‘ରାଫେଲ’ ରାଜନୀତି

0

ଦୁଇଦିନ ତଳେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୁଆ ଓଲାନ୍ଦେ ‘ମିଡିଆପାର୍ଟ ଫ୍ରାନ୍ସ’ ନାମକ ଖବରକାଗଜକୁ ଏକ ସାକ୍ଷାତକାର ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଭାରତ ସରକାର ହିଁ ରିଲାଏନ୍ସ କମ୍ପାନୀକୁ ରାଫେଲ ଯୁଦ୍ଧବିମାନ ତିଆରିରେ ଡାସଲ୍ଡ କମ୍ପାନୀ ସହ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏହି ମନ୍ତବ୍ୟ ପରଠାରୁ ଭାରତରେ ଏହାକୁ ନେଇ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି। ବିରୋଧୀ କଂଗ୍ରେସ ଓ ଶାସକ ଦଳ ଭିତରେ ବାକ୍‌ଯୁଦ୍ଧ ସୀମା ଅତିକ୍ରମ କରିଛି କହିଲେ ଚଳେ; କାରଣ ଉଭୟ ଦଳ ପରସ୍ପରର ନେତାଙ୍କୁ ‘ଚୋର’ କହିବାକୁ ମଧ୍ୟ ପଛାଇ ନାହାନ୍ତି। ଏ ରାଜନୀତି ହେବା ସ୍ବାଭାବିକ; କାରଣ ଆଗକୁ ୨୦୧୯ ସାଧାରଣ ନିର୍ବାଚନ। ଭାରତରେ ପ୍ରତିରକ୍ଷା ଚୁକ୍ତି ନେଇ ବିବାଦ ନୂଆ ନୁହେଁ ଓ ଏଥିପାଇଁ ଏକଦା ଶାସନରେ ଥିବା ସରକାର କ୍ଷମତାଚ୍ୟୁତ ହେବାର ନଜିର ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ଉପରେ ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଥିବା କହି ଆକ୍ରମଣ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଯେତେବେଳେ ମାତ୍ର ୧୭ ବର୍ଷ ସେତେବେଳେ ବୋଫର୍ସ ଦୁର୍ନୀତି ପ୍ରଥମେ ବିସ୍ଫୋରିତ ହୋଇଥିଲା ଏବଂ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିଦେଇଥିଲା। ଏହା ହିଁ ୧୯୮୯ ନିର୍ବାଚନରେ କଂଗ୍ରେସକୁ ପରାଜୟର ସ୍ବାଦ ଚଖାଇଥିଲା। ସେ ସମ୍ବନ୍ଧରେ ରାହୁଳ ନିଶ୍ଚୟ ଭଲଭାବେ ଅବଗତ ଥିବେ; ତେଣୁ ରାଫେଲ ଦୁର୍ନୀତିକୁ ଆଗାମୀ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ଏହି କାରଣରୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦେଙ୍କ ମନ୍ତବ୍ୟକୁ ସରକାରଙ୍କୁ ନେଇ କଂଗ୍ରେସ କାଠଗଡ଼ାରେ ଠିଆ କରିବାକୁ ଚେଷ୍ଟା କରୁଛି। ତେବେ ଏଥିରେ ସତ କ’ଣ ମିଛ କ’ଣ, ତାହା ସାଧାରଣ ଲୋକଙ୍କ ପକ୍ଷେ ଜାଣିବା ଅସମ୍ଭବ ମନେହେଲାଣି। ଆମ ରାଜନେତାମାନେ ଏବଂ ସରକାରୀ ପକ୍ଷ ବି, ଏହାକୁ ଏତେ ଜଟିଳ କରିସାରିଛନ୍ତି ଯେ ଦେଶବାସୀ ମଧ୍ୟ ଏଥିରେ ଦୁର୍ନୀତି ହୋଇଥିବା ସନ୍ଦେହ କଲେଣି। ଓଲାନ୍ଦେଙ୍କ ମନ୍ତବ୍ୟ ପରେ ବିତ୍ତମନ୍ତ୍ରୀ ଅରୁଣ ଜେଟ୍‌ଲୀ ପୂର୍ବପରି ପୁଣିଥରେ ସରକାରଙ୍କ ସୁରକ୍ଷା ପାଇଁ ବାହାରି କହିଛନ୍ତି ଯେ ରିଲାଏନ୍ସକୁ ‘ଅଫ୍‌ସେଟ’ ଅଂଶୀଦାର କରିବା ପଛରେ ଫ୍ରାନ୍ସ ସରକାର ବା ଭାରତ ସରକାରଙ୍କ କୌଣସି ଭୂମିକା ନାହିଁ। ରାଫେଲ ନିର୍ମାଣକାରୀ କମ୍ପାନୀ ଡାସଲ୍ଡ ଏଭିଏସନ ହିଁ ତାହା ସ୍ଥିର କରିଛି। ଶ୍ରୀ ଜେଟ୍‌ଲୀ ଫେସ୍‌ବୁକରେ ଏକ ଦୀର୍ଘ ‘ନୋଟ୍‌’ ଲେଖି ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଓଲାନ୍ଦେ ଓ ରାହୁଳ ଗାନ୍ଧୀଙ୍କ ମଧ୍ୟରେ ‘ଯୁଗଳବନ୍ଦୀ’ ରହିଛି। ଅନ୍ୟଭାଷାରେ କହିଲେ ଏହି ନେତାଦ୍ବୟ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ ରାଫେଲ୍ ବିବାଦକୁ ଉଗ୍ର କରିବାକୁ ଚେଷ୍ଟା କରୁଛନ୍ତି। ଏହାର ସତ୍ୟତା କେତେ, ତାହା ପ୍ରମାଣଯୋଗ୍ୟ। ଶ୍ରୀ ଜେଟଲୀ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଯେ ରିଲାଏନ୍ସ ଗ୍ରୁପ୍ ୨୦୧୨ରୁ ହିଁ ଏହି ଚୁକ୍ତିର ଅଂଶୀଦାର ଥିଲା। ତାଙ୍କ କହିବାର ଅର୍ଥ ହେଲା, ତାଙ୍କ ସରକାର ଆସିବା ପୂର୍ବରୁ ରିଲାଏନ୍ସ ଚୁକ୍ତିବଦ୍ଧ ହୋଇଥିଲା।
କହିବା ବାହୁଲ୍ୟ ଯେ ଶ୍ରୀ ଜେଟଲୀଙ୍କ ‘ନୋଟ୍‌’ ସାଧାରଣ ଜନତାଙ୍କ ସନ୍ଦେହମୋଚନ କରିବା ବଦଳରେ ମାମଲାଟିକୁ ଅଧିକ ସଂଶୟାଚ୍ଛନ୍ନ କରିଦେଇଛି। ରାଫେଲ ବିବାଦ ମୂଳରେ ରହିଛି ଦୁଇଟି ମୌଳିକ ପ୍ରଶ୍ନ, ଯାହାର ଉତ୍ତର ଖୋଜାଯିବା ବା ସରକାର ଦେବା ସର୍ବାଦୌ ଆବଶ୍ୟକ। ପ୍ରଥମ: ରାଫେଲ ବିମାନର ପ୍ରକୃତ ମୂଲ୍ୟ କେତେ? କଂଗ୍ରେସର ଅଭିଯୋଗ ଯେ ୟୁପିଏ ସରକାର ଅମଳରେ ହୋଇଥିବା ଚୁକ୍ତିଠାରୁ ମୋଦୀ ସରକାର ୧୦୦୦ କୋଟିରୁ ଅଧିକ ଟଙ୍କାର ଚୁକ୍ତି କରିଛନ୍ତି, ଯେପରିକି ଖାସ୍ ଶିଳ୍ପପତି ଲାଭବାନ ହୋଇପାରିବେ। ଦ୍ବିତୀୟ: ଏକ ସମ୍ପୂର୍ଣ୍ଣ ନୂଆ କମ୍ପାନୀକୁ ଅନୁଗ୍ରହପୂର୍ବକ ହିଁ ଏହି ଚୁକ୍ତିର ଅଂଶୀଦାର କରାଯାଇଛି, ଯାହାର ଏ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ।
ପ୍ରଥମ ପ୍ରଶ୍ନର ଉତ୍ତର ସରକାରଙ୍କ ପକ୍ଷରୁ ଅନେକ ଥର ଦିଆଯାଇଥିଲେ ହେଁ ତାହା ବିଶ୍ବସନୀୟ ହୋଇନାହିଁ। ପ୍ରଥମେ ତ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ମୂଲ୍ୟ ପରେ କହିବେ ବୋଲି ଘୋଷଣା କରିଥିଲେ; କିନ୍ତୁ ପରେ ରହସ୍ୟମୟ ‘ଗୋପନୀୟତା ସର୍ତ୍ତ’ ଅଛି କହି ଏଡ଼ାଇ ଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସରକାର ସ୍ପଷ୍ଟ କରୁନାହାନ୍ତି ଯେ ଏହାର ପ୍ରକୃତ ମୂଲ୍ୟ କେତେ?
