www.samajalive.in
Monday, December 8, 2025
14.1 C
Bhubaneswar

ପ୍ରତିଟି ଚେତନାରେ ନିହିତ ଆଧ୍ୟାତ୍ମିକ ପ୍ରଗତିର ପ୍ରତିଶ୍ରୁତି

ପ୍ରଶ୍ନ : ଆଧ୍ୟାତ୍ମିକ ଉପଲବ୍ଧି ପାଇଁ ବହି ଓ ଗୁରୁଙ୍କ ଆବଶ୍ୟକତା କେତେ? ମୁଁ ଠିକ୍‌ ବହି ଓ ଗୁରୁ କେଉଁଠୁ ପାଇବି?
ଶଚିକାନ୍ତ ଖୁଣ୍ଟିଆ, ନାଲ୍‌କୋ ନଗର, ଅନୁଗୋଳ
ଉତ୍ତର: ବହି କଥା। ମୋ ଭାଷା ଆପାତତଃ ଆଡ଼ମ୍ବରିକ ବା ଅବାସ୍ତବ ମନେ ହୋଇପାରେ; କିନ୍ତୁ ବକ୍ତବ୍ୟ ବାସ୍ତବ। ଆମ ସମଗ୍ର ଜୀବନର ଭିତ୍ତି ଆଧ୍ୟାତ୍ମିକ। ବିପୁଳ ସମ୍ଭାବନାପୂର୍ଣ୍ଣ ଏ ଜୀବନକୁ ଯଦି କୌଣସି ଅଣଆଧ୍ୟାତ୍ମିକ ଶକ୍ତି ସୃଜନ କରିଥାନ୍ତା, ତେବେ ଏଭଳି ପ୍ରଶ୍ନଟିଏ ଆପଣଙ୍କ ମନକୁ ଆସି ହିଁ ନ ଥାନ୍ତା। ଆମେ ଯେତେ ଅଜ୍ଞାନ ଅନ୍ଧକାରରେ ନିମଜ୍ଜିତ ଥିଲେ ମଧ୍ୟ ଜ୍ଞାନ ପାଇଁ, ସତ୍ୟ ପାଇଁ, ଜୀବନର ଅର୍ଥ ପାଇଁ ବ୍ୟାକୁଳତା ଆମ ଚେତନାରେ ଅନିବାର୍ଯ୍ୟ ଭାବେ ବିଦ୍ୟମାନ ରହିଥାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣର ବିକାଶ ନିମନ୍ତେ ଏ ସମଗ୍ର ବିଶ୍ୱ ହିଁ ଏକ ଅସରା ଏବଂ ଅସମାପ୍ତ ବହି। ଆମେ ଆଗ୍ରହୀ ହେଲେ ଅନୁକୂଳ, ପ୍ରତିକୂଳ ସବୁ ପରିସ୍ଥିତିରେ ଆମ ପାଇଁ କିଛି ଶିକ୍ଷା ପ୍ରଚ୍ଛନ୍ନ ରହିଥାଏ; ସାଧାରଣ ବୈଷୟିକ, ବ୍ୟାବହାରିକ ବା ବିଦ୍ୟାଳୟ-ସୁଲଭ ଶିକ୍ଷା ନୁହେଁ, ଆମ ଚେତନାକୁ ବ୍ୟାପକତର କରିବା ଦିଗରେ ଶିକ୍ଷା। (ଅବଧୂତ ଓ ତାଙ୍କ ପ୍ରାକୃତିକ ଗୁରୁବୃନ୍ଦ ଉପାଖ୍ୟାନ ଜାଣିଥିବେ।)
