ନିରୁଦ୍ଦିଷ୍ଟ ନିଦ ଓ ଦେଶର ଅର୍ଥନୀତି
ରୁଦ୍ରପ୍ରସନ୍ନ ରଥ
ଶୋଇବା ଆମ ଜୀବନର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଂଶ। ଜଣେ ଜୀବନର ମୋଟ ସମୟର ଏକ-ତୃତୀୟାଂଶ ସମୟ କେବଳ ଶୋଇବାରେ ହିଁ କାଟିଥାଏ। ଦିନଯାକର ହାଡଭଙ୍ଗା ପରିଶ୍ରମ ପରେ ନିଦ ଆଣିଦିଏ ପରମ ତୃପ୍ତି। ଅବଶ ଦେହ କେବେ ହେଲେ ତୂଳୀତଳ୍ପ ଶେଯ ଖୋଜେନି । ଖାଲିଯାହା ଖୋଜିଥାଏ ଶୋଇବା ପାଇଁ ସମୟ ଆଉ ସ୍ଥାନ। ଆଉ କିଛି ଘଣ୍ଟାର ଆରାମଦାୟକ ନିଦ ପରେ ଜଣେ ଯେତେବେଳେ ଉଠିପଡେ ସେ ଅନୁଭବକୁ ସେ ଅନ୍ୟମାନଙ୍କ ଆଗରେ ବଖାଣିବାକୁ ସତରେ ଭାଷା ଖୋଜିପାଏନି। ହଁ ଭଲ ନିଦ ହିଁ ଭୁଲାଇ ଦିଏ ବିଫଳତାକୁ, ଖରାପ ଅନୁଭବକୁ; ଆଣି ଦିଏ ରୋଗରୁ ମୁକ୍ତି, ପୁଣି ମଣିଷକୁ ଜାତିଜାତିକା ସ୍ୱପ୍ନ ଦେଖାଇବାକୁ ସାହାଯ୍ୟ ବି କରେ। ମୋଟ ଉପରେ ନିଦ ବିନା ମଣିଷ ବଂଚିପାରିବ ନାହିଁ । ଆଉ ନିଦ ସହ ମଣିଷର ସଂପର୍କ କେବଳ ଭାବଗତ ନୁହେଁ, ବେଶ୍ ପୁରୁଣା ମଧ୍ୟ। କେତେକଙ୍କ ମତରେ ନିଦ ହେଉଛି ଗରିବ ଲୋକର ସମ୍ବଳ, ଯାହା ଏବେ ବିତ୍ତଶାଳୀର ଆଉ ହାତପାଆନ୍ତାରେ ନାହିଁ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ୧୮-୬୫ ବୟସ୍କ ଲୋକମାନେ ସର୍ବନିମ୍ନ ୭-୯ ଘଂଟା ଶୋଇବା ଦରକାର। ‘ହେଲ୍ଥ ଅରେଂଜ’ ନାମକ ୱେବ ପୋର୍ଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟମାନେ ଏବେ ହାରାହାରି ସାଢ଼େ ୬ ଘଂଟା ହିଁ ଶୋଇବାକୁ ପାଉଛନ୍ତି। ପୁଣି ପାଖାପାଖି ୪୬% ଭାରତୀୟ ଦିନକୁ ୬ ଘଂଟାରୁ କମ୍ ସମୟ ଶୋଇପାରୁଛନ୍ତି। ଏକଥା ବି ଦେଖାଯାଇଛି ଯେ ପ୍ରାୟ ୨୦% ଭାରତୀୟ ନିଦ୍ରାହୀନତା ରୋଗ ବା ଇନ୍ସୋମନିଆର ଶିକାର ହୋଇଛନ୍ତି। ଉପଯୁକ୍ତ ପରିମାଣର ନିଦ ଅଭାବରେ ମଣିଷ ନିସ୍ତେଜ ଅନୁଭବ କରେ, ନିଜ କର୍ମ କ୍ଷେତ୍ରରେ ଅସହଜ ମନେକରେ, ଆଉ କାମରେ ଧ୍ୟାନ କେନ୍ଦ୍ରିତ କରିପାରେ ନାହିଁ। ଏହା ଫଳରେ ମଣିଷର ବହୁମୂଲ୍ୟ ସମୟ ଏବଂ କର୍ମକ୍ଷେତ୍ର ସୁଯୋଗ ନଷ୍ଟ ହୁଏ। ପୁଣି ରାତିରେ ଘରେ ନଶୋଇ ଦିନରେ ଅଫିସରେ ଶୋଇପଡୁଥିବାରୁ ସେ ଅନେକ ସମୟରେ ଉପରିସ୍ଥ ଅଧିକାରୀଙ୍କଠାରୁ ନାନା ଟାହିଟାପରା ଶୁଣିବାକୁ ପଡିଥାଏ। ରାତିରେ ଭଲକରି ଶୋଇନପାରିବା କାରଣରୁ ମଣିଷକୁ ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ ପରି ରୋଗର ସାମ୍ନା କରିବା ଆଶଙ୍କା ବଢିବଢି ଯାଇଥାଏ। ଏ ତଥ୍ୟ ସବୁ ଡରାଇଲା ପରି ଆଉ ଆମ ଆଖିରୁ ସହଜରେ ନିଦ ହଜାଇ ଦେବାର କ୍ଷମତା ରଖିଛି।
