bjd gruha runa

ଉଦ୍ୟୋଗମନସ୍କତା ଓ ଗଣତାନ୍ତ୍ରିକ ଛଳନା

BJD Bijuli 480×75 Mob
0

ଦେବେନ୍ଦ୍ର କୁମାର ବିଶ୍ବାଳ

ସମଗ୍ର ବିଶ୍ବରେ କୌଣସି ଜାତି, ଗୋଷ୍ଠୀ, ସମଷ୍ଟି କୌଣସି ନା କୌଣସି ସମୟରେ ଅଭିବୃଦ୍ଧିର ସୋପାନ ପରେ ସୋପାନ ଅତିକ୍ରମ କରିଛି କିଛି ମୌଳିକ ଆଭିମୁଖ୍ୟ ନେଇ, କିଛି ସ୍ବତନ୍ତ୍ରତା ନେଇ, କିଛି ଅଦମ୍ୟ ପ୍ରବୃତ୍ତି ନେଇ। ଜନସମୂହର ସଂଖ୍ୟାଧିକ ଭାଗ ବାସ୍ତବସହ ସାଲିସ୍‌ କରି ଜୀବନ ବଞ୍ଚନ୍ତି। ସମସ୍ତ ଆହ୍ବାନକୁ ବିଧିନିର୍ଦିଷ୍ଟ ଭାବେ ଗ୍ରହଣ କରି ସ୍ରୋତର ଅନୁକୂଳରେ ଭାସିଚାଲନ୍ତି- ଦୁଃଖ, ଦାରିଦ୍ର୍ୟ, ସୀମାହୀନ କଷଣ ଜୀବନ ଧାରଣର ଅବିଚ୍ଛେଦ୍ୟ ଅଂଗ ହୋଇଥିଲେ ବି। ସମ୍ଭାବନାର ସଦ୍‌ବ୍ୟବହାର ମଣିଷ ସମୂହକୁ ସମୃଦ୍ଧ କରେ। ଶକ୍ତିମାନ କରେ। କିନ୍ତୁ ସମ୍ଭାବନା ପାଣିରେ ଭାସୁଥିବା ବରଫ ଖଣ୍ଡ ପରି- ଲୁକ୍କାୟିତ ଅଂଶଟି ପ୍ରକାଶିତ ଅଂଶଠାରୁ ଅନେକ ଗୁଣରେ ବଡ଼।
ସେହି ପ୍ରକାଶିତ ଅଂଶର ଆକାରପ୍ରକାର ନିର୍ଣ୍ଣୟ କରିବାଲାଗି ଚୀନର ସାଂଘାଇ ନିକଟସ୍ଥ ୱେନଝାଓ ବନ୍ଦର-ସହରରୁ କେତୋଟି ପରିବାର ଇଟାଲିର ପ୍ରେଟୋ ସହରକୁ ଆସିଥିଲେ ୧୯୯୦ ମସିହାରେ ଏବଂ ସେମାନଙ୍କର କ୍ରମଶଃ ଆସିବା ଯିବା ଲାଗି ରହିଛି ଆଜି ପର୍ଯ୍ୟନ୍ତ। ଇତିହାସ ସୁନ୍ଦର ଭାବରେ କଡ଼ ଲେଉଟାଇଲା। ପ୍ରେଟୋ ସହରଟି ପ୍ରଖ୍ୟାତ ଫ୍ଲରେନ୍ସ ସହରର ଉତ୍ତର ପଶ୍ଚିମକୁ ୧୫ ମାଇଲ ଦୂରରେ ଅବସ୍ଥିତ। ଫ୍ଲରେନସ ପ୍ରଖ୍ୟାତ ମଧ୍ୟଯୁଗରୁ- ବିଶ୍ବବନ୍ଦିତ ଚିତ୍ରକର ଲିଓନାର୍ଡୋ ଡା. ଭିନସି, ମାଇକେଲ୍‌ ଆଞ୍ଜେଲୋ, ବଟିସେଲି, ରାଫେଲ, ଟିଟିଆନଙ୍କ କଳାକୃତି ଏବଂ ବ୍ୟବସାୟ ବାଣିଜ୍ୟର କେନ୍ଦ୍ରସ୍ଥଳ ଯୋଗୁ। ୱେନଝାଓରୁ ଆସିଥିବାରୁ ଏହି ପରିବାର କେତୋଟିର ବିଶ୍ବାସର ଚାବିକାଠି ଥିଲା ତାଙ୍କର କର୍ମନୈପୁଣ୍ୟ। ସାମାଜିକ ସ୍ତରରେ ଏମାନେ ପେଟ୍ରୋବାସୀଙ୍କ ଅନ୍ତରଙ୍ଗତା ହାସଲ କରିଥିଲେ। ଫ୍ଲରେନସ୍‌ ଚମଡ଼ା ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। ପେଟ୍ରୋ ଡ୍ରେସ୍‌ ପାଇଁ ବିଶ୍ବର ଅଧିକାଂଶ ନାମୀଦାମୀ କମ୍ପାନୀ ସହିତ ଏମାନେ ବ୍ୟବସାୟ ସମ୍ପର୍କ ରଖିଥିଲେ। ଏକ ନୂତନ ପରିପୂରକ ଅବସ୍ଥା ସୃଷ୍ଟିହେଲା। ଚୀନାମାନଙ୍କ ପରିଶ୍ରମ, କର୍ମମନସ୍କତାର ଏକ ବୈପ୍ଳବିକ ବାତାବରଣ ସୃଷ୍ଟି କଲା। ଚୀନରୁ ଶସ୍ତା କଞ୍ଚାମାଲ ଆସିଲା ଓ ପ୍ରସ୍ତୁତ ସାମଗ୍ରୀ ବିଶ୍ବ ବଜାରରେ ‘ମେଡ୍‌ ଇନ୍‌ ଇଟାଲି’ ଛାପାରେ ବିକ୍ରି ହେଲା। ଲାଭ କେବଳ ଅଧିକ ହେଲାନି- କେତେ ଗୁଣ ବଢ଼ିଲା। ପେଟ୍ରୋ ଦୁଇ, ଅଢ଼େଇ ଲକ୍ଷ ଲୋକଙ୍କର ଛୋଟ ସହରଟିଏ। ଏବେ ​‌େ‌ସଠାରେ ଚାଇନିଜ୍‌ଙ୍କ ସଂଖ୍ୟା ୪୦ ହଜାର ଛୁଇଁଲାଣି। ସମଗ୍ର ଇଉରୋପରେ ଚୀନାମାନଙ୍କ ସଂଖ୍ୟା ସବୁଠାରୁ ଅଧିକ ପ୍ୟାରିସରେ। ପେଟ୍ରୋରେ ଏମାନଙ୍କ ସଂଖ୍ୟା ଦ୍ବିତୀୟ ସର୍ବାଧିକ। ପରିଶ୍ରମ, କାର୍ଯ୍ୟଦକ୍ଷତା ଓ ମନସ୍କତାରେ ସେମାନେ ଅତୁଳନୀୟ। ଦିନକୁ ୧୨ଘଣ୍ଟା ଖଟନ୍ତି। ଇଟାଲିରେ ବହୁତ ଥଣ୍ଡା ହୁଏ। ଶୀତତାପ ନିୟନ୍ତ୍ରିତ କର୍ମସ୍ଥାନ ନ ହେଲେ ବି ଏମାନଙ୍କ କାମ ବାଧାପ୍ରାପ୍ତ ହୁଏନି। ଇଟାଲୀୟମାନେ ସନ୍ତାନଜନ୍ମ ପାଇଁ ଦରମା ସହ ୭ ମାସ ଛୁଟି ପାଆନ୍ତି। ପୁରୁଷମାନେ ମଧ୍ୟ ଦରମା ସହ ବର୍ଷରେ କେତେ ସପ୍ତାହ ଛୁଟି ପାଆନ୍ତି। ଏସବୁ ଲକ୍ଷ୍ୟ କଲେ ଗୋଟିଏ କଥା ମନକୁ ଆସେ। ପ୍ରୁସିଆକୁ ସମୃଦ୍ଧ ଓ ବଳଶାଳୀ କରିବାକୁ ବିସ୍‌ମାର୍କ ଗୋଟିଏ କଥା ଉପରେ ଗୁରୁତ୍ବ ଦେଇଥିଲେ। ‘ଯେଉଁଠାରେ ଶ୍ରମିକମାନଙ୍କର ଶିକ୍ଷା ଓ ଦକ୍ଷତା ଉପରେ ଗୁରୁତ୍ବ ଦିଆଯାଏ ସେଠାରେ ଉନ୍ନତିର ସମ୍ଭାବନା ସର୍ବାଧିକ।’ ଚାଇନିଜ୍‌ମାନେ ଶିକ୍ଷା ଓ ଦକ୍ଷତାର ଏକ ନୂଆ ପରମ୍ପରା ସୃଷ୍ଟି କଲେ। ଆଜି ବିଶ୍ବ ଦେଖୁଛି ସେମାନେ କେଉଁ ସ୍ଥାନରେ ସ୍ଥାନିତ। କିନ୍ତୁ ଆମ ରାଜନୀତି ଓ ଅର୍ଥନୀତିରେ ଗୋଟିଏ କଥା ସ୍ପଷ୍ଟ ପରିଲକ୍ଷିତ ହୁଏ- ଔଦ୍ୟୋଗିକତାର ବିଲୟ। ଏହା ନେହେରୁଙ୍କ ସମୟରୁ। ସାମାଜିକ ବ୍ୟବସ୍ଥା, ଉଦାରବାଦୀ ଗଣତନ୍ତ୍ର, ଭୋଟସର୍ବସ୍ବ ରାଜନୀତି, ଧର୍ମକବଳିତ ମାନସିକତା ଆମ ଚରିତ୍ର ବା ଚେତନାରେ ପରିବର୍ତ୍ତନ ଆଣିବା ସମ୍ଭବ ହେଉନି। ଲୋକେ କ୍ରମଶଃ ତାଙ୍କର ସମସ୍ତ ଓଜନ ସରକାରଙ୍କ ଉପରେ ଲଦି ଚାଲୁଛନ୍ତି। ଓଳିଗଡ଼ା ବର୍ଷା ଅସରାଏ ହେଲେ ବି ବନ୍ୟା ଆଶଙ୍କା ସୃଷ୍ଟି ହେଉଛି। ସରକାରୀକଳ ଚଳଚଞ୍ଚଳ ହୋଇଉଠୁଛି।
ଅର୍ଥନୀତି ଉଦ୍ଦେଶ୍ୟରହିତ ହେଲେ ଜନସାଧାରଣଙ୍କ ଆର୍ଥିକ ସମ୍ପର୍କରେ ବିକୃତି ଆସେ। ବିକାଶ ଆସେ, କିନ୍ତୁ ଅସମାନ ହୋଇ। ଭାରତରେ ସୃଷ୍ଟି ହୋଇଥିବା ସଂପଦ ଏଇ କେତେ ବର୍ଷରେ ୭୩% କେବଳ ୧% ଲୋକଙ୍କ ପାଖକୁ ଯାଇଛି। ଭାରତ ଖୁସି ଯେ ବିଶ୍ବ ଅର୍ଥନୀତିରେ ଷଷ୍ଠ ସ୍ଥାନକୁ ଯାଇଛି ଫ୍ରାନ୍ସକୁ ପଛରେ ପକାଇ; କିନ୍ତୁ ଫ୍ରାନ୍ସର ମୁଣ୍ଡପିଛା ଆୟ ୩୮ହଜାର ଡଲାର। ଆମର ୨ହଜାର ଡଲାର ତଳେ। ଆମେ ସାମଗ୍ରିକ ବିକାଶ ଲାଗି ଚାଷ ଉପରେ ନିର୍ଭରଶୀଳ। ଜନସଂଖ୍ୟାର ୬୦% କୃଷକ। ଆମେରିକାର କୃଷି ଉତ୍ପାଦନ ଅମାପ; ମାତ୍ର ୨% ଲୋକ କୃଷି କର୍ମରେ ନିୟୋଜିତ।
