ଗଣବ୍ୟାଙ୍କ ରାଷ୍ଟ୍ରର ଆବଶ୍ୟକତା

0

କିଶୋର ଜେନା

ବ୍ୟାଙ୍କ ଶିଳ୍ପ ଦେଶର ଏକ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ସଂସ୍ଥା। କୃଷି, ଶିଳ୍ପ, କ୍ଷୁଦ୍ରଶିଳ୍ପ, କ୍ଷୁଦ୍ର ବ୍ୟବସାୟ, ଆତ୍ମନିଯୁକ୍ତି କର୍ମ ସଂସ୍ଥାନ, ସମାଜର ବଞ୍ଚିତ ବର୍ଗଙ୍କ ବିକାଶ, ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଆତ୍ମନିର୍ଭରଶୀଳ ସ୍ବାଧୀନ ଅର୍ଥନୀତି ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ମାଲିକାନା ଓ ନିୟନ୍ତ୍ରଣ ଲକ୍ଷ୍ୟରେ ପର୍ଯ୍ୟାୟ କ୍ରମେ ବ୍ୟାଙ୍କ ବ୍ୟବସ୍ଥାର ବୃହତ ଭାଗକୁ ସରକାରୀ କ୍ଷେତ୍ରକୁ ଅଣାଯାଇଥିଲା। ୧୯୫୫ରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୧୯୫୯ରେ ଦେଶୀୟ ରାଜ୍ୟମାନଙ୍କରେ ଥିବା ସହଯୋଗୀ ବ୍ୟାଙ୍କ (ଯାହା ଏବେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ସହ ମିଶ୍ରଣ ହୋଇଯାଇଛି), ୧୯୬୯ ଜୁଲାଇ ୧୯ରେ ୧୪ଟି ବଡ଼ ଘରୋଇ ବାଣିଜ୍ୟିକ ବ୍ୟାଙ୍କ, ୧୯୭୬ରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ପ୍ରତିଷ୍ଠା ଏବଂ ଶେଷରେ ୧୯୮୦ ଜୁନ୍‌ରେ ଆଉ ୬ଟି ଘରୋଇ ମାଲିକାନାରେ ଥିବା ବ୍ୟାଙ୍କକୁ ସରକାରୀ ମାଲିକାନା ଓ ନିୟନ୍ତ୍ରଣକୁ ନେବାପରେ ଦେଶର ୯୩ଭାଗ ବ୍ୟାଙ୍କ ବ୍ୟବସ୍ଥା ରାଷ୍ଟ୍ରାୟତ୍ତ କ୍ଷେତ୍ରକୁ ଆସିଯାଇଥିଲା।
୧୯ଜୁଲାଇ ୧୯୬୯ରେ ଯେତେବେଳେ ବଡ଼ବଡ଼ ପୁଞ୍ଜିପତିଙ୍କ ହାତରେ ଥିବା ୧୪ଟି ବୃହତ୍‌ ଘରୋଇ ବ୍ୟାଙ୍କର ଜାତୀୟକରଣ କରାଗଲା, ସମଗ୍ର ଦେଶରେ ଯେଉଁ ବିପୁଳ ଉନ୍ମାଦନା ଦେଖାଦେଇଥିଲା ତାହା ଅବର୍ଣ୍ଣନୀୟ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ସେହିଦିନ ତାଙ୍କ ବେତାର ଭାଷଣରେ କହିଥିଲେ ‘ଅର୍ଥନୀତି ଓ ଏହାର ଗୁରୁତ୍ବପୂର୍ଣ୍ଣ ସଂସ୍ଥାଗୁଡିକର ମାଲିକାନା ଏବଂ ନିୟନ୍ତ୍ରଣ ଭାରତର ନୂତନ ସମାଜ ଗଠନ ପାଇଁ ଅତ୍ୟନ୍ତ ପ୍ରୟୋଜନ। ସାମାଜିକ ଏବଂ ଅର୍ଥନୈତିକ ଅର୍ଥ ହାସଲ ପାଇଁ ଯେତେଗୁଡ଼ିଏ ସଂସ୍ଥା ଅଛି ସେଗୁଡ଼ିକ ମଧ୍ୟରେ ଅର୍ଥନୈତିକ ସଂସ୍ଥା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସମ୍ବଳର ଉପଯୁକ୍ତ ବିନିଯୋଗ କରି ଉତ୍ପାଦନାଭିମୁଖୀ କରିବାପାଇଁ ଜନସାଧାରଣଙ୍କ ସଂଚିତ ଅର୍ଥକୁ ସଂଗ୍ରହ କରିଥିବା ବ୍ୟାଙ୍କଗୁଡ଼ିକର ଜାତୀୟକରଣ ଅପରିହାର୍ଯ୍ୟ ହୋଇପଡ଼ିଛି। ସରକାର ବିଶ୍ବାସ କରନ୍ତି ଏହି ପଦକ୍ଷେପ ଜାତୀୟ ସଂପଦର ଫଳପ୍ରଦ ବିନିଯୋଗ ଓ ସୁରକ୍ଷା ଦିଗରେ ସହାୟକ ହେବ ଏବଂ ଜାତୀୟ ଆଭିମୁଖ୍ୟର ସଫଳ ରୂପାୟନ କରାଯାଇପାରିବ।’ ବ୍ୟାଙ୍କ ଜାତୀୟକରଣ ଏଭଳି ଜନଉଦ୍‌ବେଳନ ସୃଷ୍ଟି କରିଥିଲା ଯାହା ଇନ୍ଦିରା ଗାନ୍ଧୀଙ୍କୁ ଏହାର ପରବର୍ତ୍ତୀ ସାଧାରଣ ନିର୍ବାଚନରେ ବିପୁଳବିଜୟ ଆଣିଦେଇଥିଲା। ବ୍ୟାଙ୍କ ଜାତୀୟକରଣ ଏକ ଶସ୍ତା ସ୍ଲୋଗାନ ନଥିଲା। ଆମ ଦେଶର କୃଷି ଓ ଶିଳ୍ପ ଅଭିବୃଦ୍ଧି, ଦାରିଦ୍ର୍ୟ ନିରାକରଣ ଓ ସ୍ବାଧୀନ ଆତ୍ମନିର୍ଭରଶୀଳ ଅର୍ଥନୀତି ପାଇଁ ଏହା ଥିଲା ଅତ୍ୟନ୍ତ ଜରୁରୀ। ବ୍ୟାଙ୍କ ଜାତୀୟକରଣ ପୂର୍ବରୁ ଜୁନ୍‌ ୧୯୬୯ରେ ଦେଶରେ ବ୍ୟାଙ୍କ ଶାଖା ୮,୨୬୨ ଥିବାବେଳେ ବର୍ତ୍ତମାନ ଗ୍ରାମାଞ୍ଚଳର ଶାଖା ୪୯,୩୮୪ ଶହ ମୋଟ୍‌ ବ୍ୟାଙ୍କ ଶାଖା, ୧,୪୦,୧୨୫। ସେହିପରି ବ୍ୟାଙ୍କ ଜମା ପରିମାଣ ଜୁନ୍‌ ୧୯୬୯ରେ ମାତ୍ର ୪,୭୦୦କୋଟି ଟଙ୍କା ଥିବାବେଳେ ଡିସେମ୍ବର ୨୦୧୭ ସୁଦ୍ଧା ଏହା ୧୧, ୭୭, ୩୩୬ କୋଟିଟଙ୍କା ଏବଂ ଋଣ ପରିମାଣ ୩୦୧୭ କୋଟିଟଙ୍କାରୁ ବଢ଼ି ଡିସେମ୍ବର ୨୦୧୭ରେ ପହଞ୍ଚିଛି ୮,୯୧,୯୬୭ କୋଟିଟଙ୍କା। କୃଷି କ୍ଷେତ୍ରର ଓ ଗ୍ରାମାଞ୍ଚଳ ସହ କ୍ଷୁଦ୍ର ଶିଳ୍ପ ​‌େ​‌ଛାଟ ବ୍ୟବସାୟୀ ସମାଜର ବଞ୍ଚିତ ବର୍ଗଙ୍କୁ ଘରୋଇ ବ୍ୟାଙ୍କମାନେ ଋଣ ପ୍ରାୟ ଦେଉନଥିଲେ, କିନ୍ତୁ ଜାତୀୟକରଣ ପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ଏହି ଅଗ୍ରାଧିକାର କ୍ଷେତ୍ରକୁ ଦେଇଥିବା ଋଣର ପରିମାଣ ମୋଟ ଋଣର ଶତକଡ଼ା ୪୩ଭାଗ। ପୂର୍ବର ଶ୍ରେଣୀ ବ୍ୟାଙ୍କ ପରିଣତ ହୋଇଛି ଗଣ ବ୍ୟାଙ୍କରେ। ବ୍ୟାଙ୍କଗୁଡ଼ିକ ମାତ୍ର କେଇ ବର୍ଷରେ ସକଳ କ୍ଷେତ୍ରରେ ବିସ୍ତାର ସମଗ୍ର ବିଶ୍ବରେ ବିରଳ। ୧୯୯୧ର ନବ୍ୟ ଉଦାରବାଦୀ ଆର୍ଥିକ ନୀତି ପ୍ରଚଳନ ପୂର୍ବରୁ ବ୍ୟାଙ୍କ ଶାଖା ବିସ୍ତାର ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ସେହିପରି କୃଷିକ୍ଷେତ୍ର ଓ ଅଗ୍ରାଧିକାର କ୍ଷେତ୍ରକୁ ସମ୍ବଳ ଯୋଗାଇବାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ପ୍ରମୁଖ ଭୂମିକା ଥିଲା। ସବୁଜ ବିପ୍ଳବ ଶ୍ବେତ ବିପ୍ଳବଠାରୁ ଆରମ୍ଭ କରି ଦେଶର ଭିତ୍ତିଭୂମି ବିସ୍ତାର ଏବଂ ବ୍ୟାଙ୍କ ସେବାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ୨୬କୋଟି ଜନଧନ ଏକାଉଣ୍ଟ ମାତ୍ର କେତୋଟି ଦିନ ମଧ୍ୟରେ ଖୋଲିବା, ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ସରକାରୀ ସାହାଯ୍ୟକୁ କୋଟିକୋଟି ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏବଂ ଗତ ୨୦୧୬ ନଭେମ୍ବରର ସରକାରଙ୍କ ବହୁଚର୍ଚ୍ଚିତ ବିମୁଦ୍ରାୟନକୁ ସଫଳ କରିବାରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଭୂମିକା ଉଲ୍ଲେଖନୀୟ। ୨୦୦୭-୦୮ର ବିଶ୍ବବ୍ୟାପୀ ମହାମାନ୍ଦାରେ ଆମେରିକା, ୟୁରୋପ ଏବଂ ବିକାଶୋନ୍ମୁଖୀ ଦେଶଗୁଡ଼ିକର ବ୍ୟାଙ୍କ ଓ ବୀମା ସଂସ୍ଥା ତାସ ଘର ପରି ଭୁଶୁଡ଼ି ପଡ଼ୁଥିବାବେଳେ, ଭାରତବର୍ଷର ବ୍ୟାଙ୍କ ବ୍ୟବସ୍ଥାର ସିଂହ ଭାଗ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଥିବାରୁ ଦେଶର ଅର୍ଥନୀତି ଉପରେ ସେପରି କୌଣସି କୁପ୍ରଭାବ ପଡ଼ିପାରିନଥିଲା।
ଏଭଳି ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କବ୍ୟବସ୍ଥାକୁ ଆର୍ଥିକ ସଂସ୍କାର ନାମରେ ଘରୋଇକରଣ କରିବାର ଯୋଜନା ବିଗତ ସରକାରମାନଙ୍କ ସମୟରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଏବେକାର ସରକାର ଏହାକୁ ଦ୍ରୁତ ଓ ତ୍ବରାନ୍ବିତ କରିବାରେ ଦିନରାତି ବ୍ୟସ୍ତ। କାରଣ ଦର୍ଶାଯାଉଚି ବ୍ୟାଙ୍କର ବିପୁଳ ପରିମାଣର ଅନାଦାୟ ଅଚଳ ଋଣ ବା ଏନପିଏ ଏବଂ ନିକଟରେ ଘଟିଯାଇଥିବା ବଡ଼ଧରଣର ଦୁର୍ନୀତି। ଅବଶ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହି କାରଣରୁ ସଂକଟଗ୍ରସ୍ତ, କିନ୍ତୁ ସରକାର ଓ ରିଜର୍ଭବ୍ୟାଙ୍କ ଅଫ ଇଣ୍ଡିଆ ସଂକଟର ନିରାକରଣ ପାଇଁ ବଳି‌ଷ୍ଠ ପଦକ୍ଷେପ ନେବା ପରିବର୍ତ୍ତେ ଏହାର ବୋଝକୁ ବ୍ୟାଙ୍କ, ଏହାର ଅସଂଖ୍ୟ ଜମାକାରୀ ଓ ଦେଶ ଉପରେ ଲଦିଦେବାର ଉଦ୍ୟମ ଚଳାଇଛନ୍ତି। ସରକାରଙ୍କ ନୀତି ଆୟୋଗର ମୁଖ୍ୟ, କର୍ପୋରେଟ୍‌ ଓ ବୃହତ୍‌ ବ୍ୟବସାୟୀଙ୍କ ସଂଗଠନ ଆସୋଚେମ୍‌ ଇତ୍ୟାଦିଙ୍କ ପକ୍ଷରୁ ଘରୋଇକରଣର ଦାବି କରାଯାଉଛି। ଯଦିଓ ଅଭିଜ୍ଞତା ହେଉଛି ସ୍ବାଧୀନତା ପରେ ଦେଶର ଶତାଧିକ ଘରୋଇ ବ୍ୟାଙ୍କ ଏବଂ ୧୯୬୯ ପରଠାରୁ ଏପର୍ଯ୍ୟନ୍ତ ୨୪ଟି ଘରୋଇ ବ୍ୟାଙ୍କର ବିଲୟ ଘଟିଛି ଏହି ସବୁ ବିଲୁପ୍ତ ଘରୋଇ ବ୍ୟାଙ୍କକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ମିଶାଇ ଦିଆଯାଇଛି। ଏହି ବିଲୁପ୍ତ ଘରୋଇ ବ୍ୟାଙ୍କ ମଧ୍ୟରେ ତିନିଟି ନୂତନ ଘରୋଇ ବ୍ୟାଙ୍କ ରହିଛନ୍ତି।
ଅବଶ୍ୟ କ୍ରମବର୍ଦ୍ଧମାନ ଅଣଉତ୍ପାଦକ ଋଣ ସଂପତ୍ତି ବା ଏନପିଏର ପରିମାଣ ଗତ ଡିସେମ୍ବର ୩୧ ସୁଦ୍ଧା ୮ଲକ୍ଷ ୫୫ ହଜାର କୋଟିଟଙ୍କା ଏବଂ ସିଡିଆର ବା କର୍ପୋରେଟ ପୁନର୍ଗଠିତ ଅନାଦାୟ ଋଣ ୪ଲକ୍ଷ ୫୦ହଜାର କୋଟିଟଙ୍କାକୁ ମିଶାଇଲେ ଏହାର ପରିମାଣ ୧୩ଲକ୍ଷ କୋଟିଟଙ୍କା ହେବ। ଏହାଛଡ଼ା ଗତ ୧୦ ବର୍ଷରେ ବ୍ୟାଙ୍କ ଋଣ ଖାତାରୁ ଲିଭାଇ ଦିଆଯାଇଥିବା ଋଣର ପରିମାଣ ୩,୭୨,୧୮୭ କୋଟି ଟଙ୍କା। ଏହାକୁ ବ୍ୟାଙ୍କର କାର୍ଯ୍ୟକାରୀ ଲାଭରୁ ଭରଣା କରାଯାଇଛି। ମୁଖ୍ୟତଃ କର୍ପୋରେଟ୍‌ ଓ ବୃହତ୍‌ ବ୍ୟବସାୟୀ ସଂସ୍ଥାଗୁଡ଼ିକର ଏହି ଲିଭାଇ ଦିଆଯାଇଥିବା ଋଣ ପ୍ରକୃତରେ ଏକ ପ୍ରକାର ଋଣ ଛାଡ଼। ଖିଲାପି ଋଣ ତାଲିକା ବେଶ୍‌ ଲମ୍ବା। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରକାଶ କରିିଥିବା ୧୨ଟି ବୃହତ ଖିଲାପି କର୍ପୋରେଟ୍‌ଙ୍କ ଋଣ ପରିମାଣ ୨ ଲକ୍ଷ ୫୪ ହଜାର କୋଟି ଟଙ୍କା। ଏହା ମୋଟ୍‌ ଏନପିଏର ଏକଚତୁର୍ଥାଂଶ। ଏହାଛଡ଼ା ଅମ୍ବାନିଙ୍କ ରିଲାଏନ୍ସ କମ୍ୟୁନିକେସନ, ରିଲାଏନ୍ସ ଡିଫେନ୍ସ ଲିମିଟେଡ଼, ଭିଡ଼ିଓକନ୍‌ ଇଣ୍ଡଷ୍ଟ୍ରିଜ ଇତ୍ୟାଦି ବଡ଼ବଡ଼ ଖିଲାପି ଋଣୀ ଅଛନ୍ତି। ବିଜୟମାଲ୍ୟା, ନିରବମୋଦି, ମେହୁଲ ଚୋକ୍ସି, ସଭ୍ୟସେଠ୍‌ଙ୍କ ସମେତ ବହୁ ନାମୀଦାମୀ ବ୍ୟକ୍ତି ଏହି ଇଚ୍ଛାକୃତ ଖିଲାପି ଋଣୀଙ୍କ ମଧ୍ୟରେ ଅଛନ୍ତି। ଏହି ଉତ୍କଟ ବର୍ଦ୍ଧିଷ୍ଣୁ ଅନାଦାୟ ଋଣ ସଂକଟର ନିରାକରଣର ଜରୁରୀ ପଦକ୍ଷେପ ନେବା ପରିବର୍ତ୍ତେ କେନ୍ଦ୍ର ସରକାର ବୁଝାମଣାପତ୍ର (ଏମଓୟୁ) ଖିଲାପି ଋଣୀଙ୍କୁ ଦେବାଳିଆ ଘୋଷଣା (ଆଇବିସି), ଏଫ.ଆର.ଡି.ଆଇ ଆଇନ ଆଣିବାର ଉଦ୍ୟମ କେବଳ ବ୍ୟାଙ୍କର ଜମାଫର୍ଦ (ବାଲାନ୍ସସିଟ୍‌)କୁ ଧଳା କରିବା ସହ ବଡ଼ବଡ଼ କର୍ପୋରେଟ୍‌ମାନଙ୍କ ଅନାଦାୟ ଋଣର ବୃହତ ଅଂଶକୁ ଛାଡ଼ କରିବା ଓ ରିଆତି ଦେବାପାଇଁ ଉଦ୍ଦିଷ୍ଟ।
ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଏହି ଚିନ୍ତାଜନକ ପରିସ୍ଥିତି ପାଇଁ ଦାୟୀ ସରକାରୀ ନୀତି, ଋଣ ପ୍ରଦାନ ଏବଂ ଋଣ ଛାଡ଼ରେ କ୍ଷମତାସୀନ ରାଜନୈତିକ ବ୍ୟକ୍ତି, କ‌େ‌ର୍ପାରେଟ, ଅସାଧୁ ଅମଲାତନ୍ତ୍ର ଓ ବ୍ୟାଙ୍କର ଉଚ୍ଚ ପଦାଧିକାରୀଙ୍କ ଅନୈତିକ ମେଣ୍ଟ। ବର୍ଷବର୍ଷ ଧରି ବ୍ୟାଙ୍କଗୁଡ଼ିକର କାର୍ଯ୍ୟକାରୀ ଲାଭରୁ ଖରାପ ଋଣ ବାବଦକୁ ନିଭାଇ ଦେବାର ବ୍ୟବସ୍ଥା ଧାରାବାହିକ ଭାବେ ଚାଲିଅଛି। ଏହାଫଳରେ ବ୍ୟାଙ୍କଗୁଡ଼ିକ ନେଟ୍‌ ଲାଭ କରିବା ପରିବର୍ତ୍ତେ କ୍ଷତି କରୁଛନ୍ତି। ଏଥିପାଇଁ କ’ଣ ଦାୟୀ ବ୍ୟାଙ୍କର କର୍ମଚାରୀ ଓ ରାଷ୍ଟ୍ରାୟତ୍ତ ଗଣବ୍ୟାଙ୍କ ବ୍ୟବସ୍ଥା? ଏଥିପାଇଁ ଦାୟୀ ସରକାରଙ୍କ ନୀତି ଓ ବ୍ୟବସ୍ଥା। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପର୍ଯ୍ୟାପ୍ତ ପୁଞ୍ଜି ନ ଯୋଗାଇ ବ୍ୟବସାୟକୁ ସଂକୁଚିତ କରିବା ଯେଉଁ ସବୁ କର୍ପୋରେଟ୍‌ ସଂସ୍ଥା ଖିଲାପି ଋଣୀ ସେମାନଙ୍କ ହାତରେ ଏହାକୁ ସମର୍ପି ଦେବାର ଉଦ୍ୟମ ଏବଂ ନୂଆ ଘରୋଇ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ, କ୍ଷୁଦ୍ର ବ୍ୟାଙ୍କ ଓ ପେମେଣ୍ଟ ବ୍ୟାଙ୍କ ଇତ୍ୟାଦି ଖୋଲାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବ୍ୟବସ୍ଥାକୁ ଦୁର୍ବଳ କରିବାର ଉଦ୍ୟମ ଚାଲିଛି। କୁହାଯାଉଛି ଘରୋଇ ବ୍ୟାଙ୍କମାନେ ବେଶ୍‌ ଲାଭ କରୁଛନ୍ତି, କିନ୍ତୁ ପ୍ରଶ୍ନ ଏମାନଙ୍କୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଦିଆଯାଉଥିବା ଯାବତୀୟ ଖୁଚୁରା କାମ, ଗ୍ରାମାଞ୍ଚଳରେ ଶାଖା ଖୋଲିବା, କୃଷି ଓ ଅଗ୍ରାଧିକାର କ୍ଷେତ୍ରକୁ ଋଣ ଦେବା, ସରକାରୀ ଯୋଜନାର ହିତାଧିକାରୀଙ୍କ ଶୂନ୍ୟ ଜମାରେ ଆକାଉଣ୍ଟ ଖୋଲିବା, ପେନ୍‌ସନ୍‌ଧାରୀଙ୍କ ଖାତା ଖୋଲିବା ଇତ୍ୟାଦି ଅଣ- ଲାଭଦାୟକ କାର୍ଯ୍ୟ କରୁଛନ୍ତି କି? ବରଂ ଏମାନେ ସେବାପାଇଁ ଉପଭୋକ୍ତାମାନଙ୍କଠାରୁ ଚଢ଼ା ହାରରେ କମିସନ୍‌ ନେଇଥାନ୍ତି। ଏମାନଙ୍କ ବ୍ୟବସାୟ କେବଳ ବଡ଼ଲୋକ ଓ ବଡ଼ଲୋକ ସହରାଞ୍ଚଳରେ ସୀମାବଦ୍ଧ। ଅବଶ୍ୟ ଲାଭ ପାଇଁ ଏବେ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ ବହୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାପାଇଁ କମିସନ ଏବଂ ଏକାଉଣ୍ଟରେ ଜମା କମ୍‌ ଥିଲେ ସେଥିପାଇଁ ଜୋରିମାନା ନେବାର ବ୍ୟବସ୍ଥା କରିଛନ୍ତି। ଏହା ଦ୍ବାରା ସାଧାରଣ ଲୋକେ ବ୍ୟାଙ୍କ ପ୍ରତି ବିମୁଖ ହେଉଛନ୍ତି।
ଏହି ଭଳି ଏକ ସଂକଟ ସମୟରେ ବ୍ୟାଙ୍କ ଜାତୀୟକରଣର ୫୦ ବର୍ଷ ହେବାକୁ ଯାଉଛି। ସଂକଟ ଗ୍ରସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବ୍ୟବସ୍ଥାକୁ ସୁଧାରିବାପାଇଁ ସରକାର ଆଗେଇ ଆସିବା ଦରକାର। ଘରୋଇକରଣ ସଂକଟର ପ୍ରତିକାର ନୁହେଁ। ମୁଣ୍ଡ ବିନ୍ଧୁଛି, ଏଣୁ ମୁଣ୍ଡ କାଟିଦିଅ ଯାହା, ଏଭଳି ଚିନ୍ତାଧାରା ତାହା। ଶ୍ରେଣୀବ୍ୟାଙ୍କ ନୁହେଁ ଗଣବ୍ୟାଙ୍କ ହିଁ ଦେଶପାଇଁ ଆବଶ୍ୟକ।

Leave A Reply