BJD Bijuli 480×75 Mob

ମାସୁଦକୁ ଚୀନର ସୁରକ୍ଷା

BJD Bijuli 480×75 Mob
0

ଏକ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାରେ କ୍ଷମତା ଯେତେବେଳେ କିଛି ସୀମିତ ଗୋଷ୍ଠୀକୁ ସୁହାଏ ଓ ସଂପୃକ୍ତ ଗୋଷ୍ଠୀର ସଦସ୍ୟ ଅଖଣ୍ଡ ବ୍ୟକ୍ତିଗତ କ୍ଷମତାର ଅଧିକାରୀ ହୁଅନ୍ତି ସେତେବେଳେ ଅନ୍ୟମାନେ ଉପେକ୍ଷିତ ହେବାକୁ ବାଧ୍ୟ ହୁଅନ୍ତି। ଆମ ମିଳିତ ଜାତିସଂଘର ଅବସ୍ଥା ଠିକ୍‌ ସେୟା। ଏହି ବିଶ୍ବ ପଞ୍ଚାୟତରେ ଯେଉଁ ପଞ୍ଚରାଷ୍ଟ୍ର (ଆମେରିକା, ରୁଷିଆ, ଚୀନ, ଫ୍ରାନ୍ସ ଓ ବ୍ରିଟେନ) ଭିଟୋ କ୍ଷମତାର ଅଧିକାରୀ ସେମାନେ ସମସ୍ତେ ଏକ ନ’ହେଲେ ନିରାପତ୍ତା ପରିଷଦରେ କୌଣସି ପ୍ରସ୍ତାବ ଗୃହୀତ ହେବା ସମ୍ଭାବନା ଶୂନ। ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବାପାଇଁ ଭିଟୋ କ୍ଷମତା ଥିବା ଦୁଇରାଷ୍ଟ୍ର ଫ୍ରାନ୍ସ ଓ ବ୍ରିଟେନ ନିରାପତ୍ତା ପରିଷଦରେ ଯେଉଁ ପ୍ରସ୍ତାବ ଆଣିଥିଲେ ତାକୁ ଅନ୍ୟ ଦୁଇ ଭିଟୋକ୍ଷମତା ସମ୍ପନ୍ନ ରାଷ୍ଟ୍ର ଆମେରିକା ଓ ରୁଷିଆ ପୂର୍ଣ୍ଣ ସମର୍ଥନ କରିଥିଲେ। ହେଲେ ଯାହା ଆଶଙ୍କା ଥିଲା ତାହା ସତ୍ୟରେ ପରିଣତ ହେଲା ଏବଂ ଚୀନର ବିରୋଧ ଯୋଗୁଁ ନିରାପତ୍ତା ପରିଷଦରେ ଏହା ଗୃହୀତ ହୋଇପାରିନାହିଁ। ପରିଷଦର ପାଞ୍ଚସ୍ଥାୟୀ ଓ ୧୦ ଅସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ କେବଳ ଚୀନର ବିରୋଧ ଯୋଗୁ ଏହା ସମ୍ଭବ ହେଲାନାହିଁ। ଏହାକୁ ମିଶାଇ ଚତୁର୍ଥଥର ପାଇଁ ଚୀନ ଏହାକୁ ବିରୋଧ କରି ମାସୁଦ ଅଜହର ଓ ପାକିସ୍ତାନ ସପକ୍ଷରେ ଓକିଲାତି କରିଛି। ପୂର୍ବରୁ କୁହାଯାଇଛି ଯେ ଭିଟୋ କ୍ଷମତାଥିବା ଯେ କୌଣସି ରାଷ୍ଟ୍ର ନ’ଚାହିଁଲେ ନିରାପତ୍ତା ପରିଷଦରେ କୌଣସି ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ନାହିଁ।