ପୁଣି ଆସୁଛି ପ୍ରେଟ୍ରୋ ସହରକୁ। ଏବେ ସେଠାରେ ଜୀବନଶୈଳୀରେ ବିଶ୍ବାସ କରି ନହେବା ପରି ପରିବର୍ତ୍ତନ ଆସିଛି। ୱେନଝାଓରୁ ରୋମ୍‌କୁ ସିଧା ବିମାନସେବା ଆରମ୍ଭ ହୋଇଗଲାଣି। ପୁରୁଣା ଇଟାଲି ତିଆରି ଗାଡ଼ି କ୍ରମଶଃ ବିଦାୟ ନେଲେଣି। ରାସ୍ତାରେ ସଂଖ୍ୟାଧିକ ଗାଡ଼ି ମର୍‌ସେଡେଜ୍‌, ଅଡ଼ି, ଜାଗୁଆର, ବେଣ୍ଟଲି। ଏକ ସମୀକ୍ଷାରୁ ଜଣାଯାଏ ଯେ ପ୍ରେଟ୍ରୋର ଅର୍ଥନୀତିକୁ ଚୀନାମାନଙ୍କ ଅବଦାନ ୭୦୦ ମିଲିଅନ ୟୁରୋ, ସମଗ୍ର ଅର୍ଥାଗମର ୧୧%। ଏବେ ଯେଉଁ ଅଭିବୃଦ୍ଧି ବା ବାତାବରଣ ଜୀବନକୁ ପରିପୁଷ୍ଟ କରୁଛି ତାହା ନବେ ଦଶକରେ ନଥିଲା। ଏକକ ବାତାୟନ ନଥିଲା, ବିଦ୍ୟୁତ ବ୍ୟବସ୍ଥା ହାତପାଆନ୍ତାରେ ନଥିଲା। ସର୍ବୋପରି ଇଟାଲୀୟମାନେ ଚୀନାମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। କିନ୍ତୁ ପର ସମୟର ବିତ୍ତୀୟ ଅବସ୍ଥା ଓ ଆନ୍ତର୍ଜାତିକ କ୍ଷେତ୍ରରେ ଅାଦର ପୂର୍ବ ସମୀକରଣକୁ ଅନେକାଂଶରେ ବଦଳାଇ ଦେଲା। ଚୀନର ଇତିହାସ ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଯେ ସେମାନେ ଯେଉଁ କଷଣ ଦେଇ ଜୀବନ ବଞ୍ଚିଛନ୍ତି କେବଳ ଇହୁଦୀଙ୍କ ବ୍ୟତୀତ ଆଉ କେହି ସେହିପରି ଯନ୍ତ୍ରଣାସିକ୍ତ ଜୀବନ ବଞ୍ଚିନାହାନ୍ତି। ୧୩ଶ ଶତାବ୍ଦୀଠାରୁ ମାଓଙ୍କ ‘କଲ୍‌ଚରାଲ ରିଭଲ୍ୟୁସନ’ ପର୍ଯ୍ୟନ୍ତ ଜନସଂଖ୍ୟାର ଏକ ତୃତୀୟାଂଶ ମୃତ୍ୟୁବରଣ କରିଛନ୍ତି ମଙ୍ଗୋଲ ଆକ୍ରମଣ ଓ ସମାଜ ଶୁଦ୍ଧିକରଣ ଦେଇ। କିନ୍ତୁ ଏହି ଚାରିପାଞ୍ଚ ଦଶନ୍ଧି ଧରି ସେମାନେ ଏକ ସ୍ବପ୍ନରେ ବିଭୋର: ଦାରିଦ୍ର୍ୟକୁ ଚାଇନିଜ୍‌ ସମୁଦ୍ରକୁ ଫିଙ୍ଗିଦେବେ। ସମଗ୍ର ବିଶ୍ବରେ ଅାର୍ଥନୀତିକ ପ୍ରାଧାନ୍ୟ ବିସ୍ତାର କରିବେ। ପ୍ରାୟ ସଫଳ ହୋଇସାରିଲେଣି। ଆଉଗୋଟିଏ ଦଶନ୍ଧି ମଧ୍ୟରେ ଆମେରିକାକୁ ପଛରେ ପକାଇଦେବେ।
୧୭୭୬ ପୂର୍ବରୁ ସମଗ୍ର ବିଶ୍ବରେ ଗୋଟିଏ ହେଲେ ରାଜ୍ୟରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ନଥିଲା। ଆମେରିକା ବ୍ରିଟିଶ ଶାସନମୁକ୍ତ ହୋଇ ଗଣତନ୍ତ୍ର ପ୍ରତିଷ୍ଠା କଲା। ଏବେ ମାତ୍ର ୨୫୦ ବର୍ଷ ମଧ୍ୟରେ ବିଶ୍ବରେ ଗଣତାନ୍ତ୍ରିକ ଶାସନ ବ୍ୟତୀତ ଅନ୍ୟ ବ୍ୟବସ୍ଥା ନାହିଁ। କିନ୍ତୁ ଏହି ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥା ଯେ ସବୁଠାରେ ରୀତିନୀତି ଦ୍ବାରା ଆଦର୍ଶ ସୀମାରେଖା ମଧ୍ୟରେ ଅଛି ତା’ ନୁହେଁ। କେଉଁଠି ଜନସାଧାରଣଙ୍କ ଅନ୍ତର୍ଭୁକ୍ତୀକରଣ ଦ୍ବାରା ରାଜନୈତିକ ଓ ଅର୍ଥନୈତିକ ଅବଶ୍ୟମ୍ଭାବୀ ହୋଇଛି ତ କେଉଁଠି କିଛି ବ୍ୟକ୍ତି ବା ଗୋଷ୍ଠୀ ‘ଏକସଟ୍ରାକ୍ଟିଭ’ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଗଣତନ୍ତ୍ରକୁ ଉପହାସ କରିଛନ୍ତି। ଗଣତନ୍ତ୍ରର ସୁପରିଚାଳନା ଦ୍ବାରା ଅର୍ଥନୈତିକ ଅନ୍ତର୍ଭୁକ୍ତୀକରଣ ଉତ୍କୃଷ୍ଟ ନିଷ୍କର୍ଷ ହାସଲ କରେ। ଦକ୍ଷିଣ କୋରିଆ ଓ ତାଇୱାନ ୧୯୫୨ରେ ଯେଉଁ ଅର୍ଥନୈତିକ ଅବସ୍ଥାରେ ଥିଲା ସେଥିରେ ଉପର ଶ୍ରେଣୀର ୨୦%ଲୋକଙ୍କ ଆୟ ନିମ୍ନବର୍ଗର (ଦରିଦ୍ର) ୨୦%ଙ୍କ ୧୫ଗୁଣ ଥିଲା; କିନ୍ତୁ ୧୯୮୦ରେ ଏହି ତଫାତ୍‌ ୪.୫%କୁ କମିଆସିଲା। ଗଣତନ୍ତ୍ର ଶାସନ ଓ ପୁଞ୍ଜିବାଦୀ ଅର୍ଥନୀତି।
