ସକ୍ରେଟିସ୍ଙ୍କ ପ୍ରାସଙ୍ଗିକତା
ଛାୟାକାନ୍ତ ଷଡ଼ଙ୍ଗୀ
ସଂସାରରେ ଦୁଇପ୍ରକାର ମଣିଷ ଅଛନ୍ତି। କିଛି ମଣିଷ, ମୁଖ କହିଲେ ତତ୍କାଳିକ କ୍ଷଣସନ୍ତୋଷ ଅର୍ଥାତ୍ କ୍ଷଣୋପଭୋଗ ହିଁ ବୁଝନ୍ତି। ସେମାନେ ଯଥାସାଧ୍ୟ ଅଧିକ ଭୋଗ ଓ ସ୍ବାର୍ଥର ସାମଗ୍ରୀ ସଂଗ୍ରହ କରି ଆତ୍ମସନ୍ତୋଷ ଲାଭ କରନ୍ତି। ସେମାନେ ସନ୍ତୋଷ କହିଲେ କାମନା ଓ ବାସନାର ପୂର୍ତ୍ତି ବୋଲି ବୁଝନ୍ତି। ବିଶିଷ୍ଟ ଇଂରେଜ ଦାର୍ଶନିକ ଜନ ଷ୍ଟୁଆର୍ଟ ମିଲ୍ ଏହିଭଳି ମଣିଷଙ୍କୁ ଶୂକର କହିଛନ୍ତି। ମାତ୍ର ଆଉ କିଛି ମଣିଷ ଅଛନ୍ତି ଯେଉଁମାନେ ନିଜ ଜୀବନର କ୍ଷୁଦ୍ର ପରିଧିକୁ ଅତିକ୍ରମ କରି ଅନୁଭବ କରନ୍ତି ଯେ ସଂସାରରେ ଅନ୍ୟମାନେ ବି ଅଛନ୍ତି ଯେଉଁମାନଙ୍କ ସହ ସେମାନେ ପାରସ୍ପରିକତା ସୂତ୍ରରେ ଆବଦ୍ଧ। ତେଣୁ କେବଳ ନିଜ ସୁଖ କଥା ଚିନ୍ତା ନକରି ସେମାନେ ଅନ୍ୟମାନଙ୍କ ସୁଖ କଥା ଚିନ୍ତା କରନ୍ତି। ନିଜ ସୁଖରେ ସେମାନେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ଏମାନେ ହିଁ ପ୍ରକୃତ ମଣିଷ। ଜନ୍ ଷ୍ଟୁଆର୍ଟ ମିଲଙ୍କ ଭାଷାରେ ଏକ ପୂର୍ଣ୍ଣସନ୍ତୁଷ୍ଟ ଘୁଷୁରି ହେବା ଅପେକ୍ଷା ଜଣେ ଅସନ୍ତୁଷ୍ଟ ମଣିଷ ହେବା ବାଞ୍ଛନୀୟ। ଜଣେ ସନ୍ତୁଷ୍ଟ ନିର୍ବୋଧ ହେବା ଅପେକ୍ଷା ଜଣେ ଅସନ୍ତୁଷ୍ଟ ସକ୍ରେଟିସ ହେବା ବାଞ୍ଛନୀୟ। ଶୂକରର ଆତ୍ମତୃପ୍ତି ହେଉଛି ଏକ ନିର୍ବୋଧର ଆତ୍ମତୃପ୍ତି, କାରଣ ଶୂକର କାଦୁଅ ଭିତରେ ସନ୍ତୁଷ୍ଟ ରହିଥାଏ, ଯେଉଁ କାଦୁଅ ପ୍ରକୃତରେ ଅସନା। ମାତ୍ର ଶୂକର ତାହା ବୁଝିପାରେ ନାହିଁ। ପ୍ରାଚୀନ ଏଥେନ୍ସରେ ଅଧିକାଂଶ ମଣିଷ ନିଜ ସୁଖ ଓ ସନ୍ତୋଷ ମଧ୍ୟରେ ନିବୁଜ ହୋଇ ରହିିଥିଲେ। ମାତ୍ର ସକ୍ରେଟିସ ସେହି ନିର୍ବୋଧ ଶୂକର ଭଳି ଜୀବନଯାପନ କରୁଥିବା ଏଥେନ୍ସବାସୀଙ୍କ ରାସ୍ତାରେ ଗଲେନାହିଁ। ସନ୍ତୋଷର