ପ୍ରତିମୂର୍ତ୍ତି ରାଜନୀତି: ଇତିହାସର ପୁନରାବୃତ୍ତି

0

କିଶୋର ଶତପଥୀ

ଭାରତର ଅନ୍ୟତମ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା ନୈଷ୍ଠିକ ଗାନ୍ଧିବାଦୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକ ପ୍ରତିମୂର୍ତ୍ତି ରାଜପିପଲା ନିକଟସ୍ଥ ସାଧୁବେଟଠାରେ ଉ‌େନ୍ମାଚିତ ହୋଇଛି। ସର୍ଦାରଙ୍କର ଏହି ବିଶାଳ ପ୍ରତିମୂର୍ତ୍ତିଟି ସର୍ଦାର ସରୋବର ବନ୍ଧକୁ ଚାହିଁଛି। ଏହା ହେଉଛି ପୃଥିବୀର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି। ଏହାର ଉଚ୍ଚତା ହେଉଛି ୧୮୨ ମିଟର। କେବଳ ମୂର୍ତ୍ତି ନିର୍ମାଣରେ ୧ ହଜାର ୩୫୦ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ଏହାର ଚାରିପାଖର ନିର୍ମାଣରେ ପ୍ରାୟ ୧୬ ଶହ କୋଟି ଟଙ୍କା ବ୍ୟୟ ହୋଇଥିବା କୁହାଯାଉଛି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ମୂର୍ତ୍ତି ନିର୍ମାଣ ଆରମ୍ଭ ହେବା ପୂର୍ବରୁ ବ୍ରିଟିଶ ସରକାର ଭାରତକୁ ଏକ ଶହ କୋଟି ପାଉଣ୍ଡ ସାହାଯ୍ୟ ଦେଇଥିଲେ ଏବଂ ସେହି ଅର୍ଥ ମଧ୍ୟରୁ ୩୩ କୋଟି ପାଉଣ୍ଡ ସର୍ଦାରଙ୍କ ପ୍ରତିମୂର୍ତ୍ତି ନିର୍ମାଣରେ ବ୍ୟୟ କରାଯାଇଚି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବ୍ରିଟେନର ଜଣେ ସାଂସଦ କହିଥିଲେ ଯେ ଭାରତକୁ ଆଉ ସାହାଯ୍ୟ ଦିଆଯିବା ଉଚିତ ନୁହେଁ; କାରଣ ବାଜେ ଖର୍ଚ୍ଚରେ ଭାରତ ସରକାର ଅର୍ଥର ଅପବ୍ୟୟ କରୁଛନ୍ତି। ଏହି ପ୍ରତିମୂର୍ତ୍ତି ନିର୍ମାଣ ସମୟରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଦିଲ୍ଲୀର ଦୀନଦୟାଲ ମାର୍ଗରେ ଆରମ୍ଭ ହୋଇଥିଲା। ଏହାର ନିର୍ମାଣରେ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟ ହୋଇଥିବା ଆଲୋଚନା ହେଉଛି। ଏହି କାର୍ଯ୍ୟାଳୟର ପରିସର ହେଉଛି ୧ଲକ୍ଷ୭୦ ହଜାର ବର୍ଗଫୁଟ। ପୃଥିବୀରେ ଏହା ହେଉଛି ସବୁଠାରୁ ବୃହତ୍ତମ ଏବଂ ସର୍ବାଧୁନିକ ଦଳୀୟ କାର୍ଯ୍ୟାଳୟ ବୋଲି ଖୋଦ ସଭାପତି ଅମିତ ଶାହା ଏହାର ଉଦ୍‌ଘାଟନ ଦିନ କହିଛନ୍ତି। ସାଂବାଦିକମାନେ ଏହା ମଧ୍ୟକୁ ଯାଇଛନ୍ତି, କିନ୍ତୁ ଏହା ଉପରେ କେହି ଏପର୍ଯ୍ୟନ୍ତ ଆଲୋଚନା କରିନାହାନ୍ତି।
