ମ୍ୟୁଚୁଅଲ୍ ଫଣ୍ଡଙ୍କ ପାଇଁ ସ୍ବତନ୍ତ୍ର ଆଇନର ଆବଶ୍ୟକତା
ମନୋହର
ଆମ ଦେଶରେ ଲୋକଂକ ମୋଟ ବିତ୍ତୀୟ ସଂଚୟ ତୁଳନାରେ ତାକୁ ବିଭିନ୍ନ ବ୍ୟବସାୟ,, କାରଖାନାରେ ବିନିଯୋଗର ପରିମାଣ ଅପେକ୍ଷାକୃତ କମ୍ । ଏହାର ଅସଲ କାରଣ ହେଲା, ଯେଉଁ ସଂସ୍ଥାଂକ ମାର୍ଫତ ଏ ଟଂକାର ବିନିଯୋଗ କରାଯାଇପାରିବ ସେଭଳି ସଂସ୍ଥାଂକ ଚାଳନା ଓ ଦେଖରେଖପାଇଁ ଉପୟୁକ୍ତ ଆଇନର ଅଭାବ ।
ଆଜିର ସମୟରେ ଲୋକଂକ ପାଖରେ ଥିବା ସଂଚିତ ମୁଦ୍ରାକୁ କୌଣସି ଲାଭଜନକ ବ୍ୟବହାରରେ ଲଗାଇବାର ଏକ ପ୍ରଧାନ ମାର୍ଗ ହେଲା ଉତ୍ପାଦନକାରୀ କଂପାନୀର ଭାଗ ମୂଳଧନରେ ତାକୁ ଲଗାଇବା । ଏଥିପାଇଁ ପୁଞ୍ଜି ବଜାର ଅଛି। ସେଠୁ ମନକୁ ପାଇଲାଭଳି କଂପାନୀର ମୂଳଧନଭାଗ କିଣିହେବ । ମାତ୍ର ଆମ ଦେଶରେ ଏ ବଜାର ଓ ତହିଁର ବ୍ୟବହାର ବାବଦରେ ଅଧିକାଂଶ ସହରୀ ଲୋକଂକର ବି ଧାରଣା ଅତି କମ୍ । ତାଂକ ସଂଚୟକୁ ନେଇ ତାକୁ ଉପଯୁକ୍ତ କଂପାନୀର ବ୍ୟବସାୟରେ ଲଗାଇବାପାଇଁ ସବୁଦେଶଭଳି ଆମଦେଶରେ ସଂସ୍ଥା ଅଛଂତି । ତାକୁ ମ୍ୟୁଚୁଅଲ୍ ଫଣ୍ଡ କଂପାନୀ କୁହାଯାଏ ।
୧୯୯୩ ପର୍ଯ୍ୟନ୍ତ ଭାରତରେ ଅଳ୍ପ କେତେକ ସରକାରୀ ବ୍ୟାଂକ, ଯଥା ଷ୍ଟେଟ୍ ବ୍ୟାଂକ, ବ୍ୟାଂକ ଅଫ୍ ଇଂଡିଆ, ଇଂଡିଅାନ୍ ବ୍ୟାଂକ, କାନାରା ବ୍ୟାଂକ, ପଂଜାବ ନାସନାଲ୍ ବ୍ୟାଂକ ଓ ବ୍ୟାଂକ ଅଫ୍ ବରୋଦାକୁ ନିଜ ନିଜର ମ୍ୟୁଚୁଅଲ୍ ଫଣ୍ଡ କଂପାନୀ ଖୋଲିବାପାଇଁ ଅନୁମତି ଦିଆଯାଇଥିଲା । ୟାଂକ ବାଦ୍ ୟୁନିଟ୍ ଟ୍ରଷ୍ଟ ଅଫ୍ ଇଂଡିଆ ନାମକ ଏକ ସ୍ବତଂତ୍ର ଆଇନ ଦ୍ବାରା ଗଠିତ ଏକ ଖାସ୍ ସଂସ୍ଥା ଥିଲା । ମାତ୍ର ତାହା ମ୍ୟୁ. ଫଣ୍ଡ ନୁହେଁ । ୧୯୯୩ରେ ମ୍ୟୁଚୁଅଲ୍ ଫଣ୍ଡ ବ୍ୟବସାୟ ଘରୋଇ ଅନୁଷ୍ଠାନଂକୁ ଖୋଲା