ରାଜନୀତି ଯୁଦ୍ଧରେ ରାଫେଲ ଅସ୍ତ୍ର

0

ପାବକ କାନୁନ୍‌ଗୋ

prayash

ନିକଟ ଅତୀତରେ ଭାରତର ରାଜନୈତିକ ଓ ସାମ୍ବିଧାନିକ ବ୍ୟବସ୍ଥା ସହ ଜଡ଼ିତ ଅନେକଗୁଡ଼ିଏ ପ୍ରସଙ୍ଗ ଲୋକଲୋଚନକୁ ଆସି ସାଧାରଣ ନାଗରିକ ମନକୁ ଆନ୍ଦୋଳିତ କରୁଛି। ଆମ ଦେଶର ଗଣତନ୍ତ୍ରର ଭବିଷ୍ୟତ ଓ ସମ୍ବିଧାନ ତଥା ମାନବିକ ଅଧିକାରର ସୁରକ୍ଷା ସମ୍ପର୍କୀୟ ଅନେକ ପ୍ରଶ୍ନ ଉଙ୍କିମାରି ଆଶଙ୍କା ଓ ସନ୍ଦେହର ଗୋଟିଏ ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ସୁସ୍ଥ ସବଳ ଗଣତନ୍ତ୍ରର ସଫଳତା ପାଇଁ ଯେଉଁ ସଂଯମ ଓ ଆତ୍ମନିୟନ୍ତ୍ରଣର ଆବଶ୍ୟକତା ରହିଛି ତାହାର ଘୋର ଅଭାବ ପରିଲକ୍ଷିତ ହେଉଥିବା କଥା ଆଲୋଚିତ ହେଉଛି। ଅନେକ ପ୍ରସଙ୍ଗ ଉପରେ ଆଲୋଚନା ବା ସିଦ୍ଧାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମନେ ହେଉଥିବାବେଳେ ଏସବୁଥିରେ ନୂଆନୂଆ ଦିଗନ୍ତ ଯୋଡ଼ି ହୋଇଯଉଛି। ଏପରିକି ବିବାଦଠାରୁ ନିରାପଦ ଦୂରତାରେ ଥିବା ବିଚାର ବିଭାଗ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଭାରତର ଜଣେ ଅବସରପ୍ରାପ୍ତ ପ୍ରଧାନ ବିଚାରପତି ସ୍ବାଧୀନ ନିଷ୍ପତ୍ତି ନେଉ ନଥିଲେ ଏବଂ ତାଙ୍କ ଉପରେ ବାହ୍ୟ ପ୍ରଭାବ ରହୁଥିଲା ବୋଲି ନିକଟରେ ଅବସର ନେଇଥିବା ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟ କିମ୍ବା ଭାରତକୁ ହିନ୍ଦୁରାଷ୍ଟ୍ର ଭାବରେ ଘୋଷଣା କରାଯିବାର ଥିଲା ବୋଲି ମେଘାଳୟ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ବକ୍ତବ୍ୟ ବିଚାରବିଭାଗର ବିଶ୍ବସନୀୟତା ଉପରେ ଆଞ୍ଚ ଆଣିବା କଥା ଚର୍ଚା ସୃଷ୍ଟି କରିଛି।
ଦେଶସ୍ବାଧୀନ ହେବାପରେ ଆମର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାପାଇଁ ହଜାରହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ବିଦେଶରୁ କିଣାଯାଇଛି, କିନ୍ତୁ କେବଳ ବୋଫର୍ସ ତୋପ କିଣା ବିବାଦରୁ ଛାଡ଼ିଦେଲେ ଅନ୍ୟକୌଣସି କ୍ଷେତ୍ରରେ ରାଫେଲ ଭଳି ବିବାଦ ସୃଷ୍ଟି ହୋଇନାହିଁ। କିନ୍ତୁ ରାଫେଲ ଯୁଦ୍ଧବିମାନ (ଫ୍ରାନ୍ସରୁ) କ୍ରୟକୁ ନେଇ ସରକାର ନିଷ୍ପତ୍ତି