କେନ୍ଦ୍ର-ରାଜ୍ୟ ସମ୍ବନ୍ଧ

0

ପ୍ରଭାସ ମିଶ୍ର

ଭାରତର ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ସମ୍ପର୍କ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ବିଷୟ। ବିକାଶ ପ୍ରକ୍ରିୟାରେ ଦୁଇ ମୁଖ୍ୟଙ୍କର ଗୁରୁଦାୟିତ୍ବ ରହିଛି। ଏଥିପାଇଁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବାର ଆବଶ୍ୟକତା ରହିଛି। ଆର୍ଥିକ ତଥା ପ୍ରାଶାସନିକ କ୍ଷମତା ପରିସର ଦୃଷ୍ଟିରୁ କେନ୍ଦ୍ରର ଯଥେଷ୍ଟ ଅଧିକ କ୍ଷମତା ଥିଲେ ମଧ୍ୟ ସଙ୍ଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ପ୍ରତ୍ୟେକ ନୀତିଗତ ତଥା ଯୋଜନା ପ୍ରଣୟନ କ୍ଷେତ୍ରରେ ରାଜ୍ୟମାନଙ୍କର ପରାମର୍ଶ ନେବା ବିଧେୟ। କେନ୍ଦ୍ର ଅପେକ୍ଷା ରାଜ୍ୟ ସରକାର ନାଗରିକମାନଙ୍କର ଅଧିକ ନିକଟତର ହୋଇଥିବା ଦୃଷ୍ଟିରୁ ତୃଣମୂଳ ସ୍ତରରେ ହାନିଲାଭ ପାଇଁ କେନ୍ଦ୍ର ଅପେକ୍ଷା ରାଜ୍ୟମୁଖ୍ୟ ହିଁ ଅଧିକ ଉତ୍ତରଦାୟୀ ହୋଇଥାନ୍ତି। ଏହା ହିଁ ଆମ ଦେଶର ଗଣତନ୍ତ୍ରର ସ୍ବତନ୍ତ୍ରତା। ବିଭିନ୍ନ ବିବିଧତା ସତ୍ତ୍ୱେ ଏକତା ହିଁ ପ୍ରତିଫଳିତ ହୋଇଥାଏ।
ସାଂପ୍ରତିକ ପରିସ୍ଥିତି କିନ୍ତୁ ଭିନ୍ନ ଭଳି ହୃଦବୋଧ ହୁଏ। କୌଣସି ଏକ ସମସ୍ୟା ଉପୁଜିଲେ ରାଜ୍ୟ ‘କେନ୍ଦ୍ର ଦାୟୀ’ ଓ କେନ୍ଦ୍ର ‘ରାଜ୍ୟ ଦାୟୀ’ କହି ନାଗରିକମାନଙ୍କୁ କୁହେଳିକା ମଧ୍ୟକୁ ନେଇଯାନ୍ତି। ଅନେକ ସମୟରେ ସମସ୍ୟା ସମାଧାନ ପରିବର୍ତ୍ତେ ‘କିଏ ଦାୟୀ’ ବିତର୍କରେ ସମୟ ଚାଲିଯାଉଛି। ବର୍ଷତମାମ ଶାସକ ଓ ବିରୋଧୀ ଏହି ଭଳି ବିତର୍କ ମଧ୍ୟରେ ନିମଗ୍ନ ହୋଇଥାନ୍ତି। କେନ୍ଦ୍ର ହେଉ ବା ରାଜ୍ୟ ହେଉ ପରସ୍ପରକୁ ଦୋଷାରୋପ କରିବାରେ ଟିକେ ବି ସୁଯୋଗକୁ ହାତଛଡା କରୁନାହାନ୍ତି। ଗଣମାଧ୍ୟମ ଏବଂ ନାଗରିକ ସମାଜରେ ମଧ୍ୟ ଅନୁରୂପ ବିତର୍କ ଚାଲିଥାଏ। ଅତଏବ, ବିକାଶ ହେଉ ବା ବିନାଶ ହେଉ, ଏଥିପାଇଁ ଦାୟୀ କିଏ ? ନାଗରିକମାନେ ପ୍ରଶ୍ନ କାହାକୁ ପଚାରିବେ? ସମସ୍ୟାର ସମାଧାନ କିଏ କରିବ କେନ୍ଦ୍ର ନା ରାଜ୍ୟ? ସମ୍ବିଧାନ କେନ୍ଦ୍ର ଓ ରାଜ୍ୟର କ୍ଷମତା ପରିସର ସ୍ପଷ୍ଟ ଭାବରେ ଉଲ୍ଲେଖ ଥିଲେ ମଧ୍ୟ ଉତ୍ତର ଦାୟିତ୍ବର ଦ୍ବନ୍ଦ୍ବ କ’ଣ ପାଇଁ? ଓଡିଶା ସମେତ ଅନେକ ରାଜ୍ୟରେ ଏହି ଦ୍ବନ୍ଦ୍ବ ସମୟାନୁକ୍ରମେ ବଢିଚାଲିଛି। ଚିନ୍ତାର ବିଷୟ ଏହି ଯେ ବର୍ତ୍ତମାନର କେନ୍ଦ୍ରରାଜ୍ୟ ସମ୍ପର୍କ ସୁସ୍ଥ ବାତାବରଣ ଦେଇ ଗତି କରୁନାହିଁ। ଏହା ଗଣତନ୍ତ୍ର ପାଇଁ ବିପଦ। କେନ୍ଦ୍ର ଓ ରାଜ୍ୟ ସମ୍ପର୍କ ବିଷୟରେ ଭାରତ ସମ୍ବିଧାନ ଧାରା ୨୪୫-୨୯୩ ରେ ଉପସ୍ଥାପନ କରାଯାଇଛି। ଏଥିରେ ମୁଖ୍ୟତଃ ଏହି ଦୁଇ ସ୍ତରର ସରକାରଙ୍କ ମଧ୍ୟରେ ବ୍ୟବସ୍ଥାପକ, ପ୍ରାଶାସନିକ ତଥା ଆର୍ଥିକ ସମ୍ପର୍କ ବିଷୟରେ ଉପସ୍ଥାପନ କରାଯାଇଛି। ଆହୁରି ମଧ୍ୟ ବିକାଶର ବିଭିନ୍ନ କ୍ଷେତ୍ର ବା ବିଭାଗଗୁଡିକ ପାଇଁ ଉଭୟଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟନ କରାଯାଇଛି। ଏହି ସମସ୍ତ କଥା ସମ୍ବିଧାନରେ ବିସ୍ତୃତ ଭାବେ ରହିଥିଲେ ମଧ୍ୟ ଇତିହାସ ପୃଷ୍ଠାରୁ ଜଣାଯାଏ ଯେ କେନ୍ଦ୍ର ଓ ରାଜ୍ୟର ସମ୍ପର୍କ କେନ୍ଦ୍ର ନେତୃତ୍ବ ଓ ବ୍ୟକ୍ତିତ୍ବ ତଥା କେନ୍ଦ୍ରଶାସନରେ ଥିବା ଦଳର ରାଜ୍ୟମାନଙ୍କରେ ରାଜନୈତିକ ସ୍ଥିତି ଉପରେ ନିର୍ଭର କରେ। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମୟରେ କେନ୍ଦ୍ର ଓ ରାଜ୍ୟ ସମ୍ପର୍କରେ କୌଣସି ବି ସମସ୍ୟା ସୃଷ୍ଟି ହୋଇ ନ ଥିଲା। କାରଣ ସେ ସମୟରେ ନେହେରୁଙ୍କ ଭଳି ବ୍ୟକ୍ତିତ୍ବ ଭାରତୀୟ ରାଜନୀତିରେ ବିରଳ ଥିଲେ। ତାଙ୍କର ନେତୃତ୍ବ ତଥା ଅଖଣ୍ଡ ପ୍ରଭାବ ବଳରେ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ନିଷ୍ପତ୍ତିରେ ସମ୍ମତ କରାଇ ନେବାରେ ସକ୍ଷମ ହେଉଥିଲେ। ୧୯୬୭ ମସିହାରେ ପ୍ରଥମଥର ପାଇଁ ସ୍ବାଧୀନ ଭାରତରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କ ପାଇଁ ବଡ ଆହ୍ବାନ ଥିଲା। କାରଣ, ଏହି ସମୟରେ ଓଡିଶା ସମେତ ଅନେକ ରାଜ୍ୟମାନଙ୍କରେ ଅଣ-କଂଗ୍ରେସ ସରକାର ଗଠନ ହୋଇଥିଲା। ରାଜ୍ୟମାନଙ୍କରେ ମେଣ୍ଟ ସରକାର ପ୍ରଥମ କରି ଆରମ୍ଭ ହୋଇଥିଲା। ବର୍ତ୍ତମାନର ପରିସ୍ଥିତି ଭଳି ସେତେବେଳେ ମଧ୍ୟ ରାଜ୍ୟରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ନିଜନିଜ ପତିଆରା ଦେଖାଇବା ପାଇଁ କେନ୍ଦ୍ର ଶାସନର ପ୍ରକ୍ରିୟା ତଥା ବ୍ୟବସ୍ଥାକୁ ନେଇ ଅନେକ ଅଭିଯୋଗ କରୁଥିଲେ। ତେଣୁ ଏଭଳି ପରିସ୍ଥିତିରେ କେନ୍ଦ୍ର ସମସ୍ତ ରାଜ୍ୟମାନଙ୍କୁ ନେଇ ଶାସନ କରିବା କଷ୍ଟକର ହୋଇ ପଡିଥିଲା। ଏପରିକି ୧୯୬୭ ମାର୍ଚ୍ଚ ୧୮ରେ ସଂସଦର ମିଳିତ ଅଧିବେଶନ ଅଭିଭାଷଣରେ ତତ୍କାଳୀନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କ ଅଭିଭାଷଣରେ କେନ୍ଦ୍ରରାଜ୍ୟ ମଧ୍ୟରେ ସମ୍ପର୍କର ଜଟିଳତାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରରାଜ୍ୟ ମଧ୍ୟରେ ସୁ-ସମ୍ପର୍କକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଇଥିଲା। ଇନ୍ଦିରା ଗାନ୍ଧୀ ମଧ୍ୟ ‘ବଳିଷ୍ଠ ସଙ୍ଘୀୟ ବ୍ୟବସ୍ଥା’ ସ୍ଥାପନ ଉପରେ ଯଥେଷ୍ଟ ଗୁରୁତ୍ବ ଦେବା ପାଇଁ ରଖିଥିଲେ; କିନ୍ତୁ ୧୯୭୧ ସାଧାରଣ ନିର୍ବାଚନରେ ପୁନର୍ବାର କଂଗ୍ରେସ ଦଳ କେନ୍ଦ୍ରରେ ନିର୍ବାଚିତ ହେବା ସହ ୧୯୭୨ ବିଧାନସଭା ନିର୍ବାଚନଗୁଡିକରେ ରାଜ୍ୟମାନଙ୍କରେ ମଧ୍ୟ ସଫଳତା ଆଣିଥିଲା। ଏହାଦ୍ବାରା କେନ୍ଦ୍ରରେ ନିର୍ବାଚିତ କଂଗ୍ରେସ ସରକାର ସଙ୍ଘୀୟ ବ୍ୟବସ୍ଥାକୁ ନେଇ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିଲେ। ବଳିଷ୍ଠ ସଙ୍ଘୀୟ ବ୍ୟବସ୍ଥା ବଦଳରେ ରାଜ୍ୟମାନେ କେନ୍ଦ୍ର ନିଷ୍ପତ୍ତିକୁ ମାନି ନେବା ପାଇଁ ଉଚିତ ବୋଲି ଦର୍ଶାଯାଇଥିଲା। ଏହାଦ୍ୱାରା ସମସ୍ତ କ୍ଷମତା କେନ୍ଦ୍ର ନିକଟରେ କେନ୍ଦ୍ରୀଭୂତ ହୋଇଥିଲା। ଏପରିକି ଅନେକ ରାଜନୀତି ବିଜ୍ଞାନୀ ମତପୋଷଣ କରନ୍ତି ଯେ ସେହି ସମୟରେ ଅତ୍ୟଧିକ କ୍ଷମତା କେନ୍ଦ୍ରରେ କେନ୍ଦ୍ରୀଭୂତ ହେବାଦ୍ବାରା କଂଗ୍ରେସ ପୁନର୍ବାର ନିର୍ବାଚିତ ହୋଇ ପାରିନଥିଲା। କ୍ଷମତାଭିତ୍ତିକ ବିକେନ୍ଦ୍ରୀକରଣ ସହିତ ସଙ୍ଘୀୟ ବ୍ୟବସ୍ଥାରେ କେତେ ପରିମାଣର ଅର୍ଥ ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଉଛି ମଧ୍ୟ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ୧୯୮୦-୮୧ ଆର୍ଥିକ ବର୍ଷରେ କେନ୍ଦ୍ରରୁ ମୋଟ ଜିଡ଼ିପିର ୭ ପ୍ରତିଶତ ଥିଲା ଓ ନବେ ଦଶକରେ ଏହା ୮ ଭାଗରେ ପହଞ୍ଚିଥିଲା, କିନ୍ତୁ ୨୦୧୪-୧୫ ଆର୍ଥିକ ବର୍ଷରେ ଏହା ୫.