ରାଗିଙ୍ଗ୍‌: ଏକ କୁତ୍ସିତ ପରମ୍ପରା

0

ପି. ଅନାମିକା

prayash

ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ରାଗିଙ୍ଗ୍‌କୁ ଏକ ପରମ୍ପରା ରୂପେ ଗ୍ରହଣ କରାଯାଇଛି, କାହିଁକି ନା ବର୍ଷବର୍ଷ ଧରି ପିଢ଼ି ପରେ ପିଢ଼ି ଏହାକୁ କୌଣସି ଉତ୍ସବ ପରି ପାଳନ କରି ଆସୁଛନ୍ତି। ପରମ୍ପରା ନିର୍ବାହ କରି ଖୁବ୍‌ ଆତ୍ମସନ୍ତୋଷ ପାଉଛନ୍ତି ସେମାନେ। ଦିନେ ଅତ୍ୟାଚାରର ଶିକାର ହୋଇଥିବା ଛାତ୍ରଛାତ୍ରୀ ତା’ ଜୁନିୟର ପିଲାଙ୍କୁ ନିର୍ଯାତିତ କଲାବେଳେ ପ୍ରତିଶୋଧ ନେଇପାରିଲି ବୋଲି ଆତ୍ମତୃପ୍ତି ପାଉଥିବ। ଭାରତୀୟ ମୂଲ୍ୟବୋଧ, ନୈତିକତାର ଅଭାବ ଯୋଗୁଁ ଆଜି ଭାରତୀୟମାନେ ନିଜ ମହାନ ପରମ୍ପରାକୁ ଭୁଲି ରାଗିଙ୍ଗ୍‌ ଭଳି କୁତ୍ସିତ ପରମ୍ପରାକୁ ଆପଣେଇ ନେବାକୁ ତିଳେ ହେଲେ କୁଣ୍ଠାବୋଧ କରୁନାହାନ୍ତି ।
ରାଗିଙ୍ଗ୍‌ର ଶିକାର ହୋଇ ଆଜିଯାଏ ହଜାରହଜାର ଛାତ୍ରଛାତ୍ରୀ ଯେଉଁ ନିର୍ଯାତନା ଭୋଗି ସାରିଛନ୍ତି ସେମାନଙ୍କ ପୀଡ଼ାକୁ ଅନୁଭବ କରି ସର୍ବୋଚ୍ଚନ୍ୟାୟାଳୟ ଯଦିଓ କଟକଣା ଲଗାଇଛନ୍ତି ତଥାପି ଆଜିଯାଏ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ରାଗିଙ୍ଗ୍‌ ଚାଲିଛି। ଶାରୀରିକ ନିର୍ଯାତନା କମାଇ ଦେଇ ମାନସିକ ନିର୍ଯାତନା ବଳବତ୍ତର ରଖି ପରମ୍ପରାକୁ ସଚ୍ଚୋଟ ଭାବେ ପାଳନ କରି ଆସୁଛନ୍ତି ଛାତ୍ରଛାତ୍ରୀ।
ଏଥିପାଇଁ ଅନୁଷ୍ଠାନର ଉପରଶ୍ରେଣୀର ଛାତ୍ରଛାତ୍ରୀ ତ ନିଶ୍ଚିତ ଭାବରେ ଦାୟୀ, କିନ୍ତୁ ସେମାନଙ୍କଠୁଁ ବି ବେଶୀ ଦୋଷୀ ଅନୁଷ୍ଠାନର ଶିକ୍ଷକ, ପରିଚାଳନା କମିଟି, ପ୍ରଶାସନ ଓ ସରକାର । କାରଣ କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ରାଗିଙ୍ଗ୍‌ ଚାଲିଛି । କୌଣସି ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଗିଙ୍ଗ୍‌ ଆଦୌ ନାହିଁ। କାହିଁକି ନା ବେସରକାରୀ ସଂସ୍ଥାର ନିୟନ୍ତ୍ରଣ ସେମାନଙ୍କ ଅନୁଷ୍ଠାନ ଉପରେ ପୂର୍ଣ୍ଣତଃ ରହିଛି ।
