ଅଘୋଷିତ ଜରୁରୀ ପରିସ୍ଥିତିର ସାମ୍ନା: ଏକ ଆହ୍ବାନ

0

ପ୍ରଫୁଲ୍ଲ ସାମନ୍ତରା

prayash

୧୯୭୫ ଜୁନ ୨୫ ମଧ୍ୟରାତ୍ରିରେ ଘୋଷିତ ଜରୁରୀକାଳୀନ ପରିସ୍ଥିତିର ସ୍ମୃତିରେ ଆଲୋଚନା, ପର୍ଯ୍ୟାଲୋଚନା ଓ ସମାଲୋଚନା ବିଗତ ୪ଟି ସ୍ମୃତି ଦିବସ ତୁଳନାରେ ଚଳିତବର୍ଷ ଅଧିକ। କାରଣ ଦେଶରେ ସାଧାରଣ ନିର୍ବାଚନ ଆଗକୁ ଅଛି। ଦେଶର କଂଗ୍ରେସ ପାର୍ଟିର ସ୍ଥିତି, ସଂଗଠନ ଦୁର୍ବଳ ହେଲେ ବି ଆଜିର ଶାସକ ବିଜେପିର ନେତାମାନେ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ବିରୋଧରେ ଅତ୍ୟଧିକ ସମାଲୋଚନା କରି ପ୍ରଚାର କରୁଛନ୍ତି। ସେଇଥିପାଇଁ ଏଥର ଜରୁରୀକାଳୀନ ପରିସ୍ଥିତି ସ୍ମୃତି ସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ କଟୁ ଥିଲା ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସମାଲୋଚନା ଥିଲା ଅତି ଉତ୍କଟ।
ଏହା ସତ୍ୟ ଯେ ୧୯୭୫ ଜରୁରୀକାଳୀନ ପରିସ୍ଥିତି ଥିଲା ଗଣତନ୍ତ୍ର ଉପରେ ଆକ୍ରମଣ। ନିର୍ବାଚିତ ସରକାରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ୱେଚ୍ଛାଚାରୀ ହୋଇଯାଇଥିଲେ, କିନ୍ତୁ ଦେଶର ନୀରବ ଜନତା ଏକଚ୍ଛତ୍ରବାଦକୁ ହଟାଇ ୧୯୭୭ରେ ପୁନଃ ଗଣତନ୍ତ୍ରକୁ େଫରାଇ ଆଣିଥିଲେ। ସେହି ଗଣତନ୍ତ୍ରକୁ େଫରାଇ ଆଣିବାପାଇଁ ହଜାରହଜାର ଯୁବକ ବିରୋଧୀ ଦଳ ଏବଂ କ୍ଷମତାସୀନ ଦଳର କେତେ ନିର୍ଦିଷ୍ଟ ନେତାଙ୍କ ସମେତ ଜେଲରେ ରହିଥିଲେ। ଏହି ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା ସମ୍ବିଧାନରେ ଥିବା ୩୫୬ ଧାରାକୁ ଲାଗୁକରି। ଜନତା ପାର୍ଟିର ସରକାରବେଳେ ଏହି ଧାରାକୁ ସଂଶୋଧିତ କରାଯାଇଛି ଯାହା ଫଳରେ ରାଜନୈତିକ ସ୍ୱାର୍ଥସାଧନ ପାଇଁ ଜରୁରୀ ପରିସ୍ଥିତି ଜାରି କରାଯାଇପାରିବ ନାହିଁ। ପୁଣି ୧୯୮୦ରେ ଇନ୍ଦିରା ଗାନ୍ଧୀ ନିଜ ଦଳ କଂଗ୍ରେସ ପାର୍ଟିକୁ ଜିତାଇ କ୍ଷମତାକୁ େଫରିଲେ, କିନ୍ତୁ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଭାଙ୍ଗିବା ପାଇଁ ପୁନଃ ଉଦ୍ୟମ କରିନଥିଲେ। ଏହା ମଧ୍ୟ ସତ୍ୟ, ଜରୁରୀ ପରିସ୍ଥିତିରେ ଦଳ, ଧର୍ମ, ଜାତି ନିର୍ବିଶେଷରେ ମୌଳିକ ଅଧିକାରକୁ ସଂକୁଚିତ କରାଯାଇଥିଲା। ବିଶେଷକରି ସରକାରଙ୍କ ବିରୋଧରେ ଭିନ୍ନ ପ୍ରତିବାଦ ଏବଂ ସମାଲୋଚନା କରିବା ଅଧିକାର ଛିନ୍ନ କରାଯାଇଥିଲା। ସମ୍ବାଦପତ୍ର ଓ ଗଣମାଧ୍ୟମ ଉପରେ ଲଗାମ ଥିଲା। ତେବେ କୌଣସି ନିର୍ଦିଷ୍ଟ ଧର୍ମ କିମ୍ବା ଜାତି ଉପରେ ଆକ୍ରମଣ ହୋଇନଥିଲା, ସାମ୍ପ୍ରଦାୟିକ ଦଙ୍ଗାକୁ ପ୍ରୋତ୍ସାହନ ନଥିଲା। ଇନ୍ଦିରା ଗାନ୍ଧୀ ଜରୁରୀ ପରିସ୍ଥିତିରେ ଏକଚ୍ଛତ୍ରବାଦୀ ରୂପେ ଶାସନ କରୁଥିଲେ ବି ଧର୍ମନିରପେକ୍ଷତା ଉପରେ ପ୍ରଗାଢ଼ ବିଶ୍ୱାସୀ ଥିଲେ।
ଏବେ ୪୩ବର୍ଷ ପରେ ଦେଶରେ ଜରୁରୀ ପରିସ୍ଥିତି ଘୋଷିତ ହୋଇନଥିଲେ ବି ୨୦୧୪ପରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଯୋଗ୍ୟତାଶୂନ୍ୟ ତଥା ଧର୍ମନିରପେକ୍ଷତାକୁ ବିରୋଧ କରୁଥିବା ସାମ୍ପ୍ରଦାୟିକ ବ୍ୟକ୍ତିବିଶେଷଙ୍କ ହାତରେ ଦିଆଯାଇ ସେଗୁଡ଼ିକର ସ୍ୱାଧୀନତା ଓ ସ୍ୱାୟତ୍ତତାକୁ ଛଡ଼ାଇ ନିଆଯାଇଛି। ଦେଶର ବିଭିନ୍ନ ରାଜ୍ୟରେ, ବିଶେଷ କରି ବିଜେପିଶାସିତ ରାଜ୍ୟମାନଙ୍କରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ବଢ଼ିଚାଲିଛି। ଯେଉଁମାନେ ଧର୍ମାନ୍ଧତା ଓ ସାମ୍ପ୍ରଦାୟିକତା ବିରୋଧୀ ଏବଂ ଧର୍ମର ଊର୍ଦ୍ଧ୍ବରେ ମାନବିକତା ପାଇଁ ଲେଖୁଛନ୍ତି, କହୁଛନ୍ତି ଓ ବିଚାର ବାଂଟୁଛନ୍ତି; ସେମାନଙ୍କ ଉପରେ ଆଜି କେନ୍ଦ୍ର ଶାସକ ଦଳର ନିୟନ୍ତ୍ରକ ହିନ୍ଦୁତ୍ୱବାଦୀ ସଂଗଠନ ଓ ତା’ର ସହଯୋଗୀ ସଂସ୍ଥାଗୁଡ଼ିକର ବାହିନୀ ଆକ୍ରମଣ କରୁଛନ୍ତି, ହତ୍ୟା କରୁଛନ୍ତି। କିଏ କ’ଣ ଖାଇବ, ପିନ୍ଧିବ, କିଏ କାହାକୁ ଭଲ ପାଇବ, ପ୍ରେମ କରିବ, କିମ୍ବା ବିବାହ କରିବ ତା’ର ସ୍ୱାଧୀନତାକୁ ବିପନ୍ନ କରିବା ପାଇଁ ମଧ୍ୟଯୁଗୀୟ ସାଂସ୍କୃତିକ ଆଧିପତ୍ୟ ଜାହିର କରିବାକୁ ଯାଇ ଅରାଜକତାର ବାତାବରଣ ସୃଷ୍ଟି କରାଯାଉଛି। ଉତ୍ତର ପ୍ରଦେଶରେ ଏସବୁର ପ୍ରତିଦିନ ପରୀକ୍ଷା ଚାଲିଛି। ହରିଆଣା, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟଗୁଡ଼ିରେ ଦଳିତ ସଂଗଠନଗୁଡ଼ିକର ନେତାମାନଙ୍କୁ ମିଥ୍ୟା ଅଭିଯୋଗରେ ଜେଲରେ ରଖାଯାଇଛି। ଯେଉଁମାନେ ଦଳିତଙ୍କ ସପକ୍ଷରେ, ହିନ୍ଦୁ ସାମ୍ପ୍ରଦାୟିକ ସଙ୍ଗଠନ ବିରୋଧରେ କିମ୍ବା ସମ୍ବିଧାନର ସୁରକ୍ଷା ପାଇଁ କିମ୍ବା କର୍ପୋରେଟ ଲୁଟ୍ ବିରୋଧରେ କହିବେ ସେମାନଙ୍କୁ ମାଓବାଦୀ, ସନ୍ତ୍ରାସବାଦୀ ଓ ଦେଶଦ୍ରୋହୀ ନାମରେ ଜେଲରେ ରଖାଯାଉଛି। ଜେଏନୟୁ ପରି ମୁକ୍ତ ବିଚାର ଓ ପ୍ରଗତିଶୀଳ ଅଧ୍ୟୟନ ଓ ଗବେଷଣା ଅନୁଷ୍ଠାନକୁ ପଙ୍ଗୁ କରିଦେବାକୁ ଉଦ୍ୟମ ହେଉଛି। ଶିକ୍ଷା ପାଠ୍ୟକ୍ରମରେ ସ୍ୱାଧୀନତା ଆନ୍ଦୋଳନର ଇତିହାସକୁ ବିକୃତ କରିବାକୁ ପଦକ୍ଷେପ ନିଆଯାଉଛି। କାଶ୍ମୀରରେ ହିନ୍ଦୁମନ୍ଦିର ଭିତରେ ଏକ ମୁସଲମାନ ନାବାଳିକାକୁ ଗଣଧର୍ଷଣ କରିଥିବା ଅଭିଯୁକ୍ତମାନଙ୍କ ସପକ୍ଷରେ ଜାତୀୟ ପତାକା ଧରି ବିଜେପି ମନ୍ତ୍ରୀମାନେ ରାସ୍ତାକୁ ଆସିବା ପରେ ବି ପ୍ରଧାନମନ୍ତ୍ରୀଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ବିଭିନ୍ନ ସମୟରେ କେତେକ ମନ୍ତ୍ରୀ ମଧ୍ୟ ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ତିଆରି ହୋଇଥିବା ସମ୍ବିଧାନକୁ ହଟାଇ ନୂତନ ସମ୍ବିଧାନ ଲେଖିବା ପାଇଁ ମତ ଦେଇଥିଲେ ବି ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଗଲା ନାହିଁ। ନିକଟରେ ଝାଡଖଣ୍ଡରେ ରାଷ୍ଟ୍ରିୟ ସ୍ତରର ଶ୍ରମିକ ନେତା ତଥା ମାନବିକ ଅଧିକାର ପାଇଁ ଲଢୁଥିବା ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ କଲେ ଶାସକ ଦଳର ଯୁବ ବାହିନୀ।
ଜର୍ମାନୀର ହିଟ୍‌ଲର ଓ ଗୋବେଲଙ୍କ ଦ୍ୱାରା ଯେପରି ମିଥ୍ୟାକୁ ସତ ପରି ପ୍ରଚାର କରାଯାଉଥିଲା, ଏବେ ଆମ ଦେଶରେ କର୍ପୋରେଟ ନିୟନ୍ତ୍ରିତ ଗଣମାଧ୍ୟମ କେବଳ ସରକାରୀ ପକ୍ଷର ମିଥ୍ୟାକୁ ସତ୍ୟ ବୋଲି କହୁଛି। ପ୍ରାକୃତିକ ସଂପଦ ଲୁଟ୍, ମୁନାଫା ଓ ସରକାରୀ ତନ୍ତ୍ରଦ୍ୱାରା କଳାଧନ ପାଇଁ ସୁରକ୍ଷା ପାଉଥିବା କମ୍ପାନୀମାନଙ୍କ ପାଇଁ ପରିବେଶ ସୁରକ୍ଷା ଆଇନ, ଜଙ୍ଗଲ ଅଧିକାର ଆଇନ ପରି ବିଭିନ୍ନ ଆଇନକୁ ବଦଳାଇ ଦିଆଯାଉଛି। ଯିଏ ଚାଷୀ ପାଇଁ, ଆଦିବାସୀ ପାଇଁ କିମ୍ବା ଦଳିତଙ୍କ ଅଧିକାର ପାଇଁ ଗଣତାନ୍ତ୍ରିକ ଆନ୍ଦୋଳନ କରିବ ତାଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ଯାଞ୍ଚ ସଂସ୍ଥାଗୁଡ଼ିକୁ ଲଗାଇ ଦିଆଯାଉଛି।
ଏପରି ଶାସନ ବ୍ୟବସ୍ଥାରେ ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟ ମୁସଲମାନ, ଖ୍ରୀଷ୍ଟିଆନ, ଦଳିତ ଓ ହେତୁବାଦୀଙ୍କ ସମେତ ସାମ୍ପ୍ରଦାୟିକତା ଓ ମନମୁଖି ଶାସନର ପ୍ରତିବାଦ ତଥା କର୍ପୋରେଟ ଲୁଟବିରୋଧୀ ଗଣତାନ୍ତ୍ରିକ ଆନ୍ଦୋଳନର ନେତା ଓ କର୍ମୀ ଆଜି ଆତଙ୍କିତ, ଭୟଭୀତ। ଜରୁରୀ ପରିସ୍ଥିତିରେ ଏପରି ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ମନ୍ତବ୍ୟ – “ଇନ୍ଦିରା ଗାନ୍ଧୀ ହିଟଲର ଥିଲେ” ନିଜ ନେତା ନରେନ୍ଦ୍ର ମୋଦୀଙ୍କ ପ୍ରତି ଲାଗୁ ହେବ କି ନାହିଁ ଚିନ୍ତା କରିବା ସମୟ ଆସିଛି। ଏକଥା କ’ଣ ସତ ନୁହେଁ କି ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ବିଶ୍ୱାସକୁ ନ ନେଇ ନିଜ କାର୍ଯ୍ୟାଳୟ ଜରିଆରେ ସମସ୍ତ ମନ୍ତ୍ରାଳୟକୁ ପରିଚାଳନା କରନ୍ତି, ନିର୍ଦେଶ ଦିଅନ୍ତି ଓ ନିଷ୍ପତ୍ତି ନିଅନ୍ତି? ନରେନ୍ଦ୍ର ମୋଦୀଙ୍କ ବିଗତ ୪ବର୍ଷରୁ ଊର୍ଦ୍ଧ୍ବ ଶାସନ ସମୟର ସବୁଠାରୁ ବଡ଼ ଅଗଣତାନ୍ତ୍ରିକ, ଜନବିରୋଧୀ ଏବଂ ଅବାଞ୍ଛିତ, ଅପରିଣାମଦର୍ଶୀ ନିଷ୍ପତ୍ତି ଥିଲା ବିମୁଦ୍ରାୟନ ଯାହା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥା ବିପର୍ଯ୍ୟୟ ଆଡ଼କୁ ଯାଇଥିଲା ଓ କୋଟିକୋଟି ସାଧାରଣ ଜନତା ଜୀବିକା ହରାଇଥିଲେ। ଏହା ଏକ ଅର୍ଥନୈତିକ ନୀତିଗତ ନିଷ୍ପତ୍ତି ହୋଇଥିଲେ ବି ନିଜ କ୍ୟାବିନେଟର ଅର୍ଥମନ୍ତ୍ରୀ ଓ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ଅଜ୍ଞ ଥିଲେ। ପ୍ରଚାର ହେଲା କଳାଟଙ୍କା ଜବତ ପାଇଁ, କିନ୍ତୁ ଓଲଟା ହେଲା, କଳାଟଙ୍କା ଧଳା ହୋଇଗଲା।
ଆଉ ଏକ ବିଚାର ହେଉ: ବିଜେପିର ଜନ୍ମଦାତା ଆର.ଏସ୍.ଏସ୍ ଯାହାର ପ୍ରତିଷ୍ଠାତାମାନେ ଫାସିଷ୍ଟ ହିଟଲରଙ୍କ ଆଦର୍ଶ, ବିଚାରକୁ ଗ୍ରହଣ କରି ଏକ ଧର୍ମ, ଏକଜାତି ଆଧାରରେ ହିନ୍ଦୁରାଷ୍ଟ୍ର ପାଇଁ ଭାରତର ଧର୍ମନିରପେକ୍ଷତା ସହ ବିବିଧତା ମଧ୍ୟରେ ଏକତାକୁ ସ୍ୱୀକାର କରିନାହାନ୍ତି, ସେହି ଦଳର ନେତା ଯଦି ଇନ୍ଦିରାଗାନ୍ଧୀଙ୍କୁ ହିଟଲର୍ କହିବେ, ତାହା ହେଲେ ଜରୁରୀ ପରିସ୍ଥିତିର ଇନ୍ଦିରା ଗାନ୍ଧୀ ସେମାନଙ୍କ ପାଇଁ ଗ୍ରହଣୀୟ କି? ଏକଥା ବି ସତ୍ୟ, ଆର୍ଏସ୍ଏସର ମୁଖ୍ୟ ଦେଓରସ ଜରୁରୀ ପରିସ୍ଥିତିରେ ଜେଲରେ ରହି ଇନ୍ଦିରାଗାନ୍ଧୀଙ୍କ ସହ ସାଲିସ କରିବାକୁ ତିନିଥର ଚିଠି ଲେଖି ଖଲାସ ହୋଇଥିଲେ। ଇତିହାସ ମୂକସାକ୍ଷୀ। ସ୍ୱାଧୀନତା ଆନ୍ଦୋଳନର ଚରମ ବିପ୍ଲବୀ ହେତୁବାଦୀ ବୀର ସାବରକର ଆଜୀବନ କାରାଦଣ୍ଡରେ ଜେଲରେ ରହିବା ପରେ ଜେଲରୁ ଖଲାସ ହେବା ପାଇଁ ପ୍ରତିବିପ୍ଲବୀ ହୋଇ ବ୍ରିଟିଶ ଶାସକ ପାଖରେ ସାଲିସ କରିଥିଲେ। ତା’ପରେ ସେ ଜେଲରୁ ମୁକ୍ତ ହୋଇ ହିନ୍ଦୁ ସଙ୍ଗଠନ କରିଥିଲେ ମୁସଲମାନଙ୍କ ବିରୋଧରେ, ଯାହାକି ବ୍ରିଟିଶ୍‌ରାଜର ମୂଳ ଲକ୍ଷ୍ୟ ଥିଲା ହିନ୍ଦୁ ଓ ମୁସଲମାନଙ୍କୁ ଭାଗ କରି ଶାସନ କରିବା ପାଇଁ। ଜରୁରୀ ପରିସ୍ଥିତିର ସବୁଠାରୁ ବଡ଼ ଖଳନାୟକ ଥିଲେ ସଂଜୟ ଗାନ୍ଧୀ ଯିଏକି ତୁର୍କମ୍ୟାନ ଗେଟରେ ବୁଲ୍‌ଡୋଜର ଲଗାଇ ମୁସଲମାନ ବସ୍ତି ଭାଙ୍ଗି ଥିଲେ ପ୍ରଶାସକ ଜଗମୋହନଙ୍କ ଦ୍ୱାରା। ସେହି ଜଗମୋହନ ବିଜେପି ଶାସନରେ ରାଜ୍ୟପାଳ ହୋଇଥିଲେ। ତେଣୁ ଜେଟଲୀଙ୍କ ‘ହିଟଲରୀ’ ମନ୍ତବ୍ୟ ଆଜି କେତେ କାହାପାଇଁ ପ୍ରଯୁଜ୍ୟ; ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ସମସ୍ତ ଦଳ, ସଂଗଠନ ଓ ବ୍ୟକ୍ତିମାନେ ଆତ୍ମସମୀକ୍ଷା କରିବା ଏକାନ୍ତ ଜରୁରୀ। ଆଜି ଏକଥା ସତ୍ୟ, ସତୁରିଦଶକରେ ଦୁର୍ନୀତିକୁ ବିରୋଧ କରୁଥିବା ଅଣସମାଜବାଦୀ ବିରୋଧୀ ଦଳମାନେ (ଜନସଂଘ ଓ ଆରଏସ୍ଏସ୍ ସମେତ) ଜୟପ୍ରକାଶଜୀଙ୍କ ସଂପୂର୍ଣ୍ଣ କ୍ରାନ୍ତିରେ ବିଶ୍ୱାସ କରୁନଥିଲେ। ପରବର୍ତ୍ତୀ ସମୟରେ ଅନେକ ଜେଲ ଯାଇଥିବା ବ୍ୟକ୍ତିମାନେ ବିଭିନ୍ନ ଦଳର ନେତୃତ୍ୱ ନେଇ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଦୁର୍ନୀତିରେ ଲିପ୍ତ ଏବଂ ଶାସନରେ ରହି ପୁଲିସଦମନ ବି କରିଛନ୍ତି। ସେହି ବ୍ୟକ୍ତିମାନେ ଅନ୍ତତଃ ଜରୁରୀ ପରିସ୍ଥିତିର ନାମ ନେଇ ନିଜ ପାପକୁ ଘୋଡ଼ାଇବାକୁ ଉଦ୍ୟମ ନ କରନ୍ତୁ। ଆଜି ଯେଉଁ ଅଘୋଷିତ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି, ତାହାର ସାମନା କରିବା ଏକ ବଡ଼ ଆହ୍ୱାନ।
ଅପେକ୍ଷା ୨୦୧୯ ନିର୍ବାଚନ ଫଳାଫଳକୁ। ବିକାଶ ନାମରେ ବିନାଶ ପାଇଁ ବାଟ ଖୋଲି ଦିଆଯାଇଛି, କମ୍ପାନୀମାନଙ୍କ ପାଇଁ ସବୁ କିଛି ରିଆତି। ସେମାନଙ୍କ ଅର୍ଥରେ ଭୋଟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଗଲାଣି। ତଥାପି ଆମଦେଶର ସାଧାରଣ ଜନତାଙ୍କ ଭିତରେ ଏକ ବିଜ୍ଞତା ରହିଛି। ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଉପନିର୍ବାଚନର ଜନମତରୁ ଏକ ଆଶା ଦେଖାଦେଇଛି ଯେ ସାଧାରଣ ଜନତା ଅନ୍ତତଃ ମିଥ୍ୟା, ପ୍ରତାରଣା, ଧର୍ମନାମରେ, ଜାତିନାମରେ ହତ୍ୟା ବିରୋଧରେ ମତ ପ୍ରକାଶ କରିବେ। ୨୦୧୯ ନିର୍ବାଚନରେ ଏକ ସ୍ଥାୟୀ ବିକଳ୍ପ ନ ଥିଲେ ବି ପରିବର୍ତ୍ତନ ଏକାନ୍ତ ଜରୁରୀ। ଜନ ସଂଘର୍ଷ ଓ ବିକଳ୍ପର ଦ୍ୱନ୍ଦ୍ୱ ଭିତରେ ଏକ ସମୟାନୁବର୍ତ୍ତୀ ନିଷ୍ପତ୍ତି ନେବାକୁ ହେବ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ।

Leave A Reply