ଅଶାନ୍ତ ଉପତ୍ୟକା
ଉପତ୍ୟକାର ଜୀବନଧାରାରେ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ସୌହାର୍ଦ୍ଦ୍ୟ ଓ ସଂପ୍ରୀତିର ବାତାବରଣ ସୃଷ୍ଟି ହେବା କଥା, ତାହା ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ
ସମୟକ୍ରମେ ସବୁ ସୁଧୁରିଯିବ ବୋଲି ଆଶା କରାଯାଉଥିଲା। ଦିନ ଗଡ଼ିବା ସହ ଘଟଣାକ୍ରମକୁ ଅନୁଧ୍ୟାନ କଲେ ମନେ ହେଉଛି, ସବୁ ଠିକ୍ଠାକ୍ ଚାଲିନି ଜାମ୍ମୁ-କାଶ୍ମୀରରେ। ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଓ ସ୍ବତନ୍ତ୍ର ସୁବିଧାସୁଯୋଗ ଉଚ୍ଛେଦ ପରେ ରାଜନୈତିକ ସ୍ତରରେ ଯେଉଁ ବିରୋଧାଭାସ ଓ ପ୍ରତିବାଦ ମୁଣ୍ଡ ଟେକିଥିଲା ତାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଗଲା। ଏପରିକି ରାଜନୈତିକ କାର୍ଯ୍ୟକଳାପ ବିରୋଧରେ ଅଙ୍କୁଶ ଓ ବ୍ୟାପକ ଗିରଫଦାରୀ ମାଧ୍ୟମରେ ନିୟନ୍ତ୍ରଣ ସକାଶେ ଉଦ୍ୟମ ଆରମ୍ଭ ହୋଇଥିଲା; କିନ୍ତୁ ସେଥିରୁ ସେଭଳି ସୁଫଳ ମିଳିନାହିଁ। ଆମେ କେବଳ ସେମାନଙ୍କୁ ‘ଦେଶଦ୍ରୋହୀ’ କହି ଚିହ୍ନଟ କଲେ ସମସ୍ୟାର ସମାଧାନ ହେବନି। ରାଜ୍ୟ ପାହ୍ୟା ପ୍ରତ୍ୟାହାର କରି କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ସ୍ଥାନୀୟ ଅଧିବାସୀଙ୍କ ଅସ୍ମିତା ପ୍ରତି କୁଠାରାଘାତ କରିଛି। ଏସବୁ ସତ୍ତ୍ବେ ସେଠାରେ ନିର୍ବାଚନ ମଣ୍ଡଳୀ ପୁନଃ ନିର୍ଦ୍ଧାରଣ ମାଧ୍ୟମରେ ନିର୍ବାଚନ ପରିଚାଳନା ପାଇଁ ଯେଉଁ ଉଦ୍ୟମ ହେଉଛି ସେଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି ହିନ୍ଦୁ ବିରୋଧୀ ଆତଙ୍କବାଦୀ ଆକ୍ରମଣ। ବିସ୍ଥାପିତ ପଣ୍ଡିତଙ୍କ ନିଯୁକ୍ତି ଓ ଥଇଥାନ କରାଯାଇଥିବାବେଳେ ଘୋର ଅସୁରକ୍ଷିତ ବାତାବରଣ ମଧ୍ୟରେ ସେମାନେ ଉପତ୍ୟକା ଛାଡ଼ିବାର ବାଧ୍ୟବାଧକତା ସୃଷ୍ଟି ହୋଇଛି। ଜାମ୍ମୁରେ ହିନ୍ଦୁଙ୍କ ପ୍ରାଧାନ୍ୟକୁ ନିର୍ବାଚନ ମାଧ୍ୟମରେ ସ୍ବୀକୃତି ପ୍ରଦାନ ଉଦ୍ୟମରେ ପାଣି ପକାଇ ଦେଇଛି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ। ସାମ୍ପ୍ରତିକ ପରିସ୍ଥିତିରେ ପରିବର୍ତ୍ତନ ନ ଘଟିଲେ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ପରିଚାଳନା କରିବା ଅସମ୍ଭବ।
ଏକଥା ସତ ଯେ ନିଜର ରାଜନୈତିକ ଆଜେଣ୍ଡା କାର୍ଯ୍ୟକାରୀ କରିବା ସକାଶେ ବିଜେପି ସମର୍ଥନ ପ୍ରତ୍ୟାହାର କରିବାରୁ ଅସମୟରେ ପିଡିପି ନେତୃତ୍ବରେ ଗଠିତ ମେଣ୍ଟ ସରକାର ଭୁଶୁଡ଼ି ପଡ଼ିଥିଲା। ସେ ଯାହାହେଉ ଏବେ ଜାମ୍ମୁ-କାଶ୍ମୀର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଅଛି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ କ୍ଷମତାସୀନ ଉପରାଜ୍ୟପାଳ ମନୋଜ ସିହ୍ନା ପରିସ୍ଥିତିକୁ ସମ୍ଭାଳିବା ସକାଶେ ଗ୍ରହଣ କରୁଥିବା ସମସ୍ତ ଉଦ୍ୟମ ଯେ ବିଫଳ ହୋଇଛି ଏକଥା କୁହାଯାଇପାରେ। ନ ହେଲେ ମେ ପହିଲାରୁ ଅଦ୍ୟାବଧି ଉପତ୍ୟକାରେ ୧୮ଜଣଙ୍କୁ ବାଛିବାଛି ହତ୍ୟା କରାଯିବା ସମ୍ଭବ ହୋଇନଥାନ୍ତା। ଏହି ନରସଂହାରର ନିଶାଣରେ ରହିଛନ୍ତି ସଂଖ୍ୟାଲଘୁ କାଶ୍ମୀରୀ ପଣ୍ଡିତ।
ଉପତ୍ୟକାରେ ନିଯୁକ୍ତି ପାଇ ସ୍ଥାୟୀ ବସବାସର ସୁଯୋଗ ହାସଲ କରିଥିବା ୪୦୦୦ରୁ ଊର୍ଦ୍ଧ୍ବ ପଣ୍ଡିତ କର୍ମଚାରୀ ମେ ୧୨ରେ ରାହୁଳ ଭଟ୍ଟଙ୍କୁ ହତ୍ୟା କରାଯିବା ପରଠାରୁ ପ୍ରତିବାଦ କରୁଛନ୍ତି। ସମୂହ ଇସ୍ତଫା ପରେ ସେମାନେ ଉପତ୍ୟକା ଛାଡ଼ିବା ଅପେକ୍ଷାରେ ଥିଲେ ମଧ୍ୟ ନିଷ୍କୃତି ନାହିଁ। ଜଣକ ପରେ ଜଣଙ୍କୁ ପାକ୍ ପ୍ରାୟୋଜିତ ଆତଙ୍କବାଦୀମାନେ ହତ୍ୟା କରିଚାଲିଛନ୍ତି। ନା ସେମାନଙ୍କୁ ସେଠାରୁ ମୁକ୍ତି ମିଳୁଛି, ନା ସେମାନଙ୍କର ସୁରକ୍ଷା ସୁନିଶ୍ଚିତ ହୋଇପାରୁଛି। ସେମାନଙ୍କ ପାଇଁ ଜୀବନମରଣ ସମସ୍ୟା ହୋଇଥିବାବେଳେ ତାହା କେନ୍ଦ୍ର ସରକାରଙ୍କ ସକାଶେ ମର୍ଯ୍ୟାଦାର ପ୍ରସଙ୍ଗ ପାଲଟିଛି। ତେବେ କାହାର ମର୍ଯ୍ୟାଦା ରକ୍ଷା ପାଇଁ କାଶ୍ମିରୀ ହିନ୍ଦୁଙ୍କୁ କ’ଣ ବଳି ପକାଯାଇ ପାରିବ? ପଣ୍ଡିତଙ୍କୁ ଉପତ୍ୟକାରେ ଥଇଥାନ ପାଇଁ ନିଯୁକ୍ତି ସହ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜରେ ୨୦ରୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ତିନି କିସ୍ତିରେ ଦେବାକୁ ଘୋଷଣା ହୋଇଥିଲା। ତେବେ ଆମକୁ ସ୍ବୀକାର କରିବାକୁ ପଡ଼ିବ ଯେ ସରକାରୀ ଘୋଷଣା ଓ କାର୍ଯ୍ୟକ୍ରମର ଊର୍ଦ୍ଧ୍ବରେ ପ୍ରତ୍ୟେକ ନାଗରିକର ସୁରକ୍ଷିତ ଓ ସ୍ବଚ୍ଛନ୍ଦ ଜୀବନଧାରା।
ଭିଟାମାଟିର ଆକର୍ଷଣ ସେମାନଙ୍କୁ ପ୍ରଲୁବ୍ଧ କରିବା ସ୍ବାଭାବିକ। ତଥାକଥିତ ସୁରକ୍ଷିତ ବଳୟ ମଧ୍ୟରେ ସୁନିର୍ବାଚିତ ଭାବେ ଗୋଟିକ ପରେ ଗୋଟିଏ ପଣ୍ଡିତଙ୍କ ମୁଣ୍ଡ ଗଡ଼ିଚାଲିବା ବାସ୍ତବିକ ଚିନ୍ତାର ବିଷୟ। ଉପତ୍ୟକାର ଜୀବନଧାରାରେ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ସୌହାର୍ଦ୍ଦ୍ୟ ଓ ସଂପ୍ରୀତିର ବାତାବରଣ ସୃଷ୍ଟି ହେବା କଥା ତାହା ସରକାରୀ ନୀତି ଓ କାର୍ଯ୍ୟକ୍ରମରେ ଅନୁଭୂତ ହେଲା ନାହିଁ। ଦଳୀୟ ଆଜେଣ୍ଡା ଓ ସରକାରୀ କାର୍ଯ୍ୟକ୍ରମରେ ସର୍ବନିମ୍ନ ଅନ୍ତର ବା ବ୍ୟବଧାନ ପ୍ରତି ଉଚିତ ଧ୍ୟାନ ଦିଆଗଲା ନାହିଁ। ସେମାନେ କ୍ରମେ ମୁଖ୍ୟଧାରାରୁ ଦୂରେଇ ଯାଇଥିବାର ଲକ୍ଷ୍ୟ କରାଗଲା। ଆମକୁ ସ୍ବୀକାର କରିବାକୁ ପଡ଼ିବ ଯେ ଏହି ମାନସିକତାର ସୁଯୋଗ ନେଉଛନ୍ତି ଆତଙ୍କବାଦୀ ସଂଗଠନ। ସରକାର ପ୍ରଚଳିତ ଧାରାକୁ ହଟାଇ ଦେଶର ମୁଖ୍ୟ ସ୍ରୋତରେ ଜାମ୍ମୁକାଶ୍ମୀରବାସୀଙ୍କୁ ମିଶାଇବା ସକାଶେ ଯେଉଁ କଠୋର ପଦକ୍ଷେପ ନେଲେ ତାହାର ଆବଶ୍ୟକତା ଥିଲା ସୀମିତ ସମୟ ପାଇଁ; କିନ୍ତୁ ତାହା ସ୍ଥାୟୀ ବ୍ୟବସ୍ଥା ନୁହେଁ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭରସାର ବାତାବରଣ ସୃଷ୍ଟି କରିବାରେ ଯେ ସରକାର ବିଫଳ ହୋଇଛନ୍ତି, ତାହା ଅନସ୍ବୀକାର୍ଯ୍ୟ। ସଂପ୍ରତି ସେଠାକାର ଭୟଭୀତ ଲୋକଙ୍କ ପାଇଁ ସୁନିଶ୍ଚିତ ସୁରକ୍ଷା ଲୋଡ଼ା। ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତି ଗୁରୁତ୍ବପୂର୍ଣ୍ଣ। କେନ୍ଦ୍ର ସରକାର ସ୍ଥାନୀୟ ମୁଖ୍ୟସ୍ରୋତର ରାଜନୈତିକ ଦଳଙ୍କୁ ବିଶ୍ବାସକୁ ନେଇ ସେମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ଖୋଜିବାର ଆବଶ୍ୟକତା ରହିଛି।
Comments are closed.