ବ୍ୟାଙ୍କ ମିଶ୍ରଣ ପ୍ରୟାସ
ବିପୁଳ ଋଣବୋଝ ଓ କ୍ଷତିରେ ଚାଲିିଥିବା ବ୍ୟାଙ୍କ ଅଫ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କକୁ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ମିଶାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସୋସିଏଟ ବ୍ୟାଙ୍କ୍ ସମୂହକୁ ଷ୍ଟେଟବ୍ୟାଙ୍କ ସହିତ ମିଶାଇ ସରକାର ଯେଉଁ ସଫଳତା ପାଇଛନ୍ତି ଏ କ୍ଷେତ୍ରରେ ତାହା ମିଳିବ ବୋଲି ଆଶାକରି ଏହା କରିଥିବା ଅନୁମାନ କରାଯାଏ। ଷ୍ଟେଟବ୍ୟାଙ୍କ ସହ ଆସୋସିଏଟ ବ୍ୟାଙ୍କ ମିଶ୍ରଣର ପୃଷ୍ଠଭୂମି ଓ ବାସ୍ତବତା ଭିନ୍ନ ଥିଲା। ତେଣୁ ସେହି ଧାରାରେ ନୂଆ ନିଷ୍ପତ୍ତି ନେବା ଏକ ନିରର୍ଥକ ପ୍ରୟାସ ଭଳି ମନେ ହେଉଛି। ପୂର୍ବ ସଫଳତା ଏଠାରେ ମିଳିବା ସମ୍ଭାବନା ବିଭିନ୍ନ କାରଣରୁ କ୍ଷୀଣ।
ଯେଉଁ ତିନିଟି ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି ସେଥିରୁ ଦୁଇଟିର ଅନାଦାୟ ପୁଞ୍ଜି (ଏନପିଏ) ସମସ୍ୟା ଅତି ଗୁରୁତର। ମାତ୍ର ୦.୪୪ ଶତାଂଶ ନିଟ ଲାଭରେ ଚାଲୁଥିବା ଏହି ବ୍ୟାଙ୍କ ସମୂହଙ୍କ କର୍ମଚାରୀଙ୍କ ନୈତିକତା ମଧ୍ୟ ଉଚ୍ଚସ୍ତରରେ ନାହିଁ। କର୍ମସଂସ୍କୃତି ମଧ୍ୟ ପରିଚାଳନାଗତ ଚାପ, ହସ୍ତକ୍ଷେପ ଯୋଗୁଁ ବିପର୍ଯ୍ୟସ୍ତ। ଏହି ତିନିବ୍ୟାଙ୍କ ମଧ୍ୟ ମୁଦ୍ରା ଓ ଏମଏସ୍ଏମଇ ଯୋଜନାରେ ବହୁଳଭାବେ ସଂପୃକ୍ତ ଯାହାଦ୍ବାରା ସେମାନଙ୍କର ଆର୍ଥିକ ଲାଭ, କାରବାର ଓ ପ୍ରଦର୍ଶନ ମଧ୍ୟ ଭବିଷ୍ୟତରେ ପ୍ରଭାବିତ ହୋଇପାରେ। ରିଜର୍ଭବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ତ’ ସତର୍କ କରାଇ ଦେଲେଣି ଯେ ମୁଦ୍ରା ଭଳି ଯୋଜନା ଆଗକୁ ବ୍ୟାଙ୍କ ସମୂହଙ୍କ ଚାପଗ୍ରସ୍ତ ସମ୍ପତ୍ତିର ପ୍ରମୁଖ କାରଣ ପାଲଟିବେ।
ଅତଏବ ଏଭଳି ମିଶ୍ରଣ ଅପେକ୍ଷା ଭଲ କାରବାର କରୁନଥିବା ବ୍ୟାଙ୍କଗୁଡ଼ିକର ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, କଠୋର କରିବାସହ ନୀତିନିୟମର ଉପଯୁକ୍ତ ପରିପାଳନ, ଦୃଢ଼ ନିୟନ୍ତ୍ରଣ ଓ ଉତ୍ତରଦାୟିତ୍ବ ନିର୍ଦ୍ଧାରଣ କରିବା ଅଧିକ ଗୁରୁତ୍ବ ରଖେ। ଜମାକାରୀଙ୍କ ସ୍ବାର୍ଥରକ୍ଷା, ପେସାଦାରୀ ଢ଼ଙ୍ଗରେ ପରିଚାଳନା, ରାଜନୈତିକ ହସ୍ତକ୍ଷେପ ଓ ଖଇରାତି ମନୋଭାବର ଅବସାନ ଘଟାଇ କ୍ଷତିରେ ଚାଲୁଥିବା ବ୍ୟାଙ୍କ ସମୂହଙ୍କ କାର୍ଯ୍ୟରେ ଉନ୍ନତି ଅଣାଯାଇପାରେ। ତେଣୁ ମିଶ୍ରଣ ଏହି ସମସ୍ୟା ସମାଧାନର ଏକମାତ୍ର ବାଟ ନୁହେଁ।
ସରକାରଙ୍କ ପାଖରେ ସହସା କୌଣସି ବିକଳ୍ପ ନଥିବାରୁ ବୋଧହୁଏ ଅଧମ ଉଦ୍ଧାରଣ ପନ୍ଥାରେ ଏହା କରାଯାଇଛି। ଭଲ ବ୍ୟବସାୟ ଓ ଆୟ ପାଇଁ ସଂଗ୍ରାମ କରୁଥିବା ବ୍ୟାଙ୍କ ସହିତ କ୍ଷତିରେ ଚାଲୁଥିବା ଅନ୍ୟ ବ୍ୟାଙ୍କଙ୍କୁ ମିଶାଇ ତାହାର ବିପୁଳ ଋଣ ବୋଝ, କ୍ଷତି ଓ କର୍ମଚାରୀ ବୋଝକୁ ଲଦିଦେଲେ ଏହାକୁ ମୂଳବ୍ୟାଙ୍କ ସମ୍ଭାଳି ପାରିବତ?