ଆଧ୍ୟାତ୍ମିକ ବିକାଶ ଏବଂ ଚେତନାର ଅଭିବୃଦ୍ଧି ଅବିଚ୍ଛେଦ୍ୟ। ଜନ୍ମଜନ୍ମ ଧରି ଆମର ଯେଉଁ ଆଧ୍ୟାତ୍ମିକ ବିକାଶ ବା ପ୍ରଗତି ଅବ୍ୟାହତ ରହିଛି– ତାହା ଅଜ୍ଞାନରୁ ଜ୍ଞାନର ଦିଗ୍‌ବଳୟ ଅଭିମୁଖେ। ଅତୀତ ଜନ୍ମସବୁର କେତେ ଘଟଣା, କେତେ ମୋହମୁକ୍ତି ତଥା ହୁଏତ କେତେ ସତ୍‌ସାହିତ୍ୟରୁ ଜଣେ ଆହରଣ କରିଥିବା ଅଭିଜ୍ଞତା ସେ ଦିଗରେ ତା’କୁ ସହାୟତା ଦେଇଥିବ। ଆଧ୍ୟାତ୍ମିକ ସାହିତ୍ୟର ବିଶେଷ ଅଭାବନାହିଁ। ଯୁଗଯୁଗ ଧରି ଅସଂଖ୍ୟ ଜ୍ଞାନଲିପ୍ସୁଙ୍କ ଆସ୍ପୃହା ଚରିତାର୍ଥ କରିଥିବା ଭଗବତ୍ ଗୀତାରୁ ହିଁ ଜଣେ ଆରମ୍ଭ କରିପାରେ ଏବଂ ସାରା ଜୀବନ ସେହିଥିରେ ବିତାଇ ଦେଇପାରେ ନିତ୍ୟନୂତନ ଆଲୋକରେ ଉଦ୍‌ଭାସିତ ହୋଇ; କିନ୍ତୁ ତାହା ଏକ ବ୍ୟତିକ୍ରମ ଏବଂ ତାହା ଯାନ୍ତ୍ରିକ ଭାବରେ ଅନୁକରଣୀୟ ବୋଲି ଧରିବା ଉଚିତ ନୁହେଁ। ପ୍ରତ୍ୟେକଙ୍କର ସନ୍ଧାନର ମାତ୍ରା ଓ ସ୍ତର ଭିନ୍ନ।
ଏକଦା ଏ ଲେଖକ ବିପୁଳ ଆଗ୍ରହରେ ବିଦ୍ୱାନ୍ ଓ ସନ୍ଥମାନେ ପରିବେଷଣ କରିଥିବା ଗୀତାର ବିଭିନ୍ନ ବ୍ୟାଖ୍ୟା ପଢ଼ୁଥିଲା। ସେହି କ୍ରମରେ ସେ ପଢ଼ିଲା ଶ୍ରୀଅରବିନ୍ଦଙ୍କର “ଏସେଜ୍ ଅନ ଦି ଗୀତା” (Essays on the Gita)। ମନେହେଲା ଯେଉଁ ଚେତନା ଏକଦା ଜିଜ୍ଞାସୁବର୍ଗଙ୍କୁ ଗୀତା ରୂପକ ଅନନ୍ୟ ଅବଦାନ ଦେଇଥିଲା, ସେହି ଚେତନା ହିଁ ତା’ର ତାତ୍ପର୍ଯ୍ୟ ବୁଝାଉଛି ଏ ନିବନ୍ଧମାଳା ଯୋଗେ। ବୁଦ୍ଧି ତଥା ଜ୍ଞାନଚାଳିତ ବହୁ ବ୍ୟକ୍ତିଙ୍କର ଅଧ୍ୟାତ୍ମ ରଚନା ରହିଛି। ଆମେ ସେସବୁ ତାରିଫ୍ କରିପାରିବା; କିନ୍ତୁ ଉପଲବ୍ଧି-ପ୍ରସୂତ ପ୍ରଜ୍ଞା ହିଁ ଆମକୁ ପ୍ରଭାବିତ କରିପାରିବ। ଏ ଲେଖକର ପଠନ ପରିସର ବ୍ୟାପକ ନୁହେଁ; ତେବେ ଇତିହାସରେ ମୁଖ୍ୟ ଆଧ୍ୟାତ୍ମିକ ପ୍ରଜ୍ଞାସମୂହର ମର୍ମ ବୁଝିବାର ଚେଷ୍ଟାକରିଛି। ସେଭଳି ପ୍ରଜ୍ଞାସମ୍ବଳିତ ବହିର ତାଲିକା ଦେବା ନିଷ୍ପ୍ରୟୋଜନ। ଆପଣଙ୍କ ନିଜ ସନ୍ଧିତ୍ସା ସେ ଦିଗରେ ସହାୟତା ଦେବ।(ଉପଲବ୍ଧିର ସରଳ ବ୍ୟାଖ୍ୟା: ଜଣେ ଯଦି ମହୁର ଉତ୍ପତ୍ତି, ମହୁମାଛିମାନଙ୍କର ଏବଂ ମହୁର ଶ୍ରେଣୀଭେଦ ଉପରେ ଗବେଷଣା କରିଥିବ, ସେ ବ୍ୟକ୍ତି ମହୁ-ବିଶେଷଜ୍ଞ ପଣ୍ଡିତ। ଆପଣ ସେ ପାଣ୍ଡିତ୍ୟ ଅର୍ଜନ କରି ନ ଥିଲେ ମଧ୍ୟ ଯଦି ମହୁ ଆସ୍ୱାଦନ କରିଛନ୍ତି, ତେବେ ଆପଣ ମହୁ ଉପଲବ୍ଧି କରିଛନ୍ତି।)ଜଗନ୍ନାଥ ଦାସଙ୍କ ଭାଗବତରେ ହିଁ ରହିଛି ଅଧ୍ୟାତ୍ମ ଆଲୋକର ବହୁ ସ୍ଫୁଲିଙ୍ଗ।
ବର୍ତ୍ତମାନ ଗୁରୁ ପ୍ରସଙ୍ଗକୁ ଆସିବା। ଭାରତର ଗୁରୁ-ପରମ୍ପରା ବିଶ୍ୱରେ ଅନନ୍ୟ। ଭାରତୀୟ ସଂସ୍କୃତିର ନିର୍ମାତା ଯେଉଁ ଋଷିକୁଳ, ସେ ସମ୍ପ୍ରଦାୟ ସହ ତୁଳନୀୟ କୌଣସି ଗୋଷ୍ଠୀର ଦୃଷ୍ଟାନ୍ତ ଆମେ ଅନ୍ୟ କୌଣସି ସଭ୍ୟତାରେ ଦେଖିବାକୁ ପାଉନା। ପ୍ରାଚୀନ ଭାରତରେ ଏକଦା ସେମାନେ ଶିକ୍ଷାଧାରାର ପ୍ରବର୍ତ୍ତକ ଥିଲେ; ଥିଲେ ଗୁରୁ। ଯେଉଁ ବିଦ୍ୟାର୍ଥୀ ଅଧ୍ୟାତ୍ମଜୀବନ ସକାଶେ ପ୍ରସ୍ତୁତ ବୋଲି ଗୁରୁ ଅନୁଭବ କରୁଥିଲେ, ତା’କୁ ସେ ସେହି ମାର୍ଗରେ ପରିଚାଳିତ କରୁଥିଲେ। ସେ ପର୍ଯ୍ୟାୟର ଗୁରୁ ନାହାନ୍ତି। ବର୍ତ୍ତମାନ ରହିଛନ୍ତି ପାରମ୍ପରିକ ଗୁରୁ; ଏକଦା ଜଣେଜଣେ ଋଷିପ୍ରତିମ ମହାପୁରୁଷଙ୍କୁ କେନ୍ଦ୍ରକରି ଗଢ଼ି ଉଠିଥିବା ସଂସ୍ଥାର ଧାରାବାହିକ ଉତ୍ତରାଧିକାରୀମାନଙ୍କଠାରୁ ଦୀକ୍ଷା ଗ୍ରହଣ ପ୍ରଥା। ଦ୍ୱିତୀୟରେ ପ୍ରଭାବ ବିସ୍ତାର କରିଛନ୍ତି ବେଶ୍ କେତେଜଣ ଦକ୍ଷ ଆଧ୍ୟାତ୍ମିକତା-ପ୍ରଚାରକ। ସେମାନେ କିଛି ହଠଯୌଗିକ କ୍ରିୟା ସହ ମନସ୍ତାତ୍ତ୍ବିକ ଜ୍ଞାନ ଓ ବିଭିନ୍ନ ରୀତିର ଧ୍ୟାନ ଶୃଙ୍ଖଳାର ସୁପରିକଳ୍ପିତ ସମାବେଶ କରି ଏକଏକ ଯୋଜନା ପ୍ରସ୍ତୁତ କରିଥା’ନ୍ତି; ସେହି ଅନୁସାରେ ସମ୍ମିଳନୀ, ତାଲିମ୍ ଶିବିର ଇତ୍ୟାଦି ଆୟୋଜିତ ହୁଏ, ଆଧୁନିକ ପ୍ରଚାର ରୀତିର ବ୍ୟବହାର କରାଯାଏ। ଭାରତରେ ତଥା ବିଦେଶରେ ଏମାନେ ଭିନ୍ନଭିନ୍ନ ମାତ୍ରାରେ ପ୍ରଭାବ ସୃଜିବାରେ ସକ୍ଷମ ହୋଇଛନ୍ତି। ଏମାନଙ୍କ ଦ୍ୱାରା ଅନେକେ ଏକ ନିର୍ଦ୍ଦିଷ୍ଟ ମାତ୍ରା ଯାଏ ଉପକୃତ ହୁଅନ୍ତି। ଏମାନଙ୍କ ପ୍ରବର୍ତ୍ତିତ ଶୃଙ୍ଖଳାରୁ ଆମକୁ କିଛି ଆଧ୍ୟାତ୍ମିକ ପାଠ୍ୟ ଜ୍ଞାନ ମିଳିପାରେ; କିନ୍ତୁ ଆମ ଚେତନାର ଗୁଣଗତ ପରିବର୍ତ୍ତନ ହୁଏନାହିଁ। ତେବେ ଏମାନେ କ୍ଷତିକାରକ ନୁହନ୍ତି। (କିଛିକିଛି ସ୍ବୟଂ-ଘୋଷିତ ଗୁରୁ ରହିଥା’ନ୍ତି, ଯେଉଁମାନଙ୍କ “ଗୁରୁତ୍ବ” ଅଳୀକ।)
ଆଧ୍ୟାତ୍ମିକତା ଏକ ଅନୁଭୂତି-ସାପେକ୍ଷ ଜ୍ଞାନ। ଯେଉଁମାନେ ସେ ଜ୍ଞାନ ଜୀବନରେ ଉପଲବ୍ଧ କରିବାକୁ ଅଗ୍ରସର, ସେମାନେ ଯୋଗ ସାଧକ। ଏଠାରେ ଯୋଗର ଉଲ୍ଲେଖ କରୁଛି ବ୍ୟାପକତର ଅର୍ଥରେ। ଯୋଗର ଚାରି ପ୍ରାଥମିକ ପ୍ରୟୋଜନୀୟତା ହେଲେ ଶାସ୍ତ୍ର, ଉତ୍ସାହ, ଗୁରୁ ଏବଂ କାଳ। ଶାସ୍ତ୍ର ବୋଇଲେ ସେ ମାର୍ଗ ସମ୍ପର୍କରେ ଜ୍ଞାନ; ଉତ୍ସାହର ବ୍ୟାଖ୍ୟା ଅନାବଶ୍ୟକ; ଗୁରୁ ହେଲେ ଦିଗ୍‌ଦର୍ଶକ। କାଳ ମୋଟାମୋଟି ଜଣକର ବ୍ୟକ୍ତିଗତ କ୍ରମବିକାଶରେ ସତ୍ୟାନୁସନ୍ଧାନ ନିମନ୍ତେ ଉପସ୍ଥିତ ମୁହୂର୍ତ୍ତ। ଆମର ଅଧିକାଂଶ କାର୍ଯ୍ୟକଳାପ ଅହଂପ୍ରଣୋଦିତ। ତେଣୁ କାଳ ଆମ ଆଗରେ ନାନା ପ୍ରତିବନ୍ଧକ ରଖେ। ଯେତେବେଳେ ସତ୍ୟ ପାଇଁ ଜଣକ ଉତ୍ସାହ ହୁଏ ଅବିମିଶ୍ରିତ ନିର୍ମଳ, ସେତେବେଳେ ଦିବ୍ୟକରୁଣା ତା’କୁ ସ୍ୱାଗତ କରେ ଏବଂ କାଳ ତା’କୁ ସହାୟତା ଦିଏ।
ଏ ଲେଖକର ବିଶ୍ୱାସ ଅନୁସାରେ ଶ୍ରୀଅରବିନ୍ଦଙ୍କ ପ୍ରବର୍ତ୍ତିତ ପୂର୍ଣାଙ୍ଗ ଯୋଗହିଁ ଯୋଗର ଭବିଷ୍ୟତ ଏବଂ ଆଧ୍ୟାତ୍ମିକତାର ସର୍ବୋତ୍ତମ ପ୍ରତିଶ୍ରୁତି। ଏହା ଭଗବାନଙ୍କର ଏ ସୃଷ୍ଟିକୁ ମାୟା ଓ ମିଥ୍ୟା ଆଖ୍ୟା ଦେଇ ବର୍ଜନ କରେନା। ଆମ ଜୀବନରେ ମାୟା ଓ ମିଥ୍ୟାର ପ୍ରଚଣ୍ଡ ପ୍ରଭାବକୁ ଏହା ଅସ୍ୱୀକାର କରେନା; କିନ୍ତୁ ସେଥିରୁ ଉତ୍ତୀର୍ଣ୍ଣ ହେବାର ଶକ୍ତି ଆମ ଚେତନାରେ ନିହିତ ବୋଲି ଏ ଦିବ୍ୟଦର୍ଶନ ଆମକୁ ପ୍ରତିଶ୍ରୁତି ଦିଏ। ଆଧ୍ୟାତ୍ମିକ ଜୀବନ ଯାପନ ସକାଶେ ସାମାଜିକ ବା ସ୍ଥୂଳଜୀବନ ପରିତ୍ୟାଗ କରିବା ଅନିବାର୍ଯ୍ୟ ବୋଲି ଏହା ଘୋଷଣା କରେନା। ବିବର୍ତ୍ତନ କ୍ରମରେ ମଣିଷ ତା’ର ଅପରିଣତ ଜୀବନର ଊର୍ଦ୍ଧ୍ୱତର ଏକ ସୋପାନରେ ଉପନୀତ ହେବ ଏବଂ ଏକ ଦିବ୍ୟଜୀବନର ଅଧିକାରୀ ହେବ; ତାହାହିଁ ତା’ର ଆଧ୍ୟାତ୍ମିକ ଭବିଷ୍ୟତ। (କେବେ, ତାହା ନିର୍ଭର କରେ ଆମର ଆସ୍ପୃହା, ଦିବ୍ୟଶକ୍ତିଠାରେ ସମର୍ପଣ ଏବଂ ପ୍ରକୃତିଗତ ବିରୂପ ଅଭ୍ୟାସ ଏବଂ ପ୍ରଭାବ ସବୁର ପରିବର୍ଜନ ଉପରେ।)