ଚୀନର ଏହି କାର୍ଯ୍ୟ ଅପ୍ରତ୍ୟାଶିତ ନଥିଲା। ଭାରତ କୂଟନୈତିକ ସ୍ତରରେ ଚୀନ ବ୍ୟତୀତ ନିରାପତ୍ତା ପରିଷଦର ସବୁ ରାଷ୍ଟ୍ରଙ୍କ ସମର୍ଥନ ପାଇଥିଲେ ମଧ୍ୟ ତାହାର ଉଦ୍ଦେଶ୍ୟ ସାଧିତ ହୋଇପାରିନାହିଁ। ମାସୁଦ ଅଜହର ବିମାନ ଅପହରଣ, ଆତଙ୍କବାଦୀ କାର୍ଯ୍ୟ ଏବଂ ନାନା ପ୍ରକାର ଆତଙ୍କ ଓ ସନ୍ତ୍ରାସ ସହିତ ବ୍ୟକ୍ତିଗତଭାବେ ଓ ନିଜର ସଂଗଠନ ମାଧ୍ୟମରେ ସଂପୃକ୍ତ। ସାରା ଦୁନିଆ ପାଖରେ ଏହାର ଯଥେଷ୍ଟ ପ୍ରମାଣ ରହିଛି। ଏହା ସତ୍ତ୍ବେ ଚୀନ ଏଥିରେ ସନ୍ତୁଷ୍ଟ ନ’ହୋଇ ଏହି ଆତଙ୍କବାଦୀ ବିରୋଧରେ ଅଧିକ ପ୍ରମାଣ ଚାହିଁବା ଏକ ବାହାନା ମାତ୍ର। ଚୀନ-ପାକିସ୍ତାନ ସୁ-ସମ୍ପର୍କ ଏହାର ମୁଖ୍ୟ କାରଣ। ପାକିସ୍ତାନରେ ଚୀନର ବଡ଼ ଆର୍ଥିକ, ବ୍ୟାବସାୟିକ ଓ ରଣକୌଶଳାତ୍ମକ ସ୍ବାର୍ଥ ନିହିତ ଅଛି। କାରାକୋରମ ଦେଇ ନୂଆ ସିଲ୍‌କରୁଟ ନିର୍ମାଣ କରି ଚୀନ ପାକିସ୍ତାନ ଓ ମଧ୍ୟ ଏସିଆରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହୀ। ଏହାଛଡ଼ା ଭାରତ ମହାସାଗରକୁ ପାକିସ୍ତାନ ଦେଇ ରାସ୍ତା ଖୋଲିବାକୁ ମଧ୍ୟ ଉଦ୍ୟମ ଚଳାଇଛି। ତେଣୁ ଦ୍ରୁତ ବିକାଶଶୀଳ ଭାରତକୁ ଚାପରେ ରଖିବାକୁ ଏସିଆର ବୃହତ୍‌ଶକ୍ତି ଚୀନ ପାକିସ୍ତାନକୁ ବ୍ୟବହାର କରୁଛି। ସେ ଦୃଷ୍ଟିରୁ ପାକ୍‌ଆତଙ୍କବାଦୀ ମାସୁଦ୍‌ ଅଜହରକୁ ସମର୍ଥନ କରିଆସୁଛି। ଅଜହରକୁ ସୁରକ୍ଷିତ ରଖିବାକୁ ପାକିସ୍ତାନ ଚୀନକୁ ନେହୁରା ହେବାର ପ୍ରଥମ କାରଣ ହେଲା ସେ ଯଦି ବିଶ୍ବ ଆତଙ୍କବାଦୀ ଘୋଷିତ ହୁଏ ତେବେ ତା’ଉପରେ ଆର୍ଥିକ, ଆଇନଗତ ଓ ଅନ୍ୟାନ୍ୟ କଟକଣା ଲାଗୁହେବ। ତା’ସଂଗଠନ ନିଷିଦ୍ଧ ହେବାସହ ବିଦେଶରୁ ସେ ଆର୍ଥିକ ଓ ସାମରିକ ସହାୟତା ପାଇପାରିବ ନାହିଁ। ତାକୁ ଦେଶରୁ ତଡ଼ିବାକୁ କିମ୍ବା ଗିରଫ କରି ଆନ୍ତର୍ଜାତିକ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ବାଧ୍ୟ ହେବ। ମାସୁଦ ଭଳି ଆଉ କେତେକ କୁଖ୍ୟାତ ଆତଙ୍କବାଦୀ ପାକିସ୍ତାନରେ ଆଡ୍ଡା ଜମାଇ ପାକ୍‌ସରକାରଙ୍କ ପକ୍ଷରୁ ବସ୍ତୁତଃ ଭାରତ ବିରୋଧରେ ଛାୟାଯୁଦ୍ଧ ଚଳାଇଛନ୍ତି।
