BJD Bijuli 480×75 Mob

ମାତୃଭାଷା : ସଂକଟ ନା ସମ୍ଭାବନା

BJD Bijuli 480×75 Mob
0

ଡ.ଦେବୀପ୍ରସନ୍ନ ପଟ୍ଟନାୟକ

ମାତୃଭାଷା କହିଲେ ମା’ର ଭାଷା। ସାଧାରଣ ଲୋକଙ୍କ ଧାରଣା, ‘ଭୂମିଷ୍ଠ ହେବା ପରଠାରୁ ଶିଶୁଟିଏ ତା’ର ମାତାପିତା ପରିବାର ସ୍ବଜନଙ୍କଠାରୁ ଯେଉଁ ଭାଷା ଆହରଣ କରେ ତାହା ତା’ର ମାତୃଭାଷା।’ ପରିବେଶର ଭାଷା ଶିଶୁର ଭାଷା ଜ୍ଞାନକୁ ପ୍ରଭାବିତ କରେ। ଆଞ୍ଚଳିକ ଭାଷା ତା ପରିବେଶର ପ୍ରଥମ ଓ ପ୍ରଧାନ ଭାଷା। ବୃତ୍ତିଗତ ଭାଷା, ଗୋଷ୍ଠୀଗତ ଭାଷାରେ ଭିନ୍ନତା ଥିଲେ ମଧ୍ୟ ବହୁଲୋକଙ୍କ ମାତୃଭାଷା ଆଞ୍ଚଳିକ ଭାଷାହିଁ ଶିଶୁର ଦ୍ବିତୀୟ ପରିଚୟ। ଏଇ ଦ୍ବିତୀୟ ପରିଚୟଟି କ୍ରମେ ଶିଶୁର ପ୍ରଧାନ ପରିଚୟ ହୋଇଯାଏ। ଓଡ଼ିଶାରେ ବଢ଼ିଥିବା ସଭିଙ୍କର ଭାଷା ଓଡ଼ିଆ କହିଲେ ଏଇଆ ବୁଝାଯାଏ। ଓଡ଼ିଶାର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ସମତଳ ଭାଷା, ଗଡ଼ଜାତ, ମୋଗଲବନ୍ଦିର ଭାଷା, ବ୍ରାହ୍ମଣ, କରଣ, କମାର, କୁମ୍ଭାର, ବଢ଼େଇ, କେଉଟ ଆଦି ସମସ୍ତଙ୍କର ଓଡ଼ିଆ, ଓଡ଼ିଆଭାଷା ଭିତରେ ଗଣାଯିବ। ସମସ୍ତଙ୍କ ମାତୃଭାଷାରେ ଭିନ୍ନତା ଥିଲେ ସୁଦ୍ଧା ସବୁମିଶି ଓଡ଼ିଆ। ଏହାକୁ କେହି ତାଙ୍କ ଉପରେ ଲଦି ଦେଇନାହାନ୍ତି, ସେମାନେ ସ୍ବେଚ୍ଛାରେ ଗ୍ରହଣ କରିଛନ୍ତି। ଏହାହିଁ ମାନକ ଭାଷା। ତେଣୁ ଗୋଟିଏ ଦୃଷ୍ଟିରୁ ଦେଖିଲେ ଭାରତରେ ଏବଂ ଓଡ଼ିଶାରେ ସମସ୍ତେ ଦ୍ବିଭାଷୀ। ​‌େ​‌ଗାଟିଏ ଜନ୍ମର ଭାଷା, ଆଉ ଗୋଟିଏ ସର୍ଜନର ଭାଷା। ଉଭୟ ମାତୃଭାଷା। ଉପରେ ଓଡ଼ିଆ ଭାଷା ବିଷୟରେ ଯାହା କୁହାଯାଉଛି