ନରେନ୍ଦ୍ର ବନାମ ନବୀନ
ନିଜର ଦିନିିକିଆ ଓଡ଼ିଶାଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନ ସରକାରକୁ ଅତି କଠୋର ଭାବେ ସିଧାସଳଖ ସମାଲୋଚନା କରିବା ପରେ ସ୍ବଭାବତଃ ଚୁପ୍ଚାପ୍ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପିସି (ପରସେଣ୍ଟେଜ୍) ସରକାର, ଦୁର୍ନୀତିଗସ୍ତ, ନିକମା ଆଦି ଯେତେସବୁ କଡ଼ାଶବ୍ଦ ବ୍ୟବହାର କରାଯାଇପାରେ ସେ ସବୁକୁ ଶ୍ରୀ ମୋଦୀ, ନବୀନ ସରକାର ପ୍ରତି ବାଛିବାଛି ପ୍ରୟୋଗ କରିବାପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ। ନିଜର ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ନବୀନବାବୁ ଯାହା କହିଛନ୍ତି ସେଥିରେ ସନ୍ଦେହର ଅବକାଶ ନାହିଁ। ଦ୍ବିତୀୟ କଥାଟି ହେଲା ଜଣେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ସାଧାରଣ ସଭାରେ ଜଣେ ପ୍ରଧାନମନ୍ତ୍ରୀ ଆଘାତ ଦେବାଭଳି ଭାଷାରେ ସମାଲୋଚନା କରିବାର ଅର୍ଥ ହେଉଛି ଯୁଦ୍ଧଂ ଦେହି ଡାକରା ଦେବା। ଏଥିସହିତ ବିଜେପି ଓ ବିଜେଡ଼ି ମଧ୍ୟରେ ଯେଉଁ କୋମଳ ରାଜନୈତିକ ସମ୍ପର୍କ ଥିଲା ତାହାର ଅବସାନ ଘଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ନବୀନ ମଧ୍ୟ ମୋଦୀଙ୍କୁ ଉଚିତ ପାଲଟା ବାଣ ମାରିଛନ୍ତି। ତେଣୁ ଉଭୟଙ୍କ ମଧ୍ୟରେ ସାଲିସ ସମ୍ଭାବନା କ୍ଷୀଣ।
ଆଗରୁ ବୁଝିବିଚାରି ବିଜେଡ଼ି ବିରୋଧରେ ମନ୍ତବ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ଏବେ ହଠାତ୍ ଖଡ୍ଗ ଉତ୍ତୋଳନ କରିବା ପଛରେ ପ୍ରମୁଖ କାରଣ ହେଉଛି ୨୦୧୯ ନିର୍ବାଚନ। ସେ ବୁଝିପାରିଛନ୍ତି ଓ ତାଙ୍କୁ ମଧ୍ୟ ବୁଝାଇ ଦିଆଯାଇଛି ଯେ ଗତ ସାଢ଼େ ଚାରିବର୍ଷଧରି ବିଜେପି ଓଡ଼ିଶାରେ ସାଂଗଠନିକ ସ୍ତରରେ ଯେଉଁ ପ୍ରଗତି ହାସଲ କରିଛି ତାହା ଏବେ ଫଳଦେବା ଅବସ୍ଥାକୁ ଆସିଲାଣି। ପଞ୍ଚାୟତ ନିର୍ବାଚନରୁ ଏହାର ନମୁନା ମିଳିଥିଲା ଏବଂ ରାଜ୍ୟର ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ଦଳର ଲୋକପ୍ରିୟତା ବଢ଼ୁଛି। ଦୁର୍ବଳ କଂଗ୍ରେସର ପୁନରୁତ୍ଥାନ ପୂର୍ବରୁ ବିଜେଡ଼ିର ମୁକାବିଲା ପାଇଁ ବିଜେପିକୁ ହିଁ ଏବେ ରଣନୀତି ଚୂଡ଼ାନ୍ତ କରିବାକୁ ହେବ। ତେଣୁ ଦଳ ସଭାପତି ସଦଳବଳେ ଗର୍ଜନ କରୁଛନ୍ତି ଓ ମୋଦୀ ଲଢ଼େଇର ଶଙ୍ଖ ଫୁଙ୍କିଛନ୍ତି। ଏହା ବିଜେପି ରଣନୀତିର ଏକ ଅଂଶ।
ମୋଦୀ କ୍ଷମତାକୁ ଆସିବା ପରଠାରୁ ଓଡ଼ିଶାକୁ ନିଜର ରାଜନୈତିକ କାର୍ଯ୍ୟସୂଚୀରେ ରଖି ତଦନୁସାରେ କାର୍ଯ୍ୟ କରିଆସୁଛନ୍ତି। ଓଡ଼ିଶା ଗତ ନିର୍ବାଚନରେ ବିଜେପିକୁ ଭଲ ଅମଳ ନ’ଦେବା ସେତ୍ତ୍ବ ମୋଦୀ ରାଜ୍ୟର ଦୁଇଜଣଙ୍କୁ କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ କରିବାସହ ଜଣକୁ ରାଜ୍ୟପାଳ, ଜଣକୁ ରାଜ୍ୟସଭାକୁ ପ୍ରଥମଥର ମନୋନୀତ କରିଛନ୍ତି। ଏହାଛଡ଼ା ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନ ଓ ପ୍ରକଳ୍ପରେ ଓଡ଼ିଶା ପ୍ରତି ତାଙ୍କର ସ୍ବତନ୍ତ୍ର ନଜର ରହିଛି। କେତେକ ଆବେଗାତ୍ମକ ପ୍ରସଙ୍ଗରେ ସେ ଓଡ଼ିଶାବାସୀଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରି ଆସୁଛନ୍ତି। ତେଣୁ ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦୀ ତାଙ୍କର ରଣନୀତି ପ୍ରୟୋଗ କରିବାରେ କୌଣସି ବୈଚିତ୍ର୍ୟ ନାହିଁ।
ନବୀନବାବୁ କ୍ରମାଗତଭାବେ ୨୦୦୦ ମସିହାରୁ ଶାସନରେ ଅଛନ୍ତି। ଏଥର ପଞ୍ଚମଥର ପାଇଁ ସେ ନିର୍ବାଚନର ସମ୍ମୁଖୀନ ହେବେ। ଗୋଟିଏ ଦଳ କ୍ଷମତାରେ ଦୀର୍ଘକାଳ ରହିଲେ ନିର୍ବାଚନରେ କିଛି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଏଥିରେ ଦଳ ଓ ଶାସନର କାର୍ଯ୍ୟଶୈଳୀ, ଆଚରଣ ଚର୍ଚ୍ଚାରେ ରହେ। ବିରୋଧୀଙ୍କ ଆକ୍ଷେପ ସର୍ବଦା ରାଜନୈତିକ ନୁହେଁ, ଏଥିରେ ବେଳେବେଳେ କିଛି ବାସ୍ତବତା ଥାଏ। ତେଣୁ ମୋଦୀଙ୍କ ଆକ୍ଷେପ ନବୀନଙ୍କୁ ଅବଶ୍ୟ ଆତ୍ମସମୀକ୍ଷାର ସୁଯୋଗ ଦେବ ଓ ସେ ନିଜକୁ ନୂଆ ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ କରିବେ।