ସାମାଜିକ ଗଣମାଧ୍ୟମ ଓ ଯୁବପିଢ଼ି

0

ଅନୁପମ ପ୍ରହରାଜ

ନିଜକୁ ଆଧୁନିକ ଦାବି କରୁଛେ, ଅଥଚ ଠିଆ ହୋଇଛେ ଏକ ଅନ୍ଧ ଉପତ୍ୟକାରେ। ମସ୍ତିଷ୍କ ଅଛି, ମାତ୍ର ଦେଖାଦେଇଛି ବିଚାର ବିଭ୍ରାଟ। ବିଗିଡ଼ିଛି ବିଜ୍ଞତାର ନାଭିକେନ୍ଦ୍ର। କକ୍ଷଚ୍ୟୁତ ଉଲ୍‌କା ପରି ଅନ୍ଧାରୀ ଇଲାକାରେ କରୁଛେ ଲଢେଇ। ଲକ୍ଷ୍ୟ ଉଦ୍ଦେଶ୍ୟହୀନ, ଗତି ଉଦ୍‌ଭ୍ରାନ୍ତ। କାହାକୁ ହତ୍ୟା କରୁଛେ ବୁଝି ବି ବୁଝୁନେ। ଅଷ୍ଟାଦଶ ଶତାବ୍ଦୀର ବିଶିଷ୍ଟ ଇଂରେଜ କବି ମାଥ୍ୟୁ ଆରନୋଲ୍ଡଙ୍କ କାଳଜୟୀ କବିତା ‘ସେକେଣ୍ଡ କମିଙ୍ଗ୍‌’ର ଏହି ଦୃଶ୍ୟ ଆଜି ବି ପରିଦୃଶ୍ୟମାନ ଆମ ଜାଗତିକ ଜୀବନରେ। ଚାରିଆଡେ ଏବେ ସଂକ୍ରାମକ ଭଳି ମାଡ଼ିଚାଲିଛି ପିଲାଚୋର ଗୁଜବ। ଆଧୁନିକ ଭ୍ରାମ୍ୟମାଣ ଯନ୍ତ୍ରର କୁହେଳିକାର ଏହା ଏକ ନଗ୍ନ ଉଦାହରଣ। ପିଲାଚୋର ଗୁଜବ ଅପପ୍ରଚାରର ମୁଖ୍ୟ ମାଧ୍ୟମ ପାଲଟିଛି ହ୍ୱାଟ୍‌ସଅାପ୍‌ ଓ ଫେସ୍‌ବୁକ୍‌ ପରି ସାମାଜିକ ଗଣମାଧ୍ୟମ। ଆଉ ଗୁଜବର ସହଜ ଶିକାର ହେଉଛନ୍ତି ବିଚରା ନିରୀହ, ଗରିବ, ଅନ୍ୟ ଭାଷାଭାଷୀ ତଥା ଚେହେରାରେ ଭିନ୍ନ ଦିଶୁଥିବା କିଛି ଅପରିଚିତ। କିଏ ମୂକ ତ, ଆଉ କିଏ ମାନସିକ ଭିନ୍ନକ୍ଷମ। କେହି ବି ବାଦ୍‌ ପଡୁନାହାନ୍ତି ଏଭଳି ଅପପ୍ରଚାରକାରୀ ତଥା ଆକ୍ରମଣକାରୀଙ୍କ କବଳରୁ। ବିଚରା ଲହୁଲୁହାଣ ହେଉଛନ୍ତି, ଅନେକ କ୍ଷେତ୍ରରେ ଜୀବନ ହରାଉଛନ୍ତି।
ଓଡ଼ିଶାରେ ଏପରି ଘଟଣା ଗତମାସରେ ରାୟଗଡ଼ାରୁ ରାଉରକେଲା ଓ ବାଲେଶ୍ୱରରୁ ବଲାଙ୍ଗିର ପର୍ଯ୍ୟନ୍ତ ସବୁଠି ଉଣାଅଧିକେ ଦେଖିଛେ। ଅଜଣା ଲୋକଙ୍କୁ ପିଲାଚୋର ସନ୍ଦେହରେ ସ୍ଥାନୀୟ ଯୁବଗୋଷ୍ଠୀ ନିସ୍ତୁକ ପିଟିଛନ୍ତି, ଲହୁଲୁହାଣ କରିଛନ୍ତି। ପୁଲିସ ଓ ପ୍ରଶାସନର ବ୍ୟାପକ ପ୍ରଚାର ଓ ସଚେତନତା ପରେ ଟିକିଏ ଏଥିରେ ଭଟ୍ଟା ପଡିଛି। ଯେତେ କାକୁତିମିନତି ହେଲେ ବି ଆକ୍ରମଣକାରୀଙ୍କ ଭାଷାଗତ ଅଜ୍ଞତା ଯୋଗୁଁ ଜଣେ ପାଗଳୀଙ୍କୁ ଯେଭଳି ଆକ୍ରମଣ କରାଗଲା ଏବଂ ଜଣେ ମୂକ ଯୁବକଙ୍କୁ ଯେଭଳି ପିଟିପିଟି ନର୍ଦମାରେ ଫିଙ୍ଗିବାର ଦୃଶ୍ୟ ଆମେ ଗଣମାଧ୍ୟମରେ ଦେଖିଲେ ତାହା ମାନବିକତାର ସବୁ ସୀମା ଲଙ୍ଘିଲା।
ମେ ମାସର ମଧ୍ୟଭାଗରେ ଝାଡ଼ଖଣ୍ଡରୁ ଆରମ୍ଭ ହୋଇଥିଲା ଏଭଳି ଗୁଜବ ଖବର। ସଂପର୍କରେ ଥିଲେ ଦୁଇ ଭାଇ। ଅନ୍ୟ ୫ଜଣଙ୍କ ସହ ଆସିଥିଲେ କାମ ସନ୍ଧାନରେ। ହଠାତ୍‌ ସେମାନଙ୍କ ଉପରେ ଯେମିତି ବଜ୍ର ପଡିଲା। ସ୍ଥାନୀୟ ଲୋକେ କିଛି ନ ବୁଝି ପିଲାଚୋର ସନ୍ଦେହରେ ସେମାନଙ୍କ ଉପରେ କଲେ ଅତର୍କିତ ଆକ୍ରମଣ। ଗ୍ରାମବାସୀଙ୍କ ଆଖିବୁଜା ମାଡ଼ରେ ପ୍ରାଣ ହାରିଲେ ୭ ଅଜଣା ଲୋକ। ମହାରାଷ୍ଟ୍ରର ଧୁଲେ ଜିଲାର ରାଣୀପଡ଼ା ଗାଁରେ ଘଟିଛି କିଛିଦିନ ତଳେ ଅନୁରୂପ ଘଟଣା। ପାଞ୍ଚଜଣ ବହିରାଗତଙ୍କୁ ସ୍ଥାନୀୟ ଲୋକେ ପିଟିପିଟି ହତ୍ୟା କରିଛନ୍ତି। କୌଣସି ଘଟଣାକୁ ନ ବୁଝି, ନସୁଝି ସନ୍ଦେହରେ ଏଭଳି ଜଘନ୍ୟ ଆକ୍ରମଣ କରିବାକୁ ଏମାନଙ୍କୁ କିଏ ଦେଲା ଅନୁମତି? ଇତିମଧ୍ୟରେ ପିଲାଚୋର ଗୁଜବ ଘଟଣାରେ ଦେଶର ବିଭିନ୍ନ ରାଜ୍ୟରେ ଲୋଟିଲାଣି ୨୭ଟି ଅମୂଲ୍ୟ ଜୀବନ। ଝାଡ଼ଖଣ୍ଡରେ ସର୍ବାଧିକ ୭ ଜଣ। ଏହା ତଳକୁ ମହାରାଷ୍ଟ୍ର(୫)। ତାମିଲନାଡୁରେ ଇତିମଧ୍ୟରେ ଏଭଳି ଗୁଜବରେ ୩ ଜଣଙ୍କ ପ୍ରାଣହାନି ଘଟିଛି। ତେଲଙ୍ଗାନାରୁ ତ୍ରିପୁରା, କର୍ଣ୍ଣାଟକରୁ ଆସାମରେ ଦୁଇ ଜଣ ଲେଖାଏଁ, ଗୁଜରାଟରୁ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ମଧ୍ୟପ୍ରଦେଶ ଭିତରେ ମଲେଣି ଜଣେ ଲେଖାଏଁ ନିରୀହ ଲୋକ। ନିଶାଣର ସହଜ ଶିକାର ହେଉଛନ୍ତି ସ୍ଥାନୀୟ ଲୋକଙ୍କଠାରୁ ଭାଷା, ଚାଲିଚଳନ, ଶାରୀରିକ ଚେହେରାରେ ଭିନ୍ନ ଦିଶୁଥିବା ଅଚିହ୍ନା ବ୍ୟକ୍ତି। ବିଶେଷକରି ଏମାନେ ଗରିବ, ଦିନ ମଜୁରିଆ, ପାଗଳ ତଥା ଭିନ୍ନକ୍ଷମ ଶ୍ରେଣୀର। ସ୍ଥାନୀୟ ଲୋକେ ଏମାନଙ୍କୁ ପ୍ରଥ‌େ‌ମ ଅଟକାଇ ସନ୍ଦେହ କରିବା ଓ ସେମାନଙ୍କ ଭାଷା ବୁଝି ନପାରିବା ଯୋଗୁଁ ଏଭଳି ଗୁଜବକୁ ସାମାଜିକ ଗଣମାଧ୍ୟମ ହ୍ୱାଟ୍‌ସ୍‌ଆପ୍‌ ଓ ଫେସ୍‌ବୁକ୍‌ ଜରିଆରେ ହାୱା ଦିଆଯାଉଛି। ସେମାନଙ୍କ ଫଟୋକୁ ଅପ୍‌ଲୋଡ୍‌ କରି ଖବର ପ୍ରସାରଣ କରାଯିବା ଫଳରେ ସ୍ଥାନୀୟ ଲୋକେ ଏନେଇ ଅଧିକ ସଚେତନତା ନାଁରେ ଏକପ୍ରକାର ଅରାଜକତା ତଥା ଆତଙ୍କରାଜ୍‌ ଚଳାଇଛନ୍ତି।
ଟ୍ୱିଟର, ଫେସ୍‌ବୁକ୍‌ ଓ ହ୍ୱାଟସ୍‌ଆପ୍‌ ଭଳି ସାମାଜିକ ଗଣମାଧ୍ୟମ ଆମକୁ ତଡିତ୍‌ ସୂଚନା ପ୍ରଦାନର ଦେଇଛି ଭରପୂର ସୁଯୋଗ। ମାତ୍ର ତାହାର ଦୁରୁପଯୋଗର ସଦ୍ୟତମ ଉଦାହରଣ ହେଲା ପିଲାଚୋର ଗୁଜବରେ ଅଜଣା ଲୋକଙ୍କ ପ୍ରତି ହେଉଥିବା କ୍ରମାଗତ ଆକ୍ରମଣ ଘଟଣା। ଆଜିର ଯୁବପିଢି ଏଭଳି ସାମାଜିକ ଗଣମାଧ୍ୟମରେ ଏତେ ମନୋନିବେଶ କରିସାରିଛି ଯେ ନିଜର ମୌଳିକ ଚିନ୍ତନ ହଜିବାକୁ ବସିଲାଣି। ଘଣ୍ଟାଘଣ୍ଟା ଧରି ଏଥିରେ ନିଜକୁ ବ୍ୟସ୍ତରଖି ଯୁବପିଢି ତା’ର ବୌଦ୍ଧିକ ସ୍ତରକୁ କେବଳ କଙ୍କାଳସାର କରିନି, ବରଂ ସ୍ମରଣଶକ୍ତିକୁ ଦୁର୍ବଳ କରିବା ସ୍ଥିତିକୁ ଆସିଗଲାଣି। ବିଭିନ୍ନ ଗ୍ରୁପ୍‌ ଜରିଆରେ ଯେଭଳି ପ୍ରତି ସେକେଣ୍ଡରେ ସତମିଛ ଖବରର ଫୁଆର ଆସୁଛି ତାହା କର୍ମପ୍ରବଣତାକୁ ମଧ୍ୟ ହ୍ରାସ କରୁଛି। ସବୁ ବୈଦ୍ୟୁତିକ ସାଧନର ସକାରାତ୍ମକ ଦିଗ ରହିଛି; କିନ୍ତୁ ଏହାର ବହୁଳ ବ୍ୟବହାର ମଧ୍ୟ ମାନବ ସଭ୍ୟତା ଲାଗି ଯେ ଭୟଙ୍କର କ୍ଷତି ଘଟାଉଛି ତାହା ସ୍ପଷ୍ଟ ହୋଇଛି। ସାମାଜିକ ଗଣମାଧ୍ୟମ ଅତୀତରେ ଆମେରିକାର ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିଥିବା ପ୍ରମାଣ ମିଳିଲାଣି। କାଶ୍ମୀରରେ ବିଚ୍ଛିନ୍ନତାବାଦ ଓ ଉଦ୍‌ଭ୍ରାନ୍ତ ଯୁବକଙ୍କ ସେନା ଉପରକୁ ଢେଲାମାଡ଼ ଆଦି ଘଟଣାକୁ ପ୍ରୋତ୍ସାହନ ଦେଉଛି ସାମାଜିକ ଗଣମାଧ୍ୟମ।
ଏଭଳି ପରିସ୍ଥିତିକୁ ବିଚାରକୁ ନେଇ କେନ୍ଦ୍ର ସରକାର ଫେସ୍‌ବୁକ୍‌, ହ୍ୱାଟ୍‌ସଅାପ୍‌ ଭଳି ସାମାଜିକ ଗଣମାଧ୍ୟମ ଉପରେ କେବଳ ଅଙ୍କୁଶ ନୁହେଁ, ବନ୍ଦ କରିବାକୁ ମଧ୍ୟ ବିଚାର କରୁଛନ୍ତି। ଅନେକ ଖଳପ୍ରକୃତିର ବ୍ୟକ୍ତି ଫେସ୍‌ବୁକ୍‌ରେ ନକଲି ଆକାଉଣ୍ଟ ଖୋଲିବା ଅନ୍ୟମାନଙ୍କ ଲାଗି ବିପଦ ସୃଷ୍ଟି କରିଛି। କେଉଁଠି ସିଙ୍ଗାଣିନାକି ଶୁକୁଟି ସାହୁକୁ ଆଞ୍ଜେଲ ପ୍ରିୟା ସଜାଉଥିବାବେଳେ ଗଉରାକୁ ରକିଂରାଜ୍‌ର ଚେହେରା ବନାଉଛି। ଯୁବପିଢିକୁ ଉଚିତ୍‌ ମାର୍ଗଦର୍ଶନ ଅପେକ୍ଷା ଅଧିକ ଉଦ୍‌ଭ୍ରାନ୍ତ କରାଉଛି ଏଭଳି ସାମାଜିକ ଗଣମାଧ୍ୟମ। ହ୍ୱାଟ୍‌ସ ଆପ୍‌ରେ ପିଲାଚୋର ଗୁଜବ ଖବର ସାଜିଛି ବାହାରେ କାର୍ଯ୍ୟରତ ଲୋକଙ୍କ ଲାଗି ଏକ ନୀରବ ହତ୍ୟାକାରୀ। ଏଥିପ୍ରତି ବ୍ୟାପକ ସଚେତନତା ଜରୁରୀ।
ଆମେ ଏଭଳି ସ୍ମାର୍ଟଫୋନ୍‌ମନସ୍କ ଯେ ଖାଦ୍ୟପଛେ ଛାଡିଦେବା, କିନ୍ତୁ ଏହାକୁ ମୁହୂର୍ତ୍ତେ ଅନ୍ତର କରିବାକୁ ଅନିଚ୍ଛୁକ। ଖବର ନାଁରେ ଅଶ୍ଲୀଳତା, ବିଚାର/ଚିନ୍ତନ ବିଭ୍ରାଟ, ବ୍ୟକ୍ତି ସ୍ୱାଧୀନତା, ସ୍ନେହସଂପର୍କ ଏପରିକି ଆମ ଅଧିକାରକୁ ମଧ୍ୟ ଏହା ଛଡ଼ାଇ ନେବାକୁ ବସିଲାଣି। ପାରସ୍ପରିକ ବିଦ୍ୱେଷ, ଧାର୍ମିକ ବିଭେଦର ବିଷମଞ୍ଜି ବି ବୁଣିଚାଲିଛି ଖବର ନାଁରେ ଫେସ୍‌ବୁକ୍‌ ଓ ହ୍ୱାଟ୍ସଅାପ୍‌ରେ ପ୍ରେରିତ ଖବର ଓ ଭିଡିଓ। ଅନେକ ତଥାକଥିତ ବୁଦ୍ଧିଜୀବୀ ଅଯଥା ପ୍ରସଙ୍ଗରେ ଏହାକୁ ନିଜ ଆତ୍ମପ୍ରଚାର ଓ ଜ୍ଞାନଗରିମାର ଏକ ମୁକ୍ତମଞ୍ଚ କରିଛନ୍ତି; ଯେଉଁଠି ଅନ୍ୟକୁ ଗାଳିଗୁଲଜ କରିବା ଭିନ୍ନ ବିକଳ୍ପ ବିଚାରର ପରିବେଶ କମ୍‌ ରହୁଥିବା ଦେଖିବାକୁ ମିଳୁଛି। ଯୁବପିଢି ସାମାଜିକ ଗଣମାଧ୍ୟମରେ ମାତ୍ରାଧିକ ସମୟ ଅପଚୟରୁ ନିଜକୁ ଦୂରେଇ ରଖୁ। ଭାରତୀୟ ମସ୍ତିଷ୍କ ଯେ ସବୁଠୁ ଉର୍ବର ତଥା ଉନ୍ନତ ତାହା ଆମେରିକା ଓ ୟୁରୋପୀୟ ଭଳି ସମୃଦ୍ଧିଶାଳୀ ରାଷ୍ଟ୍ରରେ ସଂଖ୍ୟାଧିକ ପ୍ରବାସୀ ଭାରତୀୟଙ୍କ ବୃତ୍ତିରୁ ପ୍ରମାଣିତ।
ଆଜି ନୁହେଁ; ଅତୀତରେ ବି ଭାରତ ଥିଲା ସ୍ୱର୍ଣ୍ଣପ୍ରସୂ। ବିଶ୍ୱକୁ ଦେଉଥିଲା ଦିଗ୍‌ଦର୍ଶନ। ସାଜିଥିଲା ବିଶ୍ୱଗୁରୁ। ଏବେ କିନ୍ତୁ ଏଭଳି ବ୍ୟତିକ୍ରମ କାହିଁକି? ଦ୍ରୁତ ବିକାଶଶୀଳ ଅର୍ଥନୀତିର ଉତ୍ତୁଙ୍ଗକୁ ଛୁଇଁବାରେ ପ୍ରୟାସୀ ଭାରତର ମୋଟ ଜନସଂଖ୍ୟାର ୬୫ ପ୍ରତିଶତ ଏବେ ଯୁବଶକ୍ତି। ବିଜ୍ଞାନର ଏକ ଚମତ୍କାର ଉଦ୍ଭାବନର ଦୁରୁପଯୋଗ କରି ଭାରତୀୟ ଯୁବଶକ୍ତି ଏବେ ସର୍ବନାଶମୁଖୀ ହେଉନାହିଁ ତ? କହିବା କାହାକୁ; ଆମେ ତ’ ଜାଣିଶୁଣି ନିଜ ବିନାଶକୁ ଆମନ୍ତ୍ରଣ କରୁଛେ। ସ୍ଥିତପ୍ରଜ୍ଞତା ନୁହେଁ; ଅସ୍ଥିରତା, ବିଚାରଶୂନ୍ୟତା ଓ ସଂଯମହୀନ ଆଚରଣ ଏହାର କାରଣ। ମାଥ୍ୟୁଙ୍କ ମତରେ ମେରିଖୁଣ୍ଟ ଭାଙ୍ଗିବା ପୂର୍ବରୁ ସାଧୁ ହୁଅ ସାବଧାନ!!!
ଡିଆ, ନିରାକାରପୁର, ଖୋର୍ଦ୍ଧା
anupamp840@gmail.com

Leave A Reply