ଓଡ଼ିଶା ଓ ଅର୍ଥ ଆୟୋଗ
ପଞ୍ଚଦଶ ଅର୍ଥ ଆୟୋଗ ଓଡ଼ିଶା ଗସ୍ତ କରିବା ଅବସରରେ ସରକାରଙ୍କ ବିଭିନ୍ନ କ୍ଷେତ୍ରର କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହ ସମ୍ବଳର ଆବଶ୍ୟକତା ଓ ରାଜ୍ୟର ଆର୍ଥିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ରାଜ୍ୟ ସରକାରଙ୍କ କେତେକ କାମର ପ୍ରଶଂସା କରିବାସହ ସାମାଜିକ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ଘେନି ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା ଆଦି ସେଥିମଧ୍ୟରୁ ଅନ୍ୟତମ। କୃଷକଙ୍କ କାଳିଆ ଯୋଜନାକୁ ଭଲ କହିଥିବାବେଳେ ଏହାର ଉପଯୁକ୍ତ ରୂପାୟଣ ବିନା ଏହା ଯେ ସଫଳ ହେବନାହିଁ ସେ ସମ୍ପର୍କରେ ମଧ୍ୟ ଚେତାଇ ଦେଇଛନ୍ତି। ଚାଷକ୍ଷେତ୍ରରେ କୃଷିକର୍ମଣ ପୁରସ୍କାର ପାଉଥିବା ଓଡ଼ିଶାର ସାମଗ୍ରିକ କୃଷି ସ୍ଥିତି ଭଲ ନୁହେଁ ଓ ଏଠାରେ ଅଣଧାନ୍ୟ ଫସଲଚାଷର ବିକାଶ କଥା ମଧ୍ୟ ଅର୍ଥ ଆୟୋଗ ଯଥାର୍ଥରେ ଉଲ୍ଲେଖ କରିଛନ୍ତି।
ଗତାନୁଗତିକ ଭାବେ ରାଜ୍ୟ ସରକାର ରାଜ୍ୟର ଅତିରିକ୍ତ ଆର୍ଥିକ ଆବଶ୍ୟକତାର ପୂରଣ ପାଇଁ ଅର୍ଥ ଆୟୋଗଙ୍କୁ ଅଧିକ ସମ୍ବଳ ମାଗିଛନ୍ତି ଏବଂ ଏହା ପଛରେ ଥିବା ଯଥାର୍ଥତାକୁ ମଧ୍ୟ ଅବଗତ କରାଇଛନ୍ତି। ଓଡ଼ିଶା ବିଭିନ୍ନ ଐତିହାସିକ କାରଣରୁ ଦୀର୍ଘକାଳଧରି ଅବହେଳିତ। ବିପୁଳ ତଫସିଲଭୁକ୍ତ ଉପଜାତି ଓ ଜାତି ତଥା ଅନଗ୍ରସର ବର୍ଗର ଏକ ବୃହତ୍ ଜନସଂଖ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ କେତେକ କାରଣ ପାଇଁ ଓଡ଼ିଶା କେନ୍ଦ୍ରରୁ ଅଧିକ ଅର୍ଥ ଚାହିଁବା ଅବାସ୍ତବ ନୁହେଁ। ଖଣିଜ ସମୃଦ୍ଧ ଏହି ରାଜ୍ୟ କେନ୍ଦ୍ରଠାରୁ ଅଧିକ ସହାୟତା ଓ କୋଇଲା ଉପରେ ସ୍ବଚ୍ଛ ଉପକରରୁ ଯେଉଁ ଭାଗ ମାଗୁଛି ତାହା ମଧ୍ୟ ଅଯୌକ୍ତିକ ନୁହେଁ। ସମ୍ବଳ ଅଭାବ ଯୋଗୁଁ ରାଜ୍ୟର ସାମାଜିକ କ୍ଷେତ୍ରରେ ବିକାଶ ପ୍ରକ୍ରିୟା ବ୍ୟାହତ ହେଉଥିବା ସ୍ପଷ୍ଟ। ତେଣୁ କେନ୍ଦ୍ରୀୟ ଟିକସରୁ ଓଡ଼ିଶାକୁ ଅଧିକ ବା ସ୍ବତନ୍ତ୍ରଭାଗ ବାସ୍ତବ ସ୍ଥିତିକୁ ଦେଖି ମିଳିଲେ ରାଜ୍ୟ ଅାର୍ଥିକ ଦୃଷ୍ଟିରୁ ସ୍ବୟଂସମ୍ପନ୍ନ ହୋଇପାରିବ। ତେବେ ଜିଏସ୍ଟି, ସ୍ବତନ୍ତ୍ରରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ ବିତ୍ତ ଆୟୋଗଙ୍କ ନିକଟରେ ଉଠାଇବାର କୌଣସିିି ଯଥାର୍ଥତା ନାହିଁ ଏବଂ ଏହା ତାଙ୍କ ଅଧିକାରର କ୍ଷେତ୍ର ନୁହେଁ।