ଭାରତୀୟମାନଙ୍କୁ ନିଦ ନ ହେବା ପଛରେ ବିକଶିତ ଭାରତ ଏବଂ ଏହାର ବଦଳୁଥିବା ଚିତ୍ରର ଗୋଟିଏ ଭୂମିକା ରହିଛି। ମାତ୍ର ଗୋଟିଏ ଦଶନ୍ଧି ତଳେ ଭାରତର ପ୍ରାୟ ଅଧାରୁ ଅଧିକ ଗାଁକୁ ବିଜୁଳି ନଥିଲା। ଅନ୍ଧାରେର ରୋଷେଇ କରିବାରେ ଅସୁବିଧା ଯୋଗୁଁ ଗାଁ ଲୋକମାନେ ଜଲଦି ରୋଷେଇ ସାରିଦେଉଥିଲେ। ରାତି ୮ଟା ଭିତରେ ଗାଁରେ ପ୍ରାୟ ଖିଆପିଆ ସାରି ଘରେ ସବୁ ତାଟିକବାଟ ପଡ଼ିଯାଉଥିଲା। ରାତି ନଅଟା ବେଳକୁ ପୂରା ଗାଁ ନିଦର ଚାଦର ଘୋଡି ହୋଇପଡୁଥିଲା। ଏବେ ଗାଁରେ ଆଲୁଅ ଆସିଲା ପରେ ଟିଭି ଘରେଘରେ ପହଁଚିବା ଆରମ୍ଭ କରିଛି। ତେଣୁ ରୋଷେଇ ଆରମ୍ଭ କରିବା ଭିତରେ ରାତି ୯ଟା ବାଜି ଯାଉଛି । ସବୁ କାମ ସାରି ଗାଁ ଲୋକ ଖଟ କିମ୍ବା ମଶିଣା ଧରିଲା ବେଳକୁ ରାତି ୧୧ ବାଜିଯାଉଛି।
ସହରର ଅବସ୍ଥା ଆହୁରି ଶୋଚନୀୟ । ଆହୁରି ଅଧିକ ସମୟ ପରିଶ୍ରମ କରି ଅଧିକ ଉଚ୍ଚକୁ ଉଠିବାର ନିଶାରେ ଏବେ ସମସ୍ତେ ମସଗୁଲ। ମଧ୍ୟବିତ୍ତର ଏହି ନିଶାରେ କିନ୍ତୁ ବଳିପଡୁଛି ବିଚରା ନିଦ। ପୁଣି ହାତରେ ଥିବା ସ୍ମାର୍ଟ ଫୋନ୍ ହିଁ ପାଲଟିଛି ନିଦର ସଉତୁଣୀ। ଖାଇସାରି ଘଣ୍ଟାଟିଏ ସ୍ମାର୍ଟଫୋନ୍ ଉପରେ ଅଂଗୁଳି ନଚାଲିଲେ ମନ ବୁଝୁନି। ଜଣେଜଣେ ବଂଧୁଙ୍କ ସହ କଥା ହୋଇ ଗୁଡ୍ ନାଇଟ୍ କହି, ୱେବରେ ଗୋଟିଏଗୋଟିଏ ପୃଷ୍ଠାକୁ ଓଲଟାଇ ଚାଲିଲା ବେଳକୁ ରାତି କେତେବେଳେ ଅଧା ସମୟ ଅତିକ୍ରମ କରିଯାଉଛି ତାହା ଜାଣି ହେଉନି। ବାପା କିମ୍ବା ମା’ ଜଲଦି ଶୋଇ ପାରୁନଥିବାରୁ ପିଲାମାନେ ବି ବିଳମ୍ବିତ ରାତିଯାଏ ଅନିଦ୍ରା ରହିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ଏହାବାଦ୍ ଏକାଧିକ ଏମିତି ଲୋକ ଅଛନ୍ତି ଯେଉଁମାନେ ପ୍ରକୃତରେ ରାତ୍ରିଚର। ବିଳମ୍ବିତ ରାତିଯାଏ ଅନିଦ୍ରା ରହି ଲେଖାପଢା କରିବା, କବିତା ଲେଖିବା, ଫିଲ୍ମ ଦେଖିବା, ଖେଳ ଦେଖିବା କିମ୍ବା ନିଜର ସୌକ ପୂରଣ କାମ କରିବା ସେମାନଙ୍କ ପାଇଁ ବେଶ୍ ସ୍ୱାଭାବିକ। ଅନେକଙ୍କ ପାଇଁ ଏବେ ବିଳମ୍ବିତ ରାତ୍ରୀରେ ଶୋଇବା ଗୋଟିଏ େଫସନ୍ ହୋଇଗଲାଣି। ଆଉ କିଛି ତ ବିଳମ୍ବିତ ରାତି ଯାଏ ପାର୍ଟି କରି ସକାଳୁ ଶୋଇବାକୁ ଯାଉଛନ୍ତି। ଜଲଦି ଶୋଇବାକୁ ଚାହୁଁଥିବା ଲୋକଟିଏ ଏବେ ମରହଟ୍ଟା କାଳର କିମ୍ବା ଗାଉଁଲି ବୋଲି ଲୋକମୁଖରେ ବିବେଚିତ ହେଲାଣି।