ସର୍ଦାରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପୂର୍ବରୁ ଚୀନର ଲୁସିୟାନା ଠାରେ ନିର୍ମିତ ହୋଇଥିବା ୧୨୮ ମିଟର ଉଚ୍ଚତାର ବୁଦ୍ଧଙ୍କ ପ୍ରତିମୂର୍ତ୍ତି ପୃଥିବୀର ଉଚ୍ଚତମ ପ୍ରତିମୂର୍ତ୍ତିର ସମ୍ମାନ ଲାଭ କରୁଥିଲା। ଏହାର ନିର୍ମାଣରେ ୧୮ କୋଟି ଡଲାର ବ୍ୟୟ ହୋଇଥିବା ବେଳେ ସର୍ଦାରଙ୍କ ପ୍ରତିମୂର୍ତ୍ତି ନିର୍ମାଣରେ ୧୮୦ କୋଟି ଡଲାର ବ୍ୟୟ ହୋଇଛି। ଅର୍ଥାତ ବୁଦ୍ଧଙ୍କ ପ୍ରତିମୂର୍ତ୍ତିର ବ୍ୟୟଠାରୁ ଏହାର ବ୍ୟୟ ପରିମାଣ ୧୦ ଗୁଣ ଅଧିକ। ମାତ୍ର ୫୪ ମିଟର ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିମନ୍ତେ ଏତେ ଅଧିକ ବ୍ୟୟର କାରଣ କ’ଣ? ଏପରି ପ୍ରଶ୍ନ ଲୋକଙ୍କ ମନରେ ଉଠିବା ସ୍ୱାଭାବିକ। ସରକାର ଯେତେବେଳେ ସ୍ମାରକ ନିର୍ମାଣ କରନ୍ତି ସେତେବେଳେ ଏହାର ଆର୍ଥିକ, ପର୍ଯ୍ୟଟନ, ସୌନ୍ଦର୍ଯ୍ୟ, ଅନନ୍ୟତା ଏବଂ ସ୍ଥାନ ପ୍ରତି ଧ୍ୟାନ ଦେଇଥାଆନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉନ୍ମୋଚନ ସମୟରେ କହିଲେ ଯେ ଏଠାକୁ ପର୍ଯ୍ୟଟକମାନେ ଆସିବେ। ବେପାରବଣିଜ ଖୋଲିବ। ସ୍ଥାନୀୟ ଲୋକଙ୍କର ଆର୍ଥିକ ବିକାଶରେ ଏହା ସାହାଯ୍ୟ କରିବ। ଏହାବାଦ ସେ କହିଥିଲେ ଯେ କଂଗ୍ରେସ ଦଳ ବହୁ ବର୍ଷ ହେଲା ସର୍ଦାରଙ୍କ ପ୍ରତି ଯେଉଁ ପ୍ରତ୍ୟାଖ୍ୟାନ ମନୋଭାବ ପୋଷଣ କରି ଆସୁଥିଲା ତାହାର ଉଚିତ ଜବାବ ଏହି ମୂର୍ତ୍ତି ନିର୍ମାଣ ଦ୍ୱାରା ଦିଆଯାଇଛି। କଂଗ୍ରେସକୁ ନୀଚ କରି ଦେଖାଇବା ନିମନ୍ତେ ମୋଦୀ ସରକାର ଏହି ଯେଉଁ ବ୍ୟୟ କଲେ ସେଥିରେ ପଟେଲଙ୍କ ଆତ୍ମା କ’ଣ ସତରେ ଖୁସି ହୋଇଥିବ। ଏହା ନକରି ଯଦି ସର୍ଦାରଙ୍କ ନାମରେ ଏହି ସ୍ଥାନରେ ଏକ ହାସପାତାଳ କିମ୍ବା ତାଲିମ କେନ୍ଦ୍ର ଖୋଲାଯାଇଥାଆନ୍ତା ତେବେ ଅନେକ ଭଲ ହୋଇଥାଆନ୍ତା। କଂଗ୍ରେସ ନେତାମାନେ ମୂର୍ତ୍ତି ନିର୍ମାଣ କରି ଯେଉଁ ଭୁଲ କରିଛନ୍ତି ମୋଦୀ ସରକାର ଏହା ଦ୍ୱାରା ତାହାର ପୁନରାବୃତ୍ତି କଲେ ନାହିଁକି?