ମାର୍ଗକୁ ପରିହାର କଲେ। ସେ କେବଳ ନିଜକୁ ନ ଦେଖି ଅନ୍ୟ ସମସ୍ତଙ୍କୁ ଦେଖିଲେ। ସେ ବିବେକର ଡାକ ଶୁଣିଲେ ଓ ସାଂପ୍ରତିକ ସ୍ଥିତିରେ ଅସନ୍ତୁଷ୍ଟ ହୋଇ ପ୍ରଶ୍ନକଲେ। ସେ ନିଜର ଅଜ୍ଞତା ବିଷୟରେ ସଚେତନ ଥିଲେ। ସତ୍ୟ ନିକଟରେ ପହଞ୍ଚିଥିବା ପାଇଁ ସେ ସର୍ବଦା ପ୍ରଶ୍ନ କରୁଥିଲେ। ଥରେ ସେ କହିଥିଲେ- ‘ଯଦି ମୃତ୍ୟୁପରେ ଜୀବନସମ୍ଭବ ତେବେ ତା’ଠୁ ବଳି ସନ୍ତୋଷର କଥା କିଛି ନାହିଁ; କାରଣ ପରପାରିରେ ସମସ୍ତେ ଥିବେ ଯେଉଁମାନେ ଆଗରୁ ଚାଲିଯାଇଛନ୍ତି। ସେଠି ସେମାନଙ୍କ ସହ ମୋର ଜ୍ଞାନର ଅନ୍ବେଷଣ ଜାରି ରହିବ। ସେଠି ମୁଁ ଭେଟିବି ହୋମର୍, ସିସିଫସ୍ ଓ ଟ୍ରୟର ଯୋଦ୍ଧାମାନଙ୍କୁ। ସେମାନଙ୍କୁ ଏମିତି ପ୍ରଶ୍ନ ପଚାରୁଥିବି।’ ସକ୍ରେଟିସ ସହଜରେ ସନ୍ତୁଷ୍ଟ ହେଉନଥିଲେ। ଏହି ଅସନ୍ତୋଷ ହିଁ ତାଙ୍କୁ ସତ୍ୟ ନିକଟରେ ପହଞ୍ଚିବାର ମାର୍ଗ ଦେଖାଉଥିଲା।
ଏଥେନ୍ସବାସୀ କୁସଂସ୍କାରର ବଶବର୍ତ୍ତୀ ହୋଇ ଦେବଦେବୀମାନଙ୍କୁ ନିଜେ ପାପରୁ ମୁକ୍ତି ପାଇବା ପାଇଁ ବଳି ଦେଉଥିଲେ। ମାତ୍ର ସକ୍ରେଟିସ୍ କହୁଥିଲେ ଦେବତା ଯଦି ପାପୀ ପାଖରୁ ଉେତ୍କାଚ ନେଇ କ୍ଷମା ଦେବେ, ପାପୀର ପୂଜା ପାଇଁ ପାପରୁ ନିସ୍ତାର ଦେବେ, ତା’ହେଲେ ପାପୀମାନେ ପାପ କରି ଚାଲିଥିବେ ଏବଂ ପୂଜା କିମ୍ବା ବଳି ଦେଇ ପାପମୁକ୍ତ ହେଉଥିବେ। ଏଣୁ ନିଜକୁ ପାପମୁକ୍ତ କରିବାପାଇଁ ଦେବତାମାନଙ୍କୁ ପାପୀରୂପେ କଳ୍ପନା କରା ନ ଯାଉ।’ ମେଲେଟାସ୍ ନାମକ ଜଣେ କବି କହୁଥିଲେ ରାଷ୍ଟ୍ରଦ୍ବାରା ପୃଷ୍ଠପୋଷକତା ଲାଭ କରୁଥିବା ଦେବତାମାନଙ୍କୁ ସକ୍ରେଟିସ୍ ବିରୋଧ କରି ଏକ ନୂଆ ବିଶ୍ବାସ ଓ ନୂଆ ଦେବତା କଥା କହୁଛନ୍ତି ଓ ଯୁବକମାନଙ୍କୁ ପଥଭ୍ରଷ୍ଟ କରୁଛନ୍ତି। ଯୁଗଯୁଗଧରି ପୂର୍ବପୁରୁଷମାନେ ଯାହା ସବୁ କହୁଥିଲେ ତାହା ଅକାଟ୍ୟ ସତ୍ୟ ମଣୁଥିବା ମେଲେଟାସ ସକ୍ରେଟିସଙ୍କୁ ପଚାରିଥିଲେ- ‘ତୁମ କଥା ସତ ବୋଲି ଆମେ ଜାଣିବୁ କିପରି? ସକ୍ରେଟିସଙ୍କ ଉତ୍ତର ଥିଲା, ‘ମୁଁ ସତ୍ୟ କହୁଛି ବୋଲି କହୁନାହିଁ। ମୁଁ ବିବେକର ଡାକ ଶୁଣିବା ପାଇଁ କହୁଛି।’ ମେଲେଟାସ କହିଥିଲେ, ‘ସଂଖ୍ୟାଧିକ ବ୍ୟକ୍ତିଙ୍କ ମତ ପ୍ରତି ସମ୍ମାନ ଦେବାହିଁ ଗଣତନ୍ତ୍ର। ତା’ର ବିରୋଧାଚରଣ କରିବା ହେଉଛି ଦେଶଦ୍ରୋହ।’ ମାତ୍ର ସକ୍ରେଟିସ୍ଙ୍କ ଉତ୍ତର ଥିଲା, ‘ସଂଖ୍ୟାଧିକ ମନୁଷ୍ୟଙ୍କର ମତ ଯେପରି ମହାର୍ଘ, ଯେ କୌଣସି ଏକକ ବ୍ୟକ୍ତିର ନିଜସ୍ବ ମତ ବ୍ୟକ୍ତ କରିବାର ସ୍ବାଧୀନତା ମଧ୍ୟ ସେହିପରି ମହାର୍ଘ୍ୟ। ସେ ମତ ଭୁଲ ହେଲେ ବି ସେ ବ୍ୟକ୍ତିର ମତ ସ୍ବାଧୀନତା ପ୍ରତି ଅସୂୟା ପ୍ରକାଶ କରିବାର ଅର୍ଥ ଗଣତନ୍ତ୍ର ପ୍ରତି ଅବମାନନା। ଏହା ମଧ୍ୟ ହୋଇପାରେ ଯେ ଜଣେ ମଣିଷର ସୁଚିନ୍ତିତ ମତ ଅଗଣିତ ମନୁଷ୍ୟର ଅଚିନ୍ତିତ ମତଠାରୁ ନୂତନ ଏବଂ ତେଣୁ ବିଚାରଯୋଗ୍ୟ। ସଂଖ୍ୟାର ଦ୍ବାହି ଆଗରେ ବ୍ୟକ୍ତିତ୍ବ ବିନାଶ ପାଇଁ ଚେଷ୍ଟା ନହେଉ। ’ ମାତ୍ର ସକ୍ରେଟିସଙ୍କ ମତକୁ ସେଦିନ ଗ୍ରହଣ କରାଯାଇ ନଥିଲା ଓ ତାଙ୍କୁ ଦେଶଦ୍ରୋହ ଅପରାଧରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସକ୍ରେଟିସ ମୃତ୍ୟୁଦଣ୍ଡକୁ ଭୟକରି ନଥିଲେ। ମୃତ୍ୟୁଦଣ୍ଡ ଦିଆଯିବା ପୂର୍ବରୁ ସକ୍ରେଟିସଙ୍କୁ ରଖାଯାଇଥିଲା ବନ୍ଦୀଶାଳାରେ। ତାଙ୍କ ବନ୍ଧୁ କ୍ରିଟୋ ତାଙ୍କୁ ଜେଲରୁ ଖସାଇ ନେବାପାଇଁ ସମସ୍ତ ବ୍ୟବସ୍ଥା କରି ସାରିଥିଲେ। ମାତ୍ର ଜେଲରୁ ଖସି ରାଷ୍ଟ୍ର ବିରୋଧରେ ଯିବାପାଇଁ ସକ୍ରେଟିସ ଚାହିଁନଥିଲେ। ସେ କହିଥିଲେ, ରାଷ୍ଟ୍ର ମୋ ବିରୋଧରେ କରିଥିବା ଅନ୍ୟାୟ ପ୍ରତିବଦଳରେ ମୁଁ ରାଷ୍ଟ୍ର ବିରୋଧରେ ଅନ୍ୟାୟ କରିପାରିବି ନାହିଁ।’ ଶେଷରେ ବିଚାରକମାନଙ୍କ ଆଦେଶ ଅନୁସାରେ ସେ ବିଷପାନ କରି ମୃତ୍ୟୁଦଣ୍ଡକୁ ଗ୍ରହଣ କରିନେଇଥିଲେ।