ତା ସାଙ୍ଗରେ ଉପାନ୍ତ ଓଡ଼ିଆ, ବିଦେଶରେ ଥିବା ଓ ଆଞ୍ଚଳିକ ଓଡ଼ିଆକୁ ମିଶେଇ ଦେଖିବାର ଅଛି। ଓଡ଼ିଶା ଲୋକ ସଂଖ୍ୟାର ୨୪ ପ୍ରତିଶତ ଆଦିବାସୀ। ୬୨ ଗୋଷ୍ଠୀର ୩୯ଟି ଆଦିବାସୀ ଭାଷା ବିଷୟରେ ଆମେ ଅଜ୍ଞ ଓ ନୀରବ। ଫଳରେ ଅଧିକାଂଶ ଆଦିବାସୀ ଭାଷା ମରଣ ମୁହଁରେ। ଆମର ଭାଷାନୀତି ଥିଲେ ସେମାନଙ୍କ ଭାଷା ଆମେ ଶିଖିବା ଏବଂ ସେମାନଙ୍କୁ ଆମ ଭାଷା ଶିଖେଇବା ଆମ ଶିକ୍ଷା ବ୍ୟବସ୍ଥାର ଅଙ୍ଗ ହୋଇଥାନ୍ତା।
ଏଇଠି ମୋ ଛାତ୍ର ବିଜୟ ପ୍ରସାଦ ମହାପାତ୍ର କଥା କହିବା ଉଚିତ ବୋଲି ମନେ କରୁଛି। ସିଏ ସାଙ୍ଗରେ ପାଠ ପଢ଼ୁଥିବା ଜଣେ ତାମିଲ ଝିଅକୁ ବାହାହେଲା। ଦୁହେଁ ଇଂରାଜୀରେ ପରସ୍ପର ସାଙ୍ଗରେ କଥାବାର୍ତ୍ତା କରନ୍ତି। ପିଲାମାନଙ୍କ ସାଙ୍ଗରେ ମା’ ତାମିଲରେ, ବାପା ଓଡ଼ିଆରେ ଓ ଉଭୟ ଇଂରାଜୀରେ କଥାବାର୍ତ୍ତା କରନ୍ତି। କାମ ପାଇଁ କଲିକତାରେ ରହିଲେ। କଲିକତାରେ କବାଟ ଝରକା ଖୋଲିଲେ ଘର ଭିତରେ ବଙ୍ଗଳା। ପିଲାଙ୍କ ଯତ୍ନ ନେବାକୁ ଗୋଟିଏ ହିନ୍ଦୁସ୍ତାନୀ ଆୟା ଓ ଘରର ସୁରକ୍ଷା ପାଇଁ ନେପାଳୀ ଗୁର୍ଖା ଦରୱାନ। ତାଙ୍କ ପିଲାମାନେ ଟିଉସନ କିମ୍ବା ସ୍କୁଲକୁ ଯିବା ଆଗରୁ ଓଡ଼ିଆ, ତାମିଲ, ଇଂରାଜୀ, ବଙ୍ଗଳା, ହିନ୍ଦୀ, ନେପାଳୀ ବ୍ୟବହାର କରିବାକୁ ଶିଖିଯାଇଥାନ୍ତି। ତେଣୁ ଏଇ ଛଟି ଯାକ ଭାଷାକୁ ପିଲାଙ୍କ ମାତୃଭାଷା କହିବା ଯଥାର୍ଥ ହେବ। ପିଲା ଯଦି ତାଙ୍କ ମାତୃଭାଷା ଓଡ଼ିଆ ବୋଲି କହନ୍ତି, ତେବେ ଏଇ ଛଟି ଭାଷା ଦ୍ବାରା ସମୃଦ୍ଧ ଓଡ଼ିଆ ତାଙ୍କର ମାତୃଭାଷା।
ଭାଷା, ଜାତି, ସମାଜ, ଅଞ୍ଚଳ ଓ ଦେଶକୁ ବାନ୍ଧିରଖେ। ଭାଷାଭିତ୍ତିକ ପ୍ରଦେଶ ଗଠନ ବେଳେ ସବୁଠୁ ବଡ଼ ଭୁଲ, ପ୍ରତ୍ୟେକ ଅଞ୍ଚଳକୁ ବହୁଭାଷାଭାଷୀ ରୂପେ ଘୋଷଣା ନକରିବା। କରିଥିଲେ ଭାଷାର ବିବିଧତା ମଧ୍ୟରେ ପରିପୂରକତା ଓ ପାରସ୍ପରିକତାକୁ ସ୍ବୀକାର କରି ଭାଷାନୀତି ପ୍ରସ୍ତୁତ କରାଯାଇଥାନ୍ତା। ଗୋଟିଏ ସମୟରେ ସଂସ୍କୃତ ଭାରତ ସବୁ ଅଞ୍ଚଳର ଜ୍ଞାନୀ ଗୁଣୀଙ୍କର ସମ୍ପର୍କ ଭାଷା ଥିଲା। ଏହା ଭାରତର ଜ୍ଞାନର ଭାଷାଥିଲା, କିନ୍ତୁ ଯେତେବେଳେ ସଂସ୍କୃତକୁ ଦେବଭାଷା କହି ଅନ୍ୟ ଭାରତୀୟ ଭାଷାମାନଙ୍କର ଅବ-ମୂଲ୍ୟାୟନ କରାଗଲା, ସେତେବେଳେ ସାରା ଭାରତରେ କମ୍ପନ ସୃଷ୍ଟି ହେଲା। ମରାଠି ସନ୍ଥ କବି ଏକନାଥ ଲେଖିଲେ, ‘ସଂସ୍କୃତ ଭାଷା ଦେବ କେଲି। ତରି ପ୍ରାକୃତ କାୟ ଚୋରା ପାଶୁଳ ଆଲି’। ସନ୍ଥ କବୀର ଲେଖିଲେ, ‘ସଂସ୍କୃତ କୂପ ଜଳ। ଭାଷା ବେହତା ନୀର।’ ଓଡ଼ିଆ କବି ଅଚ୍ୟୁତାନନ୍ଦ ଲେଖିଲେ, ‘ସଂସ୍କୃତ ପରାକୃତ ଯେ ବେନି ସମସରି। କେବଳ ଗୋବିନ୍ଦ ରସ ଅମିୟ ମାଧୁରୀ।’ ଏହାହିଁ ଆମ ସମନ୍ବିତ ସଂସ୍କୃତିର ସ୍ବରୂପ।
ଭାଷା ଜାତି, ସମାଜ, ଅଞ୍ଚଳ ଓ ଦେଶକୁ ଭାଙ୍ଗି ଦେବାର କ୍ଷମତା ରଖେ। ଭାଷା ଭିତ୍ତିରେ କାନାଡ଼ା ଇଂରେଜ
ଓ ଫରାସି ଭାଷାଭିତ୍ତିରେ ଦୁଇଫାଳ ହେବାକୁ ବସିଥିଲା। ଏଥିପାଇଁ ବାଟ ଖୋଜିବାକୁ ମିଳିତ ଜାତିସଂଘ ଏଗାର ଦେଶର ଯେଉଁ ସଭା ଡାକିଥିଲା, ସେଥିରେ ମୁଁ ଭାରତର ପ୍ରତିନିଧିତ୍ବ କରିଥିଲି। ସେତିକିବେଳେ ବାଂଲାଦେଶ ଯୁଦ୍ଧ ଲାଗିଥିଲା। ବଙ୍ଗଳା କହୁଥିବା ଲୋକଙ୍କ ଉପରେ ଉର୍ଦ୍ଦୁଭାଷା ଚପେଇ ଦେବାର ପ୍ରଚେଷ୍ଟା ଫଳରେ ବଙ୍ଗଳା ଭାଷାଭାଷୀଙ୍କର ପ୍ରତିବାଦ ଓ ପ୍ରତିରୋଧ ହେତୁ ଯେଉଁ ଆନ୍ଦୋଳନ ହେଲା ତାହାର ପରିଣାମ ହେଲା ଯୁଦ୍ଧ। ଏହି ଯୁଦ୍ଧରୁ ବାଂଲାଦେଶର ଜନ୍ମ ହେଲା। ୧୯୯୯ ନଭେମ୍ବର ୧୬ ତାରିଖରେ ୟୁନେସ୍କୋ ଫେବୃଆରୀ ୨୧କୁ ବିଶ୍ବମାତୃଭାଷା ଦିବସ ଘୋଷଣା କଲା। ୨୦୦୦ ଠାରୁ ଏହି ଦିବସ ପୃଥିବୀର ସବୁ ଦେଶରେ ପାଳିତ ହେଉଛି। ଆମ ଦେଶରେ ଯଦି ଆପଣାଆପଣା ମାତୃଭାଷା ଅଲଗା ପାଳନ୍ତି, ତେବେ ତିନିହଜାର ମାତୃଭାଷା ଥିବା ଏହି ଦେଶ ଖଣ୍ଡବିଖଣ୍ଡ ହୋଇଯିବ।
ହିନ୍ଦୀ ଓ ଇଂରାଜୀ କଥା ଏ ପ୍ରସଙ୍ଗରେ ବିଚାର କରିବାର ଅଛି। ଆମ ଦେଶରେ ହିନ୍ଦୀ ବୋଲି ଗୋଟିଏ ଭାଷା ନାହିଁ। ଭୋଜପୁରୀ, ମୈଥିଲି, ମଗହୀ, ବ୍ରଜ, ଅବଧି, ପାହାଡ଼ି ଆଦି ୪୯ଟି ଭାଷାକୁ ଘେନି ହିନ୍ଦୀ। ଏମାନଙ୍କୁ ଛାଡ଼ି ହିନ୍ଦୀ ନାହିଁ କିମ୍ବା ହିନ୍ଦୀକୁ ଛାଡ଼ି ଏମାନେ ନାହାନ୍ତି। ସେମାନେ ପ୍ରତ୍ୟେକ ଦ୍ବିଭାଷୀ। ସମସ୍ତଙ୍କର ମାତୃଭାଷା ଛଡ଼ା ସର୍ଜନର ଭାଷାକୁ ପଣ୍ଡିତମାନେ ନାଁ ଦେଇଛନ୍ତି ହିନ୍ଦୀ। ଅନେକଙ୍କର ଧାରଣା ଯେ ହିନ୍ଦୀ ଆମର ରାଷ୍ଟ୍ରଭାଷା। ଭାରତରେ ଥିବା ସବୁଭାଷା ରାଷ୍ଟ୍ରଭାଷା। କେହି ରାଷ୍ଟ୍ରବିରୋଧୀ ନୁହନ୍ତି। ହିନ୍ଦୀ ଆଠଟି ରାଜ୍ୟର ରାଜଭାଷା ବା ରାଜ୍ୟଭାଷା। ତା’ଛଡ଼ା ହିନ୍ଦୀଭାଷୀ ଭାରତର ସବୁରାଜ୍ୟରେ ଓ ଭାରତ ବର୍ଷର ବାହାରେ ଅନେକ ଦେଶରେ ବହୁ ସଂଖ୍ୟାରେ ଅଛନ୍ତି। ହିନ୍ଦୀକୁ ଭାରତର ଲୋକଭାଷା କହିଲେ ଅତ୍ୟୁକ୍ତି ହେବନାହିଁ।