ଦ୍ବିତୀୟ ପ୍ରଶ୍ନଟି ଏବେ ବେଶି ଗୁରୁତ୍ବପୂର୍ଣ୍ଣ ହୋଇଉଠିଛି; କାରଣ ଏହାକୁ ନେଇ ହିଁ ରାଜନୀତି ଚାଲିଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୧୨ରେ ରାଫେଲ ଚୁକ୍ତିରେ ରିଲାଏନ୍ସ ଗ୍ରୁପ୍ ସାମିଲ ହୋଇଥିଲା; କିନ୍ତୁ ଡାସଲ୍ଟ ଏଭିଏସନ ୱେବ୍‌ସାଇଟର ତଥ୍ୟ କହୁଛି ଯେ ୨୦୧୭ ଅକ୍ଟୋବରରେ ନାଗପୁର ନିକଟସ୍ଥ ମିହାନଠାରେ ‘ଡାସଲ୍ଟ-ରିଲାଏନ୍ସ ଏରୋସ୍ପେସ୍ ଲିମିଟେଡ଼’ (ଡିଆର୍‌ଏଏଲ୍‌)ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଯୋଗ ଦେଇଥିଲେ; ଅଥଚ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ନିକଟରେ କହିଥିଲେ ଯେ ଡାସଲ୍ଟ କେଉଁ କମ୍ପାନୀକୁ ବାଛିଛି, ତାଙ୍କ ସରକାର ଜାଣନ୍ତି ନାହିଁ! କେବଳ ସେତିକି ନୁହେଁ, ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସରକାରୀ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚ୍‌ଏଏଲ୍‌)ର ରାଫେଲ୍ ବିମାନ ଯନ୍ତ୍ରାଂଶ ତିଆରି କରିବା ଭଳି କ୍ଷମତା ନାହିଁ; କିନ୍ତୁ ଏହା ଠିକ୍ ନୁହେଁ ବୋଲି ଏଚ୍‌ଏଏଲ୍‌ର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଯେଉଁ କମ୍ପାନୀ ଯୁଦ୍ଧ ବିମାନ ନିର୍ମାଣ କରିପାରୁଛି ଓ ଦୀର୍ଘବର୍ଷର ଅଭିଜ୍ଞତା ରହିଛି, ତା’ପାଖରେ ଏହି କ୍ଷମତା ନାହିଁ ବୋଲି କହିବା ସତ୍ୟର ଅପଳାପ ନିଶ୍ଚୟ। ୟୁପିଏ ସରକାର ଅମଳରେ ହୋଇଥିବା ଚୁକ୍ତିରେ ଏଚ୍‌ଏଏଲ୍ ହିଁ ଡାସଲ୍ଟର ଅଂଶୀଦାର ଥିଲା; ମୋଦୀ ସରକାର ଯେଉଁ ଚୁକ୍ତି କଲେ, ସେତେବେଳେ ହିଁ ଏଚ୍‌ଏଏଲ୍‌ର ନାଁ ବାଦ୍‌ ପଡ଼ିଲା ବୋଲି କଂଗ୍ରେସ ଅଭିଯୋଗ କରୁଛି। ଉଲ୍ଲେଖଯୋଗ୍ୟ, ଶ୍ରୀ ମୋଦୀ ଏହି ଚୁକ୍ତି କଲାବେଳେ ଫ୍ରାନ୍ସୁଆ ଓଲାନ୍ଦେ ଫ୍ରାନ୍ସର ରାଷ୍ଟ୍ରପତି ଥିଲେ, ଯିଏ ଏବେ ରିଲାଏନ୍ସ ଅଂଶୀଦାର ହେବାରେ ଭାରତ ସରକାରଙ୍କ ଭୂମିକା ରହିଥିବା କହିଛନ୍ତି। ଏହି କାରଣରୁ ଏ ପ୍ରସଙ୍ଗରେ ଶ୍ରୀ ମୋଦୀଙ୍କ ଅସ୍ବାଭାବିକ ନିରବତା ମଧ୍ୟ ସ୍ବତଃ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜନସାଧାରଣଙ୍କ ମନରୁ ସନ୍ଦେହ ଦୂର କରିବାକୁ ଏବଂ ରାଫେଲ ରାଜନୀତିକୁ ବିରାମ ଦେବାକୁ ହେଲେ ସରକାରଙ୍କ ପକ୍ଷରୁ ବିସ୍ତୃତ ସ୍ପଷ୍ଟୀକରଣର ଆବଶ୍ୟକତା ରହିଛି; କେବଳ କାଦୁଅ ଫିଙ୍ଗାଫିଙ୍ଗିରେ କାମ ଚଳିବ ନାହିଁ।

Leave A Reply