ବୟସ୍କ ବୋଝ
ସମସ୍ତ ସୁଯୋଗ ପରିବ୍ୟାପ୍ତ ହେଲେ ମଧ୍ୟ ବୟସ୍କ ଯେ ବୋଝ ନୁହନ୍ତି ଏ କଥା ପରିବାର ଓ ସମାଜ ଅନୁଭବ କରିବା ଉଚିତ
ପରିବର୍ତ୍ତିତ ପରିସ୍ଥିତିରେ ଯୌଥ ପରିବାର ସଂସ୍କୃତି ହଜିଯାଉଥିବାବେଳେ ବୟସ୍କଙ୍କ ମୁରବିପଣିଆ ମଧ୍ୟ ଗୁରୁତ୍ବ ହରାଉଛି। ଅବହେଳିତ ଓ ଅଣଦେଖା ମଧ୍ୟରେ ଘରର ମୁରବି ବି କାଳାତିପାତ କରୁଛି; ଅଥଚ ନିଜ କଠୋର ପରିଶ୍ରମରେ ଉପାର୍ଜିତ ସମ୍ପତ୍ତିବାଡ଼ି ପିଲାମାନେ ନିଃସଙ୍କୋଚରେ ଭୋଗ କରୁଛନ୍ତି। ବୟସର ବୋଝରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିବା ବୟସ୍କଙ୍କ ପାଦ ଏଠିସେଠି ପଡୁଛି ଅବା ଶଯ୍ୟାଶାୟୀ ଅବସ୍ଥାରେ ନିଜର ନିତ୍ୟକର୍ମ ପାଇଁ ଅନ୍ୟ କାହାର ସାହାଯ୍ୟ ଲୋଡୁଛି। ପରିବାରର ଅନ୍ୟ ସମସ୍ତେ ନିଜ ନିଜ ଜଞ୍ଜାଳରେ ବ୍ୟସ୍ତ, କାହାକୁ ସମୟ ନାହିଁ। ବୟସର ଏହି ଅସହାୟ ମୁହୂର୍ତ୍ତଗୁଡ଼ିକ ସତରେ ଦୁର୍ବିସହ। ଏ ସବୁ ସତ୍ତ୍ବେ ବଞ୍ଚିବାର ମୋହରୁ ମୁକ୍ତ ହୋଇପାରେନି ମଣିଷ। ପାପ, ପୁଣ୍ୟ ଓ ମୋକ୍ଷ ଭଳି କେତୋଟି ଶବ୍ଦ ମଧ୍ୟରେ ଜୀବନଧାରାର ହୋଇଥିବା ବିନ୍ୟାସ ମନୁଷ୍ୟର କର୍ମ ଅକର୍ମକୁ ପ୍ରଭାବିତ କରିପାରୁନି। ତେଣୁ ଅସହ୍ୟ ଦୁଃଖ ଓ ଯାତନାକୁ ଭାଗ୍ୟଦୋଷ କହି ଆମେ ମନକୁ ବୁଝାଇ ଦେଉଛେ। ଏ ସବୁ ଏଠାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା, ସମଗ୍ର ବିଶ୍ବରେ ବୟସ୍କଙ୍କ ସଂଖ୍ୟା ଆନୁପାତିକ ଭାବେ ବଢ଼ିବାରେ ଲାଗିଛି। କାରଣ ମନୁଷ୍ୟର ହାରାହାରି ଆୟୁଷ ୭୨.୬ ବୟସରେ ପହଞ୍ଚିଛି। ଏ କ୍ଷେତ୍ରରେ ଜାପାନ ଓ ୟୁରୋପୀୟ ରାଷ୍ଟ୍ର ଆମଠାରୁ ଆଗରେ ଅଛନ୍ତି। ୨୦୧୪ରୁ ୨୦୧୮ ମଧ୍ୟରେ ଆମ ଦେଶର ବରିଷ୍ଠ ନାଗରିକଙ୍କ ହାରାହାରି ଆୟୁଷ ୬୯.୪ ରହିଥିଲା। ସାମଗ୍ରିକ ଭାବେ ବିଶ୍ବ ଆନୁପାତିକ ଦୃଷ୍ଟିରୁ ବିଚାର କଲେ ଆମେ ପଛରେ ପଡ଼ିଛେ; କିନ୍ତୁ ଆମ ଦେଶର ଜନସଂଖ୍ୟା ୧୪୦ କୋଟି ଛୁଇଁବାକୁ ଯାଉଥିବାବେଳେ ବୟସ୍କଙ୍କ ସଂଖ୍ୟା ସେହି ଅନୁପାତରେ ବଢ଼ିଚାଲିଛି। ସେମାନଙ୍କ ପ୍ରତି ଯତ୍ନଶୀଳ ହେବା ସହ ସୁରକ୍ଷା ଦିଗକୁ ଅବହେଳା କରାଯାଇ ପାରିବନି।
ସମୟ ବଦଳିବା ସହ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଆଶା ଓ ଆକାଙ୍କ୍ଷା ମଧ୍ୟ ବଦଳିଛି। ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ଦୃଷ୍ଟିଭଙ୍ଗୀକୁ ନେଇ ଯେଉଁ ପାର୍ଥକ୍ୟ ପରିଲକ୍ଷିତ ହେଉଛି ସେଥିରେ ବୁଝାମଣାଭିତ୍ତିକ ସହାବସ୍ଥାନ ଏକପ୍ରକାର ଅସମ୍ଭବ। ଦୁନିଆ ବଦଳିଥିଲେ ମଧ୍ୟ ଅନୁଭବ ଓ ଅଭିଜ୍ଞତାରେ ପରିପୁଷ୍ଟ ବୟସ୍କ ଯେ ପ୍ରତିକୂଳ ପରିସ୍ଥିତିରେ ଠିକ୍ ମାର୍ଗଦର୍ଶକର ଭୂମିକା ନିଭାଇ ପାରିବେ ଏକଥା ଯୁବପିଢ଼ି ବୁଝିବାକୁ ନାରାଜ। ତେଣୁ ଅଧିକାଂଶ ପରିବାରରେ ଏହାକୁ କେନ୍ଦ୍ରକରି ସୃଷ୍ଟି ହେଉଥିବା ବିଭେଦ ଓ ବିେଦ୍ବଷ ଦୃଷ୍ଟିରୁ ପୁରୁଖା ବା ମୁରବିମାନେ ଯଥାସମ୍ଭବ ନିରବ ରହିବାକୁ ଉଚିତ ମଣୁଛନ୍ତି। ଏକ ଅସଂଲଗ୍ନ ଅବାଞ୍ଛିତ ଜୀବନ ଜିଉଥିବା ବୟସ୍କଟିର ଅପରିମିତ ଦୁଃଖ ବାର୍ଦ୍ଧକ୍ୟଜନିତ ପୀଡ଼ାଠାରୁ ଢେର ଅଧିକ। ଅନ୍ୟ ଦିଗଟି ହେଲା, ଯେଉଁ ବୟସ୍କ ଦମ୍ପତି ନିଜ ପିଲାଙ୍କୁ ଠିକଣା ଭାବେ ଗଢ଼ି ସମ୍ପନ୍ନ କରିଛନ୍ତି, ସେମାନେ ଜୀବିକା ଅର୍ଜନ ପାଇଁ କାହିଁ ଦୂରରେ ନିଜ ପରିବାର ସହ ଅବସ୍ଥାନ କରୁଛନ୍ତି। ପିଲାଙ୍କୁ ମୁକ୍ତ ଓ ସ୍ବାଧୀନ ଜୀବନ ଅତିବାହିତ କରିବାର ସୁଯୋଗ ଦେବା ସକାଶେ ବହୁ ବୟସ୍କ ବାପମା’ ନିଜ ହାତଗଢ଼ା ଘରେ ଏକୁଟିଆ ଜୀବନ ବିତାଉଛନ୍ତି। ଯଦି ସେମାନଙ୍କ ଯୋଡ଼ି ଭାଙ୍ଗିଯାଇଥାଏ ତ ବଞ୍ଚିବା ଆହୁରି ଦୁର୍ବିସହ ହୋଇପଡ଼େ। ସହରୀ ଜୀବନରେ ସାହିପଡ଼ିଶା ମଧ୍ୟ ଦୁର୍ଦ୍ଦିନରେ ଆହା କରିବାକୁ ପାଖରେ ଠିଆ ହୁଅନ୍ତିନି। ତେଣୁ ଏଭଳି ଅବସ୍ଥାରେ କିଏ କେତେବେଳେ ମରିହଜି ଗଲେ ମଧ୍ୟ କାହାର ଜାଣିବାକୁ ବାଟ ନାହିଁ। ଏ ସବୁ ଦୃଷ୍ଟିରୁ ବେଶ ସୁବିଧା ଓ ସ୍ବଚ୍ଛନ୍ଦରେ ଅବସ୍ଥାନ କରିବାର ସୁଯୋଗ ଥିବା ଜରାନିବାସ ହିଁ ଶ୍ରେୟସ୍କର। ସମବୟସ୍କଙ୍କ ସହ ନିଜର ଅନୁଭବ ଓ ବିଚାର