ନେବା ଏବଂ ଏହାର ଔଚିତ୍ୟ ଓ ଆଇନଗତ ଦିଗ ସମ୍ପର୍କରେ ବିରୋଧୀ ଦଳ ପ୍ରଶ୍ନ ଉଠାଇବାରେ କିଛି ଅସ୍ବାଭାବିକତା ନାହିଁ। ନିକଟରେ ଶେଷ ହୋଇଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ବେଳେ ରାଫେଲ ଅନିୟମିତତା ସମ୍ପର୍କରେ ଅଭିଯୋଗ ଆସିବା ଏବଂ ଏଭଳି କ୍ରୟରେ କୌଣସି କାରସାଦି ବା ଅନିୟମିତତା ହୋଇନାହିଁ ବୋଲି ଶାସକଦଳ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରିବା ଆମ ରାଜନୈତିକ ବ୍ୟବସ୍ଥାର ଗୋଟିଏ ସ୍ବାଭାବିକ ପ୍ରକ୍ରିୟା ବୋଲି ଧରିନେବାରେ କିଛି ଅସୁବିଧା ନାହିଁ, କିନ୍ତୁ କେତେଜଣ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର ହେବାପରେ ନିକଟରେ ଅଦାଲତ ତାଙ୍କ ରାୟ ଶୁଣାଇଛନ୍ତି। ଏହି କାରବାରରେ କୌଣସି ଅନିୟମିତତା ହୋଇନଥିବାରୁ ଘଟଣାର ତଦନ୍ତ କରିବାର ଆବଶ୍ୟକତା ନାହିଁଁ ବୋଲି ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ଶୁଣାଇବା ପରେ ପ୍ରସଙ୍ଗଟି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଲାବୋଲି ଧରି ନିଆଯିବା କଥା, କିନ୍ତୁ ସରକାରଙ୍କୁ ଦୋଷମୁକ୍ତ କରି ନ୍ୟାୟାଳୟ ନିଷ୍ପତ୍ତି ନେବାପରେ ଯେଉଁମାନେ ଏପରି ଅଭିଯୋଗ କରିଛନ୍ତି ସେମାନେ କ୍ଷମାମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି ହେବା ପରଦିନ ଜଣାପଡ଼ିଲା ଯେ ଯେଉଁ ତଥ୍ୟକୁ ଆଧାରକରି ଅଦାଲତ ଏପରି ନିଷ୍ପତ୍ତି ନେଇଛନ୍ତି ତାହା ଗୋଟିଏ ଦୃଷ୍ଟିରୁ ବିଭ୍ରାନ୍ତିକର ଓ ଦୋଷଯୁକ୍ତ। ନ୍ୟାୟାଳୟ ସରକାରଙ୍କ ପ୍ରଦତ୍ତ ମୂଲ୍ୟ ବାବଦ ଦଲିଲକୁ ନେଇ ଦେଇଥିବା ରାୟରେ ଯେଉଁ ବ୍ୟାଖ୍ୟା କରିଛନ୍ତି ସେଥିରେ ତ୍ରୁଟି ଥିବା ଦର୍ଶାଇ ସରକାରଙ୍କ ପକ୍ଷରୁ ତଥ୍ୟ ସଂଶୋଧନ ପାଇଁ କୋର୍ଟରେ ଆବେଦନ କରାଗଲା। ସରକାରଙ୍କ ପକ୍ଷରୁ ନ୍ୟାୟାଳୟ ଉପରେ ଦୋଷ ଲଦାଯାଇ ପ୍ରଦତ୍ତ ତଥ୍ୟର ଠିକ ବିଶ୍ଳେଷଣ ବା ତର୍ଜମା ଦିଗରେ ଏହା ଉପଯୁୁକ୍ତ ଧ୍ୟାନ ଦେଇନାହାନ୍ତି ବୋଲି କୁହାଯାଇଛି। ଏକଥା ମଧ୍ୟ ଦର୍ଶାଯାଇଛି ଯେ ଠିକ ଭାବରେ ତର୍ଜମା ନକରିବା ଫଳରେ ଏପରି ପରିସ୍ଥିତି ଉପୁଜିଛି। ଏହାର ଗୋଟିଏ ଅର୍ଥ ହେଉଛି ସମଗ୍ର ରାୟଟି ସନ୍ଦେହର ଘେର ଭିତରକୁ ଚାଲିଆସିଛି ଏବଂ ଏହାର ପୁନର୍ବିଚାରବେଳେ କୋର୍ଟଙ୍କ ମତିଗତି କ’ଣ ହେବ ସେ ସମ୍ପର୍କରେ ବର୍ତ୍ତମାନ କିଛି କହିବା ସମ୍ଭବ ହେଉନାହିଁ।
