www.samajalive.in
Monday, December 15, 2025
16.1 C
Bhubaneswar

ମହାମେଣ୍ଟ ଉଦ୍ୟମକୁ ଧକ୍କା

ଶ୍ରେଷ୍ଠ ରାଜନୀତି ଅବଶେଷରେ ଜୟମାଲ୍ୟ ଆଣେ। ରାଜ୍ୟସଭା ଉପାଧ୍ୟକ୍ଷ ପଦପାଇଁ ହୋଇଥିବା ନିର୍ବାଚନରେ ତାହା ଆଉଥରେ ପ୍ରମାଣିତ ହେଲା। ଏଥିରେ ବିଜେଡ଼ିକୁ କଂଗ୍ରେସ ଦୋଷଦେବା ବା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ କେନ୍ଦ୍ରକରି ବହୁତ କିଛି କଳ୍ପନାଜଳ୍ପନା କରିବାର ଅବକାଶ ନାହିଁ। ସଂସଦର ଉଚ୍ଚସଦନରେ କୌଣସି ଦଳ ବା ମେଣ୍ଟର ସଂଖ୍ୟାଗରିଷ୍ଠତା ନଥିବାବେଳେ ନିଜନିଜର ପ୍ରାର୍ଥୀଙ୍କୁ ଜିତାଇବା ପଛରେ ରାଜନୈତିକ କୌଶଳ ଓ ସମର୍ଥନ ଜୁଟାଇବାର କଳା ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା। ଏହି କାମରେ ବିଜେପି ଓ ଏହାର ମେଣ୍ଟ ଏନ୍‌ଡିଏ ସଫଳ ଏବଂ କଂଗ୍ରେସ ଓ ୟୁପିଏ ମେଣ୍ଟ ବିଫଳ ହୋଇଛି। ରାଜ୍ୟସଭା ଉପାଧ୍ୟକ୍ଷ ପଦର ଗୁରୁତ୍ବ ଯା’ହେଉ ନା କାହିଁକି ତାହାକୁ ହାତେଇ ଉଚ୍ଚସଦନରେ ସରକାରଙ୍କ ପ୍ରଭାବକୁ କ୍ଷୁଣ୍ଣ କରିବା ଏବଂ ବିଜେପିବିରୋଧୀ ମହାମେଣ୍ଟ ପାଇଁ ଏକ କ୍ଷେତ୍ର ପ୍ରସ୍ତୁତ କରିବା ଥିଲା ବିରୋଧୀଦଳଙ୍କ ମୁଖ୍ୟ ଯୋଜନା। ଶେଷ ମୁହୂର୍ତ୍ତରେ କଂଗ୍ରେସ ଏହି ନିର୍ବାଚନରେ ନିଜର ପ୍ରାର୍ଥୀ ଦେଇ ମେଣ୍ଟ ସହଯୋଗୀ ଏନସିପିକୁ କେବଳ ଚକିତ କଲାନାହିଁ, ବରଂ ବିଜେଡ଼ିଭଳି ମେଣ୍ଟମୁକ୍ତ କ୍ଷୁଦ୍ର ଦଳଗୁଡ଼ିକର ଭୋଟ ହାତେଇବା ପ୍ରକ୍ରିୟାକୁ ଦୁର୍ବଳ କରିଦେଲା। ସେହିଭଳି ମହାମେଣ୍ଟ ଗଠନପାଇଁ ବିଶେଷ ତତ୍ପରତା ଦେଖାଉଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଟିଡିପି ଆଦି ନିଜେ ପ୍ରାର୍ଥୀ ନ’ଦେଇ ଏ କ୍ଷେତ୍ରରେ ଏକପ୍ରକାର ରଣକୌଶଳାତ୍ମକ ତ୍ରୁଟିକଲେ। ସେହି କାମଟି ବିଜେପି ସୁରୁଖୁରୁରେ ସଂପନ୍ନ କରିବାସହ ସହଯୋଗୀ ଜେଡିୟୁ ପ୍ରାର୍ଥୀଙ୍କୁ ଆଗରେ ରଖି ବ୍ୟକ୍ତିଗତ ଉଦ୍ୟମ ଓ ସମ୍ପର୍କ ଜରିଆରେ ବିଜେଡ଼ି ଓ ଅନ୍ୟଦଳଙ୍କ ସମର୍ଥନ ହାସଲ କରିବାରେ ସଫଳ ହେଲା। ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ସହ ନବୀନଙ୍କ ବ୍ୟକ୍ତିଗତ ବନ୍ଧୁତା ଓ ରାଜନୈତିକ ରସାୟନ ଏଥିରେ ବଡ଼ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଅପରପକ୍ଷରେ ୟୁପିଏର ଅନେକ ସହଯୋଗୀଦଳର ସଦସ୍ୟ ଭୋଟ ଦେବାକୁ ନ’ ଆସିବାର ଅର୍ଥ କଂଗ୍ରେସର ରଣନୀତି ପରିଚାଳନାଗତ ଦୁର୍ବଳତାକୁ ପଦାରେ ପଡିଛି।
ନବୀନ ପଟ୍ଟନାୟକ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାର ଅର୍ଥ ନୁହେଁ ଯେ ସେ ଏହି ମେଣ୍ଟ ଆଡ଼କୁ ଢଳିଛନ୍ତି ଏବଂ ଦଳର ଭବିଷ୍ୟତ ରାଜନୀତି ବଦଳିବାର ଏହା ଏକ ସଂକେତ। ରାଷ୍ଟ୍ରପତି ନିର୍ବାଚନ ଓ ଅନାସ୍ଥା ଭୋଟରେ ବିଜେଡ଼ିର ପଦକ୍ଷେପ ଏନ୍‌ଡିଏକୁ ଅବଶ୍ୟ ସୁହାଇଥିଲା। ଏହାସତ୍ତ୍ବେ ନବୀନ ଗୋଟାପ​‌େ​‌ଣ ଏନଡିଏକୁ ଢଳିଗଲେଣି ବୋଲି ବିଚାର କରିବା ଠିକ୍‌ ମନେହୁଏ ନାହିଁ। କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ବ ରକ୍ଷା କରୁଥିବା ବିଜେଡ଼ି ଓଡ଼ିଶାରେ କ୍ଷମତାରେ ରହିଛି । ଶାସନରେ ଥିବା ପ୍ରତ୍ୟେକ ଦଳର ରାଜନୈତିକ ବାଧ୍ୟବାଧକତା ଥାଏ ଏବଂ ବିଜେଡ଼ିର ଏହା ରହିଛି। ସମଦୂରତ୍ବ ରକ୍ଷା ବିଜେଡିର ଏକ ରାଜନୈତିକ ସ୍ଲୋଗାନ ମାତ୍ର। କେତେକ ପ୍ରମୁଖ ରାଜନୈତିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ଅନ୍ୟଦଳର ସଭାପତିଙ୍କ ପ୍ରତ୍ୟକ୍ଷ ଅନୁରୋଧକୁ ଗ୍ରହଣ କରିବା କେବଳ ଏକ ରାଜନୈତିକ ଶିଷ୍ଟାଚାର ନୁହେଁ, ବରଂ ବାସ୍ତବ ରାଜନୀତିର ଏକ ଅଂଶ। ଏହି ନିର୍ବାଚନରୁ ବଡ଼ ଶିକ୍ଷାଟି ମିଳିଲା ଯେ ମହାମେଣ୍ଟ ଗଠନ ନେଇ ଆମ ବିରୋଧୀ ନେତାମାନେ କହନ୍ତି ଯେଡ଼େ, ନୁହନ୍ତି ତେଡ଼େ। ଏହି ନେତାମାନଙ୍କ ମଧ୍ୟରେ ‘ଅହଂ’ ସମସ୍ୟା ଏହି ଘଟଣାରୁ ଜଳଜଳ ଦେଖାଯାଉଛି। ସେମାନଙ୍କ ଦୁର୍ବଳତାରୁ ବିଜେପି ଓ ଏହାର ସହଯୋଗୀ ଫାଇଦା କେବଳ ଉଠାଇନାହାନ୍ତି, ବରଂ ମହାମେଣ୍ଟ ପ୍ରୟାସକୁ ଏକ ଶକ୍ତ ଧକ୍କା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ପଦାରେ ପଡ଼ିଛି। ଏଥିରୁ ବିରୋଧୀ କିଛି ଶିକ୍ଷାଲାଭ କରିବେ ନିଶ୍ଚୟ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories