ଶାସନ ବ୍ୟବସ୍ଥାରେ ଅଣଉଦାରବାଦୀ ଗଣତନ୍ତ୍ରର ପ୍ରତିଫଳନ
ମନ୍ଦାକିନୀ ଦାସ
ଆମେରିକାର ପ୍ରସିଦ୍ଧ ରାଜନୀତି ବିଜ୍ଞାନୀ ସାମୁଏଲ ହଟିଙ୍ଗଟନ ଗଣତନ୍ତ୍ରର ପର୍ଯ୍ୟାୟକ୍ରମିକ ପ୍ରତିଷ୍ଠା, ପ୍ରସାର ଓ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ତାଙ୍କର ଏକ ପୁସ୍ତକ ‘ଦି ଥାର୍ଡ଼ ୱେଭ: ଡେମୋକ୍ରାଟାଇଜେସନ ଇନ ଦି ଲେଟ ଟ୍ବେଣ୍ଟିଥ୍ ସେଞ୍ଚୁରି’ରେ ଗଣତାନ୍ତ୍ରିକ ସରକାରରେ ଦେଖାଦେଉଥିବା କେତେକ ବିଲକ୍ଷଣ ବିଷୟରେ ବର୍ଣ୍ଣନା କରିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥା ଗ୍ରହଣ କରି ସରକାରଟିଏ ପ୍ରତିଷ୍ଠା କରିଦେବା ସବୁକଥା ନୁହେଁ। ସାମ୍ବିଧାନିକ ବ୍ୟବସ୍ଥାର ବଳୟ ମଧ୍ୟରେ ନାଗରିକମାନଙ୍କର ସ୍ବାଧୀନତା ସହିତ ମୁକ୍ତ ଗଣମାଧ୍ୟମ, ଆଇନର ଶାସନ, ଉତ୍ତରଦାୟିତ୍ବ ସଂପନ୍ନ କାର୍ଯ୍ୟପାଳିକା, ସଚେତନ ନାଗରିକ ସମାଜ, ବିରୋଧୀଦଳର ସମ୍ମାନଜନକ ସ୍ବୀକୃତି, ନିରପେକ୍ଷ ନ୍ୟାୟପାଳିକା, ମୁକ୍ତ ଓ ଅବାଧ ନିର୍ବାଚନ ପ୍ରଭୃତି ଉଦାରବାଦୀ ଗଣତନ୍ତ୍ରର ପ୍ରମୁଖ ଲକ୍ଷଣରୂପେ ବିଚାର କରାଯାଏ, କିନ୍ତୁ ଗଣତନ୍ତ୍ରର ଏତେବର୍ଷର କାର୍ଯ୍ୟକାରିତା ସତ୍ତ୍ବେ, ଭାରତ ସମେତ ଅଧିକାଂଶ ଦେଶରେ ଶାସନ ବ୍ୟବସ୍ଥା ସ୍ବ-ଧର୍ମ ତ୍ୟାଗ କରିିଛି ବୋଲି ଦର୍ଶାଯାଉଛି। ଏହା ହଟିଙ୍ଗଟନଙ୍କ ‘ରିଭର୍ସ ୱେଭ’ ବା ବିପରୀତମୁଖୀ ପ୍ରବାହ ହୋଇପାରେ ଅଥବା ଫାରିଦ୍ ଜାକାରିଆଙ୍କ ‘ଇଲିବରାଲ ଡେମୋକ୍ରାସି’ ବା ଅନୁଦାରବାଦୀ ଗଣତନ୍ତ୍ର ହୋଇପାରେ। ଏହି ବ୍ୟବସ୍ଥା ଗଣତନ୍ତ୍ରର ଆଙ୍ଗିକ ଆବଶ୍ୟକତା ପୂରଣ କରୁଥିଲେ ମଧ୍ୟ ଆତ୍ମିକ ଆବଶ୍ୟକତା ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ। ଏହି ବ୍ୟବସ୍ଥାରେ ସମ୍ବିଧାନ ଅଛି, କିନ୍ତୁ କ୍ଷମତାସଂପନ୍ନ ବ୍ୟକ୍ତିବିଶେଷ ଏହାର ଦୁରୁପଯୋଗ କରନ୍ତି। ବ୍ୟକ୍ତି ସ୍ବାଧୀନତା, ବିଶେଷତଃ ବିରୋଧୀମାନଙ୍କ ଅଧିକାରକୁ ମର୍ଯ୍ୟାଦା ଦିଆଯାଏନାହିଁ। ନିର୍ବାଚନ-ସର୍ବସ୍ବ ଏହି ବ୍ୟବସ୍ଥାରେ ଶାସକଗୋଷ୍ଠୀ ଗଣମାଧ୍ୟମକୁ ପ୍ରଭାବିତ କରିବା ସହିତ ରାଷ୍ଟ୍ରୀୟ ସମ୍ବଳରେ ନିଜ ଦଳୀୟ ସଂଗଠନକୁ ମଜଭୁତ କରନ୍ତି। ପ୍ରଥମରୁ ସମ୍ବିଧାନରେ ଉଲ୍ଲେଖ ନଥିବା ରାଜନୈତିକ ଦଳ, ନିର୍ବାଚନରେ ଜିତିଲାପରେ ଆଇନର ଫାଙ୍କଦେଇ ପ୍ରଭୁତ୍ବହାସଲ କରୁଛି, ଆଉ ଜନସାଧାରଣଙ୍କଠାରୁ ସରକାରଙ୍କୁ ଛଡ଼େଇ ନେଉଛି। ସରକାରୀ ନୀତି, କାର୍ଯ୍ୟକ୍ରମ, ବିଭିନ୍ନ ବିଭାଗ ଓ ପ୍ରତିଷ୍ଠାନ ଦଳୀୟ ନିଷ୍ପତ୍ତିରେ ପରିଚାଳିତ ହେଉଛି। ଦୂରଦୃଷ୍ଟିସଂପନ୍ନ ରାଜନୀତିଜ୍ଞ ନୁହେଁ, ବରଂ ତାତ୍କାଳିକ ରାଜନୈତିକ ଲାଭ ଉଠେଇ ପାରୁଥିବା ନେତା ହିଁ ଶାସିନ ଗାଦିରେ ବସୁଛନ୍ତି।
ବିଭିନ୍ନ ଦଳ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ ମଧ୍ୟ ଗୋଟିଏ ଦଳ ଦୀର୍ଘଦିନଧରି କ୍ଷମତାସୀନ ହେବାଫଳରେ ସ୍ବେଚ୍ଛାଚାରୀ ହୋଇପଡ଼ୁଛି। ପ୍ରଥମେ ପ୍ରଥେମ ଉଦାରବାଦୀ ଓ ଲୋକାଭିମୁଖୀ ମନେ ହେଉଥିବା ସରକାର ସାଙ୍ଗଠନିକ ସ୍ତରରେ ବିଜୟୀଦଳ ଓ ବ୍ୟକ୍ତିଗତ ସ୍ତରରେ ଦଳପତି ବା ଶାସନମୁଖ୍ୟଙ୍କ ଦ୍ବାରା କବଳିତ ହୋଇପଡ଼ୁଛନ୍ତି। ସତ୍ତା ପରିବର୍ତ୍ତନର ସମ୍ଭାବନାବିହୀନ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା ଏକ ନିର୍ଜୀବ, ଯାନ୍ତ୍ରିକ ଓ ଫଳାଫଳହୀନ ଗଣତାନ୍ତ୍ରିକ ପର୍ବରେ ପରିଣତ ହୋଇପଡ଼ୁଛି। କ୍ଷମତାର ଅନ୍ଧଗଳିରେ ନିଜକୁ ସୁହାଇଲାପରି ନୀତିନିୟମର ବିକୃତ ଓ ବିଚିତ୍ର ବ୍ୟାଖ୍ୟା କରାଯାଇ ସାମ୍ବିଧାନିକ ନିୟନ୍ତ୍ରଣ, ଅପକ୍ଷପାତିତା, ଜନମତ, ବିରୋଧୀଦଳ, ସର୍ବୋପରି ଗଣମାଧ୍ୟମ ପ୍ରତି ସମ୍ମାନ ଦିଆଯାଉନାହିଁ।