ବାଣ୍ଟିବା ଏବଂ ଏକତ୍ର ଅବସ୍ଥାନ କରିବାର ସୁଯୋଗ ବଞ୍ଚିବାର ନୂତନ ଆଶାର ଆଲୋକ ବିଞ୍ଚିଥାଏ। ଏକାନ୍ନବର୍ତ୍ତୀ ପରିବାର ବଦଳରେ ଏକକ ପରିବାର ମୁଣ୍ଡ ଟେକୁଥିବାରୁ ଏଭଳି ଏକ ଆବଶ୍ୟକତା ମୁଣ୍ଡ ଟେକିଛି। ଏକାନ୍ନବର୍ତ୍ତୀ ବା ଯୌଥ ପରିବାରରେ ଯେ ଦୁଃଖ ନାହିଁ ଏକଥା ନୁହେଁ। ତେବେ ଏ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ ମୁରବିତ୍ବ ପିଲାଙ୍କୁ ଠିକଣା ଢଙ୍ଗରେ ବାଟ କଢ଼ାଇ ନେବାରେ ସହାୟକ ହୁଏ। ତଥାପି ‘ଯେତେ ଭାଇ ସେତେ ଘର’ ନ୍ୟାୟରେ ସମ୍ପର୍କରେ ସାମୟିକ ତିକ୍ତତା ସୃଷ୍ଟି ହେଲେ ମଧ୍ୟ ବୟସ୍କ, ମୁରବିଙ୍କ ପ୍ରତି ଆଦର ଅତୁଟ ରହିଥାଏ।
ପ୍ରତିଷେଧକ ଓ ରୋଗ ନିରାକରଣ ସୁବିଧା କ୍ରମେ ସମସ୍ତଙ୍କ ନିକଟରେ ଉପଲବ୍ଧ ହେଉଥିବାରୁ ମହାମାରୀ ଓ ରୋଗ ସଂକ୍ରମଣଜନିତ ମୃତ୍ୟୁହାର ଯଥେଷ୍ଟ କମିଛି। ସେହିଭଳି ଆଧୁନିକ ଚିକିତ୍ସା ସୁବିଧା ବ୍ୟୟବହୁଳ ହେଲେ ମଧ୍ୟ ଆଖପାଖ ସହରରେ ମିଳୁଥିବାରୁ ଲୋକେ ତାହାର ସୁଯୋଗ ନେଉଛନ୍ତି। ଏ କ୍ଷେତ୍ରରେ ସ୍ବାସ୍ଥ୍ୟବୀମା ସହାୟକ ହୋଇଛି। ସମ୍ପନ୍ନ ପରିବାର ନିଜର ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏହାକୁ ଆପଣାଇ ଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଅସ୍ବଚ୍ଛଳ ବର୍ଗଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି କରିଛନ୍ତି। ତେଣୁ ଲମ୍ବା ଜୀବନ ଜିଇବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି କହିଲେ ଭୁଲ ହେବ ନାହିଁ; କିନ୍ତୁ ଏହି ଲମ୍ବା ଜୀବନର ଶେଷଭାଗ ଦୁର୍ବିସହ ନ ହେଉ। ଅନ୍ତତଃ ଜଣେ ଶାନ୍ତିରେ ମରିବାର ସୁଯୋଗ ପାଉ। ଏ ଦିଗରେ ସରକାରଙ୍କ ଦାୟିତ୍ବ ଅପେକ୍ଷା ପରିବାର ଓ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବା ଜରୁରୀ। ବୟସ୍କମାନେ ଯେ ବୋଝ ନୁହନ୍ତି ଏ କଥା ସମସ୍ତେ ଅନୁଭବ କରିବା ଉଚିତ।
Comments are closed.