ଗୋଆ ଅନିଶ୍ଚିତତା
ରାଜନୈତିକ ସୁବିଧାବାଦ ଓ ଆୟାରାମ, ଗୟାରାମ ରାଜନୀତିର ପ୍ରୟୋଗଶାଳା ଏକଦା ପାଲଟିଥିବା ଗୋଆ ଏବେ ଆଉ ଏକ ଅନିଶ୍ଚିତ ଅବସ୍ଥାର ସମ୍ମୁଖୀନ। ସେଠାକାର ମୁଖ୍ୟମନ୍ତ୍ରୀ ମନୋହର ପରିକର ନିଜର ଦୀର୍ଘ, ଜଟିଳ ଅସୁସ୍ଥତା ଯୋଗୁଁ ଆଉ ଅଧିକଦିନ ଦାୟିତ୍ବ ନିର୍ବାହ କରିବା ଅବସ୍ଥାରେ ନାହାନ୍ତି। ଦାୟିତ୍ବମୁକ୍ତ ହେବାକୁ ସେ ମଧ୍ୟ କେନ୍ଦ୍ରୀୟ ବିଜେପି ନେତୃମଣ୍ଡଳୀକୁ ଅବଗତ କରାଇ ସାରିଛନ୍ତି। ଦୀର୍ଘଦିନ ଧରି ସେ ଡାକ୍ତରଖାନାରେ ରହିବା ଫଳରେ ଶାସନଗତ ଶୂନ୍ୟତା ସୃଷ୍ଟି ହେବା ସ୍ବାଭାବିକ। ଦଳର ପ୍ରସ୍ତୁତି ସୂଚନା ଦେଉଛି ଯେ ପରିକର ଯିବେ ଏବଂ ଗୋଆରେ ଜଣେ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବେ। ହେଲେ ଏହି ପ୍ରକ୍ରିୟାଟି ସେଠାରେ ବିଜେପି ପାଇଁ ସହଜ ହେଉନାହିଁ। ଅସଲ ସମସ୍ୟାଟି ହେଲା ଗତ ନିର୍ବାଚନରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନ’ପାଇ ଦ୍ବିତୀୟ ସର୍ବବୃହତ୍ ଦଳ ବିଜେପି ସେଠାେର ଅନ୍ୟ ଦୁଇଟି କ୍ଷୁଦ୍ରଦଳ ଓ ସ୍ବାଧୀନ ସଦସ୍ୟଙ୍କ ସହଯୋଗରେ ସରକାରରେ ରହିଛି। କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ମଧ୍ୟ ବିରୋଧୀ ଆସନରେ ବସିଛି। ଏବେ ସେଠାରେ ରାଜନୈତିକ ଅନିଶ୍ଚିତତା ସୃଷ୍ଟିକୁ ନଜରରେ ରଖି କଂଗ୍ରେସ ରାଜ୍ୟ ସରକାରଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ନିକଟରେ ଦାବି କରିଛି। ଆବଶ୍ୟକ ସ୍ଥଳେ ବିଧାନସଭାକୁ ଭାଙ୍ଗିଦେଇ ସାନି ନିର୍ବାଚନ କରିବାକୁ କଂଗ୍ରେସ ମଧ୍ୟ ପ୍ରସ୍ତାବ ଦେଇଛି।
ବିଜେପିର ଗୋଆ ସମସ୍ୟା ହେଲା ଏକ ମିଳିତ ସରକାରକୁ ବଞ୍ଚାଇ ରଖିବା ପାଇଁ ପରିକରଙ୍କ ଭଳି ଜଣେ ବିକଳ୍ପ ନେତା ଖୋଜି ବାହାର କରିବା, ଯାହାଙ୍କୁ ସହଯୋଗୀ ଦଳମାନେ ମଧ୍ୟ ଗ୍ରହଣ କରିବେ। ସେ ବିକଳ୍ପଟି ଉପରେ ଦଳୀୟ ଉଚ୍ଚ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେଇ ଅବଶ୍ୟ କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଯେଉଁ ସବୁ ସମ୍ଭାବ୍ୟ ନାଁ ବିଚାରକୁ ଆସୁଛି ତାହାକୁ ସହଯୋଗୀମାନେ ସହସା ଗ୍ରହଣ କରୁନାହାନ୍ତି। ଏହାର କାରଣ ହେଲା ଏହି ନେତାମାନେ ପରିକରଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବର ସମକକ୍ଷ ନୁହନ୍ତି। ଏ କ୍ଷେତ୍ରରେ ଯଦି କିଛି ସାଲିସ୍ ବା ବୁଝାମଣା ହୁଏ, ତା’ହେଲେ ସହଯୋଗୀ ଦଳ ଓ ବିଜେପିର ଅସନ୍ତୁଷ୍ଟଙ୍କୁ ନିଶ୍ଚିତ କିଛି ରାଜନୈତିକ ଓ କ୍ଷମତାଗତ ଲାଭ ବିଜେପିକୁ ଦେବାକୁ ପଡ଼ିବ। ବିଜେପି ଭଲଭାବେ ଜାଣେ ଯେ କ୍ଷୁଦ୍ର ହେଲେ ମଧ୍ୟ ଗୋଆ ଭଳି ରାଜ୍ୟ ତା’ ହାତରୁ ଚାଲିଯିବା ରାଜନୈତିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ତେଣୁ ସେଠାକାର କ୍ଷଣଭଙ୍ଗୁର ରାଜନୀତିରେ ସରକାର ଭାଙ୍ଗିବା ବା ସାନି ନିର୍ବାଚନର ସମ୍ମୁଖୀନ ହେବା ସପକ୍ଷରେ ବିଜେପି ନାହିଁ। ଅତଏବ ସରକାରକୁ ବଞ୍ଚାଇ ରଖିବାକୁ ଏହା ଯେ କୌଣସି ମୂଲ୍ୟ ଦେବାକୁ ମାନସିକ ଭାବେ ଏକ ପ୍ରକାର ପ୍ରସ୍ତୁତ।
କ୍ଷମତା ପାଇଁ ଶାସକ ଓ ବିରୋଧୀ ମେଣ୍ଟଙ୍କର ଦୃଷ୍ଟିକୋଣ ତଥା କସରତ୍ ଯାହା ହେଉନା କାହିଁକି, ଗୋଆରେ ଏହି ନେତୃତ୍ବ ଓ ଶାସନଗତ ଅନିଶ୍ଚିତତା ଆଉ ଅଧିକକାଳ ଗ୍ରହଣୀୟ ନୁହେଁ। ସେଠାରେ ଲୋକେ ଏବେ ନିର୍ବାଚନ ଅପେକ୍ଷା ସ୍ଥିର ଓ ଉତ୍ତମ ଶାସନ ଚାହାନ୍ତି। ତେଣୁ ବିଜେପିକୁ ନୂଆ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ବାଛିବାକୁ ପଡ଼ିବ କିମ୍ବା ବିଧାନସଭାରେ ନିଜର ବହୁମତ ପ୍ରମାଣ କରିବାକୁ ହେବ। ଏ ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ ଯେତେ ଶୀଘ୍ର ହେବ ସେତେ ଭଲ। ଗଣତନ୍ତ୍ରର ମଙ୍ଗଳ ଓ ଗୋଆର ହିତ ଦୃଷ୍ଟିରୁ ବିଜେପି ତୁରନ୍ତ ଏ ଦିଗରେ କାର୍ଯ୍ୟକରୁ।