ଇଉରୋପୀୟଙ୍କ ସମ୍ପର୍କ ସ୍ଥାପନରେ ଆଫ୍ରିକୀୟ ଦେଶ ମଧ୍ୟରେ କଙ୍ଗୋ ଥିଲା ପ୍ରଥମ। ୧୪୮୩ରେ ପର୍ତ୍ତୁଗୀଜମାନେ ପ୍ରଥମେ ପଦାର୍ପଣ କରିଥିଲେ। ରାଜଧାନୀ ଏମ୍‌ବାଞ୍ଜା ଳଣ୍ଡନଠାରୁ ମଧ୍ୟ ବଡ଼ସହର ଥିଲା। ଲଣ୍ଡନର ଲୋକସଂଖ୍ୟା ଥିଲା ୫୦ହଜାର। ଏମବାଞ୍ଜାର ଥିଲା ୬୦ ହଜାର। ଏମାନେ ଚକର ଉପାଦେୟତା ଜାଣିଲେ। ବନ୍ଧୁକ ତିଆରି ଶିଖିଲେ। ଚାଷରେ ଲଙ୍ଗଳ ପ୍ରୟୋଗ ଶିଖିଲେ। କିନ୍ତୁ ତାଙ୍କ ସଂସ୍କୃତି ଓ ଜୀବନଧାରଣ ପ୍ରଣାଳୀ ତାଙ୍କୁ ବନ୍ଧୁକ ବ୍ୟବହାର ଓ ଦାସତ୍ବ ବ୍ୟବସାୟ ଶିଖାଇଲା। କଙ୍ଗୋ ଶହଶହ ବର୍ଷ ବେଲଜିୟମ ଶାସନାଧୀନ ରହିଲା ପରେ ୧୯୬୦ରେ ସ୍ବାଧୀନ ହେଲା। ଯୋଶେଫ ମୋବୁଟୁ ଶାସନମୁଖ୍ୟ ହେଲେ ୧୯୬୫ରୁ ୧୯୯୭ ଯାଏ। ମୋବୁଟୁ ସଂପଦ ଠୁଳ କରି ଚାଲିଲେ ନୂଆ ରାଜଧାନୀ କିନସାସଠାରୁ ବ୍ରସେଲସ୍‌ ପର୍ଯ୍ୟନ୍ତ। ତାଙ୍କ ଗାଁରେ ମଧ୍ୟ ବିଳାସପୂର୍ଣ୍ଣ ରାଜପ୍ରାସାଦ ଯେଉଁଠିକି ଯିବାପାଇଁ ବିରାଟ ଏୟାରପୋର୍ଟ। ୧୯୯୭ରେ ସେ ବିତାଡ଼ିତ ହେଲେ ଲରେଣ୍ଟ କବିଲାଙ୍କ ଦ୍ବାରା। ସେ ମଧ୍ୟ କୁଶାସନରେ ତାଙ୍କ ଠାରୁ କମ ନ ଥିଲେ। ସେ ଆତତାୟୀ ଗୁଳି​‌େ​‌ର ପ୍ରାଣ ହରାଇଲା ପରେ ତାଙ୍କ ପୁଅ ଶାସନ ଭାର ସମ୍ଭାଳିଛନ୍ତି ଏବଂ ଏହାଙ୍କ କୁଶାସନ ବାପାଙ୍କ ଠାରୁ କମ୍‌ ନୁହେଁ। ଏବେ ସେ ନିର୍ବାଚନର ସମ୍ମୁଖୀନ ହେବାକୁ ଡରୁଛନ୍ତି। ପାଞ୍ଚଶହ ବର୍ଷ ଧରି ସଭ୍ୟ ସମାଜ ସହ ସମ୍ପର୍କିତ ରହିଲେ ମଧ୍ୟ କଙ୍ଗୋ ବିଶ୍ବର ଦଶଟି ଦରିଦ୍ରତମ ରାଜ୍ୟରୁ ଗୋଟିଏ।