ଐତିହାସିକ ଭାବେ ଦେଖିଲେ କ୍ବଚିତ ବିତ୍ତଆୟୋଗ ଓଡ଼ିଶା ପ୍ରତି ନ୍ୟାୟ କରିଛନ୍ତି କିମ୍ବା ସରକାରଙ୍କ ଦାବି ଅନୁସାରେ ସ୍ବତନ୍ତ୍ର ଅର୍ଥ ଦେଇଛନ୍ତି। ଯାହା ମିଳିଛି ଏହା ଧାର୍ଯ୍ୟ ଜାତୀୟ ନୀତି ଅନୁସାରେ ଦିଆଯାଇଛି। ଏବେ ଜିଏସ୍ଟି ପ୍ରବର୍ତ୍ତନ ହେବାପରେ ଅର୍ଥ ଆୟୋଗଙ୍କ ଟିକସ ବା ସମ୍ବଳବଣ୍ଟନ କ୍ଷେତ୍ରରେ ଭୂମିକା ସୀମିତ ହୋଇଯାଇଛି। ଏବେ ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି ତା’ଭିତରେ ବିତ୍ତ ଆୟୋଗ ଚାହିଁଲେ ମଧ୍ୟ ଗୋଟିଏ ରାଜ୍ୟକୁ ବହୁ ଅଧିକ ଅର୍ଥ ଯୋଗାଇ ପାରିବେ ନାହିଁ। ଏବେ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିକସରୁ ପ୍ରାୟ ୪୨ ଭାଗ ଅର୍ଥ ମିଳୁଛି। ତାହା କିନ୍ତୁ ଯଥେଷ୍ଟ ନୁହେଁ। ଏହାକୁ ୬୦ ଭାଗ କରାଯିବାର ଆବଶ୍ୟକତା ରହିଛି। ସେଇଭଳି ସମସ୍ତ ଉପକର ଓ ଅତିରିକ୍ତ କରର ୫୦% ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନର ଆବଶ୍ୟକତା ରହିଛି। ଯେଉଁ ରାଜ୍ୟମାନେ ଜନସଂଖ୍ୟା ନିୟନ୍ତ୍ରଣ, ସାମାଜିକ କ୍ଷେତ୍ରର ବିକାଶ, ପରିବେଶ, ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷି ଆଦିରେ ଭଲ କରୁଛନ୍ତି ସେମାନଙ୍କୁ ପୁରସ୍କୃତ ଓ ଉତ୍ସାହିତ କରିବାକୁ ଟିକସ ବଣ୍ଟନ କ୍ଷେତ୍ରରେ ସ୍ବତନ୍ତ୍ର ଅର୍ଥ ଯୋଗାଇବାର ବ୍ୟବସ୍ଥା ଜରୁରୀ। ଦକ୍ଷିଣ ଭାରତୀୟ ରାଜ୍ୟସମୂହ ଯେଉଁମାନେ ଜନସଂଖ୍ୟା ନିୟନ୍ତ୍ରଣ ଓ ସାମାଜିକ-ଆର୍ଥିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ବା କରୁଛନ୍ତି ସେମାନେ ମଧ୍ୟ ଟିକସ ବଣ୍ଟନ ନୀତିରେ ପରିବର୍ତ୍ତନ ଚାହୁଁଛନ୍ତି ଓ କେନ୍ଦ୍ରଠାରୁ ଅଧିକ ଭାଗ ମାଗୁଛନ୍ତି। ଏହି ଦାବି ଯଥାର୍ଥ। କେବଳ ଅଧିକ ଜନସଂଖ୍ୟା ଓ ସାମାଜିକ, ଆର୍ଥିକ ସମସ୍ୟାକୁ ଭିତ୍ତିକରି ସମ୍ବଳ ଅଧିକ ଯୋଗାଇଲେ ସଂପୃକ୍ତ ରାଜ୍ୟମାନେ ଉନ୍ନତି କରିପାରିବେ ନାହିଁ। ଏକଥା ଉତ୍ତରପ୍ରଦେଶ ଓ ବିହାର ଆଦି ରାଜ୍ୟ ଘଟଣାରୁ ପ୍ରମାଣିତ ହୋଇଛି। ଟିକସ ବଣ୍ଟନ ନୀତି ବାସ୍ତବବାଦୀ ହେବାସହ ବିକାଶ ଅଭିମୁଖୀ ହେଉ ଏବଂ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟଙ୍କୁ ପୁରସ୍କୃତ କରାଯିବ ଉଚିତ। ସର୍ବୋପରି ଖଣିଜ ସଂପଦର ଉତ୍ତୋଳନ, ଉପଯୋଗ ଆଦି କ୍ଷେତ୍ରରେ ରାଜ୍ୟରୁ କେନ୍ଦ୍ର ଯେଉଁ ବିପୁଳ ରାଜସ୍ବ ପାଉଛି ତାହାର ଏକ ବଡ଼ଭାଗ ସଂପୃକ୍ତ ରାଜ୍ୟର ବିକାଶ ପାଇଁ ଦେବାର ବ୍ୟବସ୍ଥା ଯୁକ୍ତିଯୁକ୍ତ ମନେହୁଏ।
ଓଡ଼ିଶା ଏଥର ଯେଉଁ ଦାବି ଅର୍ଥ ଆୟୋଗଙ୍କ ନିକଟରେ କରିଛି ତାହା ମନ୍ଦ ନୁହେଁ। ଏ କ୍ଷେତ୍ରରେ ସବୁଦଳଙ୍କୁ ସାମିଲ କରି ରାଜ୍ୟର ସ୍ବର ଶାଣିତ କରିଥିଲେ ଆହୁରି ଭଲ ହୋଇଥାନ୍ତା। ଏବେ ଅପେକ୍ଷା କରିବା ଓଡ଼ିଶାକୁ ପଞ୍ଚଦଶ ଅର୍ଥ ଆୟୋଗ କିଛି ଦେଉଛନ୍ତି ନା ନିରାଶ କରୁଛନ୍ତି।