ଏହି ସରକାର ଦୃଢ଼ ସଂଗଠନ ଅପେକ୍ଷା, କ୍ଷମତାଶାଳୀ ନେତାଙ୍କ ନେତୃତ୍ବ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ୁଛି। କ୍ଷମତାସଂପନ୍ନ ବ୍ୟକ୍ତିବିଶେଷଙ୍କ ପ୍ରତି ରାଜନୈତିକ ଆହ୍ବାନ ସୃଷ୍ଟି ହେବାର ଆଶଙ୍କାକୁ ଦୂର କରିବା ନିମନ୍ତେ ଉଭୟ ସରକାରୀ ମୁଖ୍ୟ ଓ ଶାସକ ଦଳର ଅଧିପତି ପଦ ଜଣଙ୍କ ହାତରେ ଠୁଳ କରାଯାଉଛି। ପରବର୍ତ୍ତୀ ପିଢ଼ିପାଇଁ ଦକ୍ଷ ନେତୃତ୍ବ ସୃଷ୍ଟି ଉପରେ ଗୁରୁତ୍ବ ଦିଆନଯାଇ, ଗୁଡ଼ାଏ ‘ରାଜନୀତିକ ବନସାଇ’ ତିଆରି କରାଯାଉଛି, ଯେଉଁମାନେ କ୍ଷମତାବଳୟର ନିର୍ଦିଷ୍ଟ ସୀମାରେଖାକୁ ଟପି ନପାରି ନିଜର ଭବିଷ୍ୟତ ଦୃଷ୍ଟିରୁ ଅଧିପତିଙ୍କ ଜୟଗାନ କରିବାକୁ ବାଧ୍ୟ ହେଉଛନ୍ତି। ଶାସକ ଓ ଶାସିତ ମଧ୍ୟରେ ସୃଷ୍ଟ ଏକ ବିଷାକ୍ତ ଭାଗୀଦାରି ବ୍ୟବସ୍ଥା କେବଳ ନିର୍ବାଚନ ବିଜୟୀ କ୍ଷମତାପନ୍ନମାନଙ୍କୁ ସୃଷ୍ଟି କରୁଛି। ଏହି ଅଣ ଉଦାରବାଦୀ ଗଣତନ୍ତ୍ରର ପ୍ରତ୍ୟେକ ସ୍ତରରେ ରାଜନୀତିର ଏକ ବିସ୍ତାରିତ ଓ ବ୍ୟାପକ ପ୍ରତିଫଳନ ଦେଖାଯାଉଛି। ରାଜନୈତିକ ସଂଯୋଗ ସୃଷ୍ଟିକରି ଆର୍ଥିକ ଫାଇଦା, ସାମାଜିକ ତଥା ସାଂସ୍କୃତିକ ସ୍ବୀକୃତି ଓ ଉପାୟନ, ପ୍ରଶାସନିକ ଓ ବିିଭିନ୍ନ ବିଭାଗୀୟ ପଦପଦବୀ ଆଦି ହାସଲ ନିମନ୍ତେ ପ୍ରତିଯୋଗିତା ଚାଲୁରହୁଛି। ରାଜନୈତିକ ପ୍ରତିପକ୍ଷମାନଙ୍କ ପାଇଁ ଯେଉଁ ଆଇନ ଲାଗୁ କରାଯାଏ, ନିଜ ପକ୍ଷର ବ୍ୟକ୍ତି ବା ଗୋଷ୍ଠୀଙ୍କ କ୍ଷେତ୍ରରେ ତା’ର କୋହଳ ପ୍ରୟୋଗ ଦେଖାଯାଏ। ସରକାରୀ କଳର ଏହି ବ୍ୟବସ୍ଥାକୁ ସମାଲୋଚନା କରି ବ୍ରାଜିଲ୍ରେ ଦୀର୍ଘ ୧୮ବର୍ଷ ଧରି ରାଷ୍ଟ୍ରପତି ଥିବା ଗେତୁଲିଓ ଭଗଗାସ କହିଥିଲେ ‘ମୋ ବନ୍ଧୁମାନଙ୍କ ପାଇଁ ସବୁକିଛି, କିନ୍ତୁ ମୋର ପ୍ରତିପକ୍ଷମାନଙ୍କ ପାଇଁ ଆଇନ୍’।
ଜନସାଧାରଣଙ୍କ ସହଯୋଗ ଓ ସହାନୁଭୂତି ସାଉଁଟିବା ପାଇଁ ସର୍ବଦା ଏକ କାଳ୍ପନିକ ବା ଅତିରଞ୍ଜିତ ପ୍ରତିପକ୍ଷ ବା ଶତ୍ରୁଟିଏ ଥୋଇଦେଇ ତା ବିରୋଧରେ ଲଢ଼ିବା ନିମନ୍ତେ ଜନସାଧାରଣଙ୍କୁ ଆହ୍ବାନ ଦିଆଯାଉଛି। ଏହି ବ୍ୟବସ୍ଥାରେ ନ୍ୟାୟପାଳିକା ହିଁ କେବଳ ସାଧାରଣ ଜନତାଙ୍କୁ ଭରସାଯୋଗ୍ୟ ସଂସ୍ଥାରୂପେ ଦଣ୍ଡାୟମାନ ହେଉଥିଲେ ମଧ୍ୟ ଆବଶ୍ୟକ ସମ୍ବଳ ଓ ବିଚାରପତି ଅଭାବରୁ ଏହା ଠିକ୍ ରୂପେ କାର୍ଯ୍ୟଶୀଳ ହୋଇପାରୁନାହିଁ।
ତାତ୍ତ୍ବିକ ଓ ଆତ୍ମିକ ଗଣତନ୍ତ୍ରର ମାପକାଠିରେ ଏଭଳି ଦେଶଗୁଡ଼ିକ ପଛରେ ପଡ଼ୁଛନ୍ତି। ‘ଫ୍ରିଡମ ହାଉସ’ ନାମକ ପ୍ରସିଦ୍ଧ ସଂସ୍ଥା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଆକଳନ ନିମନ୍ତେ ଯେଉଁ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି ଏ ଧରଣର ଗଣତାନ୍ତ୍ରିକ ବ୍ୟବସ୍ଥା ତା’ର ବର୍ଗୀକରଣରେ ବେଶ୍ ତଳେ ରହୁଛି। ଜାକାରିଆଙ୍କ ଭାଷାରେ ନିର୍ବାଚନ ସହିତ ପ୍ରଭୁତ୍ବବାଦର ଅଦ୍ଭୁତ ସମ୍ମିଶ୍ରଣରେ ସୃଷ୍ଟ ଏ ଶାସନ ବ୍ୟବସ୍ଥା ଏକଚ୍ଛତ୍ରବାଦୀ ଶାସନର ଏକ ନରମ ପ୍ରତିଫଳନ। ଗଣତାନ୍ତ୍ରିକ ପ୍ରବାହର ଆକଳନକରି ହଟିଙ୍ଗଟନ କହିଥିଲେ ଯେ ଗଣତାନ୍ତ୍ରିକ ଓ ପ୍ରଭୁତ୍ବବାଦୀ ପରି ଦୁଇ ବିଷମବାଦୀ ବ୍ୟବସ୍ଥାର ମଝିରେ ରହୁଥିବା ଅନୁଦାରବାଦୀ ଗଣତନ୍ତ୍ର ବହୁଦିନ ତିଷ୍ଠି ରହିପାରିବ ନାହିଁ। ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ ବ୍ୟବସ୍ଥା ଆଡ଼କୁ ଏହା ଧୀରେଧୀରେ ଢ଼ଳି ପଡ଼ିବ। ତାଙ୍କ ମତରେ କେବଳ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରତିଷ୍ଠା ନୁହେଁ, ଏହାର ଦୃଢ଼ୀକରଣ ଓ ଘନୀକରଣ ଏକାନ୍ତ ଆବଶ୍ୟକ। ଗଣତନ୍ତ୍ର ଘନୀଭୂତ ହେଲେ, ବିଧିବ୍ୟବସ୍ଥା ବାହାରେ କୌଣସି କ୍ଷମତାସୀନ ବ୍ୟକ୍ତି ଶଠତାପୂର୍ଣ୍ଣ ରାଜନୀତି କରିପାରିବେ ନାହିଁ। ସେଥିପାଇଁ କେବଳ ସରକାରୀ ଦଳ ଆଉ କଳକୁ ନୁହେଁ, ଜନସାଧାରଣଙ୍କୁ ମଧ୍ୟ ବଦଳିବାକୁ ପଡ଼ିବ। ତାତ୍କାଳିକ ଓ କ୍ଷଣିକ ଲାଭ ଅପେକ୍ଷା ବୃହତ୍ତର ଜାତୀୟ ସ୍ବାର୍ଥପ୍ରତି ଦୃଷ୍ଟି ଦେବାକୁ ହେବ। ସଚେତନ ଜନସାଧାରଣ, ମୁକ୍ତ ଗଣମାଧ୍ୟମ, ଅବାଧ ନିର୍ବାଚନ ଓ ଦୃଢ଼ ନାଗରିକ ସମାଜର ସାମୂହିକ ଉଦ୍ୟମ ହେଲେ, ଶାସନକଳ ଉପରୁ ଅନୁଦାରବାଦୀ ଗଣତନ୍ତ୍ରର ଛାୟା ଅପସରି ଯିବାପାଇଁ ବିଳମ୍ବ ହେବନାହିଁ।