ଶାଶ୍ୱତ ବେଦ ରୂପକ ଶାସ୍ତ୍ର ଏବଂ ପରମ ଦିଗ୍‌ଦର୍ଶକ ଗୁରୁ ଉଭୟେ ଆମ ହୃଦୟରେ ଅଧିଷ୍ଠିତ। ଅତଏବ ମାନବ ଗୁରୁ ନ ଥିଲେ କ୍ଷତି ନାହିଁ। ସେ ଦାୟିତ୍ବ ଆପଣ ଭଗବାନଙ୍କୁ ଦେଇଦିଅନ୍ତୁ। ଯଦି ଆବଶ୍ୟକ ଥିବ, ତେବେ ମାନବ ଗୁରୁଙ୍କ ସହ ଯୋଗାଯୋଗ ଅବଶ୍ୟ ଘଟିବ। ସବୁ ନିର୍ଭର କରେ ପ୍ରାର୍ଥୀର ଆନ୍ତରିକତା ଓ ଆବଶ୍ୟକତା ଉପରେ। ରହସ୍ୟ ହେଲା, ଗୁରୁ ସଚ୍ଚା ହୋଇ ନ ଥିଲେ ବି ସଚ୍ଚା ଶିଷ୍ୟଟିଏ ଗୁରୁଙ୍କ ଭିତରେ ଜଗଦ୍‌ଗୁରୁଙ୍କୁ ଜାଗରିତ କରିଦେଇପାରିବ। ଆମ ଲୋକକଥାରେ ରହିଛି ଏହାର ଉଦାହରଣ। ସଂକ୍ଷେପରେ :
ଜଣେସଚ୍ଚା ଗୁରୁଙ୍କ ତିରୋଧାନ ଅନ୍ତେ ତା’ଙ୍କ ବ୍ୟକ୍ତିଗତ ସେବକ ଜଣକ ତା’ଙ୍କ ଆସନରେ ବସିଗଲେ। ନିଜ ଅଯୋଗ୍ୟତାକୁ ଗୋପନ କରିବା ନିମନ୍ତେ ତା’ଙ୍କୁ ବିଶେଷ କ୍ଳେଶ ସହିବାକୁ ପଡ଼ିଲା ନାହିଁ, କାରଣ ସେ ଖଣ୍ଡମଣ୍ଡଳର ଲୋକେ ଥିଲେ ଅତ୍ୟନ୍ତ ସରଳବିଶ୍ୱାସୀ। ନୂଆଗୁରୁ ଘୋଷଣା କଲେ, ସେ ଶିଷ୍ୟବହୁଳ ଏକଏକ ଗାଁରେ ଦୁଇଚାରି ଦିନ କରି ବିତାଇବେ। ମନ୍ଦରପୁର ଗାଁ ତରଫରୁ ରାମଦାସ ଆସି ନେହୁରା ହେଲା, ଗୁରୁ ତା’ ଗାଁ’ରେ ବିଜେ ହୁଅନ୍ତୁ। ସେ ପ୍ରାୟ ଅଧିଆ ପଡ଼ିରହିଲା ନ ଖାଇ, ନ ପିଇ। ତେଣେ ତା’ ଘରୁ ଲୋକ ଆସି ତା’କୁ ଚେତାଇଦେଲେ, ତା’ର ଶିଶୁକନ୍ୟା ଭୀଷଣ ଅସୁସ୍ଥ; ସେ ଶୀଘ୍ର ଘରକୁ ଯିବା ଚାହି। କିନ୍ତୁ ରାମଦାସ ଗୁରୁଙ୍କୁ ନନେଇ ଯିବନାହିଁ।
ଗୁରୁ ଅବଶ୍ୟ ତା’ଙ୍କ ମର୍ଜି ଅନୁସାରେ ଗଲେ– ଶୋଭାଯାତ୍ରାରେ। ଆଗେଆଗେ ଉଦ୍ଦାମ ଭକ୍ତ ରାମଦାସ। କିନ୍ତୁ ଗୁରୁ ଆଗମନ ଉପଲକ୍ଷେ ଉତ୍ସବମୁଖର ଗାଁ’ରେ ପଶିବା ବେଳକୁ ଜଣେ ଆସି ତା’କୁ ଖବର ଦେଲା, ତା’ ସନ୍ତାନର ଶେଷ ସମୟ ଉପସ୍ଥିତ। “ଚୁପ୍‌ କର। ଆଗେ ଗୁରୁ ଥଇଥାନ ହୁଅନ୍ତୁ !” କହି ରାମଦାସ ସେ ଧନ୍ଦାରେ ବ୍ୟସ୍ତ ରହିଲା। ଅବଶେଷରେ ସେ ଘରେ ପହଞ୍ଚିବା ବେଳକୁ କନ୍ୟା ମୃତ।
