ଚୀନର ଚାଲ୍
ଭାରତ, ପାକିସ୍ତାନ ଓ ଚୀନ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେବା ଆବଶ୍ୟକ ବୋଲି ଭାରତରେ ଥିବା ଚୀନ ରାଷ୍ଟ୍ରଦୂତ ଲୋଉ ଝାଓହୁଇ କହିବା କେବଳ ବିଚିତ୍ର ନୁହେଁ, ଅବାସ୍ତବ ମଧ୍ୟ। ଚୀନ ପକ୍ଷରୁ ସିଧାସଳଖ କୁହାନଗଲେ ବି ରାଷ୍ଟ୍ରଦୂତଙ୍କ ତୁଣ୍ଡରେ କୁହାଇବା ସେହି ଦେଶର ଏକ ଚାଲ୍ ହୋଇଥିବା କିଛି ଅସମ୍ଭବ ନୁହେଁ। ଦିଲ୍ଲୀସ୍ଥିତ ଚୀନ ଦୂତାବାସରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରର ବିଷୟ ରହିଥିଲା ଉହାନ ପରେ ପରିବର୍ତ୍ତିତ ପରିସ୍ଥିତିରେ ଭାରତ ଓ ଚୀନର ସମ୍ବନ୍ଧକୁ କେତେଦୂର ପର୍ଯ୍ୟନ୍ତ ଆଗକୁ ନିଆଯାଇପାରିବ। ରାଷ୍ଟ୍ରଦୂତ ସେଠାରେ ଆଲୋଚନାବେଳେ ଦେଇଥିବା ଉପରୋକ୍ତ ପ୍ରସ୍ତାବକୁ ଭାରତ ସରକାର ତାହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହି ଆଦୌ ଗୁରୁତ୍ବ ନଦେଇ ଠିକ୍ ହିଁ କରିଛନ୍ତି। ତେବେ ଚୀନ ସରକାରଙ୍କ ବିନା ଇସାରାରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରଖିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। ପ୍ରକୃତରେ ଚୀନ ସର୍ବଦା ମଝିମଝିରେ ପରୋକ୍ଷରେ ଏଭଳି ବକ୍ତବ୍ୟ ଜାରିକରି ଭାରତଠାରୁ ବିଭିନ୍ନ ପ୍ରକାରେ ନିଜର ସ୍ବାର୍ଥସାଧନ କରିବାକୁ ଚାହେଁ। େତଣୁ କୂଟନୈତିକ ମହଲରେ ଏହାକୁ ଚୀନ ସରକାରଙ୍କ ପ୍ରସ୍ତାବ ହିସାବରେ ହିଁ ଦେଖାଯାଉଛି।
ଚୀନ ରାଷ୍ଟ୍ରଦୂତ କହିଛନ୍ତି ଯେ ଭାରତ, ପାକିସ୍ତାନ ଓ ଚୀନ ମଧ୍ୟରେ ଯଦି ତ୍ରିପାକ୍ଷିକ ସହଯୋଗ ଆରମ୍ଭ ହୁଏ, ତେବେ ତିନି ଦେଶକୁ ତା’ର ଲାଭ ମିଳିବ; କିନ୍ତୁ ଏହା ଅନ୍ତତଃ ବର୍ତ୍ତମାନ ପାଇଁ ଅବାସ୍ତବ ଓ ଅସମ୍ଭବ ଏଇଥିପାଇଁ ଯେ ଚୀନ ଓ ପାକିସ୍ତାନ ମିଳିମିଶି ଭାରତ ବିରୋଧରେ ସର୍ବଦା କିଛିନାକିଛି ଅକରଣୀୟ କାଣ୍ଡକାରଖାନା ଜାରି ରଖିଛନ୍ତି। ଏପରି ସ୍ଥଳେ ତ୍ରିପାକ୍ଷିକ କଥାବାର୍ତ୍ତା କଥା କଳ୍ପନା ମଧ୍ୟ କରାଯାଇନପାରେ। ତେବେ ଏଭଳି ପ୍ରସ୍ତାବରୁ ଯାହା ଅନୁମାନ କରିହେଉଛି, ତାହା ହେଲା ଚୀନ ଭାରତ ଓ ପାକିସ୍ତାନରୁ ସାମରିକ ଓ ବାଣିଜ୍ୟିକ ହିତ ସାଧନ ପାଇଁ ରାସ୍ତା ଖୋଜୁଛି। ପୃଥିବୀର ଅଧା ଅଞ୍ଚଳରେ ତା’ର ବ୍ୟବସାୟକୁ ବ୍ୟାପକ କରିବା ପାଇଁ ‘ୱାନ ବେଲ୍ଟ ୱାନ ରୋଡ଼’ ଭଳି ଯେଉଁ ପ୍ରକାଣ୍ଡ ପ୍ରକଳ୍ପ ନିର୍ମାଣ କରୁଛି, ତାହା ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ମଧ୍ୟ ଯାଇଛି। ଭାରତ ପକ୍ଷରୁ ଏହାକୁ ବାରମ୍ବାର ଦୃଢ଼ ବିରୋଧ କରାଯାଇଛି; ଯାହାଫଳରେ ଚୀନ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ପାକିସ୍ତାନରେ ତିଆରି ହେଉଥିବା ଏହି ବାଣିଜ୍ୟିକ ପଥ ଚୀନର ବଡ଼ ଚକ୍ରାନ୍ତ ଏବଂ ତାକୁ ସଫଳ କରିବାପାଇଁ ସେ ଏଭଳି ଚତୁରତାପୂର୍ଣ୍ଣ ପ୍ରସ୍ତାବ ରଖିଥିବା ବିଚିତ୍ର ନୁହେଁ। ଚୀନ ରାଷ୍ଟ୍ରଦୂତ କହିଛନ୍ତି ଯେ ଭାରତ ଓ ଚୀନ ଉଭୟେ ଏଭଳି ସ୍ଥିତିରେ ନାହାନ୍ତି ଯେ ଡୋକଲାମ ଭଳି ବିବାଦରେ ପୁଣିଥରେ ଘାଣ୍ଟି ହୁଅନ୍ତୁ; କିନ୍ତୁ ଏହି ବିବାଦ ପାଇଁ କିଏ ଦାୟୀ, ତାହା ସେ ମନେ ପକାଇବା ଆବଶ୍ୟକ। ତାଙ୍କର ଆଉ ଏକ ବିଚିତ୍ର ଯୁକ୍ତି ହେଉଛି ଚୀନ-ରୁଷ-ମଙ୍ଗୋଲିଆ ଯଦି ତ୍ରିକୋଣୀୟ ସମ୍ବନ୍ଧ ତିଆରି ହୋଇପାରୁଛି, ତେବେ ଭାରତ-ପାକିସ୍ତାନ-ଚୀନ କାହିଁକି ହୋଇପାରିବ ନାହିଁ, କିନ୍ତୁ ସେ ଭୁଲିଯାଉଛନ୍ତି ଯେ ସେହିସବୁ ଦେଶର ପାରସ୍ପରିକ ବିଶ୍ବାସ ଭାରତ-ପାକିସ୍ତାନ-ଚୀନ ଭିତରେ ନାହିଁ। ପାକିସ୍ତାନ ଓ ଚୀନ ଆପଣା ସ୍ବାର୍ଥ ସାଧନ ପାଇଁ ସମ୍ବନ୍ଧ ରଖିଥିଲେ ବି ଭାରତ ଏହି ଦୁଇ ଦେଶ ସହ ମିତ୍ରତା ରଖିବା ଅନ୍ତତଃ ବର୍ତ୍ତମାନ ପରିସ୍ଥିତିରେ ଅସମ୍ଭବ ମନେହେଉଛି। ଏହି ଦୁଇ ଦେଶ ସହ ସୀମା ବିବାଦ ଅନେକ ସମୟରେ ଚରମ ତିକ୍ତତା ଆଣିଦେଉଛି। ଏପରି ସ୍ଥିତିରେ ତ୍ରିପାକ୍ଷିକ ସମ୍ବନ୍ଧ ନେଇ ଭାରତ କ’ଣ ଚିନ୍ତା କରିପାରିବ? ପୁଣି କାଶ୍ମୀର ବିବାଦ ହେଉ ବା ସୀମାପାର ଅନୁପ୍ରବେଶ, ସେ ସମ୍ବନ୍ଧରେ ଓକିଲାତି କରିବା ପାଇଁ ଭାରତ ଚୀନକୁ କାହିଁକି ଡାକିବ? ଯାହା ହେବ, ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ହିଁ ହେବ।
ଅପରପକ୍ଷେ, ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ), ବ୍ରିକ୍ସ ଓ ଜି-୨୦ ଭଳି ଆନ୍ତର୍ଜାତିକ ମଞ୍ଚଗୁଡ଼ିକରେ ଭାରତ ଓ ଚୀନ ବନ୍ଧୁ ଭଳି ଦେଖାଯାଉଥିଲେ ହେଁ ଆପଣା ସ୍ବାର୍ଥରକ୍ଷା କ୍ଷେତ୍ରରେ ଦୁଇଦେଶ ବିପରୀତମୁଖୀ; ତେଣୁ ତ୍ରିପାକ୍ଷିକ ଆଲୋଚନାର ପ୍ରଶ୍ନ ହିଁ ଉଠୁନାହିଁ। ଗତ ଚାରିବର୍ଷ ମଧ୍ୟରେ ଚୀନ ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ଭିତରେ ମୋଟ ଚଉଦ ଥର ସାକ୍ଷାତ-ଆଲୋଚନା ହୋଇଛି ଓ ଉଭୟେ ଅପର ରାଷ୍ଟ୍ରକୁ ଗସ୍ତ ମଧ୍ୟ କରିଛନ୍ତି; ତଥାପି ଚୀନ ଡୋକଲାମରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ କୁଣ୍ଠାବୋଧ କରିନଥିଲା। କେବଳ ସେତିକି ନୁହେଁ, ମଝିମଝିରେ ତା’ର ସୈନ୍ୟମାନେ ଭାରତର କେତେକ ଅଞ୍ଚଳରେ ଅନୁପ୍ରବେଶ କରୁଥିବା ଖବର ଆସୁଛି। ତେଣୁ ଯେ କୌଣସି ସମସ୍ୟାକୁ ରାଜନୈତିକ ଓ କୂଟନୈତିକ ସ୍ତରରେ ସମାଧାନ କରିବାର ଶକ୍ତି ଭାରତର ରହିଛି ; ସେଥିପାଇଁ ଚୀନର ମଧ୍ୟସ୍ଥତା ଆଦୌ ଲୋଡ଼ାନାହିଁ, ତାହା ସେହି ଦେଶ ଭଲଭାବେ ବୁଝିବା ଦରକାର।