୫ଭାଗରେ ଥିଲା ଓ ଏହା ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ସାମାନ୍ୟ ବୃଦ୍ଧି ଘଟି ୬.୪ରେ ପହଞ୍ଚିଛି। ଏଥି ସହିତ ଏହି ଅର୍ଥକୁ ଖର୍ଚ୍ଚ କରିବା ପାଇଁ ରାଜ୍ୟମାନେ କିଭଳି ଭାବରେ ସର୍ବାଧିକଭାବେ ନିଷ୍ପତ୍ତି ନେଇପାରିବେ ତାହା ମଧ୍ୟ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ।
କେନ୍ଦ୍ର ଓ ରାଜ୍ୟ ସମ୍ପର୍କକୁ ନେଇ ବିଭିନ୍ନ ସମୟ ବ୍ୟବଧାନରେ ବିଭିନ୍ନ ଆୟୋଗଙ୍କ ଦ୍ବାରା ରିପୋର୍ଟ ପ୍ରଦାନ କରାଯାଇଛି। ୧୯୬୯ ମସିହାରେ ପ୍ରାଶାସନିକ ସଂସ୍କାର ଆୟୋଗ ଓ ପରବର୍ତ୍ତୀ ସମୟରେ ୧୯୭୧ ମସିହାରେ ରାଜମାନ୍ନର କମିଟି ତାମିଲନାଡୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ରିପୋର୍ଟରେ ରାଜ୍ୟମାନଙ୍କୁ ଅଧିକ କ୍ଷମତା ଦିଆଯିବା ପାଇଁ କୁହାଯାଇଥିଲା। ୧୯୮୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସଂସଦରେ ଜଷ୍ଟିସ ଆର ଏସ ସରକାରିଆଙ୍କ ଅଧୀନରେ ପ୍ରଥମ କରି ଏକ ଆୟୋଗ ଗଠନ କରିଥିଲେ। ଏହି କମିସନ ଦେଇଥିବା ୨୪୭ଟି ପରାମର୍ଶ ମଧ୍ୟରୁ ୧୭୯ଟି ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଛି। ଏଥି ମଧ୍ୟରୁ ଆନ୍ତଃରାଜ୍ୟ ପରିଷଦ ଗଠନ ଭଳି ଗୁରୁତ୍ବପୂର୍ଣ୍ଣ ପରାମର୍ଶକୁ ସରକାର କାର୍ଯ୍ୟକାରୀ କରିଛନ୍ତି। ୨୦୦୫ ମସିହାରେ ଦ୍ବିତୀୟ ପ୍ରାଶାସନିକ ସଂସ୍କାର ଆୟୋଗ ଓ ୨୦୦୭ରେ ପୁଞ୍ଛି କମିସନଙ୍କଠାରୁ ଅନେକ ପରାମର୍ଶ ମିଳିସାରିଛି।
ଏକ ପକ୍ଷରେ ଦେଶରେ ଏକ ସୁବ୍ୟବସ୍ଥିତ ସାମ୍ବିଧାନିକ ବ୍ୟବସ୍ଥା ସହିତ ଅନ୍ୟପକ୍ଷରେ ବିଭିନ୍ନ କମିସନର ରିପୋର୍ଟ ପରାମର୍ଶ ଦେଇଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ, ଦିନକୁ ଦିନ ତିକ୍ତତା ବଢିଚାଲିଛି। ଦେଖାଯାଇଛି ଦେଶରେ ଆଞ୍ଚଳିକ ଦଳମାନଙ୍କର ଆବିର୍ଭାବ ଏକ ପକ୍ଷରେ ରାଜ୍ୟମାନଙ୍କର ସ୍ବରକୁ ମଜଭୁତ କରି ଆଞ୍ଚଳିକ ସମସ୍ୟାଗୁଡିକୁ ସମାଧାନ କରିବାରେ ସହାୟକ ହେଉଥିବା ସ୍ଥଳେ, ଅନ୍ୟ ପକ୍ଷରେ ଏହି ଆଞ୍ଚଳିକ ଦଳମାନେ ଜାତୀୟଦଳମାନଙ୍କ ସହିତ ମିଶି ଅନେକ ସମୟରେ ବୃହତ୍ତର ସମସ୍ୟାଗୁଡିକୁ ନେଇ ମତ ରଖିଲେ କେନ୍ଦ୍ର ପ୍ରତି ଆଭିମୁଖ୍ୟ ବଦଳି