ଆଜି ଭାରତ ପୃଥିବୀରେ ସର୍ବବୃହତ ଗଣତନ୍ତ୍ର ଭାବରେ ପରିଚିତ। ସଂଖ୍ୟାଧିକ ଜନପ୍ରତିନିଧିଙ୍କ ମତକୁ ନେଇ ଶାସନ ଚାଲିଛି। କୌଣସି ସ୍ବାଧୀନ ବିଧାୟକ/ ସାଂସଦ ବା ବିରୋଧୀଦଳର ସଭ୍ୟଙ୍କ ମତକୁ ଗୁରୁତ୍ବ ଦିଆଯାଇନାହିଁ। ସଂଖ୍ୟାର ଦ୍ବାହି ଆଗରେ ସଂଖ୍ୟାଲଘୁ ଦଳର ମତକୁ ଉପେକ୍ଷା କରାଯାଉଛି। ମାତ୍ର ଆମେ ଭୁଲିଯାଉଛୁ ଯେ ସଂଖ୍ୟାଗରିଷ୍ଠ ଦଳର ମତ ବି ଭୁଲ୍ ହୋଇପାରେ ଓ ଜଣକର ସୁଚିନ୍ତିତ ମତ ବି ଠିକ୍ ହୋଇପାରେ। ସେତେବେଳେ ସକ୍ରେଟିସଙ୍କ ମତ ସଂଖ୍ୟାଧିକ ଏଥେନ୍ସବାସୀଙ୍କ ମତକୁ ବିରୋଧ କରୁଥିଲା ବୋଲି ତାଙ୍କୁ ଦେଶଦ୍ରୋହୀ କୁହାଯାଇ ମୃତ୍ୟୁଦଣ୍ଡ ଦିଆଗଲା। ମାତ୍ର ଆଜି ସମସ୍ତେ ଉପଲବ୍ଧି କରୁଛନ୍ତି ଯେ ସମସ୍ତ ଏଥେନ୍ସବାସୀ ଅଜ୍ଞାନରେ ବୁଡ଼ି ରହିଥିଲେ, କେବଳ ସକ୍ରେଟିସ୍ ହିଁ ସତ୍ୟ ଓ ଜ୍ଞାନର ସନ୍ଧାନ କରିଥିଲେ। ଏଣୁ ଗଣତନ୍ତ୍ର ସଂଖ୍ୟାଗରିଷ୍ଠ ଦଳର ମତକୁ ସମ୍ମାନ ଦେଲେ ମଧ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ଏକକ ମତକୁ ବି ଉପେକ୍ଷା କରିବା ଠିକ୍ ନୁହେଁ। ବ୍ୟକ୍ତିର ମତସ୍ବାଧୀନତା ପ୍ରତି ଅସୂୟା ପ୍ରକାଶ କରିବା ଗଣତନ୍ତ୍ରର ଅବମାନନା ବୋଲି ସକ୍ରେଟିସ୍ କହିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତଥାକଥିତ ଗଣତନ୍ତ୍ରର ନେତାମାନେ ଏକଥାକୁ ଉପଲବ୍ଧି କରିନାହାନ୍ତି। ଏହା ହିଁ ବିଡ଼ମ୍ବନା। ଏବେ ମଧ୍ୟ ଲୋକେ ଅଜ୍ଞାନ ଭିତରେ ରହିଛନ୍ତି।