ସରକାରୀ ଶିକ୍ଷାନୁଷ୍ଠାନରେ ଢିଲା ଓ ଖାମଖିଆଲ ଭାବ ଯୋଗୁଁ ସମସ୍ୟାକୁ ଗଭୀର ଭାବେ ଗ୍ରହଣ କରାଯାଉନାହିଁ । ଉପର ଶ୍ରେଣୀର ପିଲାମାନେ ଏଭଳି ସାହସ କେଉଁଠୁ ପାଉଛନ୍ତି ଜୁନିୟର ପିଲାଙ୍କୁ ନୀତିନିୟମରେ ବାନ୍ଧିବା, ଡରେଇବା, ଦୁର୍ବ୍ୟବହାର ଦେଖାଇବା ଓ ହଇରାଣ କରିବା ପାଇଁ । ତାଙ୍କୁ ଏ ଅଧିକାର କିଏ ଦେଲା? କୌଣସି ସରକାରୀ ଶିକ୍ଷାନୁଷ୍ଠାନର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ତ ରାଗିଙ୍ଗ୍‌ର ଶିକାର ହୋଇ ନଥିଲେ, ତା’ହେଲେ ସେମାନେ ଦ୍ୱିତୀୟବର୍ଷକୁ ଗଲାପରେ ରାଗିଙ୍ଗ୍‌ କାହିଁକି ଆରମ୍ଭ କଲେ? ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ପିଲାଙ୍କ କାର୍ଯ୍ୟକଳାପ ଉପରେ ଲକ୍ଷ୍ୟ ଓ ନିୟନ୍ତ୍ରଣ କାହିଁକି ରଖିପାରନ୍ତି ନାହିଁ । ନାମଲେଖା ସମୟରେ ସବୁ ପିତାମାତା ‘ଆଫିଡେଭିଟ୍‌’ ଦସ୍ତଖତ କରି ଦେଉଛନ୍ତି ରାଗିଙ୍ଗ୍‌ରେ ସାମିଲ ନହେବା ପାଇଁ, କିନ୍ତୁ ତାହା ମୂଲ୍ୟହୀନ। କାରଣ ଉପରଶ୍ରେଣୀର ପିଲାଙ୍କ ପିତାମାତା ଆଉ ଖବର ରଖନ୍ତିନି ଯେ ତାଙ୍କ ପିଲା ରାଗିଙ୍ଗ୍‌ରେ ସାମିଲ ହେଉଛି କି ନାଇଁ । ପିଲାଙ୍କ ନୈତିକ ମନୋବଳ ବଢ଼ାଇବା କଥା, ଯେଉଁ ନିର୍ଯାତନା ଦିନେ ସେମାନେ ଭୋଗିଥିଲେ ତାହା ତାଙ୍କ ଜୁନିୟରଙ୍କୁ ନ ମିଳୁ, ଏପରି ଉଦାର ମନୋଭାବ ସେମାନେ ପୋଷଣ କରିବା କଥା; ଯଦ୍ଦ୍ବାରା ସେମାନଙ୍କ ସମ୍ମାନ ବୃଦ୍ଧିପାଆନ୍ତା, କିନ୍ତୁ ଏହାର ଠିକ୍‌ ଓଲଟା ଘଟୁଛି। ପିଲାମାନେ ପ୍ରତିଶୋଧପରାୟଣ ଓ ନୃଶଂସ ପାଲଟି ଯାଉଛନ୍ତି ।
ଆଜିର ଯୁଗରେ ଶିକ୍ଷିତ ପିତାମାତାଙ୍କ ସନ୍ତାନମାନେ ନିଜ ଘରୁ ଅନୁଶାସନ ଓ ସଂସ୍କାର ଶିଖି ଯାଇଥାଆନ୍ତି । ସିନିୟର ପିଲାମାନେ ଶୃଙ୍ଖଳା ଜ୍ଞାନ ଶିଖେଇବାର କିଛି ଆବଶ୍ୟକତା ନ ଥାଏ । ଯଦି କେଉଁ ପିଲା ବିଶୃଙ୍ଖଳ ଆଚରଣ କରେ ତାକୁ କଲେଜ କର୍ତ୍ତୃପକ୍ଷ ଦଣ୍ଡ ଦେବେ। ଏଠି ସିନିୟର ପିଲାଙ୍କୁ ଦାଦାଗିରି କରିବାର ଅଧିକାର କିଏ ଦେଲା ? ହୁଏତ ଅନେକ ପାଠକ ଜାଣି ନଥିବେ ଝିଅପିଲାମାନେ ମଧ୍ୟ ଲେଡ଼ିଜ ହଷ୍ଟେଲରେ ଜୁନିୟର