଼ିବାରୁ ଅନ୍ୟମାନେ ତାଙ୍କୁ ମାରି ସେହି ଟଙ୍କା ନେବା ଯୋଜନା କରିଥିଲେ। ସେହି ଅନୁସାରେ ତାଙ୍କୁ ହତ୍ୟା କରି ବାରିପଦା ସହର ଉପକଣ୍ଠ ଗୁମୁଣ୍ଡି ଗ୍ରାମ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀପଠାରେ ପୋତି ଦେଇଥିଲେ। ଅପହରଣ ଓ ଟଙ୍କା ମାଗିବାକୁ ନେଇ ଭୁବନେଶ୍ୱର ଖାରବେଳନଗର ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରୁଥିବାବେଳେ ଟଙ୍କା ନେବା ପାଇଁ ଆସିଥିବା ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଥିଲା। ଅପରପକ୍ଷେ ଗୁରୁବାର ଚନ୍ଦନଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ନଦୀପଠାରୁ ମିଳିଥିଲା। ପୁଲିସ ବାରିପଦା ସଦର ଥାନା ଜାମବଣି ଗ୍ରାମର ମୁଖ୍ୟ ଅଭିଯୁକ୍ତ ଆଶିଷ ସିଂ(୨୪) ଓ ସହଯୋଗୀ ସମ୍ପର୍କୀୟ ସାନଭାଇ କରମ ସିଂ ଓରଫ ରିଙ୍କି(୨୨)କୁ ଗିରଫ କରିଛି। ସେମାନେ ଟଙ୍କା ଲୋଭରେ ଚନ୍ଦନକୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି।

ସୂଚନା ଅନୁସାରେ, ଚନ୍ଦନ ବେଙ୍ଗାଲୁରୁରେ ତାଙ୍କ କାକା ବଂଶୀଧରଙ୍କ ପୋଷାକ କାରଖାନାରେ ସୁପରଭାଇଜର ଭାବେ ୩ବର୍ଷ ଧରି କାର‌୍ୟ୍ୟ କରୁଥିଲେ। ଉକ୍ତ କାରଖାନାରେ କାର‌୍ୟ୍ୟ କରୁଥିବା ମୟୂରଭଞ୍ଜ ଓ ବାଲେଶ୍ୱର ଅଞ୍ଚଳର ଆଶିଷ ସିଂ ତଥା ଅନ୍ୟ ଦୁଇ ଜଣଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ଗଢି ଉଠିଥିଲା। ବଂଶୀଧର ସେମାନଙ୍କୁ ଠିକ୍‌ ସମୟରେ ଦରମା ଦେଉ ନଥିବା ନେଇ ମନୋମାଳିନ୍ୟ ପରେ ଚନ୍ଦନ ଚାକିରି ଛାଡିଦେଇ ଗତ ୧୭ ତାରିଖ ଦିନ ଭୁବନେଶ୍ୱରକୁ ଚାଲି ଆସିଥିଲେ। ଭୁବନେଶ୍ୱର ରହଣି ସମୟରେ ସେ ଏକ ନୂଆ ସିମ୍ କିଣିବା ସହିତ ଆଶିଷ ସିଂଙ୍କୁ ମଧ୍ୟ ଭୁବନେଶ୍ୱରକୁ ଡକାଇଥିଲେ। ଆଶିଷ ଗତ ୨୦ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚି ଚନ୍ଦନଙ୍କୁ ସାକ୍ଷାତ କରିଥିଲେ। ଚନ୍ଦନଙ୍କ ଜରୁରୀ ଟଙ୍କା ଆବଶ୍ୟକ ଥିବାରୁ ଆଶିଷଙ୍କ ସହ ମିଶି କାରଖାନାର ମାଲିକ ବଂଶୀଧରଙ୍କଠାରୁ ୫୦ଲକ୍ଷ ଟଙ୍କା ମାଗିବାକୁ ଯୋଜନା କରିଥିଲେ। ଏହି ଯୋଜନା କାର‌୍ୟ୍ୟକାରୀ ହେବା ପୂର୍ବରୁ ଉଭୟେ ଗତ ୨୧ତାରିଖ ଦିନ ବସ ଯୋଗେ ବାରିପଦା ସଦର ଥାନା ଅଧୀନ ଶିମିଳିପାଳର ଲୁଲୁଂ ଓ ସୀତାକୁଣ୍ଡ ଅଞ୍ଚଳ ବୁଲିବାକୁ ଆସିଥିଲେ। ବୁଲାବୁଲି କରି ଫେରୁଥିବାବେଳେ ଗୁମୁଣ୍ଡି ଗ୍ରାମ ନିକଟ ବୁଢ଼ାବଳଙ୍ଗ ନଦୀପଠାରେ ସେହି ରାତିରେ ବଣଭୋଜି ସହ ଏକ ଅପହରଣ ନାଟକ ରଚନା କରିଥିଲେ।

