ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାସହ ଅଧିକରୁ ଅଧିକ ପୁଞ୍ଜିପତିଙ୍କୁ ଆକର୍ଷିତ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉଦ୍ୟମ ଅଭିନନ୍ଦନୀୟ ହେଲେ ହେଁ ଏ କ୍ଷେତ୍ରରେ ଫଳାଫଳ ସେତେ ଉତ୍ସାହଜନକ ହେଉନାହିଁ। ଶିଳ୍ପାୟନର ପର୍ଯ୍ୟାପ୍ତ ସୁବିଧାସୁଯୋଗ ଥିବା ଓଡ଼ିଶାରୁ ପୁଞ୍ଜିପତି ମୁହଁ ଫେରାଇବା ବା ବିଶେଷ ଆଗ୍ରହ ପ୍ରଦର୍ଶନ ନ କରିବା ପଛରେ ରୂପାୟନ ସ୍ତରରେ କିଛି ଅଭାବ ଅସୁବିଧା ଅଥବା ତ୍ରୁଟି ରହୁଥିବା ମନେ ହେଉଛି। ପସ୍କୋ ଭଳି କିଛି ବୃହତ୍ ଶିଳ୍ପ ସଂସ୍ଥା ବିଫଳ ହୋଇ ଓଡ଼ିଶାରୁ ଫେରିଯିବା ଏବଂ ବେଦାନ୍ତ ଭଳି ସଂସ୍ଥା ସଙ୍ଘର୍ଷ କରିବା ଘଟଣାର ପ୍ରଭାବ ହୁଏତ ପୁଞ୍ଜିପତି ଓ ନିବେଶକଙ୍କ ଉପରେ ପଡ଼ିଥାଇ ପାରେ। ଅନ୍ୟ ଏକ କଥା ହେଲା ପଡ଼ୋଶୀ ଆନ୍ଧ୍ର, ତେଲଙ୍ଗାନା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଏ କ୍ଷେତ୍ରରେ ଯେତେ ଉଦାର ଏବଂ ନମନୀୟ ନୀତି ଅବଲମ୍ବନ କରୁଛନ୍ତି, ସେଭଳି ସୁବିଧାସୁଯୋଗ ଦେବାରେ ଓଡ଼ିଶା ବୋଧହୁଏ ସଫଳ ହୋଇପାରୁନାହିଁ। ଏ କ୍ଷେତ୍ରରେ ଯେଉଁ ଦୋଷତ୍ରୁଟି ରହୁଛି ତାହାର ନିୟମିତ ସମୀକ୍ଷା ସହ ପ୍ରତିକାର ଲୋଡ଼ା।
ଶିଳ୍ପାୟନସହ ନିଯୁକ୍ତି ସୁଯୋଗ ଓ ରୋଜଗାର ବୃଦ୍ଧିର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ପ୍ରାକୃତିକ ସମ୍ବଳ ବହୁଳ ଓଡ଼ିଶାରେ ଲୋକେ ବେକାର ରହିବା ଓ ରୋଜଗାର ନ’ପାଇବା ଯେ କୌଣସି ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ। ବିଶେଷ କରି ଆଗକୁ ନିର୍ବାଚନ ଥିବାରୁ ଏ ନେଇ ସରକାର ତତ୍ପରତା ଦେଖାଇବା ସ୍ବାଭାବିକ। ତେବେ ଏହା କେବଳ ନିର୍ବାଚନସର୍ବସ୍ବ ନ’ହୋଇ ବାସ୍ତବବାଦୀ ହେଲେ ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ିବ। ଏଣୁ ଏକ୍ଷେତ୍ରରେ ସରକାରୀ ପ୍ରୟାସ ପଛରେ ଆନ୍ତରିକତା ରହୁ ଏବଂ ଏହା ନିର୍ବାଚନକାଳୀନ ଧୂଆଁବାଣରେ ପରିଣତ ନ’ହେଉ।
ଓଡ଼ିଶାର ଶିଳ୍ପାୟନ ପ୍ରୟାସ
Popular Categories