କରିଦିଆଗଲା । ଏ ବ୍ୟାଂକ ଓ ଘରୋଇ ଅନୁଷ୍ଠାନମାନେ ତାଂକ ମ୍ୟୁଚୁଅଲ୍ ଫଣ୍ଡ ସଂସ୍ଥାପାଇଁ ଦେଶରେ ଉପଲବ୍ଧ ଦି’ ପ୍ରକାରର ଆଇନ ଭିତରୁ କୌଣସି ଗୋଟିକ ଅନୁସାରେ ସଂସ୍ଥା ଗଠନ କଲେ। ଗୋଟିଏ ହେଲା ୧୮୮୨ର ଇଂଡିଅାନ୍ ଟ୍ରଷ୍ଟ ଆକ୍ଟ । ଏ ଆଇନ ଅନୁସାରେ ବ୍ୟାଂକ ବା ଘରୋଇ ସଂସ୍ଥାମାନ ନିଜନିଜର ମ୍ୟୁ. ଫଣ୍ଡ ସଂସ୍ଥାକୁ ଏକ ଟ୍ରଷ୍ଟ ଭାବରେ ଗଢିଲେ ଏବଂ ଆୟକର ଆଇନର ସେକ୍ସନ୍ ୧୦ (୧୦ଡି) ଅନୁସାରେ ତହିଁର ସୁବିଧା ଅର୍ଜନ କଲେ । ଦ୍ବିତୀୟଟି ହେଲା ୧୯୫୬ ର କଂପାନୀ ଆଇନ ଅନୁସାରେ ଏକ ଆସେଟ୍ ମ୍ୟାନେଜମେଂଟ କଂପାନୀ ଗଢି ତା’ ସାହାଯ୍ୟରେ ଅର୍ଥର ବିନିଯୋଗ କଲେ । ସର୍ବସାଧାରଣ କଂପାନୀଂକ ଦେଖରେଖକାରୀ ସଂସ୍ଥା ସେବିକୁ ଏ ମ୍ୟୁଚୁଅଲ୍ ଫଣ୍ଡଙ୍କ ଦୈନିକ କାରବାରଲାଗି ନିୟମ ପ୍ରଣୟନର ଦାୟିତ୍ବ ଦିଆଗଲା ।
ହେଲେ, ଏ ସଂସ୍ଥାଂକପାଇଁ ଦେଖରେଖକାରୀ ନିୟମ ତିଆରିହେବାର ପଚିଶ ବର୍ଷପରେ ବି ଅନ୍ୟ ବିତ୍ତୀୟ ସଂସ୍ଥାଂକ ତୁଳନାରେ ଏ ମ୍ୟୁ. ଫଣ୍ଡଙ୍କ କାରବାର ବହୁତ ନିମ୍ନ ସ୍ତରର । ଉଦାହରଣ ସ୍ବରୂପ, ଘରୋଇ ବୀମା ସଂସ୍ଥାଂକୁ ନିଆଯାଉ । ଏ ପ୍ରକାରର ସଂସ୍ଥା ଭାରତରେ ମ୍ୟୁ. ଫଣ୍ଡ ଆରଂଭ ହେବାର ଅନେକ କାଳ ପରେ ଆରଂଭ ହେଲା । ମାତ୍ର ୟାଂକ ବ୍ୟବସାୟ ମ୍ୟୁ. ଫଣ୍ଡଙ୍କ ବ୍ୟବସାୟ ଅପେକ୍ଷା ବହୁଗୁଣରେ ବଢିଚାଲିଚି । ଏହାର ଏକ ପ୍ରମୁଖ କାରଣ ହେଲା ଯେ ମ୍ୟୁ. ଫଣ୍ଡଙ୍କ ବ୍ୟବସାୟ ଲୋକଂକ ଦୁଆର ପର୍ଯ୍ୟନ୍ତ ପହଁଚାଇବା ପାଇଁ ନିଯୁକ୍ତ ଲୋକଂକ ସଂଖ୍ୟା ୨୦୦୦ ମସିହାପରେ ପାଂଚ ଲକ୍ଷରୁ କମି ଏବେ ଆସି ଲକ୍ଷେ ଚାଳିଶ ହଜାରରେ ପହଁଚିଛି । ୟା ଓଲଟି ଘରୋଇ ବୀମା ବ୍ୟବସାୟର କର୍ମୀଂକ ସଂଖ୍ୟା ୨୦୦୦ ମସିହାରେ ଥିବା ଛଅ ଲକ୍ଷରୁ ବଢି ଏବେ ତିରିଶ ଲକ୍ଷରୁ ଊର୍ଦ୍ଧ୍ବରେ ପହଁଚିଛି ।
ଦ୍ବିତୀୟରେ, ଗତ ପଚିଶ ବର୍ଷ ଭିତରେ ତିରିଶରୁ ଅଧିକ ଜାଗତିକ ମ୍ୟୁ. ଫଣ୍ଡ ଭାରତକୁ ବ୍ୟବସାୟପାଇଁ ଆସି ବାହାରି ଯାଇଛଂତି । ତାଂକ ଭିତରୁ ଅନେକଂକୁ ପଚାରିଲେ କହିବେ ଯେ ବ୍ୟବସାୟ ପାଇଁ ଘନଘନ ଅନାକଳନୀୟ ନିୟମ ପରିବର୍ତ୍ତନ ସେମାନେ ବାହାରି ପଡିବାର ପ୍ରଧାନ କାରଣ । ହଠାତ୍ ନିୟମ ପରିବର୍ତ୍ତନ, ହଠାତ୍ ଫି ଓ ଅନ୍ୟ ଦେୟର ବୃଦ୍ଧି ଫଳରେ ପ୍ରାରଂଭିକ ସ୍ତରରୁ ସେମାନଂକୁ ଛାଡି ଚାଲିଯିବାକୁ ପଡିଲା ।
ଆଜି ମ୍ୟୁଚୁଅଲ୍ ଫଣ୍ଡମାନେ ଟ୍ରଷ୍ଟ ଆକ୍ଟ, କଂପାନୀ ଆକ୍ଟ୍ ଓ ସେବି ଆକ୍ଟ ଦ୍ବାରା ପରିଚାଳିତ । ମ୍ୟଚୁଅଲ୍ ଫଣ୍ଡ ଚଳେଇବା ପାଇଁ ଏକ ଖାସ୍ ଆଇନ ନାହିଁ । ସେବିର ମ୍ୟୁଚୁଅଲ୍ ଫଣ୍ଡ ବିଭାଗ ତାଂକ ମନ ମୁତାବକ ବରାବର ତାଂକ ଲିଖିତ ନିର୍ଦେଶ ଓ ନିୟମ ପରିବର୍ତ୍ତନ କରଂତି । ତେଣୁ ମ୍ୟୁ. ଫଣ୍ଡକୁ ତାଂକ ବ୍ୟବସାୟରେ ନିମ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । —
୧. ଅଳ୍ପ କେତେକ ବଡବଡିଆ ମ୍ୟୁ. ଫଣ୍ଡ ନିୟମ ପରିବର୍ତ୍ତନର ଲାଭ ନେବାର ବିପଦ, ଅଳ୍ପ ହେଲେ ବି, ଅଛି ।
୨. ସେବି ଅଫିସର ବଦଳିଲେ ନିୟମ ବଦଳିବାର ସଂଭାବନା ।
୩. ସେବିର ନିୟମସବୁ ବାହାରର ଚାପ ଫଳରେ ବଦଳିବାର ଭୟ ।
୪. କୌଣସି ଏକ ସଂସ୍ଥାକୁ ଅନ୍ୟ କେତେକଂକ ବିରୋଧରେ ଖେଳାଇବାର ସଂଭାବନା ହେତୁ ସମସ୍ତଂକୁ ସମାନ ସୁଯୋଗ ନ ମିଳିବାର ଭୟ ।
୫. ନିୟମ ବହିର୍ଭୂତ ଶକ୍ତି କେଂଦ୍ର ଉଭା ହେବାର ସଂଭାବନା ।
୬. ଟ୍ରଷ୍ଟିମାନେ, ଯେଉଁମାନେ ଫଣ୍ଡର କାରବାର ଉପରେ ନଜର ରଖିବାର କଥା, ସେମାନଂକ ପାଇଁ ସ୍ଥିର ଆଇନର ବ୍ୟବସ୍ଥା ନାହିଁ । ଦେଖରେଖକାରୀ ସଂସ୍ଥାର ପ୍ରତ୍ୟେକ ନିୟମ ପରିବର୍ତ୍ତନ ଯୋଗୁ ଖର୍ଚ୍ଚ ବଢେ । ଫଳରେ ଫଣ୍ଡର ଖର୍ଚ୍ଚକୁ ଅକ୍ତିଆରରେ ରଖିବାର ଉଦ୍ୟମ ଗୋଳମାଳରେ ପଡି ଫଣ୍ଡ କ୍ଷତିଗ୍ରସ୍ତ ହୁଏ ।
ଦୁନିଆର ସବୁ ଦେଶରେ ମ୍ୟୁଚୁଅଲ୍ ଫଣ୍ଡ ସଂସ୍ଥା ଏକ ଉପଯୁକ୍ତ ସ୍ଥିର ଆଇନ୍ ଓ ଦଂଭିଲା ଦେଖରେଖକାରୀ ସଂସ୍ଥା ସାହାଯ୍ୟରେ ଗଢି ଉଠିଚି । ଯୁକ୍ତରାଷ୍ଟ୍ର ଆମେରିକାରେ ଅଛି ଇନ୍ଭେଷ୍ଟମେଂଟ କଂପାନିଜ୍ ଆକ୍ଟ, ୟୁରୋପରେ ୟୁରୋପିଅନ୍ ପାର୍ଲିଆମେଂଟର ଅଂଡରଟେକିଂ ଅଫ୍ କଲେକ୍ଟିଭ୍ ଇନଭେଷ୍ଟମେଂଟ ଇନ୍ ଟ୍ରାନ୍ସଫରେବଲ୍ ସିକ୍ୟୁରିଟିଜ୍ ଆଇନ, ଏବଂ ସିଂଗାପୁରରେ ଅଛି ନିକଟରେ ଗୃହୀତ ଭେରିଏବ୍ଲ କ୍ୟାପିଟଲ୍ କଂପାନି ଆଇନ । ଏ ସବୁ ହେଲେ ମୂଳଧନ ବିନିଯୋଗ ସଂସ୍ଥାଂକ ପରିଚାଳନାପାଇଁ ଏକ ବଳିଷ୍ଠ ଆନୁଷ୍ଠାନିକ ବ୍ୟବସ୍ଥା । ପ୍ରତି କ୍ଷେତ୍ରରେ ଏ ପ୍ରକାରର ବ୍ୟବସାୟର ବୃଦ୍ଧି ସାଂଗକୁ ଏଭଳି ଆଇନର ପରିବର୍ଦ୍ଧନ ଘଟିଛି ।–
ସିଂଗାପୁରରେ ଗତ ମାତ୍ର କେତେ ବର୍ଷ ଭିତରେ ଏ ବ୍ୟବସାୟର ଆରଂଭ ହେଲା । ସେଠାର ଆଇନ ବ୍ୟବସ୍ଥା ଭାରି ଫଳପ୍ରଦ ହୋଇଛି । ଦୁନିଆର ଅନେକ ବଡବଡ ମୂଳଧନ ବିନିଯୋଗକାରୀ ସଂସ୍ଥା ଏସିଆ ମହାଦେଶରେ ବିନିଯୋଗପାଇଁ ସିଂଗାପୁରରେ ତାଂକ ସଂସ୍ଥାର ବ୍ରାଂଚ୍ ଖୋଲିଚଂତି । ବାସ୍ତବିକ ୟୁଟିଆଇ ଭଳି କେତେକ ଭାରତୀୟ ସଂସ୍ଥା ତାଂକର ଆଂତର୍ଜାତିକ ବ୍ୟବସାୟପାଇଁ ସେଠାରେ ବ୍ରାଂଚ ଖୋଲିଚଂତି ।