- Advertisement -

ଯୋଜନା ମୁତାବକ, ପୁତୁରା ଚନ୍ଦନଙ୍କୁ ଅପହରଣ କରାଯାଇଛି। ୫୦ଲକ୍ଷ ଟଙ୍କା ଦେଲେ ତାକୁ ମୁକ୍ତ କରାଯିବ ବୋଲି ବଂଶୀଧର ଏବଂ ତାଙ୍କ ପୁଅ ଦୀପକ ସ୍ବାଇଁଙ୍କୁ ଫୋନ କରି କହିଥିଲେ। ଏହା ଜାଣିବା ପରେ ବଂଶୀଧର ପ୍ରଥମେ ବେଙ୍ଗାଲୁରୁ ଓ ପରେ ଖାରବେଳନଗର ଥାନା ପୁଲିସକୁ ଗତ ୨୫ ତାରିଖରେ ଜଣାଇଥିଲେ। ଏନେଇ ଖାରବେଳ ନଗର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ପରେ ଯୋଜନା ମୁତାବକ ୫୦ଲକ୍ଷ ଟଙ୍କା ଦେବେ ବୋଲି ବଂଶୀଧର ରାଜି ହୋଇଥିଲେ। ଏହି ଟଙ୍କା ପାଇଲେ ଚନ୍ଦନ ୨୫ ଲକ୍ଷ ଓ ବାକି ୨୫ ଲକ୍ଷ ଅନ୍ୟମାନେ ବାଣ୍ଟି ନେବେ ବୋଲି ଯୋଜନା ହୋଇଥିଲା। ପରେ ଚନ୍ଦନଙ୍କୁ ନ ଜଣାଇ ସାଙ୍ଗମାନେ ଆଉ ଏକ ଷଡ଼ଯନ୍ତ୍ର ରଚନା କରିଥିଲେ। ଚନ୍ଦନଙ୍କୁ କାହିଁକି ୨୫ ଲକ୍ଷ ଟଙ୍କା ଦିଆଯିବଟ୍ଟ ତାକୁ ହତ୍ୟା କରି ସବୁ ଟଙ୍କା ସେମାନେ ବାଣ୍ଟି ନେବେ ବୋଲି ଯୋଜନା କରି ଚନ୍ଦନଙ୍କୁ ବାରିପଦାର ବୁଢ଼ାବଳଙ୍ଗ ନଦୀକୂଳ ବାଲି ପଠାକୁ ଡାକି ନେଇ ଛୁରି ସାହାଯ୍ୟରେ ମୁଖ୍ୟ ଅଭିଯୁକ୍ତ ଆଶିଷ ବନ୍ଧୁ ଚନ୍ଦନଙ୍କ ବେକକୁ କାଟି ହତ୍ୟା କରିଥିଲା। ପରେ ମୃତଦେହକୁ ପୋଡ଼ି ଦେଇ ଅର୍ଦ୍ଧଦଗ୍ଧ ଶରୀରକୁ ବାଲିପଠାରେ ଲୁଚାଇ ଦେଇଥିଲେ। ଏହି ଲୁଚାଇବା ଘଟଣାରେ ସହ ଅଭିଯୁକ୍ତ କରମ ସହାୟତା କରିଥିଲା। ପରେ ବଂଶୀଧରଙ୍କଠାରୁ ଟଙ୍କା ନେବା ପାଇଁ ସେମାନେ ପ୍ରସ୍ତୁତ ହୋଇ ରହିଥିଲେ।

ଅପରପକ୍ଷେ ଖାରବେଳନଗର ଥାନା ପୁଲିସ ୩ ଯୁବକଙ୍କ ମୋବାଇଲ ଫୋନ ଟ୍ରାକ କରି ସେମାନେ ବାଲେଶ୍ୱର ଓ ବାରିପଦା ଅଞ୍ଚଳର ବୋଲି ଜାଣିପାରିଥିଲା। ୩ ଯୁବକଙ୍କୁ ଧରିବା ପାଇଁ ବଂଶୀଧରଙ୍କ ସହ ସାଦା ପୋଷାକଧାରୀ ପୁଲିସ ବାଲେଶ୍ୱର ରେଳ ଷ୍ଟେସନ ଯାଇଥିଲେ। ଷ୍ଟେସନ ନିକଟ ଏକ ଗଳିର ଠିକଣା ସେମାନଙ୍କୁ ଦିଆଯାଇଥିଲା। ସେଠାରେ ଟଙ୍କା ଆଟାଚି ନେବା ପରେ ଅଭିଯୁକ୍ତମାନେ ଦୌଡ଼ିବାକୁ ଆରମ୍ଭ କରିଥିଲେ। ସାଦା ପୋଷାକଧାରୀ ପୁଲିସ ସେମାନଙ୍କୁ କାବୁ କରିଥିଲା। ପଚରାଉଚରା ପରେ ସେମାନେ ଚନ୍ଦନଙ୍କୁ ହତ୍ୟା କରିଥିବା ମାନିଥିଲେ। ୫୦ ଲକ୍ଷ ଟଙ୍କା ନିଜ ମଧ୍ୟରେ ବାଣ୍ଟି ନେବା ପାଇଁ ସେମାନେ ଚନ୍ଦନଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ଲାଗି ମୃତଦେହ ପୋଡ଼ି ଦେଇଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ। ଫଳରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦରପୋଡ଼ା ମୃତଦେହକୁ ଜବତ କରିଥିଲା। ଏହି ଘଟଣାରେ ବାରିପଦା ସଦର ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଏହି ହତ୍ୟା ଘଟଣାରେ ଅନ୍ୟ କାହାରି ସଂପୃକ୍ତି ଥିବା ସମ୍ପର୍କରେ ମଧ୍ୟ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଚନ୍ଦନଙ୍କ ଭଉଣୀ ମୋନାଲିସା ଓ ମାମୁ ହରିହର ସ୍ୱାଇଁ ପୁଲିସ ନିକଟରେ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories