କୃଷିଋଣ ଛାଡ଼ ହେବା ଉଚିତ କି?

0

ସତ୍ୟ ମହାନ୍ତି

ଭାରତୀୟ ରାଜନୀତିରେ କୃଷିଋଣ ଛାଡ଼ କରିବା ଠିକ୍ ହାତପାଆନ୍ତାରେ ଓହଳିଥିବା ଫଳ ତୋଳିବା ଭଳି, କିନ୍ତୁ କୃଷି ଅର୍ଥନୀତି କ୍ଷେତ୍ରରେ ଆବଶ୍ୟକ ସୁଧାର ନଆଣି ଋଣଛାଡ଼ ସକାଶେ ଅର୍ଥ ଖର୍ଚ୍ଚ କଲେ ଏଭଳି ବିପତ୍ତି ବାରମ୍ବାର ଦେଖାଦେବ।
ଅନ୍ତତଃପକ୍ଷେ ସମ୍ପୂର୍ଣ୍ଣ ଋଣଛାଡ଼ କରିବାର ନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ଏହା ଋଣ ନେଉଥିବା କେବଳ ବଡ଼ବଡ଼ ଚାଷୀମାନଙ୍କୁ ସହାୟତା କଲାବେଳେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଏଥିରେ ପ୍ରାୟତଃ କିଛି ଉପକାର ହୁଏ ନାହିଁ। ବ୍ୟାଙ୍କଠାରୁ ସଂଗୃହୀତ ସୂଚନା ଅନୁଯାୟୀ ଭାରତ ସରକାରଙ୍କ ପରିସଂଖ୍ୟାନ କହେ ଯେ ଗୋଟିଏ ହେକ୍ଟରରୁ କମ୍ ଜମିଥିବା ଋଣଗ୍ରସ୍ତ ଚାଷୀଙ୍କ ସଂଖ୍ୟା, ୧୦ ଏକରରୁ ଅଧିକ ଜମିଥିବା ଋଣଗ୍ରହୀତା ଚାଷୀମାନଙ୍କର ଏକ-ଦଶମାଂଶ। ଏହା ପୁଣି ଚାରିରୁ ୧୦ ହେକ୍ଟର ଜମିଥିବା ଚାଷୀଙ୍କର ଏକ-ଷଷ୍ଠାଂଶ ଏବଂ ଦୁଇରୁ ଚାରି ହେକ୍ଟର ଜମିଥିବା ଚାଷୀଙ୍କର ଏକ-ଚତୁର୍ଥାଂଶରୁ ଅଧିକ। ତା ଅର୍ଥ ବଡ଼ ଚାଷୀମାନେ ସହଜରେ ଅଧିକ ଋଣ ପାଇଥାଆନ୍ତି। କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀମାନେ ବ୍ୟାଙ୍କରୁ ଋଣ ପାଇଥାଆନ୍ତି ବୋଲି ସାଧାରଣରେ ଯେଉଁ ଧାରଣା ଥାଏ, ତାହା ଠିକ୍ ନୁହେଁ। ସର୍ବଭାରତୀୟ ଋଣ ଓ ଲଗାଣ ଗଣନା (ICRIER Working paper no.୩୦୨) ଅନୁସାରେ ମହାଜନମାନେ ଅନୈତିକ ଭାବେ ୨୪%ରୁ ୪୮% ପର୍ଯ୍ୟନ୍ତ ସୁଧରେ କୃଷିଋଣ ଦେଇଥାଆନ୍ତି। ୮୦% କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ ଆନୁଷଙ୍ଗିକତା ଅଭାବରୁ ବ୍ୟାଙ୍କରୁ ଋଣ ନନେଇ ଏଠୁସେଠୁ କରଜ କରନ୍ତି। ଏହା ଅନୌପଚାରିକ ଋଣର ଅଧା। ମଧ୍ୟମ ଏବଂ ବଡ଼ଚାଷୀମାନେ (୨୮%) ବିଧିବଦ୍ଧ ଋଣ କରନ୍ତି। ଏ ସବୁ ସତ୍ତ୍ୱେ ଋଣ ଛାଡ଼ କରିବାଟାକୁ ରାଜନୈତିକ ଭାଷାରେ ଚାଷୀ ଦୁର୍ଦଶା ଦୂର କରିବାକୁ ଯାଦୁକରର ବାଡ଼ି ଭଳି ଦେଖାଯାଇଥାଏ।
ନିର୍ବାଚନ ପରିପ୍ରେକ୍ଷୀରେ ଏହା ଆକର୍ଷଣୀୟ ହେଲେ ମଧ୍ୟ ଏଥିରେ କୃଷି କ୍ଷେତ୍ରର ମୁଖ୍ୟ ସମସ୍ୟା ଏବଂ ତାହାର ଉପଯୁକ୍ତ ଓ ସ୍ଥାୟୀ ସମାଧାନ କରି କୃଷି ବାତାବରଣ ସୁଧାରିବା ପରି କିଛି ନଥାଏ। କାର୍ଯ୍ୟକର୍ତ୍ତାମାନେ ଏକକାଳୀନ ଋଣଛାଡ଼ ସହ ସାମୂହିକ ଋଣଛାଡ଼ ସକାଶେ ଦାବି ମଧ୍ୟ କରିଥାନ୍ତି, ସତେ ଯେମିତି ଦୁଇଟା ଭୁଲ ମିଶିଗଲେ କଥାଟା ଠିକ୍ ପାଲିଟିଯିବ।
ନୀତିଗତ ବ୍ୟବସ୍ଥାକୁ ଠିକ୍ ରାସ୍ତାରେ ନ ସଜାଡି, ଋଣଛାଡ଼ ଦ୍ୱାରା ଫସଲହାନିଜନିତ ଧକ୍କା ସହିଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ କି ପ୍ରକାର ସାହାଯ୍ୟ କରିବ। ଦେଖିବା କଥା ଯେ କୃଷି ବ୍ୟବସ୍ଥାକୁ ବିପରୀତାଭିମୁଖୀ କରି ଏକ ସୁନ୍ଦର ଗୁଳା ଭିତରେ ପକାଇବା ଲାଗି ସକ୍ଷମ ଥିବା ଆମ ସରକାରୀ ନୀତିମାନଙ୍କୁୁ କିପରି ଉପେକ୍ଷା କରାଯାଉଛି। ଯଦି ଋଣ ଛାଡ଼ କରାଯିବ ଏବଂ ସାରା ଦେଶରେ ଏହା କରାଯିବ, ତେବେ ଏହାର ପରିମାଣ ଦୁଇପ୍ରତିଶତ ଜିଡିପି ସହ ସମାନ ହେବ। ୧୯୮୯ ମସିହାରେ ହୋଇଥିବା କୃଷିଋଣ ଛାଡ଼ର ପରିମାଣ ଜିଡିପିର ୧.୭୧ ପ୍ରତିଶତ ଥିଲା। ନିକଟରେ ଉତ୍ତରପ୍ରଦେଶରେ କୃଷି ଋଣ ଛାଡ଼ ବାବଦରେ ୩୬୦ ବିଲିୟନ ଟଙ୍କା ଖର୍ଚ୍ଚ ହୋଇଛି ଯାହା ରାଜ୍ୟର ସମୁଦାୟ ଉତ୍ପାଦନର ୪ ପ୍ରତିଶତ।