ସକ୍ରେଟିସଙ୍କ ମତରେ ଅଜ୍ଞତା ହେଉଛି ଗଭୀର ଅନ୍ଧକାର। ଅନ୍ଧକାର ଭିତରେ ରାଷ୍ଟ୍ରର ଉନ୍ନତି ଅସମ୍ଭବ। ଯଦି ରାଷ୍ଟ୍ରର ଶାସକମାନେ ଅଜ୍ଞ େହବେ, ସେମାନେ ଜନସମର୍ଥନ ପାଇଲେ ମଧ୍ୟ ନ୍ୟାୟ ଅନ୍ୟାୟ ମଧ୍ୟରେ କିମ୍ବା ସତ୍ୟ, ମିଥ୍ୟା ମଧ୍ୟରେ ପ୍ରଭେଦ ପାଇବେ ନାହିଁ। ଯଦି ନାଗରିକମାନେ ଅଜ୍ଞ ରହିବେ, ସେମାନେ ବି ଅନ୍ୟାୟ ସହିଯିବେ ଓ ଅସହାୟ ଅବସ୍ଥାରେ ସବୁ ମାନିଯିବେ। ଏଣୁ ସକ୍ରେଟିସ ଲୋକଙ୍କୁ ମୁକ୍ତ ଓ ବିଚାରବନ୍ତ ହେବାକୁ ଆହ୍ବାନ ଦେଉଥିଲେ। ମାତ୍ର ଅଢ଼େଇ ହଜାର ବର୍ଷପରେ ମଧ୍ୟ ବିଶେଷ ପରିବର୍ତ୍ତନ ଘଟିନାହିଁ। ଏବେ ବି ଘୁଷୁରିମାନେ ପଲପଲ ହୋଇ ବୁଲୁଛନ୍ତି। ସମସ୍ତେ ଆପଣା ସନ୍ତୋଷ ପଛରେ ଦୌଡ଼ୁଛନ୍ତି। ଅସନ୍ତୁଷ୍ଟ ସକ୍ରେଟିସମାନେ ନିଃସଙ୍ଗ ହେଉଛନ୍ତି ସତ, ମାତ୍ର ସେହି ଅସନ୍ତୋଷ ସେମାନଙ୍କୁ ଜ୍ଞାନ ଓ ସତ୍ୟପାଖରେ ପହଞ୍ଚାଇଛି। ଏହା ଅବଶ୍ୟ ସତ୍ୟ ଯେ ସକ୍ରେଟିସମାନେ ବାରମ୍ବାର ବିଫଳ ହୋଇଛନ୍ତି। ମାତ୍ର ସେହି ବିଫଳତା ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି। ସେମାନେ ପୃଥିବୀକୁ ବଦଳାଇବା ପାଇଁ ଚେଷ୍ଟା କରିଛନ୍ତି ଯେଉଁ ପୃଥିବୀରେ ଅଧିକାଂଶ ମଣିଷଙ୍କର ଏପର୍ଯ୍ୟନ୍ତ ନିଦ ଭାଙ୍ଗିନାହିଁ। ଅଧିକାଂଶ ମଣିଷଙ୍କର ନିଦ ନ ଭାଙ୍ଗୁବୋଲି ଯେଉଁଠାରେ ଘୁଷୁରିମାନେ ଷଡ଼ଯନ୍ତ୍ର କରୁଛନ୍ତି ସେଠି ସକ୍ରେଟିସ୍ମାନେ ସେମାନଙ୍କ ନିଦ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ବିଶିଷ୍ଟ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ ଏହି ପୃଥିବୀରେ ପୁରୁଷାର୍ଥ ସକ୍ରେଟିସମାନଙ୍କ ସକାଶେ ହିଁ ସମ୍ଭବ ହୋଇଛି। ସନ୍ତୋଷକୁ ଶ୍ରେୟଃ ବୋଲି ମାନିନେଇଥିବା ଘୁଷୁରିମାନଙ୍କ ସକାଶେ ସମ୍ଭବ ହୋଇନାହିଁ। ଅସନ୍ତୋଷକୁ ହିଁ ଆଖିକରି ଆଗକୁ ଓ ଆହୁରି ଆଗକୁ ସ୍ବପ୍ନ ଦେଖୁଥିବା ସେହି ଅନମନୀୟ ସକ୍ରେଟିସମାନଙ୍କ ସକାଶେ ସମ୍ଭବ ହୋଇଛି।’ ଏବେ ଆମକୁ ନିଷ୍ପତ୍ତି ନେବାକୁ ହେବ ଆମେ ଶୂକର ହେବା ନା ସକ୍ରେଟିସ୍।