ବିଳମ୍ବିତ ରାତି ଯାଏ ଚାହୁଁଥିବା ଲୋକଟି ସକାଳ ସୂର୍ଯ୍ୟଙ୍କୁ ଦେଖିବାର ସୁଯୋଗ ପାଉନାହିଁ। କଅଁଳ ଘାସ ଗାଲିଚା ଉପରେ ପଡିଥିବା ସେ ଢ଼ଳଢ଼ଳ କାକରମାନଙ୍କୁ ଆଉ ଛୁଇଁପାରୁନାହିଁ। ସକାଳର ପବନ ବି ଲୋକଙ୍କ ଦେହରେ ବାଜୁନାହିଁ। ବରଂ ବିଳମ୍ବିତ ସକାଳ ଯାଏ ଖଟ ଉପରେ ଶୋଇ ରହି ନିଦ ଭାଙ୍ଗିବା ପାଇଁ ତାକୁ ବେଶ୍ ସଂଘର୍ଷ କରିବାକୁ ପଡୁଛି।
ନିରୁଦ୍ଦିଷ୍ଟ ହୋଇଥିବା ନିଦ ଯୋଗୁଁ ବ୍ୟକ୍ତିଟିଏ କେବଳ ଯେ ଅସୁବିଧାରେ ପଡୁଛି ତାହା ନୁହେଁ, ବରଂ ଏହା ଯୋଗୁଁ ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି। ଉଦାହରଣ ସ୍ୱରୂପ ଆମେରିକାର ‘ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ’ ଅନୁସାରେ ଆମେରିକାର ଲୋକମାନେ କମ ଶୋଉଥିବାରୁ ବର୍ଷକୁ ପ୍ରାୟ ୪୧୧ ବିଲିୟନ ଡଲାର କ୍ଷତି ହୁଏ ଯାହା ଆମେରିକାର ମୋଟ ଘରୋଇ ଉତ୍ପାଦର ୨.୨୮ ପ୍ରତିଶତ। ପୁଣି କାନଡାରେ ଏହି କ୍ଷତିର ପରିମାଣ ୨୧.୪ ବିଲିୟନ ଡଲାର, ଯାହା ତା’ର ମୋଟ ଘରୋଇ ଉତ୍ପାଦର ୧.୩୫ ପ୍ରତିଶତ। ମାତ୍ର ଭାରତରେ ଏପରି କିଛି ତଥ୍ୟ ନାହିଁ; କାରଣ ଆମ ଆଖିରୁ ନିରୁଦ୍ଦିଷ୍ଟ ହୋଇଚାଲୁଥିବା ନିଦ ଯେ କ୍ରମଶଃ ଏକ ଜନସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହେବାକୁ ଯାଉଛି, ତାହା ଆମ ସମସ୍ତଙ୍କ ଧାରଣା ବାହାରେ।
ଏବେ ବି ସମୟ ଅଛି ଆମ ଆଖି ତଳୁ ଖସିଯାଉଥିବା ନିଦକୁ ଧରି ରଖିବାକୁ, ଜଲଦି ଶୋଇବା ଜଲଦି ଉଠିବାକୁ ନିଜ ଜୀବନର ଧେୟ କରିବାକୁ। ହୁଏତ ଏ କଥା ଏବେ ଅନେକଙ୍କୁ ଗୁରୁତର ଲାଗିନପାରେ, ମାତ୍ର ଯେତେବେଳେ ଲାଗିବ ସେତେବେଳକୁ ଅନେକ ଡେରି ହୋଇଯାଇଥିବ। ମୋବାଇଲ ଫୋନକୁ ବନ୍ଦ କରନ୍ତୁ, ଟିଭି ଦେଖା କମାଇ ଦିଅନ୍ତୁ ଏବଂ ଶୀଘ୍ର ଶୋଇବା ଉପରେ ପ୍ରାଧାନ୍ୟ ଦିଅନ୍ତୁ । ବେଶୀ ବିଳମ୍ବ ହେବା ପୂର୍ବରୁ ରାତ୍ରିରେ ଜଲଦି ଶୋଇ ଦେଶ ଗଠନରେ ସାହାଯ୍ୟ କରିବା ବୁଦ୍ଧିମାନର କାମ ନୁହେଁକି?