ଏତେ ସବୁ ଋଣ ଛାଡ଼ ପରେ ମଧ୍ୟ ଚାଷୀମାନଙ୍କ ଅବସ୍ଥାରେ କିଛି ଆଖିଦୃଶିଆ ଉନ୍ନତି ହୋଇନାହିଁ। ଏହା ଯେଉଁମାନଙ୍କ ଲାଗି ଉଦ୍ଦିଷ୍ଟ ସେମାନେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି। ଅଧିକାଂଶ ଋଣଗ୍ରହୀତା ବଡ଼ ଓ ସମୃଦ୍ଧ ଚାଷୀ, ଯେଉଁମାନେ ଫସଲ ନଷ୍ଟ କିମ୍ବା ବଜାର ମାନ୍ଦାଜନିତ କ୍ଷତିକୁ ସମ୍ଭାଳି ପାରିବେ। ଆନୁଷ୍ଠାନିକ ଭାବେ କିମ୍ବା ମହାଜନ ଓ ଜମିଦାରମାନଙ୍କ ପାଖରୁ ଋଣ କରିଥିବା ଚାଷୀମାନଙ୍କର ଚିହ୍ନଟ ହେବା ଗୁରୁତ୍ୱପୂର୍ଣ୍ଣ କଥା। ଏସବୁଥିରେ ଅଧିକ ସମସ୍ୟା ଜଡ଼ିତ ଥାଏ। ଏଥିରେ ସୁଧ ହାର ଅଧିକ ଏବଂ ଏହା ଚକ୍ରବୃଦ୍ଧି ହାରରେ ବୃଦ୍ଧି ପାଇଥାଏ। ମଧ୍ୟମ ଏବଂ ବଡ଼ ଚାଷୀମାନଙ୍କ କ୍ଷେତ୍ରରେ ଏ ଋଣ ୩୦ ପ୍ରତିଶତ ହେଲାବେଳେ ଛୋଟ ଓ ନାମକୁମାତ୍ର ଚାଷୀମାନଙ୍କ କ୍ଷେତ୍ରରେ ଏହା ୫୦ ପ୍ରତିଶତ। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଉପରେ ଅଧ୍ୟୟନ କରିଥିବା ଯଥାକ୍ରମେ ଦେଶପାଣ୍ଡେ ଏବଂ ମିଶ୍ରଙ୍କ ଅନୁସାରେ ଅନୌପଚାରିକ ସ୍ରୋତରୁ ଆସିଥିବା ଋଣ ଭାର ଅଧିକ ଓ ଏହା ଚାଷୀ ଆତ୍ମହତ୍ୟା ଲାଗି ଦାୟୀ। ଯଦିଓ ନଗଦ ଫସଲ ପାଇଁ ଏହି ଋଣ ସେମାନେ ନେଇଥାନ୍ତି, ଏହି ସମସ୍ୟାର ଶିକାର ହୋଇଥିବା ଚାଷୀଙ୍କ ୭୨% ଋଣ ଥିବାବେଳେ, ନିୟନ୍ତ୍ରିତ ଗ୍ରୁପ୍‌ରେ ୩୮% ଋଣ ଥିଲା।
କୃଷିଋଣ ସମସ୍ୟାଟା ଆମକୁ ରାଜନୈତିକ ଅର୍ଥନୀତି ଯାହା କୁହେ, ତା’ଠାରୁ ଅତ୍ୟନ୍ତ ଭିନ୍ନ। ଛୋଟ ଏବଂ ନାମକୁମାତ୍ର ଚାଷୀଙ୍କ ଲାଗି ଋଣ କରିବା ଯଦିଓ ଏକ ବିରାଟ ସମସ୍ୟା, ମାତ୍ର ଏହା କୌଣସି ଆନୁଷ୍ଠାନିକ ସ୍ରୋତରୁ ଋଣ କରିବା ଯୋଗୁଁ ହୋଇ ନଥାଏ। ଏହା ମୁଖ୍ୟତଃ ମହାଜନମାନଙ୍କଠାରୁ ନିଆଯାଇଥିବା ଋଣ ଯୋଗୁଁ ହୋଇଥାଏ। ଏକ ସାଧାରଣ ଋଣ ଛାଡ଼ ମୁଖ୍ୟତଃ ବଡ଼ ଚାଷୀମାନଙ୍କର ନଚେତ୍ ସେମାନେ କ୍ଷୁଦ୍ରଚାଷୀଙ୍କ ନାଁରେ ନେଇଥିବା ଋଣ ହୋଇଥାଏ। ବ୍ୟାଙ୍କ ଜରିଆରେ ଋଣ ଛାଡ଼ ନକରି ଯଦି ଗ୍ରାମୀଣ ଭାରତର ତଳ ଶ୍ରେଣୀର ୭୦% ପରିବାରକୁ ଏହି ସହାୟତା ରାଶି ସିଧାସଳଖ ଦିଆଯାଆନ୍ତା, ଭଲ ହୁଅନ୍ତା। ସାହୁକାରଙ୍କ ପାଖରୁ ଗ୍ରାମାଞ୍ଚଳ ଲୋକେ ନେଉଥିବା ଋଣ ପରିମାଣ ଏବେ ପରିବାର ପିଛା ହାରାହାରି ୪୭୦୦୦ଟଙ୍କା। ଯୋଜନାଗତ ସମସ୍ୟାର ସମାଧାନ କରା ନଯାଇ, ଋଣ ଛାଡ଼ କିମ୍ବା ସିଧାସଳଖ ବ୍ୟାଙ୍କରେ ଜମା ପ୍ରଦାନ କଲେ ବି ଏହା ସମସ୍ୟାର କେବଳ ସାମୟିକ ଲାଘବ କରିଥାଏ କିମ୍ବା ସମସ୍ୟାକୁ ସାମୟିକ ଭାବେ ଟାଳି ଦେଇଥାଏ।
ସରକାର କରଜଦାତାମାନଙ୍କର ଗୁରୁତ୍ୱ ମାନିବା ଦରକାର। ଠିକ୍ ସମୟରେ ଋଣ ଦେବା ଏବଂ ଦୁର୍ବଳ ଆୟକାରୀମାନଙ୍କ ଚିହ୍ନଟ କରିବା ଜରୁରୀ। କାରଣ ବ୍ୟାଙ୍କ କ୍ଷୁଦ୍ର ଏବଂ ନାମକୁମାତ୍ର ଚାଷୀଙ୍କୁ ଋଣ ଦିଏ ନାହିଁ। ଏଣୁ ସେମାନଙ୍କ ଲାଗି ଋଣର ଅନ୍ୟାନ୍ୟ ସ୍ରୋତ ଗୁରୁତ୍ୱପୂର୍ଣ୍ଣ। ତେଣୁ କରଜଦାତାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପରିସୀମାଭୁକ୍ତ କରିବା ଆବଶ୍ୟକ। ସେମାନଙ୍କୁ ଅଣ-ବ୍ୟାଙ୍କ ଆର୍ଥିକ କମ୍ପାନୀ ଭାବରେ ପଞ୍ଜିକୃତ କରି ବ୍ୟାଙ୍କ ସୁଧହାରର ୫ ପ୍ରତିଶତ ପାଖାପାଖି ନେବାର ସ୍ୱାଧୀନତା ଦେବା ଉଚିତ୍। ଏହାଦ୍ୱାରା ଅଣ-ଆନୁଷ୍ଠାନିକ ଋଣଦାତାମାନଙ୍କୁ ଚିହ୍ନଟ କରି ଋଣ ଓ ସୁଧହାରକୁ ନିୟନ୍ତ୍ରଣରେ ରଖିହେବ। ଯଦିଓ ଋଣଛାଡ଼ ଦ୍ୱାରା ବ୍ୟାଙ୍କର ଋଣ ଦେବା ବ୍ୟବସ୍ଥାକୁ ସୁଧାରି ହେବ, ଏହା । ଏହା କେବଳ ବଡ଼ ଚାଷୀମାନଙ୍କୁ ସାହାଯ୍ୟ କରେ। ଅତୀତରେ ଋଣ ଛାଡ଼ ଘଟଣା ସେମାନଙ୍କ ଦୁର୍ଦଶାକୁ ଲାଘବ କରିନାହିଁ, ସମସ୍ୟା ଆଗ ଭଳି ରହିଛି।
ପୂର୍ବତନ ସଚିବ, ଭାରତ ସରକାର

Leave A Reply