ୟୁରୋପୀୟ ଆଇନ ଯୋଗୁଁ କେବଳ ୟୁରୋପରୁ ନୁହେଁ, ଆମେରିକା, ପଶ୍ଚିମ ଏସିଆ, ପୂର୍ବ ଏସିଆ, ଏପରିକି ଭାରତରୁ ବି ସଂଚୟ ଅର୍ଥ ସେଠାକୁ ଯାଇ ବିନିଯୋଗ ହେଉଚି । ଏହାର ଅସଲ କାରଣ ହେଲା, ଉଭୟ ସଂଚୟକାରୀ ତଥା ତାହାର ବିନିଯୋଗକାରୀ ସଂସ୍ଥାର ପରିଚାଳକମାନେ ସେଥିପାଇଁ ଗଠିତ ଆଇନର ସ୍ଥାୟିତ୍ବ ଓ ଉପଯୋଗିତା ଦେଖି ସଂତୋଷ ଅନୁଭବ କରିଛଂତି । କେତେକ ଭାରତୀୟ ସଂସ୍ଥା ଯାଇ ଲଂକ୍ସଂବର୍ଗ ଓ ଆୟର୍ଲାଂଡ ଭଳି ୟୁରୋପୀୟ ଦେଶରେ ତାଂକ ଅଫିସ୍ ଖୋଲି, କେବଳ ଭାରତୀୟ ନୁହେଁ, ଦୁନିଆର ଅନ୍ୟ ଦେଶର ସଂଚୟ ଭାରତରେ ବିନିଯୋଗପାଇଁ ଆକର୍ଷିତ କରିବାରେ ଲାଗିଚଂତି ।
ଭାରତରେ ଅନ୍ୟ ସଂଚୟ ବିନିଯୋଗକାରୀ ସଂସ୍ଥାମାନ ଗତ ଅନେକ ବର୍ଷ ଭିତରେ ତାଂକପାଇଁ ଗଠିତ ଆଇନର ସ୍ଥାୟିତ୍ବ ଓ ଦୃଢ ଦେଖରେଖକାରୀ ସଂସ୍ଥାକ କାର୍ଯ୍ୟ ଯୋଗୁଁ ପ୍ରଗତି ପଥରେ ଚାଲିଚଂତି । ଯଥା –
ବ୍ୟାଂକମାନେ ବ୍ୟାଂକିଂ ରେଗୁଲେସନ୍ ଆଇନ ଦ୍ବାରା ପରିଚାଳିତ ଓ ରିଜର୍ଭ ବ୍ୟାଂକ ତାଂକର ଦେଖରେଖକାରୀ ସଂସ୍ଥା ।
ବୀମା କଂପାନୀମାନେ ଇନ୍ସୁରାନ୍ସ ଆଇନ ଦ୍ବାରା ପରିଚାଳିତ ଓ ଆୟଆର୍ଡିଏ ତାଂକର ଦେଖରେଖକାରୀ ସଂସ୍ଥା ।
ପେନ୍ସନ ଫଣ୍ଡ, ପ୍ରୋଭିଡେଂଟ୍ ଫଣ୍ଡ ମାନ ପିଏଫ୍ ଆରଡିଏ ଆଇନ ଏବଂ ଏମ୍ପ୍ଲୟିଜ୍ ପ୍ରୋଭିଡେଂଟ୍ ଫଣ୍ଡ ଆଇନ ଦ୍ବାରା ପରିଚାଳିତ ଓ ତାଂକର ଦେଖରେଖ କରଂତି ପିଏଫ୍ଆର୍ଡିଏ ଓ ଇପିଏଫ୍ଓ ।
ଭାରତରେ ବିନିଯୋଗପାଇଁ ମୂଳଧନର ବିଶେଷ ଅଭାବ । ଏହାର ମୁଖ୍ୟ କାରଣ, ଏଣେ ସଂଚୟର ହାର ଯଥେଷ୍ଟ ଥିଲେ ମଧ୍ୟ ଉପଯୁକ୍ତ ବିତ୍ତ ବିନିଯୋଗକାରୀ ସଂସ୍ଥା ଠିକଣାରେ ଚାଲିବାର ଅଭ୍ୟାସ ନାହିଁ । ଘରୋଇ ସଂଚୟ ମୂଳଧନରେ ବିନିଯୋଗ ହେବାଟା ଏବେ ବି ଶତକଡା ଦଶ ଭାଗରୁ କମ୍ ।
ଯେଉଁ ପ୍ରକାରର ମ୍ୟୁଚୁଅଲ୍ ଫଣ୍ଡ ବିଦେଶରେ ଏ କାମ ଉପଯୁକ୍ତ ଭାବରେ କରୁଚଂତି, ସେ ପ୍ରକାରର ଫଣ୍ଡ ଆମ ଦେଶରେ ଅନେକ ଦିନରୁ ଆରଂଭ ହୋଇ ମଧ୍ୟ ତାଂକ ଇତିହାସ ଯେମିତିସେମିତି ।
ଏବେ ମ୍ୟୁଚୁଅଲ୍ ଫଣ୍ଡମାନଙ୍କରେ ସିସ୍ଟମାଟିକ୍ ଇନ୍ଭେଷ୍ଟମେଂଟ ପ୍ଲାନ୍ (ଯାହାଦ୍ବାରା ପ୍ରତିମାସରେ ନିଜଆଡୁ ସ୍ଥିର କରାଯାଇଥିବା ରାଶି ନିୟମରେ ବିନିଯୋଗ ହେବ) ର ପ୍ରଗତି ଦେଖିଲେ ଜାଣିହୁଏ ଆମ ସଂଚୟକାରୀ ଓ ତାଂକ ମଝିଆଁ ସଂସ୍ଥାକୁ ଏକ ଦୀର୍ଘ ମିଆଦି ବିନିଯୋଗ ଯୋଜନା ଦେଖାଇ ପାରିଲେ କେତେ ଆଗ୍ରହ ପ୍ରକାଶ ପାଆଂତା । ଅସଲ କଥା ହେଲା, ପ୍ରତି ମ୍ୟୁଚୁଅଲ୍ ଫଣ୍ଡକୁ ପ୍ରତ୍ୟେକ ଛୋଟ ସହର ପର୍ଯ୍ୟନ୍ତ ପହଁଚାଇପାରିବା । ଅନୁମାନ କରାଯାଇଚି ଯେ ଦୃଢ ଓ ସ୍ଥାୟୀ ବ୍ୟବସ୍ଥା ଓ ଏକ କଠୋର ଦେଖରେଖକାରୀ ସଂସ୍ଥା ଥିଲେ, ଆଜିର ବାଇଶ ଲକ୍ଷ କୋଟି ଟଂକାରୁ ବଢି ଆସଂତା ପାଂଚ-ସାତ ବର୍ଷ ଭିତରେ ଏ ସଂସ୍ଥାଂକ ମାର୍ଫତ୍ ମୂଳଧନ ବିନିଯୋଗ ପଚାଶରୁ ପଚସ୍ତରି ଲକ୍ଷ କୋଟି ଟଂକାରେ ପହଁଚି ପାରଂତା ।
ସ୍ପଷ୍ଟ, ସ୍ଥିର ଓ ଦଂଭିଲା ବିନିଯୋଗକାରୀ ସଂସ୍ଥାଂକ ଫଳରେ ବିଦେଶୀ ଆଂତର୍ଜାତିକ ବିନିଯୋଗକାରୀ ସଂସ୍ଥାମାନ ବହୁ ଅବ୍ଜ ଡଲାରର ସଂଚୟ ବିନିଯୋଗପାଇଁ ଆକର୍ଷିତ କରପାରିଚଂତି । ସେମାନେ ଗତ ଦୁଇ ଦଶଂଧି ଭିତରେ ବିରାଟ ମୂଳଧନ ବିନିଯୋଗକାରୀ ସଂସ୍ଥା ହୋଇପାରିଚଂତି । ମାତ୍ର ଏଣେ ଆମ ଦେଶର ସଂସ୍ଥାମାନଂକର ବଢିବାପାଇଁ ଦୃଢ଼ତା ଦେଖିହେଉନାହିଁ । ଆମ ଦେଶରେ ଉପଯୁକ୍ତ ସ୍ପଷ୍ଟ, ସ୍ଥିର ଓ ଦୃଢ ଆଇନ ଥିଲେ ଓ କଠୋର ଦେଖରେଖକାରୀ ସଂସ୍ଥା ଥିଲେ ଆମ ଦେଶର ଫଣ୍ଡମାନେ ଖାଲି ଦେଶର ନୁହେଁ, ବିଦେଶରେ ଥିବା ମୂଳଧନ ଦେଶକୁ ଆକର୍ଷିତ କରିପାରଂତେ ।
ସଂସ୍ଥା ଭାଂଗିବା ପରିବେର୍ତ୍ତ ଗଢିବାର ହେଲେ କଅଣ କରିହୁଅଂତା ଏହା ତାହାର ଉଦାହରଣ ମାତ୍ର ।
(ଅନୁବାଦକ – ନୀଳକଂଠ ରଥ)
Comments are closed.