ଯାଇଥାଏ। ୧୯୮୦ ମସିହା ସାଧାରଣ ନିର୍ବାଚନଠାରୁ ଆଞ୍ଚଳିକ ଦଳମାନଙ୍କର ଭୋଟଭାଗ ଯଥେଷ୍ଟ ମାତ୍ରାରେ ବଢିଚାଲିଛି। ୧୯୮୪ ମସିହା ସାଧାରଣ ନିର୍ବାଚନରେ ଏହା ୨୦ ପ୍ରତିଶତ ଥିବା ସ୍ଥଳେ, ୨୦୦୯ ନିର୍ବାଚନରେ ଏହା ୫୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୧୪ ନିର୍ବାଚନରେ ବିଜେପିକୁ ବହୁମତ ମିଳିଥିବା ସତ୍ତ୍ୱେ, ଜାତୀୟ ଦଳମାନଙ୍କର ଭୋଟ ଭାଗ ୫୨ ଭାଗ ରହିଥିଲା। ତେଣୁ ଆଞ୍ଚଳିକ ଦଳମାନଙ୍କର ପ୍ରାଧାନ୍ୟ ବଢୁଥିବା ଦୃଷ୍ଟିରୁ କେନ୍ଦ୍ରରାଜ୍ୟ ମଧ୍ୟରେ କିଭଳି ସୁସମ୍ପର୍କ ରହିପାରିବ ସେ ନେଇ କେନ୍ଦ୍ର ବା ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ପ୍ରଥମତଃ, ବିକାଶ ପାଇଁ ଯୋଜନା ତଥା ପଦକ୍ଷେପଗୁଡିକ ପ୍ରତିଯୋଗିତାମୂଳକ ନହୋଇ ସହଯୋଗମୂଳକ ହେବାର ଆବଶ୍ୟକତା ରହିଛି। କେନ୍ଦ୍ର ବା ରାଜ୍ୟ କୌଣସି ଏକ ଯୋଜନା ପ୍ରଣୟନ କରିବା ଆଗରୁ ଉଭୟ ଉଭୟଙ୍କର ପରାମର୍ଶ ଦରକାର। ଦଳୀୟ ସ୍ବାର୍ଥରୁ ଊର୍ଦ୍ଧ୍ବରେ ରହି ସଙ୍ଘୀୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପରାମର୍ଶଗୁଡିକୁ ଯଥେଷ୍ଟ ସମ୍ମାନ ଦେବା ବିଧେୟ। ପୂର୍ବରୁ ଥିବା ଯୋଜନା କମିସନକୁ ନୀତି ଆୟୋଗରେ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ସେ ସମୟରେ ପ୍ରଚଳିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯୋଜନାକୁ ନେଇ ନିୟମିତ ତର୍ଜମା ହ୍ରାସ ପାଇଛି। ନୀତି ଆୟୋଗଙ୍କ ନିଷ୍ପତ୍ତିକୁ ଅଧିକ ରାଜ୍ୟ ସହଭାଗିଭିତ୍ତିକ କରିବା ଦରକାର। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ରହିବା ଜରୁରୀ। ରାଜ୍ୟମାନଙ୍କର ବିଭିନ୍ନ ସମୟରେ ବିଭିନ୍ନ ଦାବି ଓ ଅଭିଯୋଗ ମଧ୍ୟ ଗ୍ରହଣ କରିବା ପାଇଁ ଉପଯୁକ୍ତ ନିରପେକ୍ଷ ଓ ସ୍ଥାୟୀ ଆନୁଷ୍ଠାନିକ ବ୍ୟବସ୍ଥା ଦରକାର ରହିଛି। ଅତଏବ ଭାରତ ଭଳି ମହାନ ଦେଶର ସାମଗ୍ରିକ ବିକାଶ, ବ୍ୟବସ୍ଥାକୁ ମର୍ଯ୍ୟାଦା ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ କିଭଳି ସୁ-ସମ୍ପର୍କ ରହିବ ସେ ନେଇ ଉଭୟ ସରକାର ଯତ୍ନଶୀଳ ହୁଅନ୍ତୁ।

Leave A Reply