ଦେଶ ଧନୀ, ଦେଶବାସୀ ଗରିବ
ବିଶ୍ବର ବୃହତ୍ ଅର୍ଥବ୍ୟବସ୍ଥାର ତାଲିକାରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିବା ଆମର ନେତୃମଣ୍ଡଳୀଙ୍କୁ ଖୁସି କରିଥିବ ନିଶ୍ଚୟ, କିନ୍ତୁ ଏଥିରେ ଏଭଳି କିଛି ନାହିଁ ଯାହା ସାଧାରଣ ଲୋକଙ୍କ ମୁହଁରେ ହସ ଫୁଟାଇବ। ବୁଧବାର ବିଶ୍ବବ୍ୟାଙ୍କ ଯେଉଁ ପରିସଂଖ୍ୟାନ ଦେଇଛି, ସେହି ଅନୁଯାୟୀ ଭାରତ ଉପରୋକ୍ତ ତାଲିକାରେ ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛି। ଏହି ତାଲିକା ବିଶ୍ବର ବିଭିନ୍ନ ଦେଶର ୨୦୧୭ ମସିହାର ମୋଟ ଘରୋଇ ଉତ୍ପାଦ ବା ଜିଡିପିକୁ ଆଧାର କରି ପ୍ରସ୍ତୁତ ହୋଇଛି। ଭାରତର ଜିଡିପି ଗତ ଦୁଇ ଦଶକ ଭିତରେ ତୀବ୍ରଗତିରେ ବୃଦ୍ଧି ପାଇଛି ଓ ଗତ ଗୋଟିଏ ଦଶକ ମଧ୍ୟରେ ଏହା ପ୍ରାୟ ଦୁଇଗୁଣ ବଢ଼ିଛି। ଏହା ପୂର୍ବରୁ ଭାରତର ସ୍ଥାନ ଏହି ତାଲିକାରେ ସପ୍ତମ ଥିବାବେଳେ ଏବେ ଏହା ଫ୍ରାନ୍ସର ସ୍ଥାନ ନେଇଛି ଓ ତାକୁ ତଳକୁ ଠେଲିଦେଇଛି।
ବିଶ୍ବବ୍ୟାଙ୍କ ହେଉ କି ବିଶ୍ବର ଏପରି କୌଣସି ସଂଗଠନ, ସେଗୁଡ଼ିକ ଯେତେ ବିଶ୍ବସନୀୟ ହେଲେ ହେଁ ଏପରି ପରିସଂଖ୍ୟାନର ସମସ୍ୟା ହେଉଛି ଯେ ସେଥିରେ ସବୁକିଛି ତଥ୍ୟ ନଥାଏ; ତେଣୁ ଅନେକ ସମୟରେ ପ୍ରକୃତ ସତ୍ୟ ଲୁଚିଯାଏ। ଏ କ୍ଷେତ୍ରରେ ବି ସେହି ଅସୁବିଧାଟି ରହିଛି। ଯଦି ଗହୀରେଇକି ଆମେ ନିରୀକ୍ଷଣ କରିବା, ତେବେ ଦେଖିବା ଯେ ଦେଶ ସିନା ଧନୀ ହୋଇଛି ବା ହେଉଛି; କିନ୍ତୁ ଦେଶବାସୀ ସେହି ମାତ୍ରାରେ ଧନୀ ହୋଇନାହାନ୍ତି ବା ସେମାନଙ୍କ ଦାରିଦ୍ର୍ୟ ପୂର୍ବଭଳି ବଳବତ୍ତର ରହିଛି। ଅନେକ କ୍ଷେତ୍ରରେ ଅଧିକ ଖରାପ ହୋଇଛି। ସେମାନଙ୍କ ଆର୍ଥିକ ସ୍ଥିତି ବିଶ୍ବର ଅନ୍ୟ ଦେଶଗୁଡ଼ିକର ଲୋକଙ୍କ ତୁଳନାରେ ଉନ୍ନତ ହୋଇନାହିଁ। ବ୍ୟକ୍ତିପିଛା ଆୟକୁ ଦେଖିଲେ ଏହା ଅତି ସ୍ପଷ୍ଟ ହୋଇଯାଏ।
ଭାରତର ବର୍ତ୍ତମାନ ଜନସଂଖ୍ୟା ପ୍ରାୟ ୧୩୪ କୋଟି। ଫାନ୍ସର ମାତ୍ର ୬ କୋଟି ୭୦ ଲକ୍ଷ। ତେବେ ସେଠାକାର ଜିଡିପିକୁ ବ୍ୟକ୍ତିପିଛା ହିସାବରେ ଦେଖିଲେ ତାହା ଭାରତଠାରୁ ୨୦ ଗୁଣରୁ ବି ବେଶି। ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ ଭଳି ଦେଶର ବ୍ୟକ୍ତିପିଛା ଆୟ ବାର୍ଷିକ ସାଢ଼େ ୪୨ ହଜାର ଡଲାରରୁ ସାଢ଼େ ୪୬ ହଜାର ଡଲାର ମଧ୍ୟରେ ହୋଇଥାଏ। ତା’ ତୁଳନାରେ ଭାରତର ବ୍ୟକ୍ତିପିଛା ଆୟ ବାର୍ଷିକ ୨ ହଜାର ଡଲାରରୁ ବି କମ୍, ଅର୍ଥାତ ୧ ହଜାର ୯୬୪ ଡଲାର। ବ୍ୟକ୍ତିପିଛା ଆୟର ଏହି ବିରାଟ ବ୍ୟବଧାନ ହିଁ ଜନସାଧାରଣଙ୍କ ପ୍ରକୃତ ଖୁସି ଓ ଜୀବନ ସ୍ତରକୁ ଦର୍ଶାଇବାକୁ ଯଥେଷ୍ଟ। ଦେଶର ଅର୍ଥବ୍ୟବସ୍ଥା ବଢ଼ୁଛି ସତ, କିନ୍ତୁ ସେହି ପରିମାଣରେ ସାଧାରଣ ବ୍ୟକ୍ତିଟିର ଖୁସି ବଢ଼ୁନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଭାରତ ବିଶ୍ବର ଅନ୍ୟ ଦେଶମାନଙ୍କଠାରୁ ବହୁତ ପଛରେ ପଡ଼ିଛି। ଗତବର୍ଷ ବିଶ୍ବ କ୍ଷୁଧା ସୂଚକାଙ୍କରେ ୧୨୯ଟି ଦେଶର ତାଲିକାରେ ଆମର ସ୍ଥାନ ୧୦୦ ଥିଲା। ଏଥିରୁ ଏହା ସ୍ପଷ୍ଟ ଯେ ଏଭଳି ପରିସଂଖ୍ୟାନ ଏ ଦେଶର ବେଶୀଭାଗ ଲୋକଙ୍କ ପାଇଁ କିଛି ଅର୍ଥ ନାହିଁ; ହୁଏତ ରାଜନୀତିର ସ୍ଲୋଗାନ ପାଲଟିପାରେ। ଦେଶର ପ୍ରତ୍ୟେକ ମଣିଷଙ୍କ ସମୃଦ୍ଧି ହିଁ ଦେଶର ସମୃଦ୍ଧି; ଅନ୍ୟଥା ଅର୍ଥବ୍ୟବସ୍ଥା ଯେତେ ବଡ଼ ହେଲେ ହେଁ ତାହା ‘ବେଲ ପାଚିଲେ କାଉର କି ଯାଏ’ ପରି କଥା।