ଛାତ୍ରୀଙ୍କ ଉପରେ ରାଗିଙ୍ଗ୍‌ ନାଁରେ ଅନେକ ନିର୍ଯାତନା ଦେବାର ଘଟଣା ଶୁଣିବାକୁ ମିଳୁଛି । ପରିଚୟ ପ୍ରଦାନ ନାଁରେ ସିନିୟର ପିଲାମାନେ ଅନ୍ୟାୟ ଆଚରଣ ହିଁ ପ୍ରଦର୍ଶନ କରୁଛନ୍ତି। ହଷ୍ଟେଲଗୁଡ଼ିକରେ ଏସବୁ କାହିଁକି ? ସ୍ୱାଗତ ଉତ୍ସବରେ ସବୁ ଶିକ୍ଷକଙ୍କ ଆଗରେ ରାଗିଙ୍ଗ୍‌ ହେଉ। ହଷ୍ଟେଲର କାର୍ଯ୍ୟକଳାପଗୁଡ଼ିକୁ ତ ଅଧ୍ୟାପକମାନେ ଦେଖୁନାହାନ୍ତି, ତେଣୁ ସେମାନେ ଜାଣିବା, ଶୁଣିବା ଓ ଦେଖିବା ଉଚିତ। ପ୍ରଥମବର୍ଷର ପିଲାମାନେ ଏତେ ଡରିକରି ଥାଆନ୍ତି ଯେ ନିଜ ପିତାମାତାଙ୍କୁ ବି ସବୁ କଥା ଖୋଲି କହିପାରନ୍ତିନି । କଲେଜ କର୍ତ୍ତୃପକ୍ଷଙ୍କ ପାଖକୁ କୌଣସି ସୂତ୍ରରୁ ଅଭିଯୋଗ ଗଲେ ସବୁ ପିଲା ମିଶି କିଛି ହୋଇନି, ସବୁ ଠିକ୍‌ ଚାଲିଛି ବୋଲି ସ୍ୱୀକାର କରନ୍ତି । ପ୍ରତିଦିନ କିଛି ଭୁଲ ନଥାଇ ସିନିୟର ପିଲାମାନେ ଜୁନିୟର ପିଲାଙ୍କ ରୁମ୍‌କୁ ଆସି ଅଭଦ୍ର ଭାଷାରେ ଗାଲିଗୁଲଜ କରନ୍ତି ଓ କ୍ଷମା ମାଗିବାକୁ ବାଧ୍ୟ କରନ୍ତି ।
ଆଜିକାଲି ସମସ୍ତଙ୍କ ଗୋଟିଏ କି ଦୁଇଟି ସନ୍ତାନ। ଦୂର ସ୍ଥାନକୁ ପାଠ ପଢ଼େଇବା ପାଇଁ ପଠେଇଲା ବେଳକୁ ହଷ୍ଟେଲରେ ହିଁ ରହିବାକୁ ପଡ଼ିଥାଏ । ପ୍ରଥମଥର ପିଲାଟିଏ ଘରୁ ବାହାରକୁ ଯାଉଥିବାରୁ ଉଭୟ ପିତାମାତା ଓ ପିଲା ଦୁଃଖୀ ଥାଆନ୍ତି । ଅଜଣା ପରିବେଶରେ ପିଲାଟି କିପରି ଖାପ ଖୁଆଇବ । ଏଇ ଚିନ୍ତା ସେମାନଙ୍କୁ ମାଡ଼ି ପଡ଼ୁଥିଲାବେଳେ ପୁଣି ଏଇ ରାଗିଙ୍ଗ୍‌ ଭୟ । ନିହାତି ଅନାବଶ୍ୟକ ନୁହେଁ କି? ବେସରକାରୀ ସଂସ୍ଥା ନିଜ ଅନୁଷ୍ଠାନକୁ ରାଗିଙ୍ଗ୍‌ମୁକ୍ତ ଅଞ୍ଚଳ ବୋଲି ଦାବି କରିପାରୁଛନ୍ତି, କିନ୍ତୁ ଆମ ଓଡ଼ିଶାର ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ରାଗିଙ୍ଗ୍‌କୁ ରୋକିପାରୁ ନାହାନ୍ତି କାହିଁକି? କେବଳ ଦୃଢ଼ ମନୋବଳ ଅଭାବରୁ ସେମାନେ ଏ ସମସ୍ୟାଟିକୁ ଅତ୍ୟନ୍ତ ହାଲୁକା ଦୃଷ୍ଟିରେ ଦେଖୁଛନ୍ତି, ପ୍ରଶ୍ରୟ ହେଉଛନ୍ତି ଆଉ ଲୁଚାଇବାକୁ ଚେଷ୍ଟା ମଧ୍ୟ କରୁଛନ୍ତି । ତାଙ୍କ ହାତରେ ପିଲାଙ୍କ ଥିଓରି