ସର୍ଦାରଙ୍କ ପ୍ରତିମୂର୍ତ୍ତି ନିର୍ମାଣରେ ଯେଉଁ ୨୯ ଶହ କୋଟି ଟଙ୍କା ବ୍ୟୟ ହୋଇଛି ତାହା ଆଦାୟ ହେବାକୁ କେତେ ବର୍ଷ ଲାଗିବ? ଭାରତର ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ତାଜମହଲକୁ ପ୍ରତିବର୍ଷ ୮୦ ଲକ୍ଷ ପର୍ଯ୍ୟଟକ ଆସିଥାଆନ୍ତି ଏବଂ ଏହାର ବାର୍ଷିକ ଆୟ ହେଉଛି ୨୫ କୋଟି ଟଙ୍କା। ଯଦି ସର୍ଦାରଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ଏତିକି ସଂଖ୍ୟକ ପର୍ଯ୍ୟଟକ ଆସିବେ ଏବଂ ଆୟ ୨୫ କୋଟି ହେବ ତେବେ ପ୍ରତିମୂର୍ତ୍ତି ନିର୍ମାଣରେ ଯେତିକି ବ୍ୟୟ ହୋଇଛି ତାହା ଆଦାୟ କରିବାକୁ ୨୪୦ ବର୍ଷ ଲାଗିଯିବ। ଏତେ ସଂଖ୍ୟକ ଦର୍ଶକ ଏଠାକୁ ଆସିବାର ସଂଭାବନା ନାହିଁ। ଯଦି ୧୦ ଲକ୍ଷ ପର୍ଯ୍ୟଟକ ଆସନ୍ତି ଏବଂ ପ୍ରତ୍ୟେକ ଦର୍ଶକ ୩୫୦ ଟଙ୍କା ଟିକଟ କିଣି ପ୍ରତିମୂର୍ତ୍ତି ଦେଖନ୍ତି ତେବେ ବ୍ୟୟ କରାଯାଇଥିବା ଅର୍ଥ ଆଦାୟ କରିବାକୁ ୧୬୫ ବର୍ଷ ଲାଗିଯିବ ବୋଲି ପରିସଂଖ୍ୟାନବିତ୍‌ମାନଙ୍କର ମତ।
ଏହି ପ୍ରତିମୂର୍ତ୍ତିଟି ଏପରି ଏକ ସ୍ଥାନରେ ନିର୍ମାଣ କରାଯାଇଛି ଯେ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ କୁଣ୍ଠିତ ହେବେ। କାରଣ ଏହା ଅହମ୍ମଦାବାଦଠାରୁ ୪ ଘଣ୍ଟାର ରାସ୍ତା ହୋଇଥିବା ବେଳେ ମୁମ୍ବଇରୁ ଏଠାକୁ ସଡକ ପଥରେ ଆସିବାକୁ ୮ ଘଣ୍ଟା ଲାଗିଯିବ। ପୃଥିବୀର ଅନ୍ୟସବୁ ପ୍ରସିଦ୍ଧ ପ୍ରତିମୂର୍ତ୍ତି ପ୍ରାୟତଃ ପ୍ରମୁଖ ସହର ନିକଟରେ ନିର୍ମାଣ କରାଯାଇଛି। ସର୍ଦାରଙ୍କ ପ୍ରତିମୂର୍ତ୍ତି ଏକ ଆଦିବାସୀ ବହୁଳ ଅଞ୍ଚଳରେ ନିର୍ମାଣ କରାଯାଇଛି। ଏହା ନିର୍ମାଣ ହେବା ଫଳରେ ଏଠାରେ ଥିବା ନଦୀ,ଜଙ୍ଗଲ,ଚାଷ ଜମି ସବୁ ନଷ୍ଟ ହୋଇଗଲା। ସ୍ଥାନୀୟ ଲୋକେ କିପରି ଜୀବିକା ନିର୍ବାହ କରିବେ ତାହା ଚିନ୍ତାର କାରଣ ହୋଇଛି। ୨୨ଟି ଗାଁର ଆଦିବାସୀ ମୁଖିଆ ନିଜର ଏହି ଅସନ୍ତୋଷ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ସେମାନେ କହିଛନ୍ତି ସର୍ଦାରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ସରକାର ହୁଏତ ନିଜର ଅହଂକାରର ପ୍ରଦର୍ଶନ କରିପାରନ୍ତି, କିନ୍ତୁ ଏହି ପ୍ରାକୃତିକ ବିଧ୍ୱସ୍ତକୁ ଦେଖିବାପରେ ବଞ୍ଚିଥିଲେ ସର୍ଦାର ପଟେଲଙ୍କ ଚକ୍ଷୁରୁ ନିଶ୍ଚୟ ଲୁହ ବୋହିଥାଆନ୍ତା। ଏହାର ଉନ୍ମୋଚନ ଦିନ ୭୫ ହଜାର ଗ୍ରାମବାସୀ ଅନଶନ କରିଥିଲେ।
ଏଠାକୁ ପର୍ଯ୍ୟଟକ ଆଗମନ ଘେନି ଆଶଂକାର ଆଉ ଏକ କାରଣ ହେଉଛି ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତିରେ ସର୍ଦାରଙ୍କର ଦିବ୍ୟ ବ୍ୟକ୍ତିତ୍ୱର ପ୍ରତିଫଳନ ନଥିବା ଲୋକେ କହୁଛନ୍ତି। ଭାରତର ଅନ୍ୟାନ୍ୟ ମନ୍ଦିର ବା କୀର୍ତ୍ତିରାଜିରେ ଯେଉଁ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ ତାହା ଏହି ପ୍ରତିମୂର୍ତ୍ତିରେ ଦେଖିବାକୁ ମିଳୁନାହିଁ ବୋଲି ଦର୍ଶକମାନେ ମତ ଦେଇଛନ୍ତି। ମଦୁରାଇର ମୀନାକ୍ଷୀ ମନ୍ଦିର, ଆଗ୍ରାର ତାଜମହଲ ଆଦିରେ ‌​‌େ​‌ଯଉଁ ଚାରୁକଳା ଏବଂ ସୌନ୍ଦର୍ଯ୍ୟ ଦେଖାଯାଏ ତାହାର କାଣିଚାଏ ଏହି ପ୍ରତିମୂର୍ତ୍ତିରେ ନଥିବା ଅନେକ ଦର୍ଶକ କହୁଛନ୍ତି। ନିର୍ମାଣ ସୌନ୍ଦର୍ଯ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକ ଯାଇଥାଏ। ସେ କେଉଁଠାକୁ ଯିବ ବା ନଯିବ ସେଥିପାଇଁ ତାକୁ କେହି ବାଧ୍ୟ କରିପାରିବ ନାହିଁ। ସରକାର କହିଛନ୍ତି ଏହାକୁ ଦେଖିବାକୁ ପ୍ରତିଦିନ ୧୫ ହଜାର ଦର୍ଶକ ଆସିବେ। ଯଦି ଏହା ହୁଏ ତେବେ ବର୍ଷକୁ ୧୮ କୋଟି ୯୦ ଲକ୍ଷ ଟଙ୍କା ଆଦାୟ ହେବ। ତେବେ କେବଳ ପ୍ରତିମୂର୍ତ୍ତିର ଖର୍ଚ୍ଚ ଉଠାଇବାକୁ କେତେ ବର୍ଷ ଲାଗିବ?
ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଦେଶର ୩୬ ଶହ କଳାକୃତିକୁ ବିରଳ ଘୋଷଣା କରାଯାଇଛି। ଏଥି ମଧ୍ୟରୁ ୧୧୬ଟି ବିରଳ କ୍ଷେତ୍ରର ଦର୍ଶନ ନିମନ୍ତେ ପର୍ଯ୍ୟଟକଙ୍କୁ ଟିକଟ କ୍ରୟ କରିବାକୁ ପଡିଥାଏ। ସରକାର ଯଦି ପ୍ରତିମୂର୍ତ୍ତି ନିର୍ମାଣରେ େ‌ଯଉଁ ବିପୁଳ ବ୍ୟୟ କଲେ ତାହାକୁ ଏହି ବିରଳ କ୍ଷେତ୍ରର ବିକାଶ ନିମନ୍ତେ କରିଥାଆନ୍ତେ ତେବେ ପର୍ଯ୍ୟଟନ କ୍ଷେତ୍ରରୁ ବିପୁଳ ଆୟ ହୋଇପାରିଥାଆନ୍ତା। ମିତବ୍ୟୟିତା ହେଉଛି ପ୍ରତ୍ୟେକ ଗାନ୍ଧିବାଦୀଙ୍କର ଜୀବନ ଦର୍ଶନ। ପଟେଲ ଥିଲେ ଜଣେ ଅନନ୍ୟ ଗାନ୍ଧିବାଦୀ। ସମ୍ମାନ ବା ପଦ ନିମନ୍ତେ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇନଥିଲେ। ତ୍ୟାଗ ହେଉଛି ତାଙ୍କର ମନ୍ଦିର ଏବଂ ଦେବତା। ରାଜନୈତିକ ଉଦ୍ଦେଶ୍ୟ ହାସଲ ନିମନ୍ତେ ଏପରି ଜଣେ ଦିବ୍ୟ ବ୍ୟକ୍ତିଙ୍କୁ ରାଜନୀତିର କାଦୁଅ ମଧ୍ୟକୁ ଟାଣିବା ଉଚିତ ନୁହେଁ। ନବ ଭାରତର ନିର୍ମାଣ ନିମନ୍ତେ ସେ ଯେଉଁ ତ୍ୟାଗ କରିଯାଇଛନ୍ତି ତାହାକୁ ଘୃଣ୍ୟ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା କହିବା ଦ୍ୱାରା ତାଙ୍କ ପ୍ରତି ଅପମାନ ପ୍ରଦର୍ଶନ କରାଯାଉଛି। ତାଙ୍କର ତ୍ୟାଗକୁ ନ୍ୟୂନ କରାଯାଉଛି। ସେ ଥିଲେ ଭାରତର ଗାରିବାଲଡି। ସେ ଥିଲେ ସ୍ୱାଧୀନତା ସଂଗ୍ରାମର ସର୍ଦାର। ସଂଗ୍ରାମର ସର୍ଦାର ପଦବୀ ସମ୍ମୁଖରେ ପ୍ରଧାନମନ୍ତ୍ରୀ ପଦ କେତେ ତୁଚ୍ଛ, ତାହା ସେ ଏବଂ ତାଙ୍କର ଗୁରୁ ମହାତ୍ମା ଗାନ୍ଧୀ ଜାଣିଥିଲେ। ସର୍ଦାର ଚାହିଁଥିଲେ ଯେ କୌଣସି ପଦରେ ବସି ପାରିଥାଆନ୍ତେ। ସର୍ଦାର ପଟେଲ, ମୌଲାନା ଆବୁଲକାଲାମ ଆଜାଦ ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନେ​‌େ​‌ହରୁ କୌଣସି ନିଷ୍ପତ୍ତି ଏକଚାଟିଆ ଭାବେ ଗ୍ରହଣ କରୁନଥିଲେ । ମହାତ୍ମା ଗାନ୍ଧୀ, ରାଜଗୋପାଳଚାରୀ ଏବଂ ବଲ୍ଲଭଭାଇ ପଟେଲ ଥିଲେ ଗୋଟିଏ ଧାରାର ବ୍ୟକ୍ତିତ୍ୱ। ସେମାନଙ୍କର ରଣନୀତିରେ ପାର୍ଥକ୍ୟ ଥିଲା,କିନ୍ତୁ ପରସ୍ପର ପ୍ରତି ଥିବା ଆନୁଗତ୍ୟ ଏବଂ ବିଶ୍ୱାସରେ ସାମାନ୍ୟ ପାର୍ଥକ୍ୟ ନଥିଲା। ଐତିହାସିକ ମାକମିଲନ କହିଛନ୍ତି ଇତିହାସର ପୁନରାବୃତ୍ତିରେ ଘୃଣା ଏବଂ ରକ୍ତପାତକୁ ଆମନ୍ତ୍ରଣ କରାଯାଏ। ବିବେକବାନ ନେତା ଇତିହାସରୁ ଶିକ୍ଷା ଲାଭ କରେ, କ୍ଷମତା ଲୋଭୀ ନେତା ଇତିହାସର ପୁନରାବୃତ୍ତି କରି ସାମୟିକ ରାଜନୈତିକ ସ୍ୱାର୍ଥ ହାସଲ କରେ, କିନ୍ତୁ ଏହାଦ୍ୱାରା ଯେଉଁ କ୍ଷତି ଘଟାଇଥାଏ ତାହାର ଭରଣା ନିମନ୍ତେ ଅନେକ ଦଶନ୍ଧି ଲାଗିଯାଏ। ଆମର ନେତାମାନେ ମାକମିଲନଙ୍କ ଏହି ପରାମର୍ଶରୁ କିଛି ଶିଖନ୍ତେ କି !

Leave A Reply