ଅନେକଙ୍କର ଧାରଣା ଓ ଆକାଙ୍‌କ୍ଷା ଯେ ହିନ୍ଦୀ ଇଂରାଜୀ ସ୍ଥାନରେ ଅବସ୍ଥାପିତ ହେବ। ଏହା ସମ୍ଭବ ନୁହେଁ, ଉଚିତ ମଧ୍ୟ ନୁହେଁ। ଇଂରାଜୀ ବର୍ତ୍ତମାନ ବିଭିନ୍ନ ଭାଷାଭାଷୀ ବୁଦ୍ଧିଜୀବୀମାନଙ୍କର ସଂଚାର ଭାଷା। ଏହା ବର୍ତ୍ତମାନ ଭାରତୀୟ ଭାଷାମାନଙ୍କର ମାରକ ଭାଷା। ଇଂରାଜୀକୁ ଭାରତର ଅତିରିକ୍ତ ଶାସକୀୟ ଭାଷା କରିବା ନା ପାର୍ଲାମେଣ୍ଟ (ସଂସଦ)ର ମତ ଥିଲା, ନା କଂଗ୍ରେସର ସିଦ୍ଧାନ୍ତ ଥିଲା। ହିନ୍ଦୀଭାଷୀମାନଙ୍କର ହଟ୍ଟଗୋଳ ହେତୁ ବିରକ୍ତ ହୋଇ ସ୍ବାଧୀନତା ପରବର୍ତ୍ତୀ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ଯେଉଁ ଘୋଷଣା କଲେ ତାକୁ ସମସ୍ତେ ମାନିନେଲେ। ଇଂରାଜୀକୁ ଏକମାତ୍ର ଜ୍ଞାନ ଓ ବିକାଶର ଭା​‌ଷା ରୂପେ ଗ୍ରହଣ କରି ମ୍ୟାକେଲେ ଭାରତୀୟ ଶିକ୍ଷାର ଯେଉଁ ପ୍ରାରୂପ ଦେଇଥିଲେ ଜବାହରଲାଲ ତାକୁ ଅକ୍ଷରତଃ ଗ୍ରହଣ କଲେ। ଫଳରେ ଗାନ୍ଧୀଙ୍କର ଗ୍ରାମସ୍ବରାଜ ଭିତ୍ତିରେ ପରିକଳ୍ପିତ ଶିକ୍ଷାବ୍ୟବସ୍ଥା ଅଳିଆଗଦାକୁ ଫୋପାଡ଼ି ଦିଆଗଲା।
ମ୍ୟାକ୍‌ଲେଙ୍କ ଶିକ୍ଷା ବ୍ୟବସ୍ଥା ଭାରତୀୟଙ୍କୁ ଶିକ୍ଷିତ କରିବା ପାଇଁ ନଥିଲା। ଏହାର ଲକ୍ଷ୍ୟ ଥିଲା ଅଳ୍ପ କେତେକ ଯୋଗ୍ୟ ଲୋକ ପ୍ରସ୍ତୁତ କରିବା ଯେଉଁମାନେ ସାମ୍ରାଜ୍ୟ ପ୍ରଶାସନରେ ସାହାଯ୍ୟ କରିବେ। ସ୍କୁଲ କଲେଜରୁ ଯେଉଁମାନେ ବାହାରିବେ ସେମାନେ ଜନ୍ମରେ ଭାରତୀୟ ହେବେ, କିନ୍ତୁ ଚାଲିଚଳନ, ମୂଲ୍ୟବୋଧରେ ଇଂରେଜ ହେବେ। ତାହାହିଁ ହେଲା। ଏହି ଦୁଇଥାକିଆ ଶିକ୍ଷା ବ୍ୟବସ୍ଥା ଫଳରେ ନିରକ୍ଷରତା ଦୂରୀକରଣ ହେଲାନାହିଁ। ଅଳ୍ପସଂଖ୍ୟକ ପିଲା ଅଧାରୁ ପାଠଛାଡ଼ିଲେ। ଅଳ୍ପ ସଂଖ୍ୟକ ଯୋଗ୍ୟ ହେଲେ, କିନ୍ତୁୁ ସେମାନେ ମାତୃଭାଷା, ରାଜ୍ୟଭାଷା ଓ ଦେଶଭାଷା ପ୍ରତି ସମ୍ମାନ ହରେଇଲେ। ଭାଷା ପ୍ରତି ମମତା ହରେଇଲେ। ତାଙ୍କର ବିଶ୍ବ କେବଳ ଇଂରାଜୀରେ ସୀମାବଦ୍ଧ ହୋଇ ରହିଲା। କେଜିରୁ ପିଜି ଇଂରାଜୀ ମାଧ୍ୟମରେ ପଢ଼ିଥିବା ପିଲା ଆପଣା ସ୍ବାଭିମାନ ହରେଇଲେ। ଆପଣା ପରମ୍ପରା, ସଂସ୍କୃତି ଓ ଐତିହ୍ୟଠାରୁ ଦୂରେଇ ଗଲେ। ରାଜ୍ୟରୁ ସାମ୍ରାଜ୍ୟବାଦ ଚାଲିଗଲେ ସୁୁଦ୍ଧା ମନରେ ଘର ବାନ୍ଧିଥିବା ସାମ୍ରାଜ୍ୟବାଦ ହେତୁ ସେମାନେ ଇଂରାଜୀ ଅର୍ଥନୀତି, ରାଜନୀତି, ଧର୍ମନୀତିର ଦାଦନଶ୍ରମିକ ହୋଇରହିଲେ।
ମାତୃଭାଷା ପ୍ରାଥମିକ ଶିକ୍ଷାର ମାଧ୍ୟମ ପାଇଁ ଭାରତ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରତିଶ୍ରୁତିବଦ୍ଧ ହେଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଲାନାହିଁ। ଶିକ୍ଷା, ପ୍ରଶାସକ, ଆଇନ, ସଂଚାର କ୍ଷେତ୍ରରେ ରାଜ୍ୟଭାଷା ମାଧ୍ୟମ ହେବା ଏପର୍ଯ୍ୟନ୍ତ ସମ୍ଭବ ହେଲାନାହିଁ। ‘ଆମ ସମ୍ବିଧାନ ଆମେ ଭାରତର ଲୋକ’ରୁ ଆରମ୍ଭ ହୋଇଥିଲେ ମଧ୍ୟ ଲୋକଙ୍କ ସାଙ୍ଗ​‌େ​‌ର କଥାବାର୍ତ୍ତା କରିବାର ଭାଷା ରାଜନେତା, ପ୍ରଶାସନ କିମ୍ବା ବୁଦ୍ଧିଜୀବୀଙ୍କ ପାଖରେ ନାହିଁ। ଫଳରେ ବିକାଶ ନାଁରେ ଯେଉଁ ଲକ୍ଷକୋଟି ଟଙ୍କା ଖର୍ଚ୍ଚ ହେଉଛି ତାହା ନିମ୍ନ ଓ ତୃଣମୂଳ ସ୍ତରକୁ ପହଞ୍ଚିବା ପୂର୍ବରୁ ଉଭେଇ ଯାଉଛି। ଦଶପ୍ରତିଶତ ଲୋକଙ୍କ ହାତରେ ନବେ ପ୍ରତିଶତ ଧନ ଏହାର ପରିଣାମ। ସାମାଜିକ ଅସମାନତା ବୃଦ୍ଧି ଓ ଗଣତନ୍ତ୍ରର ସଙ୍କୋଚନ ଏହାର ସ୍ବାଭାବିକ ପରିଣତି। ପାରସ୍ପରିକତା ଓ ପରିପୂରକତା ଭିତ୍ତିରେ ସୁରକ୍ଷା ସୃଷ୍ଟି ଓ ସ୍ଥିତିରେ ଏକମାତ୍ର ସମାଧାନ। ନୋହିଲେ ପ୍ରଳୟ ଓ ସମୂହ ଧ୍ବଂସ।

Leave A Reply