ସରକାରୀ ନିଷ୍ପତ୍ତିର ଔଚିତ୍ୟ ସମ୍ପର୍କରେ ବିଚାର କରି ନିଷ୍ପତ୍ତି ଶୁଣାଇବାର କ୍ଷମତା ଅଦାଲତକୁ ଦିଆଯାଉଛି ସତ, କିନ୍ତୁ ଏଥିପାଇଁ ଯେଉଁ ସତର୍କତାର ଆବଶ୍ୟକତା ରହିଛି, ଏ କ୍ଷେତ୍ରରେ ତା’ର ଅଭାବ ରହିଥିବାରୁ ପ୍ରସଙ୍ଗଟି ସମାଧାନ ବାଟରେ ନଯାଇ ଅଧିକ ଜଟିଳ ହୋଇଥିବା ଅଭିଯୋଗ ହୋଇଛି। ଅନିଶ୍ଚିତତା, ଅସ୍ପଷ୍ଟତା ଓ ଅନେକାର୍ଥରେ ଭରପୂର ଏକ ଆବେଦନ ଉପରେ ନିଷ୍ପତ୍ତି ଶୁଣାଇ ନ୍ୟାୟାଳୟ କାର୍ଯ୍ୟଟିର ଔଚିତ୍ୟ ସମ୍ପର୍କରେ ଅତି ସ୍ପଷ୍ଟ ଭାବରେ ମତ ପ୍ରକାଶ କରିବାର ସୁଯୋଗ ପାଇନାହାନ୍ତି ବୋଲି କହିଲେ ଭୁଲ ହେବନାହିଁ।
ଏହା ଏକ ପ୍ରତିଷ୍ଠିତ ସତ୍ୟ ଯେ ସରକାର କରୁଥବା ଖର୍ଚ୍ଚର ଅନୁଶୀଳନ କରି ଏହାର ଠିକ୍‌ଭୁଲ୍ ସମ୍ପର୍କରେ ମତଦେବାର ଅଧିକାର କେବଳ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ(ସିଏଜି)ଙ୍କର ରହିଛି। ସିଏଜି ରିପୋର୍ଟକୁ ପବ୍ଲିକ ଏକାଉଣ୍ଟସ କମିଟି ତର୍ଜମା କଲାପରେ ଏହାକୁ ସଂସଦରେ ଉପସ୍ଥାପନ କରାଯାଏ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ମତରେ ରାଫେଲ ବ୍ୟାପାରଟିକୁ ସିଏଜି ସମୀକ୍ଷା କଲାପରେ ଏହାର କିଛି ଅଂଶ ପିଏସି ନିକଟରେ ଉପସ୍ଥାପିତ କରାଯାଇଛି, କିନ୍ତୁ ବର୍ତ୍ତମାନ ଜଣାପଡ଼ୁଛି, ସିଏଜି ଆଦୌ କୌଣସି ରିପୋର୍ଟ ପ୍ରସ୍ତୁୁତ କରିନାହାନ୍ତି। ସିଏଜି ସବୁ କଥା ପରୀକ୍ଷା କଲାପରେ ଏହାକୁ ପବ୍ଲିକ ଏକାଉଣ୍ଟସ କମିଟି (ପିଏସି)କୁ ପଠାଇଛନ୍ତି ଧରିନେଇ ଅଦାଲତ ନିଷ୍ପତ୍ତି ଶୁଣାଇଛନ୍ତି। ମୋଟ ଉପରେ ସିଏଜି ରିପୋର୍ଟରେ କ’ଣ ଅଛି ସେ କଥା ଅଦାଲତ ଜାଣିନାହାନ୍ତି। ତେଣୁ ସରକାର ନିଜ ଉପରୁ ଦୋଷ ଛଡ଼ାଇଦେଇ ନ୍ୟାୟାଳୟଙ୍କ ରାୟର କେତେକ ଅଂଶରେ ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିଛନ୍ତି। ଏପରି ପରିସ୍ଥିତିରେ କୋର୍ଟ କେବଳ ସରକାରଙ୍କ ପ୍ରସ୍ତାବର ପୁନର୍ବିଚାର କରିବେ ନା ନିଜର ବିଶ୍ବସନୀୟତାକୁ ପ୍ରତିଷ୍ଠା କରିବାକୁ ସମଗ୍ର ରାୟକୁ ବାତିଲ କରି ଆଉ ଏକ ନୂଆ ରାୟ ଦେବେ ତାହା ଲକ୍ଷ୍ୟ କରିବାର କଥା।