ମଜାଦାର ଗଣତନ୍ତ୍ରଟିଏ ପରିଦୃଷ୍ଟ ହୁଏ ଇଥିଓପିଆରେ। ବ୍ୟକ୍ତିଗତ କମ୍ପାନୀଟିଏ ପରି ରାଜ୍ୟ ଶାସନ କଲେ ସମ୍ରାଟ ସିଲେସି। ସେ ଖୁବ୍‌ ଗେଡ଼ା ଥିଲେ। ସେ ଯେଉଁ ଆଡ଼େ ଯାଉଥିଲେ କେତେଜଣ ଭୃତ୍ୟ ତକିଆ କେତୋଟି ଧରି ଅନୁଧାବନ କରୁଥିଲେ। ବସିବା ସ୍ଥାନରେ ପାଦତଳେ ତକିଆ ଦିଆଯାଉଥିଲା। ସେ ୧୯୭୫ରେ ମଲାପରେ ସାମ୍ୟବାଦୀ ଓ ବାମପନ୍ଥୀ ପୃଷ୍ଠଭୂମିରେ ଶାସନଭାର ସମ୍ଭାଳିଥିବା ଡର୍ଗ ଗୋଷ୍ଠୀର ନେତା ମେଞ୍ଜିଷ୍ଟ ସୋଭିଏଟ ୟୁନିଅନ ଓ କ୍ୟୁବାଠାରୁ ଅସ୍ତ୍ର ଓ ସୈନ୍ୟବଳ ପାଇ ବିରୋଧୀମାନଙ୍କୁ ସଂହାର କରି ଚାଲିଲେ। ସେ ସେଲେସିଙ୍କ ରାଜପ୍ରାସାଦରେ ରହିଲେ ଓ ସ୍ବର୍ଣ୍ଣ ସିଂହାସନରେ ବସିଲେ। ଅଲିଖିତ ହେଲେ ମଧ୍ୟ ପ୍ରଚାର କରାଗଲା ଯେ କେହି ସୁଟ ଓ ଟାଇ ପିନ୍ଧିପାରିବେ ନାହିଁ; କାହାରିକୁ ଦେଖିଲେ ଜଣାପଡ଼ିବ ନାହିଁ ଯେ ସେ ସମ୍ଭ୍ରାନ୍ତ ବା ଆଭିଜାତ୍ୟସଂପନ୍ନ। କାର ଚଢ଼ିବା ମଧ୍ୟ ମନା। କିନ୍ତୁ ଦୁଇଟି ବର୍ଷ ପରେ ମେଞ୍ଜିଷ୍ଟଙ୍କର ନିଷ୍ଠୁରତା ବଢ଼ିବାସହ ଶାସକ ଗୋଷ୍ଠୀର ଚେହେରା ବଦଳି ଚାଲିଲା। କାର୍ଲମାର୍କସଙ୍କ କଥା ମନେପଡ଼େ: ଇତିହାସ ନିଜକୁ ପୁନରାବୃତ୍ତି କରେ। ପ୍ରଥମେ ଏକ ଦୁଃଖଦ ଘଟଣା ଭାବରେ ଓ ପରସମୟରେ ଏକ ସୁଆଙ୍ଗ ଭାବରେ। ସେଠାରେ ଏବେ ଅଧିକାଂଶ ଆମର ଦୁଃଖିରଙ୍କିଙ୍କଠାରୁ ଆହୁରି ଗରିବ ଏବଂ ଶାସକ ଶ୍ରେଣୀର ପ୍ରାୟ ସମସ୍ତେ ଆମ ବିଧାୟକ ଓ ସାଂସଦଙ୍କଠାରୁ ଅଧିକ ଐଶ୍ବର୍ଯ୍ୟସଂପନ୍ନ।
ଏବେ ଯଦି ବିଏଟ୍ରିସ ୱେବ୍‌, ଜନ ଷ୍ଟୁଆର୍ଟ ମିଲ୍‌, ମିଲଟନ ଫ୍ରିଡମ୍ୟାନ ଏକତ୍ର ବସି ସାମ୍ୟବାଦ, ପୁଞ୍ଜିବାଦ ଓ ଜନମଙ୍ଗଳ ରାଷ୍ଟ୍ରର ତାତ୍ତ୍ବିକ ଆଲୋଚନା କରୁଥାନ୍ତେ, ଗଣତନ୍ତ୍ରର ସଂଜ୍ଞା ନିରୂପଣ କଷ୍ଟକର ହୋଇନଥାନ୍ତା?

Leave A Reply