ଓ ପ୍ରାକ୍ଟିକାଲ ଏକ୍‌ଜାମ ପେପର । ଯଦି ସିନିୟର ପିଲାଙ୍କୁ ଭୟ ଦେଖାନ୍ତେ ସେମାନେ ରାଗିଙ୍ଗ୍‌ କରିବାକୁ ସାହସ କରନ୍ତେ ନାହିଁ, କିନ୍ତୁ ବିଡ଼ମ୍ବନା ଏହି ଯେ ଯେଉଁ ପିଲା ରାଗିଙ୍ଗ୍‌ ବିରୋଧରେ ଅଭିଯୋଗ କରେ ସେ ଅଧ୍ୟାପକଗଣଙ୍କ କୁଦୃଷ୍ଟିର ଶିକାର ହୁଏ । ଶିକ୍ଷକଙ୍କୁ ଭକ୍ତି ଓ ଭୟ କରି ଭଲ ପାଠ ପଢ଼ିବା ଓ ଭଲ ଆଚରଣ ପ୍ରଦର୍ଶନ କରିବା ଛାତ୍ରର କର୍ତ୍ତବ୍ୟ । ସିନିୟର ପିଲାଙ୍କୁ ଭୟ କରିବାର ଆବଶ୍ୟକତା କେଉଁଠୁ ଆସିଲା? ରାଗିଙ୍ଗ୍‌ ପ୍ରଥା ତେଣୁ ପିଲାଙ୍କୁ ଭୀରୁ, ନହେଲେ ନୃଶଂସ କରୁଛି। ରାଗିଙ୍ଗ୍‌ ଶିକାର ହୋଇଥିବା ପିଲା ପ୍ରତିଶୋଧପରାୟଣ ହୋଇ ପରବର୍ତ୍ତୀ ସମୟରେ ରାଗିଙ୍ଗ୍‌ ପରିଚାଳନା କରୁଛି ଓ ପରମ୍ପରାକୁ ଆଗକୁ ବଢ଼ାଉଛି । ଏହା ଏକ ନିୟମିତ କୁତ୍ସିତ ଓ ବିପଦପୂର୍ଣ୍ଣ ପରମ୍ପରା ଯାହା ପିଲାଙ୍କ ମନରେ କେବଳ ନକାରାତ୍ମକ ଶକ୍ତି ଭରୁଛି ।
କଲେଜ କର୍ତ୍ତୃପକ୍ଷ ସିନିୟର ପିଲାଙ୍କୁ ବୁଝେଇବା କଥା ଜୁନିୟର ପିଲାଙ୍କ ଆଗରେ ଶକ୍ତି ପ୍ରଦର୍ଶନ କରି ସେମାନଙ୍କୁ ଭୟଭୀତ କରେଇବା ଅପେକ୍ଷା ଯୁଦ୍ଧକ୍ଷେତ୍ରରେ ସୈନିକର ଭୂମିକାରେ ଶତ୍ରୁକୁ ଭୟ ଦେଖାଇଲେ ଦେଶବାସୀଙ୍କଠାରୁ ସାବାସୀ ପାଆନ୍ତେ ସେମାନେ। ନିରୀହ ପ୍ରଥମବର୍ଷର ଛାତ୍ରଙ୍କୁ ଭୟ ଦେଖାଇ ସେମାନଙ୍କ ମନରେ ନିଜ ପ୍ରତି ଘୃଣା ଓ ଦ୍ୱେଷ ଖାଲି ସୃଷ୍ଟି କରୁଛନ୍ତି। ନିଜ ଭଲ ଆଚରଣରେ ହୃଦୟ ଜିତି ନିଜ ସାନଭାଇ ଭଳି ଭଲ ପାଇ ସେମାନଙ୍କ ସମ୍ମାନ ସିନା ହାସଲ କରନ୍ତେ । ଅଭଦ୍ର ବ୍ୟବହାର ଦେଖାଇ କେଉଁ ଉପାୟରେ ଭଦ୍ରତା ଶିଖାଉଛନ୍ତି ସେମାନେ । ଏହା ହାସ୍ୟାସ୍ପଦ କଥା ନୁହେଁ କି? ସ୍ୱାଧୀନ ଭାରତରେ ଏହି ରାଗିଙ୍ଗ୍‌ ଆମକୁ ଇଂରେଜ ସମୟର ପରାଧୀନତା ଓ ଗୋଲାମି ମନେ ପକେଇଦିଏ ।
ତେଣୁ ଆସନ୍ତୁ ସମସ୍ତ ସଚେତନ ନାଗରିକ, ଅଭିଭାବକ, ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ମିଶି ଏ ଘୃଣ୍ୟ ପ୍ରଥାକୁ ସମୂଳେ ଉଚ୍ଛେଦ କରିବାର ପ୍ରତିଜ୍ଞା କରିବା।

Leave A Reply