ଏଠା​‌େ​‌ର ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ଯେପରି ​‌େ​‌ଗାଟିଏ କମ୍ପାନୀର କାରବାର ସମ୍ପର୍କରେ ଅଡ଼ିଟରଙ୍କ ମତ ଚୂଡ଼ାନ୍ତ ନୁହେଁ ଏବଂ କମ୍ପାନୀର ଆର୍ଥିକ କାରବାରରେ କେତେ ଦୂର ସ୍ବଚ୍ଛତା ଅବଲମ୍ବନ କରାଯାଉଛି ତାହା ଏଥିରେ ପ୍ରତିଫଳିତ ହୁଏନାହିଁ; ପରନ୍ତୁ ଏହି ଅଡ଼ିଟ ରିପୋର୍ଟକୁ କମ୍ପାନୀର ଅଂଶୀଦାରମାନଙ୍କ ବାର୍ଷିକ ସାଧାରଣ ଅଧିବେଶନରେ ଉପସ୍ଥାପିତ କରାଯାଏ; ସେମାନଙ୍କ ମଂଜୁରୀ ପାଇଲେ ଏହା ଚୂଡ଼ାନ୍ତ ରୂପ ନିଏ। ସେହିପରି ସିଏଜି ରିପୋର୍ଟ ପିଏସି ଦ୍ବାରା କୌଣସି ବିଷୟରେ ତ୍ରୁଟି ଅଛି ନା ନାହିଁ ତାହାର ଉନ୍ନତତର ପରୀକ୍ଷା କରାଯାଏ। ଏହାପରେ ରିପୋର୍ଟକୁ ସଂସଦର ଅନୁମୋଦନ ପାଇଁ ପଠାଯାଏ। ରାଫେଲ କ୍ରୟ କ୍ଷେତ୍ରରେ କିନ୍ତୁ ଏହି ପ୍ରକ୍ରିୟା ଆଦୌ ଆରମ୍ଭ ହୋଇନାହିଁ। ଏହା ସଂପୂର୍ଣ୍ଣ ହୋଇଯାଉଛି ଏବଂ ସରକାରଙ୍କର କୌଣସି ଦୋଷ ନାହିଁ। ଏହି ଧାରଣାର ବଶବର୍ତ୍ତୀ ହୋଇ କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ କେଉଁ ଦରରେ କେତେ ସଂଖ୍ୟକ ଯୁଦ୍ଧବିମାନ କିଣାହେବ ତାହା ସ୍ଥିର କରିବା ଅଦାଲତର କାମ ନୁହେଁ।
ରାଫେଲ ବିମାନ ଯୋଗାଇବା ସମ୍ପର୍କରେ ଯେଉଁ ମୂଳ ଚୁକ୍ତିରେ ସରକାର ସ୍ବାକ୍ଷର କରିଥିଲେ ପ୍ରକୃତ କିଣାବିକାବେଳେ ବିମାନର ସଂଖ୍ୟା ଓ ମୂଲ୍ୟରେ ପରିବର୍ତ୍ତନ କରାଯାଇଛି ବୋଲି ସୂଚାଇ ଘଟଣାଟି ମାମୁଲି ବୋଲି ଅଦାଲତ କହି ଘଟଣାଟିର ଗୁରୁତ୍ବକୁ ହ୍ରାସ କରିଦେଇଛନ୍ତି। ଏକ ଅତ୍ୟନ୍ତ ସମ୍ବେଦନଶୀଳ ଚୁକ୍ତି ସର୍ବେକ୍ଷଣ ବା ପୁନର୍ବିଚାର ପାଇଁ ଉପଯୁକ୍ତ ସମୟ ଆସିନାହିଁ ବୋଲି ଦର୍ଶାଇ ଅଦାଲତ ଜନସ୍ବାର୍ଥ ମାମଲାକୁ ଖାରଜ କରିଦେଇଥିଲେ ହୁଏତ ରାଜନୈତିକ ଦୃଷ୍ଟିରୁ ବାଦ ବିସମ୍ବାଦର ଆଧାର ପାଲଟିଥିବା ଏପରି ଏକ ପ୍ରସଙ୍ଗ ଅଧିକ ଜଟିଳ ହୋଇନଥାନ୍ତା। ସିଏଜି ଓ ପିଏସି ରିପୋର୍ଟ ମିଳିଲା ପରେ ହିଁ ଏ ସମ୍ପର୍କରେ କିଛି ସ୍ପଷ୍ଟଚିତ୍ର ମିଳିବ ବୋଲି ଆଶା କରାଯାଉଛି।

kalyan agarbati
Leave A Reply