ରାମଦାସ ଶିଶୁକୁ କୋଳାଗ୍ରତ କରି ଦୌଡ଼ିଯାଇ ତା’କୁ ଗୁରୁଙ୍କ ପାଦପ୍ରାନ୍ତରେ ଥୋଇ ଗୋଟାଏ ପାତ୍ରରେ ପାଣି ଆଣି ଗୁରୁଙ୍କୁ ସେଥିରେ ତା’ଙ୍କ ପଦାଙ୍ଗୁଳି କେତୋଟି ବୁଡାଇବାକୁ ନେହୁରା ହୋଇ ସେ ପାଣି ଛିଞ୍ଚିଲା ଶିଶୁ ଉପରେ। ଶିଶୁର ଆଖିପତା ସ୍ପନ୍ଦିତ ହେଲା। ଚାହୁଁ ଚାହୁଁ ସେ କାନ୍ଦିଲା। ଗୁରୁଙ୍କ ଜୟଧ୍ୱନିରେ ମୁଖରିତ ହେଲା ବାତାବରଣ। ଧନ୍ୟ ନୂଆବାବାଙ୍କ ବିଭୂତି ! ସ୍ଥାନୀୟ ଜମିଦାର ଶୁଣିଲେ ସେ ଅଲୌକିକ ବୃତ୍ତାନ୍ତ; ସେ ଆସି ପ୍ରଣାମାନ୍ତେ ବାବା ତା’ଙ୍କ ଆତିଥ୍ୟ ଗ୍ରହଣ କରି ତା’ଙ୍କ ପ୍ରାସାଦରେ ଦିନ କେତୋଟି ବିତାଇବା ନିମନ୍ତେ ଅଳି କଲେ। କିଞ୍ଚିତ୍‌ କୁଣ୍ଠାର ଅଭିନୟ ଅନ୍ତେ ନିଜ ଶକ୍ତିରେ ଚକିତ ଓ ମୁଗ୍ଧ ବାବା ପ୍ରାସାଦକୁ ଗଲେ। ତା’ଙ୍କୁ ଦେଖିବା ନିମନ୍ତେ ଶହଶହ ନରନାରୀ ଭିଡ଼ କରୁଥା’ନ୍ତି। ପରଦିନ ପ୍ରଭାତରେ ବାବା ପଦ୍ମାସନରେ ଧ୍ୟାନରତ, ଜମିଦାରଙ୍କ ଶିଶୁପୁତ୍ରଟି ଗୁରୁଣ୍ଡିଗୁରୁଣ୍ଡି ଆସି ତା’ଙ୍କ କୋଳ ଚଢ଼ିଗଲା। ବାବା ଆବର୍ଜନା ଭଳି ତା’କୁ ଠେଲିଦେଲେ। କିନ୍ତୁ ନନ୍ଦନଟି ପୁଣି ଆସି ତା’ଙ୍କ ଲେଭନୀୟ ଦାଢ଼ିଟିକୁ ଆତ୍ମସାତ୍ କରିବାକୁ ଚେଷ୍ଟାକରନ୍ତେ ମହାଶୟ ତା’କୁ ପ୍ରାୟ ଫୋପାଡ଼ି ଦେଲେ ଏବଂ ସେ କାନ୍ଥ ଦେହରେ ପିଟିହୋଇଯାଇ ଚେତା ହରାଇଲା। ଦୌଡ଼ିଆସିଲେ ପରିଚାରିକାମାନେ ଓ ଜମିଦାର-ପତ୍ନୀ। ପରେ ପରେ ବୈଦ୍ୟ। ଶିଶୁ ମୃତ !