ଏହି ପ୍ରସଙ୍ଗରେ ଚୀନ ତା’ର ଭୂମିକା ପାଇଁ ବିଶ୍ବବ୍ୟାପୀ ନିନ୍ଦିତ ହେବା ସତ୍ତ୍ବେ ନିଜ ସ୍ବାର୍ଥ ପାଇଁ ଖଳନାୟକ ସାଜିଛି। ଭାରତ ସମେତ ମଧ୍ୟପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ଆତଙ୍କବାଦର ଯେଉଁ ଭୟଙ୍କର ଚେହେରା ଦେଖିଛନ୍ତି ସେ ଦୁର୍ଭାଗ୍ୟ ଚୀନର ଆସିନାହିଁ। ୟୁଘର ଇସଲାମୀୟ ଗୋଷ୍ଠୀ ପକ୍ଷରୁ ଯେଉଁ ପ୍ରତିରୋଧ ଚୀନରେ ଚାଲିଛି ତାହାକୁ କମାଣଚଳାଇ ବେଜିଂ ଚାପି ରଖିଛି। ପ୍ରତ୍ୟେକ ରାଷ୍ଟ୍ରର ଆଭ୍ୟନ୍ତରୀଣ ସମସ୍ୟା ରହିଛି ଓ ଚୀନ ଏଥିରୁ ଅଲଗା ନୁହେଁ। ଆଜି ନ’ ହେଲେ ମଧ୍ୟ ଆସନ୍ତାକାଲି ଯେ ସେଠାରେ ଆତଙ୍କବାଦ ଉଗ୍ର ଆକାର ଧାରଣ ନ’କରିବ, ଏହାର ଗ୍ୟାରେଣ୍ଟି ଦେଇହେବ ନାହିଁ। ଭାରତ-ପାକିସ୍ତାନ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଚୀନ ଯେଉଁ ପରାମର୍ଶ ଦେଉଛି ତାହା ନିରର୍ଥକ। ଏ ପ୍ରସଙ୍ଗରେ ତା’ର କଜଳପାତିଆ ଭଦ୍ରଲୋକିର ଆବଶ୍ୟକତା ନାହିଁ। ସବୁଠୁ ବଡ଼କଥା ହେଲା ଭିଟୋ କ୍ଷମତାଥିବା ନିରାପତ୍ତା ପରିଷଦର ଅନ୍ୟ ଚାରିରାଷ୍ଟ୍ର, ଯେଉଁମାନେ ଆତଙ୍କବାଦର ଭୟାବହତା ଏକାଧିକବାର ଦେଖିଛନ୍ତି ସେମାନେ ମାସୁଦ ଅଜହର ଭଳି ଆତଙ୍କ ଓ ମୃତ୍ୟୁର ସୌଦାଗରମାନଙ୍କୁ ସାବାଡ଼ କରିବାକୁ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯତ୍ନବାନ ହେବା ଆବଶ୍ୟକ। ଓସାମାବିନ ଲାଡ଼େନ ଓ ଏହାର ସଂଗଠନ ଅଲକାଏଦା, ଆଇଏସଆଇଏସ ଓ ଆତଙ୍କବାଦୀ ସଂଘ ବୋକୋ ହାରମ୍‌ ଭଳି ସଂଗଠନ ଓ ଏହାର ମୁଖ୍ୟମାନଙ୍କ ବିରୋଧରେ ଯେଭଳି ଉଲ୍ଲେଖନୀୟ ଆନ୍ତର୍ଜାତିକ କାର୍ଯ୍ୟାନୁଷ୍ଠାନ ହୋଇଛି ଅଜହର ସମେତ ପାକ୍‌ଭିତ୍ତିକ ସବୁ ଆତଙ୍କବାଦୀ ସଂଗଠନ ଓ ନେତାଙ୍କ ବିରୋଧରେ ସେଭଳି କାର୍ଯ୍ୟାନୁଷ୍ଠାନ ଲୋଡ଼ା। କହିବା ବାହୁଲ୍ୟ ଯେ ଆତଙ୍କବାଦ କେବଳ ଭାରତର ସମସ୍ୟା କିମ୍ବା ଗୋଟିଏ ଦେଶ ପାଇଁ ବିପଦ ନୁହେଁ। ଏହା ସମଗ୍ର ବିଶ୍ବ ଓ ମାନବଜାତି ପାଇଁ ଏକ ମହାବିପଦ। ଏହାର ଗେଣ୍ଡୁ ତାଡ଼ିବାର ସମୟ ଆସିଛି। ବିଶ୍ବସମୁଦାୟ ଏହିି ଆହ୍ବାନର ମୁକାବିଲା କରୁ।

Leave A Reply