ଶିକ୍ଷାପଦ୍ଧତିରେ ବାରମ୍ବାର ପରିବର୍ତ୍ତନ ଉଚିତ ନୁହେଁ

0

ବୈଦ୍ୟନାଥ ମହାନ୍ତି

prayash

ଇଂରେଜମାନଙ୍କ ଶାସନ ସମୟରେ ଆମ ଦେଶରେ ଅଳ୍ପ କେତେକ ମାଧ୍ୟମିକ ବିଦ୍ୟାଳୟ ଓ କଲେଜ ଥିଲା। ଏଥିରେ ଇଂରାଜୀ ମାଧ୍ୟମରେ ପଢ଼ାଯାଉଥିଲା। ଦେଶ ସ୍ବାଧୀନ ହେବାରୁ ପ୍ରତ୍ୟେକ ରାଜ୍ୟ ସେମାନଙ୍କ ମାତୃଭାଷା ମାଧ୍ୟମରେ ସ୍କୁଲଗୁଡ଼ିକରେ ଶିକ୍ଷାଦାନ କଲେ। ସ୍ବାଧୀନତା ପୂର୍ବରୁ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରାଯାଉଥିଲା। ପ୍ରଥମେ ପ୍ରାଇମେରୀରୁ ଆରମ୍ଭ କରିବା।
ପ୍ରାଇମେରୀ ଶିକ୍ଷା ଶିଶୁ, ପ୍ରଥମ, ଦ୍ବିତୀୟ, ତୃତୀୟ ପର୍ଯ୍ୟନ୍ତ ଥିଲା। ତୃତୀୟ ଶ୍ରେଣୀର ପିଲାମାନଙ୍କ ମଧ୍ୟରୁ କେତେକ ଭଲ ପଢ଼ୁଥିବା ପିଲାଙ୍କୁ ବୃତ୍ତି ପରୀକ୍ଷା ପାଇଁ ପଠାଯାଉଥିଲା। ଅପର୍‌ପ୍ରାଇମେରୀ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଥିଲା ଏବଂ ସେହିପରି ପଞ୍ଚମ ଶ୍ରେଣୀର କେତେକ ଭଲ ପିଲାଙ୍କୁ ବୃତ୍ତି ପରୀକ୍ଷାକୁ ପଠାଯାଉଥିଲା ଏବଂ ଅନ୍ୟ ପିଲାମାନଙ୍କୁ ଶ୍ରେଣୀ ପରୀକ୍ଷା ମାଧ୍ୟମରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଉଥିଲା। ମାଇନର୍‌ କ୍ଲାସ ଚତୁର୍ଥରୁ ସପ୍ତମ ପର୍ଯ୍ୟନ୍ତ ଏବଂ ହାଇସ୍କୁଲରେ ଥିବା ମାଇନର୍‌ କ୍ଲାସ ଷଷ୍ଠରୁ ସପ୍ତମ ଏବଂ ସ୍ଥାନେସ୍ଥାନେ ଚତୁର୍ଥରୁ ସପ୍ତମ ପର୍ଯ୍ୟନ୍ତ ଥିଲା। ଏହି ସମସ୍ତ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହୋଇ ପ୍ରମୋସନ ଦିଆଯାଉଥିଲା। ଅକୃତକାର୍ଯ୍ୟ ପିଲାଙ୍କୁ ଆଉ ଗୋଟିଏ ବର୍ଷ ରଖି ପୁନର୍ବାର ପଢ଼ାଯାଉଥିଲା। ପାସ୍‌ ଏବଂ ଫେଲ୍‌ର ପ୍ରଚଳନ ଥିଲା। କଡ଼ାକଡ଼ି ପରୀକ୍ଷା ହେତୁ ପିଲାମାନେ କିପରି ଭଲ କରିବେ ସେଥିପାଇଁ ଶିକ୍ଷକମାନେ ଚେଷ୍ଟା କରୁଥିଲେ। ପିଲାମାନଙ୍କର ମଧ୍ୟ ଫେଲ୍‌ ଭୟ ଥିବାରୁ ସେମାନେ ବହୁତ କଷ୍ଟକରି ପଢ଼ୁଥିଲେ। ସପ୍ତମରେ ବୃତ୍ତି ପରୀକ୍ଷା ଥିଲା ଏବଂ ଯେଉଁମାନେ ବୃତ୍ତି ପରୀକ୍ଷାକୁ ଯାଉନଥିଲେ ସେମାନଙ୍କ ପାଇଁ କମନ ପରୀକ୍ଷା କରାଯାଉଥିଲା ଯେଉଁଥିରେ କି ଗୋଟଏ ଅଞ୍ଚଳର ପିଲା ସେ ଅଞ୍ଚଳରେ ଥିବା ହାଇସ୍କୁଲରେ ପରୀକ୍ଷା ଦେଉଥିଲେ ଏବଂ ପାସ୍‌ଫେଲ୍‌ ଥିଲା। କିଛି ବର୍ଷ ପରେ ବୋର୍ଡ଼ ଅଫ୍‌ ସେକେଣ୍ଡାରୀ ଏଜୁକେସନ ଦ୍ବାରା ମାଟ୍ରିକ୍‌ ପରି ମାଇନର ସପ୍ତମ ଶ୍ରେଣୀ ପାଇଁ ଏକ କମନ ପରୀକ୍ଷା କରାଯାଉଥିଲା। ତାହା ମଧ୍ୟ କିଛିଦିନ ପରେ ବନ୍ଦ କରାଗଲା।
ଓଡ଼ିଶାରେ ସ୍ବତନ୍ତ୍ର ଜନକଂଗ୍ରେସ ସରକାର ସମୟରେ ସରକାର ଚିନ୍ତା କଲେ ଯେ ଫେଲ୍‌ ଉଠାଇଦେବା ଏବଂ ପିଲାମାନଙ୍କ ମଧ୍ୟରୁ ପାଠର ଭୟ ଦୂର କରିବା। ତଦନୁସାରେ ୭ମ ପର୍ଯ୍ୟନ୍ତ ଫେଲ ଉଠିଗଲା ଏବଂ ସମସ୍ତ ପିଲାଙ୍କୁ ପାସ୍‌ କରିଦିଆଗଲା। ଶିକ୍ଷକମାନେ ମଧ୍ୟ ପୂର୍ବପରି ପିଲାମାନଙ୍କ ଯତ୍ନ ନେବାକୁ ସେତେଟା ମନୋନି​‌େ​‌ବଶ କଲେ ନାହିଁ। ଅଦ୍ୟାବଧି ସେହି ପ୍ରକ୍ରିୟା ଚାଲୁରହଛି ଏବଂ ସପ୍ତମ ପର୍ଯ୍ୟନ୍ତ ସମସ୍ତ ପିଲା ପାସ୍‌ ହୋଇ ଚାଲିଛନ୍ତି ଯଦିଓ ସେମାନଙ୍କର ଜ୍ଞାନ ସମ୍ପର୍କରେ ବିଭିନ୍ନ ସମୟରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଉଅଛି। ସେତେବେଳେ ପିଲାମାନଙ୍କର ଶିକ୍ଷକମାନଙ୍କୁ ଭୟ ଥିଲା, କାରଣ ଶିକ୍ଷକମାନେ ସେମାନଙ୍କୁ ପାଠ ନଆସିଲେ ବେତ୍ରାଘାତ କରୁଥିଲେ। ଏହାର ମାତ୍ରା ବେଳେବେଳେ କେତେକ ସ୍ଥଳେ ଅଧିକ ହେବାରୁ ଏବଂ କେତେକ ଛାତ୍ର ଏହି କାରଣରୁ ମୃତ୍ୟୁ ମୁଖରେ ପଡ଼ିବାରୁ ବର୍ତ୍ତମାନର ସରକାର ସମସ୍ତ ସ୍ଥଳକୁ ଦଣ୍ଡମୁକ୍ତ ଅଞ୍ଚଳ ରୂପେ ଘୋଷଣା କଲେ ଏବଂ ଦଣ୍ଡ ଦେଉଥିବା ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଲେ।
ବର୍ତ୍ତମାନ ମାଧ୍ୟମିକ ବିଦ୍ୟାଳୟ କଥା ଆଲୋଚନା କରିବା। ଓଡ଼ିଶା ସେକେଣ୍ଡାରୀ ବୋର୍ଡ଼ ଗଠନ ପରଠାରୁ ମାଟ୍ରିକୁଲେସନ ପରୀକ୍ଷାରେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ପାଠ୍ୟକ୍ରମରୁ ପ୍ରଶ୍ନ ଆସୁଥିଲା। ପିଲାମାନେ ଏହାଦ୍ବାରା ତିନୋଟି ଶ୍ରେଣୀ ପାଠ ପଢ଼ି ପରୀକ୍ଷା ଦେଉଥିଲେ। ମାତ୍ର ଦେଖାଗଲା ଯେ ଆମ୍ଭର ପିଲାମାନେ ସିବିଏସଇ ପାଠ୍ୟକ୍ରମର ପିଲାମାନଙ୍କଠାରୁ କମ୍‌ ନମ୍ବର ରଖିଲେ; ଯଦ୍ଦ୍ବାରା କଲେଜରେ ସିବିଏସ୍‌ଇ ପିଲମାନେ ଭଲ କଲେଜରେ ନାମଲେଖାରେ ଅଗ୍ରାଧିକାର ପାଇଲେ। ଫଳରେ ଆମର ମେଧାବୀ ଛାତ୍ର ହତାଶ ହେଲେ। ତେଣୁ ସିବିଏସ୍‌ଇ ପାଠ୍ୟକ୍ରମ ଅନୁଯାୟୀ କେବଳ ଦଶମ ଶ୍ରେଣୀର ପାଠ୍ୟ ବହିରୁ ପ୍ରଶ୍ନ ଆସିଲା। ତା’ ପରେ ଏବେ ଗତ ଚାରି ପାଞ୍ଚବର୍ଷ ତଳୁ ଓଏମଆର ପ୍ରଶ୍ନ ଦିଆଗଲା, ଯାହାର ବହୁତ ଦୁରୁପଯୋଗ ପରିଲକ୍ଷିତ ହେଲା। ପ୍ରଥମତଃ ଯେଉଁ ସ୍କୁଲର ପିଲା ସେହି ସ୍କୁଲରେ ପରୀକ୍ଷା ଦେବା ପରୀକ୍ଷା ପରିଚାଳନା ନିୟମାନୁଯାୟୀ ହେବା କଷ୍ଟସାଧ୍ୟ ହେଲା। ତେଣୁ ପାସ୍‌ ହାର ଆଶାତୀତ ଭାବରେ ବଢ଼ିଗଲା। ଦ୍ବିତୀୟତଃ ପିଲାମାନଙ୍କର ଭାଷାଗତ ଜ୍ଞାନ ଓ ଲେଖନ ପ୍ରଣାଳୀ ଏହାଦ୍ବାରା ସଂକୁଚିତ କରାଗଲା। ଆମ୍ଭେ ସର୍ବଦା ସିବିଏସ୍‌ଇ ପାଟର୍ଣ୍ଣ ଅନୁକରଣ କରି ଆମ୍ଭର ସିଲାବସ୍‌ କରୁଛୁ ଯାହାକି ଯଥାର୍ଥ ମନେକରାଯାଇ ନପାରେ। ୨୦୨୦ ମସିହାରୁ ଓଏମ୍‌ଆରର ଉଚ୍ଛେଦ ଏକ ଉଚିତ୍‌ ପଦକ୍ଷେପ। କେତେ ବର୍ଷ ତଳେ ସ୍କୁଲମାନଙ୍କରେ ଏସୟୁପିଡବ୍ଲ୍ୟୁ ଅର୍ଥାତ୍‌ ସୋସିଆଲ ୟୁସ୍‌ଫୁଲ୍‌ ପ୍ରଡକ୍ଟିଭ୍‌ ୱାର୍କ୍ସ ପ୍ରବର୍ତ୍ତନ କରାଗଲା। ଏହା ପୁଣି ପ୍ରଥମ ପିରିୟଡ଼ରେ ହେବ। ପିଲାମାନେ ସେ ପିରିୟଡ଼ରେ ରୁମ୍‌ ସଫା କଲେ। ଏହାକୁ କେହିକେହି ବ୍ୟଙ୍ଗ କରି କହିଲେ ଏସୟୁପିଡବ୍ଲ୍ୟୁ ଅର୍ଥ ସମ୍‌ ୟୁସ୍‌ଫୁଲ୍‌ ପିରିୟଡସ୍‌ ୱେଷ୍ଟେଡ୍‌। କେତେକ ଶିକ୍ଷକଙ୍କୁ ମଧ୍ୟ ଏଥିପାଇଁ ତାଲିମ ଦିଆଯାଇ ଅପର୍ଯ୍ୟାପ୍ତ ଟଙ୍କା ଶ୍ରାଦ୍ଧ କରାଯାଇଥିଲା, କିନ୍ତୁ ଫଳ କ’ଣ ହେଲା ? ତା’ ପୁଣି ବନ୍ଦ କରିଦିଆଗଲା।
ପୂର୍ବରୁ ଚାରିଦିନରେ ଦୁଇଟି କରି ଆଠଟି ବିଷୟ ପରୀକ୍ଷା ହେଉଥିଲା। ଆଠଶହ ପୂର୍ଣ୍ଣ ମାର୍କ ଥିଲା ଏବଂ ୯ମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବହିରୁ ପ୍ରଶ୍ନ ଆସୁଥିଲା। ପରବର୍ତ୍ତୀ ସମୟରେ ଦଶମ ଓ ଏକାଦଶ ଶ୍ରେଣୀରୁ ପ୍ରଶ୍ନ ଆସିଲା। ଏକାଦଶ ଶ୍ରେଣୀ ଉଠିଗଲା ପରେ ନବମ ଓ ଦଶମ ଶ୍ରେଣୀରୁ ପ୍ରଶ୍ନ ଆସିଲା, ଏବେ କେବଳ ଦଶମ ଶ୍ରେଣୀରୁ ପ୍ରଶ୍ନ ଆସୁଛି ଏବଂ ୬ଟି ବିଷୟ ପାଇଁ ୬ଦିନ ପରୀକ୍ଷା ହେଉଛି। ଗୋଟିଏ ପରୀକ୍ଷା ପରେ ଗୋଟିଏ ଦିନ କିମ୍ବା ଛୁଟି ଦିନ ଥିଲେ ଦୁଇଦିନ ଗ୍ୟାପ ରହୁଛି। ଗ୍ରେଡ୍‌ ପ୍ରଚଳିତ ହୋଇଛି। ପ୍ରଥମ ୧୦ଜଣଙ୍କ ନାମ ପ୍ରକାଶ କରାଯାଉନାହଁ। ଏ ସମସ୍ତ ବାଟ ସଫା କରାଯିବା ସତ୍ତ୍ବେ ଆଶାନୁରୂପ ଫଳ ହେଉନାହିଁ।
ପୂର୍ବେ ସରକାରୀ ହାଇସ୍କୁଲ କମ ଥିଲା ଏବଂ ଶିକ୍ଷାଦାନ ଉଚ୍ଚକୋଟୀର ଥିଲା, ତେଣୁ ଅଧିକାଂଶ ଅଭିଭାବକ ତାଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ପଢ଼ାଇବା ପାଇଁ ଚେଷ୍ଟା କରୁଥିଲେ। ବର୍ତ୍ତମାନ କିନ୍ତୁ ତା’ର ବିପରୀତ ହେଉଛି। ଆଗେ ବିଦ୍ୟାଳୟଠାରୁ ପରୀକ୍ଷା କେନ୍ଦ୍ର ଦୂରରେ ହେଉଥିଲା, କିନ୍ତୁ ଯୁକ୍ତି ହେଲା ଯେ ଗରିବ ପିଲାମାନେ ଏତେ ଦୂରକୁ ଯିବା ଏବଂ ରହିବା ପାଇଁ ଅର୍ଥ ଆବଶ୍ୟକ। ତେଣୁ ପାଖ ସ୍କୁଲରେ ପରୀକ୍ଷାକେନ୍ଦ୍ର କରାଗଲା, ଫଳତଃ କପି ପ୍ରବଳ ଚାଲିଲା। ତାକୁ ବନ୍ଦ କରିବା ପାଇଁ ସରକାର ବିଧାନସଭାରେ ନିୟମ ତିଆରିକରି ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ଉକ୍ତ ଆଇନର କପି ପଠାଇଲେ। କପି ଏକ ଧର୍ତ୍ତବ୍ୟ ଅପରାଧ ଏବଂ ସେଥିପାଇଁ ମଧ୍ୟ ଜେଲ ଜୋରିମାନା ଧାର୍ଯ୍ୟ କରାଗଲା। ଏହାର କିଛି ଫଳ ହେଲା କି ନାହିଁ ଓଡ଼ିଶାବାସୀ ସମସ୍ତେ ଜାଣନ୍ତି। ଉତ୍ତରପ୍ରଦେଶ ସରକାର ନିୟମ କରିଛନ୍ତି ସମସ୍ତ ମନ୍ତ୍ରୀ, ସରକାରୀ ଚାକିରିଆ ଓ ଉଚ୍ଚ ପଦସ୍ଥ ଅଧିକାରୀ ସେମାନଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲରେ ପଢ଼ାଇବାକୁ ବାଧ୍ୟ। ଏହାହେଲେ ସରକାରୀ ସ୍କୁଲରେ ପିଲା ସଂଖ୍ୟା ବୃଦ୍ଧି ହେବ, ଶିକ୍ଷକମାନେ ପିଲାଙ୍କ ଯତ୍ନ ନେବେ ଏବଂ ଶିକ୍ଷାର ମାନଦଣ୍ଡ ବଢ଼ିବ। ଏବେ ମଧ୍ୟ ପିଲା ମେଡ଼ିକାଲ କିମ୍ବା ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ୍‌ ପରୀକ୍ଷାରେ ୦ କିମ୍ବା ଏକ ଅଙ୍କ ବିଶିଷ୍ଟ ନମ୍ବର ରଖି ଡାକ୍ତରୀ ପାଠ ପଢ଼ିପାରୁଛନ୍ତି। ଏପରି ଡାକ୍ତର ହେଲେ ରୋଗୀର ଅବସ୍ଥା କ’ଣ ହେବ? ଏପରି ଇଞ୍ଜିନିୟର ହେଲେ ପୋଲ, ବଡ଼ କୋଠା ଘରର ପରମାୟୁ କେତେ ହେବ ତାହା ବିଚାର୍ଯ୍ୟ।
ଆମ୍ଭର ଶିକ୍ଷା ପଦ୍ଧତି ସ୍ବାଧୀନତା ପରଠାରୁ ପରୀକ୍ଷାମୂଳକ ଭାବରେ ଚାଲିଛି। ଗୋଟିଏ ପ୍ରକାର ନିୟମ କିଛିଦିନ ଚାଲିଲାପରେ ତା’ର ଭଲମନ୍ଦ ଦେଖି ପୁନଶ୍ଚ ପରିବର୍ତ୍ତନ କରାଯାଉଛି। ପ୍ରଥମେ ୧୧+୨+୨ ପଦ୍ଧତି, ଅର୍ଥାତ୍‌ ମାଟ୍ରିକ୍‌ ୧୧ଶ୍ରେଣୀର ପର୍ଯ୍ୟନ୍ତ ତାପର ଇଣ୍ଟରମେଡିଏଟ ୨ବର୍ଷ, ଏବଂ ତା’ପରେ ଗ୍ରାଜୁଏସନ ୨ବର୍ଷ ଏହିପରି ଥିଲା। ତା’ପରେ ୧୧+ ପ୍ରି ୟୁନିଭରସିଟି+ ପ୍ରି ପ୍ରଫେସନାଲ ଏବଂ +୨ ଅର୍ଥାତ୍‌ ମାଟ୍ରିକ ୧୧ ଶ୍ରେଣୀ ପର୍ଯ୍ୟନ୍ତ ତା’ପରେ ପ୍ରି ୟୁନଭରସିଟି ୧ବର୍ଷ, ତା’ ପରେ ପ୍ରି ପ୍ରଫେସନାଲ ୧ବର୍ଷ ତା’ପରେ ଡିଗ୍ରୀ ୨ବର୍ଷ ଥିଲା। ଏହା କିଛିଦିନ ଚାଲିଲା ପରେ ଏବେ ୧୦+୨+୩, ଅର୍ଥାତ୍‌ ମାଟ୍ରିକ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ, ତା’ ପରେ+୨ ଦୁଇବର୍ଷ ଏବଂ ତା ପରେ+୩ ତିନିବର୍ଷ ହେଲା। ଏହା ବୋଧେ ହୁଏ ଭାରତର ସମସ୍ତ ରାଜ୍ୟରେ ପ୍ରଚଳିତ ହେତୁ ଆମ ଓଡ଼ିଶାରେ ଚାଲିଛି। ହଁ, ମଝିରେ ମଧ୍ୟ ବିଜୁ ବାବୁଙ୍କ ସମୟରେ କେତେକ ସ୍କୁଲରେ ୧୨ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଇ ତା’ପରେ ସେମାନେ କଲେଜରେ ପ୍ରି ପ୍ରଫେସନାଲ ପିଲାମାନଙ୍କ ସହିତ ପଢ଼ୁଥିଲେ। ଏହାର ମଧ୍ୟ ଉଚ୍ଛେଦ ହେଲା।
ସେହିପରି ପାଠ୍ୟକ୍ରମର ବାରମ୍ବାର ପରିବର୍ତ୍ତନ ହାଇସ୍କୁଲମାନଙ୍କରେ କରାଗଲା ଏଚ୍‌.ଏସ.ସି ପରୀକ୍ଷା ପାଇଁ ଗୋଟିଏ ଇଚ୍ଛାଧୀନ ବିଷୟ ଥିଲା। ଅର୍ଥାତ୍‌ ଯେଉଁ ପିଲାର ଯେଉଁ ବିଷୟରେ ଆଗ୍ରହ ସେହି ପିଲା ସେହି ବିଷୟ ପଢ଼ୁ। ଇଚ୍ଛାଧୀନରେ ୪-୫ଟି ବିଷୟ ଥିଲା। ଯଥା-ଗଣିତ, ସଂସ୍କୃତ, ଫିଜିଓଲୋଜି ହାଇଜିନ ସିଭିକ୍ସ, ଏହିପରି ଆଉ ଗୋଟିଏ କି ଦୁଇଟି ଥିଲା। ଇଚ୍ଛାଧୀନ ଗଣିତ ନେଇଥିବା ଛାତ୍ରମାନେ କେବଳ କଲେଜରେ ବିଜ୍ଞାନ ପଢ଼ିପାରୁଥିଲେ। ପରେ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ପଢ଼ୁଥିଲେ। ମାତ୍ର ଆମ୍ଭ ସରକାର କିମ୍ବା ଶିକ୍ଷାବିତ୍‌ମାନଙ୍କ ମୁଣ୍ଡକୁ ଏକ ଧାରଣା ଆସିଲା ଯେ ସମସ୍ତେ ଡାକ୍ତର କିମ୍ବା ଇଞ୍ଜିନିୟର ହେବେ। ତେଣୁ ଇଚ୍ଛାଧୀନ ବିଷୟ ଉଠାଇ ଦିଆଯାଇ ଇଚ୍ଛାଧୀନ ଗଣିତରେ ଥିବା ବିଷୟସବୁ, ସବୁ ଛାତ୍ରଙ୍କ ଉପରେ ତାଙ୍କର ଅନିଚ୍ଛା ସତ୍ତ୍ବେ ଲଦି ଦିଆଗଲା। ପୁନଶ୍ଚ ଝିଅପିଲାମାନଙ୍କୁ ଗଣିତ ପରିବର୍ତ୍ତେ ଯେଉଁମାନେ ଇଚ୍ଛା କରିବେ ​‌େ​‌ସମାନେ ଗୃହ ବିଜ୍ଞାନ ନେଇ ପାରିବେ। ସେଥିରେ ମଧ୍ୟ ପ୍ରାକ୍ଟିକାଲ ଥିଲା ଯାହାକି ତାଙ୍କୁ ପଢ଼ିବାରେ ସାହାଯ୍ୟ କରୁଥିଲା; ମାତ୍ର ସମସ୍ତଙ୍କୁ ସବୁ ପାଠ ଏବଂ ତାହା ସଂକ୍ଷିପ୍ତ ଆକାରରେ କମ ସମୟର ଆୟତ୍ତ କରିବାକୁ ବାଧ୍ୟ କରାଗଲା।
ନିମ୍ନଲିଖିତ ବିଷୟ ପ୍ରଚଳନ କରାଯିବା ଉଚିତ ମନେକରେ। ଉଚ୍ଚ ମାନର ଧୀଶକ୍ତି ସମ୍ପନ୍ନ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଉ। ପୂର୍ବପରି ହାଇସ୍କୁଲ ପାଠ୍ୟକ୍ରମରେ ଇଚ୍ଛାଧୀନ ଏବଂ ଗୃହବିଜ୍ଞାନ ପ୍ରଚଳନ କରାଯାଉ। ଗରିବ ଏବଂ ମେଧାବୀ ଛାତ୍ରମାନଙ୍କୁ ପ୍ରୋତ୍ସାହନ ଦିଆଯାଉ। ପୂର୍ବ ଅନୁସାରେ ପ୍ରଶ୍ନପତ୍ର କରାଯାଉ ଏବଂ ୧୦ ନମ୍ବରର ଅତି ସକ୍ଷିପ୍ତ ଉତ୍ତର ପ୍ରତ୍ୟେକ ଏକ ନମ୍ବରର ରଖାଯାଉ। ଏକ ଦୁର୍ନୀତିମୁକ୍ତ ଶିକ୍ଷା ବ୍ୟବସ୍ଥା କରାଯାଉ। ଶିକ୍ଷକମାନେ ସେମାନଙ୍କର ପ୍ରାପ୍ୟ ପାଇବା କିମ୍ବା କୌଣସି କାର୍ଯ୍ୟ ପାଇଁ ଉତ୍କୋଚ ନ ଦେବାର ବ୍ୟବସ୍ଥା କରାଯାଉ। ଶିକ୍ଷକମାନଙ୍କୁ ଅଧିକ ଟ୍ରେନିଂ ଯଥା ରିଫ୍ରେସର କୋର୍ସ, ସେମିନାରରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଉ। ପୂର୍ବଭଳି ପାସ ଫେଲ ପ୍ରଚଳନ କରାଯାଉ। ପ୍ରଥମ ୧୦ଜଣ ଏବଂ ପ୍ରଥମ ୧୦୦ଜଣଙ୍କ ନାମ ପ୍ରକାଶ କରାଯାଉ। ତଳ ଶ୍ରେଣୀମାନଙ୍କରେ ଭୟ ପ୍ରଦର୍ଶନ ପାଇଁ ପୂର୍ବପରି ଦଣ୍ଡ ଦେବାର ବ୍ୟବସ୍ଥା ରହୁ। ଏଠାରେ କହି ରଖେ ଯେ ପ୍ରତ୍ୟେକ ସର୍ବଭାରତୀୟ ପରୀକ୍ଷାରେ ୧ମ, ୨ୟ, ୩ୟ କ୍ରମ ଥିବାବେଳେ ମାଟ୍ରିକ ପରୀକ୍ଷାରେ ଏହା ରହିଲେ ଅସୁବିଧା କ’ଣ?

Leave A Reply