ବଦ୍ଧ-ଚକ୍ଷୁ ନୂଆବାବାଙ୍କ ଆଗରେ ଉଭା ଜମିଦାର। “ବାବା !” ସେ ଗମ୍ଭୀର କଣ୍ଠରେ ସମ୍ବୋଧନ କରି କହିଲେ,“ଅଧମ ଶିଶୁଟିକୁ ଏଥର ଜୀବନ୍ୟାସ ଦିଅନ୍ତୁ!” ଗୁରୁ ସାମାନ୍ୟ ବିରକ୍ତି ଦେଖାଇ କହିଲେ, “ଏତିକି ପାଇଁ ମୋ ଧ୍ୟାନ ଭଙ୍ଗାଇଲ ? ଆଣ କଂସାଏ ପାଣି।” ପାଣି ଆସିଲା। ବାବା ସେଥିରେ ଅଙ୍ଗୁଳି ବୁଡାଇ ଶିଶୁ ଉପରେ ତାହା ସିଞ୍ଚନ କଲେ। ନିଷ୍ଫଳ। ଏକ ଗରାଭର୍ତ୍ତି ପାଣିରେ ସେ ଦୁଇ ଗୋଡ଼ ବୁଡ଼ାଇଲେ ଓ ତାହା ଶିଶୁ ଉପରେ ଓଜାଡ଼ି ଦିଆଗଲା। ତଥାପି ନିଷ୍ଫଳ। ଏଥର ଧମକ ଦେଲେ ଜମିଦାର, “ମୋ ପୁଅ ଉପରେ ତୁମ କରାମତି ଦେଖାଇବ ନା ତୁମ ଉପରେ ମୋ କରାମତି ଦେଖିବ !”
ଗୁରୁ ଥରହର। ସେତିକିବେଳେ ପଶି ଆସିଲା ରାମଦାସ। “ଗୁରୁଦେବ! କାହିଁକି ଏ ପରୀକ୍ଷା ?” କହି ସେ ଗୋଟିଏ ପାତ୍ରରେ ପାଣି ଆଣି ସେଥିରେ ଗୁରୁଙ୍କ ପାଦାଙ୍ଗୁଳି ବୁଡ଼ାଇ ତହିଁରୁ କେତେ ବିନ୍ଦୁ ଶିଶୁଟି ଉପରେ ସିଞ୍ଚନ କରନ୍ତେ ଅବିଳମ୍ବେ ଶିଶୁ ଆଖି ଖୋଲିଲା। ବାବାଙ୍କ ଗୌରବ ଗାନରେ ପୁନର୍ବାର ସ୍ପନ୍ଦିତ ହେଲା ବାତାବରଣ। କିନ୍ତୁ ଏକମାତ୍ର ବାବା ବାପୁଡ଼ା ହିଁ ବୁଝୁଥିଲେ ସେ ଚମତ୍କାରର ରହସ୍ୟ।
କହିବା ବାହୁଲ୍ୟ, ରାମଦାସର ନିଃସର୍ତ୍ତ ବିଶ୍ୱାସ ଓ ଚୂଡ଼ାନ୍ତ ଗୁରୁଭକ୍ତି ଏକ ଅପରାଜେୟ ଶକ୍ତିରେ ପରିଣତ ହୋଇ ପରମଗୁରୁଙ୍କ କରୁଣାକୁ ଅବତରଣ କରାଇ ଆଣିଥିଲା।
queriesandresponses@gmail.com

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories